Unknown

 

 

 

 

 

 

 

ସେରଲକ୍‍ ହୋମ୍‍ସ୍‍ କାହାଣୀ

(ପ୍ରଥମ ଖଣ୍ଡ)

 

ମୂଳରଚନା : ଆର୍ଥର କୋନାନ୍ ଡୟେଲ୍‍

 

ଅନୁବାଦ

ଦିବାକର ପାଣି

 

ସୂଚୀପତ୍ର

 

୧.

ନାଲିମୁଣ୍ଡିଆ ଦଳ

୨.

ନୀଳ ପଦ୍ମରାଗ ମଣି

୩.

ତିନି ଛାତ୍ର

୪.

ଗ୍ରୀକ୍ ଅନୁବାଦକ

୫.

କପର୍‍ ବିଚେସ୍‍

୬.

ମରଣଦୁଆରେ ଡିଟେକ୍‍ଟିଭ

Image

 

ନାଲିମୁଣ୍ଡିଆ ଦଳ

 

ଗଲା ବର୍ଷର ଶରତ୍ ଋତୁ କଥା । ଦିନେ ମୁଁ ବନ୍ଧୁ ସେରଲକ୍‍ ହୋମ୍‌ସ୍‌ଙ୍କ ଘରକୁ ଗଲି । ଦେଖିଲି ସେ ଜଣେ ବୟସ୍କ ଭଦ୍ରଲୋକଙ୍କ ସଙ୍ଗେ କଥାବାର୍ତ୍ତା କରୁଛନ୍ତି । ଭଦ୍ରଲୋକ ବେଶ୍ ହୃଷ୍ଟପୁଷ୍ଟ ମୁହଁର ବର୍ଣ୍ଣ ଲାଲ । ମୁଣ୍ଡର ବାଳ ତାଙ୍କର ନିଆଁ ପରି ରକ୍ତ ବର୍ଣ୍ଣ । ମୁଁ ଦରଜା ନିକଟରୁ ଫେରି ଆସିବାକୁ ବସିଲି । ହୋମ୍‌ସ୍‌ ଉଠି ଆସି ମୋତେ ଘର ଭିତରକୁ ଟାଣି ନେଇ ଦରଜା ବନ୍ଦ କରିଦେଲେ ।

 

“ଭଲ ବେଳେ ଆସିଛ ଉଆଟ୍‌ସନ୍‌ ।” —ସେ କହିଲେ ।

 

ଭଦ୍ରଲୋକଙ୍କୁ ବୁଝାଇ ସେ କହିଲେ, “ଏ ହେଲେ ମୋର ସାଥୀ ଡାକ୍ତର ଉଆଟ୍‌ସନ୍‌ । ମୋର ଅଧିକାଂଶ ଅନୁସନ୍ଧାନରେ ସେ ମୋତେ ସାହାଯ୍ୟ କରିଛନ୍ତି । ମିଷ୍ଟର ଉଇଲ୍‍ସନ୍, ଦୟାକରି ଆପଣଙ୍କ କଥା ଆଉ ଥରେ ଆରମ୍ଭ କରନ୍ତୁ ।”

 

ଭଦ୍ରଲୋକ ମୁଣ୍ଡ ଟେକି ସଳଖି ବସିଲେ । ମୁହଁରେ ଗର୍ବ ଭାବ । ତା’ପରେ କୋର୍ଟ ପକେଟରୁ ଖଣ୍ଡେ ମଇଳା ଖବର କାଗଜ ବାହାରକଲେ । ତାଙ୍କ ବେଶଭୂଷାରୁ ସେ କିଏ ଜାଣିବା ପାଇଁ ମୁଁ ତାଙ୍କୁ ଥରେ ଭଲ କରି ଦେଖିନେଲି । ହୋମ୍‌ସ୍‌ ମଧ୍ୟ ତା କଲେ । ମୁଁ କିନ୍ତୁ ବିଶେଷ କିଛି ଜାଣିପାରିଲି ନାହିଁ ।

 

ମୋ ଆଡ଼କୁ ଚାହିଁ, ଟିକିଏ ହସି, ମୁଣ୍ଡ ହଲାଇ ସେରଲକ୍‍ ହୋମ୍‌ସ୍‌ କହିଲେ, “ଭଦ୍ରଲୋକ ପୂର୍ବେ ହାତରେ ପରିଶ୍ରମ କରୁଥିଲେ, ସେ ନାସ ବ୍ୟବହାର କରନ୍ତି, ସେ ଫ୍ରିମାସନ୍ ଦଳର ଜଣେ, ସେ କିଛିଦିନ ଚୀନ ଦେଶରେ ଥିଲେ, ନିକଟରେ ସେ ବେଶୀ ଲେଖାଲେଖି କରୁଛନ୍ତି-। ୟା ଛଡ଼ା ଆଉ ଅଧିକ କିଛି ଜାଣି ହେଉନାହିଁ ।”

 

ମିଷ୍ଟର ଉଇଲ୍‍ସନ୍‍ ଚମକି ପଡ଼ିଲେ । “ଆପଣ ଏସବୁ ଜାଣିଲେ କିପରି ମିଷ୍ଟର ହୋମ୍‌ସ୍‌ ?” ମୁଁ ହାତରେ ପରିଶ୍ରମ କରିବା କଥା ଜାଣିଲେ କିପରି ? ପ୍ରକୃତରେ ମୁଁ ପ୍ରଥମେ ଗୋଟାଏ ଜାହାଜରେ ବଢ଼େଇ କାମ କରୁଥିଲି ।

 

“ଆପଣଙ୍କ ହାତରୁ ଜାଣିଲି । ଆପଣଙ୍କ ଡାହାଣ ହାତ ବାଁ ହାତ ଅପେକ୍ଷା ଟିକିଏ ମୋଟା, କାରଣ ଆପଣ ସେ ହାତରେ ପରିଶ୍ରମ କରିଛନ୍ତି । ତେଣୁ ମାଂସପେଶୀ ଟାଣ ହୋଇଯାଇଛି ।”

 

“ତା’ପରେ ନାସ ଏବଂ ଫ୍ରିମାସନ୍ ଦଳ କଥା ?”

 

ସେରଲକ୍‍ ହୋମ୍‍ସ୍ ଗୋଟି ଗୋଟି କରି ସବୁ ବୁଝାଇଦେଲେ । ମିଷ୍ଟର ଉଇଲ୍‍ସନ୍‌ଙ୍କ ଛାତିରେ ମରାଯାଇଥିବା ପିନ୍‍ରୁ ଜଣାଗଲା ସେ ଜଣେ ଫ୍ରିମାସନ୍ । ତାଙ୍କ କୋଟର ଡାହାଣ ହାତ ବେଶି ସଫା । କିନ୍ତୁ ବାଁ ହାତ କହୁଣି ପାଖ ମଇଳା । ସେ ବାଁ ହାତ କହୁଣି ଡେସ୍କ ଉପରେ ରଖି ଲେଖାଲେଖି କରନ୍ତି । ତାଙ୍କ ହାତରେ କୁଟାଯାଇଥିବା ଚିତା କେବଳ ଚୀନ ଦେଶରେ ଦେଖାଯାଏ ।

 

ମିଷ୍ଟର ଉଇଲ୍‍ସନ୍ କହିଲେ, “ମୁଁ ଭାବିଥିଲି, ଆପଣଙ୍କ ଅନୁଶୀଳନରେ କିଛି ଚତୁରତା ଆଉ ବିଶେଷତ୍ୱ ଅଛି । କିନ୍ତୁ ଦେଖୁଛି ସେଥିରେ ବିଶେଷତ୍ୱ କିଛି ନାହିଁ ।”

 

“ହଁ, ସବୁଟା ବୁଝାଇ ଦେବା ମୋର ଭୁଲ୍‍ । ଏତେ ସରଳ ହେଲେ ମୋର ବଦନାମ ହବ ଦେଖୁଛି । ଛାଡ଼ନ୍ତୁ, ଆପଣ ଖବର କାଗଜରୁ ସେ ବିଜ୍ଞାପନଟା ପାଇଲେ ନାହିଁ ?”

 

“ହଁ, ଏଇ ପାଇଲି । ନିଅନ୍ତୁ, ଆପଣ ନିଜେ ପଢ଼ନ୍ତୁ ।”

 

ମୁଁ ଖବରକାଗଜଟା ଆଣି ପଢ଼ିଲି:

 

“ନାଲିମୁଣ୍ଡିଆ ଦଳ ପାଇଁ—ସ୍ୱର୍ଗୀୟ ଏଜେକିଆ ହପ୍‌କିନ୍‌ସ୍‌ଙ୍କ ଦାନ ଯୋଗୁଁ ଦଳରେ ଗୋଟାଏ ସ୍ଥାନ ଖାଲି ପଡ଼ିଛି । ଦରମା ସପ୍ତାହକୁ ଚାରି ପାଉଣ୍ଡ । ସୁସ୍ଥ ସବଳ ଏବଂ ମାନସିକ ଦୋଷ ନ ଥିବା ନାଲିମୁଣ୍ଡିଆ ଲୋକମାନେ ଏଥିପାଇଁ ଦରଖାସ୍ତ କରିପାରନ୍ତି । ସୋମବାର ଦିନ ଏଗାରଟା ବେଳେ ୭, ପୋପ କୋର୍ଟ ଫ୍ଳିଟଷ୍ଟ୍ରୀଟରେ ଥିବା ଦଳର ଅଫିସରେ ଡନ୍‍-କାନରସ୍‌ଙ୍କ ସଙ୍ଗେ ଦେଖାକରନ୍ତୁ ।”

 

“ଏହାର ଅର୍ଥ କଣ ?” —ମୁଁ ପଚାରିଲି ।

 

ହୋମ୍‍ସ୍ ତା’ପରେ କହିଲ, “ମିଷ୍ଟର ଉଇଲ୍‍ସନ୍, ଏଥର ଆପଣଙ୍କ କଥା, ଆପଣଙ୍କ ଘର କଥା, ଆଉ ଆପଣଙ୍କ ଉପରେ ଏ ବିଜ୍ଞାପନର ପ୍ରଭାବ କଥା କହନ୍ତୁ । ତମେ ଡାକ୍ତର, ଏଇ ଖବର କାଗଜ ଏବଂ ତାର ତାରିଖ ଆଦି ନୋଟ୍ କରି ରଖ ।”

 

“ମିଷ୍ଟର ଜାବେଜ୍,” ଉଇଲ୍‍ସନ୍ ଆରମ୍ଭ କଲେ, “ଏଇ ତ ଆପଣଙ୍କୁ କହୁଥିଲି, ମୋର ବ୍ୟବସାୟ ହେଲା ଜିନିଷ ବନ୍ଧା ରଖି ଟଙ୍କା କରଜ ଦେବା । ସେତେ ବଡ଼ ଧରଣର ବ୍ୟବସାୟ ନୁହେଁ । ମୁଁ ଆଗେ ଦୁଇଜଣ ସହକାରୀ ରଖିଥିଲି । ଏବେ ମାତ୍ର ଜଣେ ଅଛି । ତାକୁ ଦରମା ଦେବା ମୋ ପକ୍ଷରେ ସମ୍ଭବ ହେଲା ନାହିଁ । କିନ୍ତୁ ସେ ବ୍ୟବସାୟ ଶିଖିବ ବୋଲି ଅଧା ଦରମାରେ ରହିବାକୁ ରାଜି ।”

 

“ତା’ ନାଁ କ’ଣ ?”

 

“ଭିନ୍‌ସେଣ୍ଟ୍‌ ସ୍ପଲଡିଙ୍ଗ । ସେ ମଧ୍ୟବୟସ୍କ ଲୋକ । ତାର ବୟସ କେତେ କହିହେବ ନାହିଁ । ମୁଁ ତାକୁ ଯାହା ଦିଏ ସେ ତାର ଦୁଇଗୁଣ ରୋଜଗାର କରିପାରନ୍ତା । କିନ୍ତୁ ମୁଁ ଯାହା ଦେଉଛି ସେଥିରେ ସେ ଯଦି ସନ୍ତୁଷ୍ଟ, ମୁଁ କାହିଁକି କିଛି କହିବି ?”

 

“ଆପଣ ଖୁବ୍‍ କପାଳିଆ ।”

 

“କିନ୍ତୁ ଲୋକଟାର ଦୋଷ ଦୁର୍ବଳତା ଅଛି । ଫଟୋ ଉଠାଇବା ପାଇଁ ତା ପରି ଆଗ୍ରହୀ ଲୋକ ଆଉ ନାହିଁ । ଯେତେବେଳେ କିଛି ଶିଖିବା କଥା, ସେତେବେଳେ ସେ ଗୋଟାଏ କାମେରା ଧରି ଫଟୋ ଉଠାଇବାରେ ଲାଗିଥିବ । ତା’ପରେ ମୂଷା ଗାତରେ ପଶିଲା ପରି ଭୂଇଁତଳ କୋଠରୀରେ ପଶି ଫଟୋ କାମରେ ଲାଗିଯିବ । ଏଇ ହେଲା ତାର ଦୋଷ । କିନ୍ତୁ ମୋଟାମୋଟି ଲୋକଟା କାମିକା ।

 

“ବର୍ତ୍ତମାନ ମଧ୍ୟ ସେ ଆପଣଙ୍କ ପାଖରେ ଅଛି ?”

 

“ହଁ । ସେ ଆଉ ଚଉଦ ବର୍ଷର ଗୋଟିଏ ଝିଅ । ସେ ରୋଷେଇବାସ ଆଦି ଘର କାମ କରେ । ଆମେ ତିନିଜଣ ବେଶ୍ ଆରାମରେ ଚଳିଯାଉ ।”

 

ସେ ପୁଣି କହିଚାଲିଲେ, “ଠିକ୍ ଆଠ ସପ୍ତାହ ପୂର୍ବେ ଦିନେ ସ୍ପଲଡିଙ୍ଗ ଅଫିସରେ ଆସି ପହଞ୍ଚିଲା । ତା ହାତରେ ଏଇ ଖବର କାଗଜ ଖଣ୍ଡିକ । ସେ କହିଲା, ‘ମିଷ୍ଟର ଉଇଲ୍‍ସନ୍‍, ମୁଁ ହେଲେ ନାଲିମୁଣ୍ଡିଆ ହୋଇଥାନ୍ତି ! ଏଇ ନାଲିମୁଣ୍ଡିଆ ଦଳରେ ଆଉ ଗୋଟାଏ ସ୍ଥାନ ଖାଲି । ଆପଣ କ’ଣ କେବେ ଏଇ ନାଲିମୁଣ୍ଡିଆ ଦଳ କଥା ଶୁଣିନାହାନ୍ତି’ ?’’

 

“ନାଁ, କେବେ ନୁହେଁ ।”

 

“ଆଶ୍ଚର୍ଯ୍ୟ କଥା । ଆପଣ ନିଜେ ତ ଏଇ ଖାଲି ସ୍ଥାନ ପାଇଁ ଜଣେ ଯୋଗ୍ୟ ଲୋକ ।’’

 

ତା’ପରେ ସ୍ପଲଡିଙ୍ଗ ମିଷ୍ଟର ଉଇଲ୍‍ସନ୍‌ଙ୍କୁ ବୁଝେଇଦେଇ କହିଲା ଯେ—ଏଇ ଦଳଟା ଆମେରିକାର ଜଣେ କୋଟିପତି ଗଢ଼ିଥିଲେ । ସେ ନିଜେ ନାଲିମୁଣ୍ଡିଆ ଏବଂ ନାଲିମୁଣ୍ଡିଆ ଲୋକଙ୍କ ପ୍ରତି ତାଙ୍କର ସହାନୁଭୂତି ଥିଲା । ସେମାନଙ୍କୁ କାମ ଏବଂ ଭଲ ଦରମା ଯୋଗାଇ ଦେବା ହେଲା ତାଙ୍କର ଉଦ୍ଦେଶ୍ୟ । କିନ୍ତୁ ଯାହାର ମୁଣ୍ଡର ବାଳ ଚିକ୍କଣ ଗାଢ଼ ନାଲି ରଙ୍ଗ ହୋଇ ନ ଥିବ ସେ ଦରଖାସ୍ତ କରିବା ମୂଲ୍ୟହୀନ ।” ଶେଷରେ ଏଇ ଖାଲି ସ୍ଥାନ ପାଇଁ ଦରଖାସ୍ତ କରିବାକୁ ସେ ଉଇଲ୍‍ସନ୍‌ଙ୍କୁ ପ୍ରବର୍ତ୍ତାଇଲା । ସେ ଦୁହେଁ ସାଥି ହୋଇ ବିଜ୍ଞାପନରେ ଦିଆଯାଇଥିବା ଅଫିସକୁ ଗଲେ ।

 

ବିଜ୍ଞାପନ ପାଇ ଚାରିଆଡ଼ୁ ଅନେକ ଲୋକ ଆସିଥିଲେ । କିନ୍ତୁ ତାଙ୍କ ଭିତରେ ପ୍ରକୃତ ଗାଢ଼ ନାଲି ରଙ୍ଗର ବାଳ ଥିବା ଲୋକ ଖୁବ୍ କମ୍ ଥିଲେ । ସ୍ପଲଡିଙ୍ଗ ଗହଳି ଭିତରେ ଠେଲାପେଲା କରି ଉଇଲ୍‍ସନ୍‍ଙ୍କୁ ଅଫିସ ଭିତରକୁ ନେଇଗଲା । ଅଫିସ ଭିତରେ ଦୁଇଖଣ୍ଡ ଚଉକି ଆଉ ଖଣ୍ଡେ ଟେବ୍ଲ ବ୍ୟତୀତ ଆଉ କିଛି ନ ଥିଲା । ଟେବ୍ଲ ସେପାଖେ ଜଣେ ଭଦ୍ରଲୋକ ବସି ଥିଲେ । ତାଙ୍କ ମୁଣ୍ଡର ବାଳ ଉଇଲ୍‍ସନ୍‌ଙ୍କ ବାଳ ଅପେକ୍ଷା ଅଧିକ ନାଲି ବର୍ଣ୍ଣ । ସେ ସବୁ ଲୋକଙ୍କୁ ପଦେ ଅଧେ କଥା କହି ତାଙ୍କର କିଛି ନା କିଛି ତ୍ରୁଟି ଦେଖାଇ ବିଦା କରିଦେଲେ । ଉଇଲ୍‍ସନ୍‌ଙ୍କ ପାଳି ପଡ଼ିଲା । ତାଙ୍କ ସଙ୍ଗେ ଏକୁଟିଆ କଥାବାର୍ତ୍ତା କରିବା ପାଇଁ ସେ ଘରର ଦରଜା ବନ୍ଦ କରି ଦେଲେ ।

 

ସ୍ପଲଡିଙ୍ଗ କହିଲା, “ଏ ହେଲେ ମିଷ୍ଟର ଜାବେଜ୍ ଉଇଲ୍‍ସନ୍ । ଦଳରେ ଖାଲି ଥିବା ସ୍ଥାନ ପୂରଣ କରିବା ପାଇଁ ସେ ରାଜି ।”

 

“ଲୋକଟା ମୋ ଆଡ଼କୁ ଚାହିଁ ରହିଲା । ମତେ ବଡ଼ ଲାଜ ଲାଗିଲା । ତା’ପରେ ସେ ମୋ ବାଳଗୁଡ଼ା ଧରି ଖୁବ୍ ଜୋରରେ ଟଣାଟଣି କଲା । କଷ୍ଟରେ ମୁଁ ପାଟିକରି ଉଠିଲି । ତା’ପରେ ଲୋକଟା କହିଲା, “ସବୁ ଠିକ୍ ଅଛି । ଆମକୁ ଟିକିଏ ସାବଧାନ ହେବାକୁ ପଡ଼ୁଛି । କାରଣ କେତେଥର ଲୋକେ କୃତ୍ରିମ ବାଳ ଲଗାଇ ଏବଂ ବାଳକୁ ରଙ୍ଗ କରି ଆମକୁ ଠକି ଦେଇଛନ୍ତି । ତା’ପରେ ଲୋକଟା ଅନ୍ୟ ପ୍ରାର୍ଥୀମାନଙ୍କୁ ବିଦା କରିଦେଲା । ସେ ଡନ୍‌କାନ୍‌ରସ୍ ବୋଲି ନିଜର ପରିଚୟ ଦେଲା ? ମୋତେ ମୋ କାମ ବିଷୟ ବୁଝାଇ ଦେଲା । ମୁଁ ପ୍ରତିଦିନ ଦଶଟାରୁ ଦୁଇଟା ଯାଏ ଅଫିସରେ ରହିବି । ତା ଭିତରେ ଅଫିସ ଛାଡ଼ି ଆସିପାରିବି ନାହିଁ । କାମ ହେଲା ଏନସାଇକ୍ଳୋପିଡ଼ିଆ ବ୍ରିଟାନିକାର ନକଲ କରିବା । ଏଥିପାଇଁ ମୁଁ ସପ୍ତାହକୁ ଚାରିପାଉଣ୍ଡ କରି ପାଇବି । ମୋ ନିଜ ବ୍ୟବସାୟ ପ୍ରାୟ ସନ୍ଧ୍ୟାରେ ଚାଲେ । ତେଣୁ ଅନ୍ୟ ସମୟରେ କିଛି ରୋଜଗାର କରିବା ପାଇଁ ମୋର କିଛି ଅସୁବିଧା ହେଲା ନାହିଁ । ମୁଁ ସାଙ୍ଗେ ସାଙ୍ଗେ ରାଜି ହୋଇଗଲି ।

 

ତା’ପର ଦିନ ମୁଁ କାଗଜ, କଲମ ଏବଂ କାଳି ଧରି ଅଫିସକୁ ଗଲ । ମୋ ପାଇଁ ଗୋଟାଏ ଟେବ୍ଲ ରଖାଯାଇଥିଲା । ମିଷ୍ଟର ରସ୍ ସେଠାରୁ ଅପେକ୍ଷା କରିଥିଲେ । ମୁଁ କାମ ଆରମ୍ଭ କଲି । ମିଷ୍ଟର ରସ୍ ସେଠାରୁ ଚାଲିଗଲେ । କିନ୍ତୁ ମଝିରେ ମଝିରେ ସେ ଆସି କାମ ଠିକ୍ ଚାଲିଛି କି ନାହିଁ ଦେଖିଯାଉଥାନ୍ତି । ଦୁଇଟା ବେଳକୁ ସେ ଆସିଲେ । ମୁଁ ଅଫିସରୁ ଆସିବା ପରେ ସେ ଦରଜା ବନ୍ଦ କରିଦେଲେ । ଏଇପରି କାମ ଚାଲିଲା । ଶନିବାର ଦିନ ସପ୍ତାହକର ଦରମା ଚାରିପାଉଣ୍ଡ ମୁଁ ପାଇଲି ।

 

“ଆଠ ସପ୍ତାହ ଏମିତି କଟିଗଲା । ତା’ପରେ ହଠାତ୍ ଏସବୁ କାମ ବନ୍ଦ ହୋଇଗଲା ।”

 

“ବନ୍ଦ ହୋଇଗଲା ?” ପଚାରିଲେ ମିଷ୍ଟର ହୋମ୍‌ସ୍‌ ।

 

“ହଁ, ସବୁଦିନ ପରି ଆଜି ମୁଁ ମୋ କାମକୁ ଗଲି । କିନ୍ତୁ ଅଫିସ ଦରଜାରେ ତାଲା ପଡ଼ିଥିଲା । କବାଟ ମଝିରେ ଖଣ୍ଡେ ଚାରିକଣିଆ କାଗଜ ପଟି ମରା ହୋଇଥିଲା । ଏଇଟି ସେ ଖଣ୍ଡ-।” କାଗଜ ଖଣ୍ଡ ବାହାର କରି ସେ ଦେଖାଇଲେ । ଲେଖା ଥିଲା—

 

“ନାଲିମୁଣ୍ଡିଆ ଦଳକୁ ଭାଙ୍ଗି ଦିଆଗଲା । ଅକ୍ଟୋବର ୯ ତାରିଖ,୧୮୯୦ ।”

 

ସେରଲକ୍‍ ହୋମ୍‍ସ୍ ଆଉ ମୁଁ ହୋ ହୋ କରି ହସିଉଠିଲୁ ।

 

ରାଗିଯାଇ ମିଷ୍ଟର ଉଇଲ୍‍ସନ୍ କହିଲେ, “ଏଥିରେ ହସିବା ଭଳି କିଛି ଥିବାର ମୁଁ ଦେଖୁନାହିଁ । ହସିବା ଛଡ଼ା ଆପଣ ଯଦି ଆଉ କିଛି କରି ନ ପାରିବେ ତେବେ ମୁଁ ଆଉ କେଉଁଠିକି ହେଲେ ଯିବି ?”

 

“ନା, ନା”, ହୋମ୍‌ସ୍‌ କହିଲେ, ‘ଯାହାହେଲେ ବି ମୁଁ ଆପଣଙ୍କ ଏ କେଶ ଛାଡ଼ିପାରିବି ନାହିଁ । ଏଇଟା ଅତି ଅସାଧରଣ ଘଟଣା । କିନ୍ତୁ କ୍ଷମା କରିବେ—ଏଥିରେ ହସିବା ଭଳି ନିଶ୍ଚୟ କିଛି ଅଛି । ଛାଡ଼ନ୍ତୁ—ଆପଣ ଏ କାଗଜ ଖଣ୍ଡ ଦେଖିବା ପରେ କଣ କଲେ ?”

 

“କଣ କରିବି ମୁଁ କିଛି ଭାବି ପାରିଲି ନାହିଁ । ପାଖରେ ଥିବା ଅଫିସମାନଙ୍କୁ ଗଲି । କିନ୍ତୁ କେହି ଏ ବିଷୟରେ କିଛି ଜାଣିନଥିଲେ । ଶେଷରେ ମୁଁ ସେ ଘରର ମାଲିକଙ୍କ ପାଖକୁ ଗଲି । ତାଙ୍କୁ ଏଇ ଦଳର କଣ ହେଲା ବୋଲି ପଚାରିଲି । ସେ କହିଲେ ଯେ, ଏଇ ଦଳ କଥା ସେ କେବେ ଶୁଣି ନାହାନ୍ତି । ତା’ପରେ ମୁଁ ତାଙ୍କୁ ପଚାରିଲି, ଡନ୍‌କାନ୍‌ରସ୍‌ କିଏ । ସେ ଉତ୍ତର ଦେଲେ ଯେ, ନାଁଟା ତାଙ୍କ ପାଖରେ ଏକାବେଳକେ ନୂଆ ।”

 

ତା’ପରେ ମୁଁ କହିଲି, “ଚାରି ନମ୍ୱରରେ ରହୁଥିବା ସେଇ ନାଲିମୁଣ୍ଡିଆ ଲୋକ ?’’

 

ଘର ମାଲିକ ଉତ୍ତର ଦେଳେ, “ତାଙ୍କ ନାଁ ତ ମିଷ୍ଟର ଉଇଲିଅମ୍ ମରିସ୍ । ସେ ଜଣେ ଓକିଲ । ଏଠି ମୋ ଘରେ ରହୁଥିଲେ । ଏବେ ତାଙ୍କର ନୂଆ ଅଫିସ ୧୭ ନମ୍ୱର କିଙ୍ଗଏଡ଼୍‌ଉଆର୍ଡ଼ ଷ୍ଟ୍ରୀଟରେ ।”

 

“ମୁଁ ସେ ଜାଗାକୁ ଗଲି । କିନ୍ତୁ ସେଠି କେହି ଉଇଲିଅମ୍ ମରିସ୍ ବା ଡନ୍‌କାନ୍‌ରସ୍‌ଙ୍କ ନାଁ ଶୁଣି ନାହାନ୍ତି ବୋଲି କହିଲେ ।”

 

“ତା’ପରେ ଆପଣ କଣ କଲେ ?”

 

“ଘରକୁ ଫେରି ମୋ ସହକାରୀକୁ ଏ ବିଷୟ କହିଲି । କିନ୍ତୁ ସେ କିଛି କହିପାରିଲା ନାହିଁ-। ଶୁଣିଥିଲି ଏମିତି ଘଟଣାରେ ଆପଣ ଗରିବ ଲୋକଙ୍କୁ ଉପଦେଶ ଦେଇ ସାହାଯ୍ୟ କରନ୍ତି । ତେଣୁ ମୁଁ ସିଧା ଆପଣଙ୍କ ପାଖକୁ ଆସିଲି ।”

 

“ଆପଣ ଖୁବ୍ ଭଲ କରିଛନ୍ତି । ପ୍ରଥମେ ମୁଁ ଆପଣଙ୍କୁ ଗୋଟେ ଦି’ଟା ପ୍ରଶ୍ନ ପଚାରିବି । ଆପଣଙ୍କ ସହକାରୀ ସ୍ପଲଡିଙ୍ଗ କେତେ ଦିନ ହେଲା ଆପଣଙ୍କ ପାଖରେ ଅଛି ?”

 

“ଏ ଘଟଣାର ପ୍ରାୟ ମାସକ ଆଗରୁ ।”

 

“ସେ କେମିତି ଆସି ଜୁଟିଲା ?”

 

“ମୋର ବିଜ୍ଞାପନ ପଢ଼ି ।”

 

“ସେ କଣ ଏକୁଟିଆ ପ୍ରାର୍ଥୀ ଥିଲା ।”

 

“ନା, ପ୍ରାୟ ବାର ଜଣ ଥିଲେ ।”

 

“ଆପଣ ତାକୁ ରଖିଲେ କାହିଁକି ?”

 

“କାରଣ ଲୋକଟା କମ୍ ଦରମାରେ ମିଳିଲା ।”

 

“ଅଧା ଦରମାରେ ତ ?”

 

“ହଁ ।”

 

“ଲୋକଟା ଦେଖିବାକୁ କିପରି ?”

 

“ବେଶ ସୁସ୍ଥ ସବଳ । କାମରେ ଖୁବ୍ ଚଞ୍ଚଳ । ବୟସ ତିରିଶିରୁ କମ୍ ହେବ ନାହିଁ । କପାଳରେ ତାର ଗୋଟାଏ ଧଳା ଚିହ୍ନ । ଲୋକଟା ବେଶୀ ଡେଙ୍ଗା ନୁହେଁ ।”

 

ହୋମ୍‍ସ୍ ବ୍ୟଗ୍ର ହୋଇ ଚଉକିରେ ବସି ପଡ଼ି କହିଲେ, “ମୁଁ ଠିକ୍ ସେଇଆ ଅନୁମାନ କରିଥିଲି । ଆଚ୍ଛା, ତା କାନ ଫୋଡ଼ା ହୋଇଥିବା ଆପଣ ଲକ୍ଷ୍ୟ କରିଛନ୍ତି ?”

 

“ହଁ । ସେ କହୁଥିଲା ତା ପିଲାଦିନେ ଜଣେ ଯାଯାବପ ଲୋକ ତା କାନ ଫୋଡ଼ିଥିଲା ।”

 

“ହୁଁ, ସେ ଏବେ ବି ଆପଣଙ୍କ ପାଖେ ଅଛି ?”

 

“ହଁ ।”

 

“ଆପଣ ନ ଥିଲାବେଳେ ସେ ଆପଣଙ୍କ ବ୍ୟବସାୟ ଦେଖାଶୁଣା କରେ ?”

 

“ହଁ, କିନ୍ତୁ ସେ ବାବଦରେ ମୋର କିଛି ଅଭିଯୋଗ ନାହିଁ ।”

 

ଆଉ କିଛି ଦରକାର ନାହିଁ । ଦିନେ ଦୁଇଦିନ ଭିତରେ ମୁଁ ଆପଣଙ୍କୁ ମୋର ମତାମତ ଦେବି । ଆଜି ହେଲା ଶନିବାର । ମୋର ଆଶା ସୋମବାର ଭିତରେ ସବୁ ସମାଧାନ ହୋଇଯିବ-।”

 

ମିଷ୍ଟର ଉଇଲ୍‍ସନ୍ ବିଦା ହୋଇଯିବା ପରେ ହୋମ୍‍ସ୍ କହିଲେ, “ଘଟଣାରୁ ତମେ କଣ ମନେକରୁଛ ଉଆଟ୍‌ସନ୍‌ ?”

 

“ସତ କହୁଛି, ମୁଁ କିଛି ଠିକ୍ କରିପାରୁନାହିଁ । ବ୍ୟାପାରଟା ବଡ଼ ରହସ୍ୟମୟ ।”

 

“ନିୟମାନୁସାରେ ଯେଉଁ ଘଟଣା ଯେତେ ଆଶ୍ଚର୍ଯ୍ୟ ସେଇଟା ସେତେ କମ୍ ରହସ୍ୟମୟ-। ଯେମିତି ଜଣେ ସାଧାରଣ ଲୋକକୁ ଚିହ୍ନିବା କଷ୍ଟକର ସେମିତି ସାଧାରଣ ଅପରାଧଗୁଡ଼ାକ ବେଶୀ ଗୋଳମାଳିଆ ।”

 

“ତୁମେ ତା’ହେଲେ ଏବେ କଣ କରିବାକୁ ଯାଉଛ ?”

 

“ସିଗାରେଟ୍‍ ଟାଣିବାକୁ । ମୋର ଅନୁରୋଧ ତୁମେ ପଚାଶ ମିନିଟ୍‍ ଯାଏ ମୋ ସାଥିରେ କିଛି କଥାବାର୍ତ୍ତା କରିବ ନାହିଁ ।”

 

ଆଣ୍ଠୁ ଦୁଇଟା ନାକ ପାଖରେ ଲଗାଇ ସେ ଜାକିଜୁକି ହୋଇ ଚଉକିରେ ବସିଗଲେ । ସିଗାରେଟ୍‍ ପାଇପ୍‌ଟା ଏକ ବିଚିତ୍ର ପକ୍ଷୀର ଥଣ୍ଟପରି ଆଗକୁ ଲମ୍ୱି ଥାଏ । କିଛି ସମୟ ଗଲା । ମୁଁ ଭାବିଲି ସେ ଶୋଇ ପଡ଼ିଲେଣି ।

 

ହଠାତ୍ ସେ କୁଦାମାରି ଚଉକି ଉପରୁ ଉଠିପଡ଼ିଲେ । ସେଦିନ ଉପରବେଳା ସେଣ୍ଟ୍‍ ଜେମସ୍ ହଲରେ ଜଣେ ପ୍ରସିଦ୍ଧ ଭାଓଲିନ୍ ବାଦକ ଭାଓଲିନ୍ ବଜାଇବେ ବୋଲି ସେ କହିଲେ । ମୋତେ ସାଥିରେ ଯିବାକୁ ସେ ଡାକିଲେ ଓ ମୁଁ ରାଜି ହେଲି ।

 

ସେ କହିଲେ, “ତେବେ ଚଞ୍ଚଳ ବାହାର । ଆମେ ଗଲାବେଳେ ବଜାର ଭିତର ଦେଇ ଯିବା । ବାଟରେ ଖିଆପିଆ କରିନେବା ।”

 

ଅଳ୍ପ ବାଟ ଚାଲିଆସି ଆମେ ସାକସେ-କୋବର୍ଗ ଛକରେ ପହଞ୍ଚିଲୁ । ଏଇଟା ହେଲା ଆମେ ଶୁଣିଥିବା ଅଦ୍ଭୁତ ଘଟଣା ଘଟିଥିବା ଜାଗା । ଜାଗାଟା ସେତେ ବଡ଼ ନୁହେଁ । ଆଗେ ଖୁବ୍ ଗହଳ ଥିଲା—ଏବେ ଆଉ ନାହିଁ । ଦୁଇ ପାଖରେ ଦୁଇଧାଡ଼ି ପୁରୁଣା ଦୋମହଲା ଘର । ଘର ଆଗରେ ରେଲିଂ ଦିଆ ବାଡ଼ । ମଝି ପଡ଼ିଆରେ ଘାସ ଆଉ କେତେକ ଛୋଟ ଛୋଟ ବୁଦା ଗଛ । ସବୁବେଳେ ଧୂଆଁ ବାଜି ଗଛଗୁଡ଼ା ଉଧେଇ ପାରୁନାହିଁ । ଗୋଟାଏ ଘର କାନ୍ଥର ଗୋଟେ କଣରେ ତିନିଟା ଗିଲ୍‌ଟି ବଲ୍ ଝୁଲୁଥିଲା । ଏଟା ହେଲା ବନ୍ଧକ ବ୍ୟବସାୟୀଙ୍କ ଚିହ୍ନ । ତା ପାଖରେ ଗୋଟାଏ ମାଟିଆ ବୋର୍ଡ଼ । ଧଳା ଅକ୍ଷରରେ ଲେଖା ଥିଲା “ଜାବେଜ୍ ଉଇଲ୍‍ସନ୍ ।” ଆମର ନାଲିମୁଣ୍ଡିଆ ମହକିଲଙ୍କର ବ୍ୟବସାୟ ସ୍ଥାନ ହେଲା ଏଇଟା । ହୋମ୍‍ସ୍ ଘରଟା ଆଗରେ ଟିକେ ଅଟକିଗଲେ । ତା’ପରେ ସେ ଗଳିଟାର ଏପାଖ ସେପାଖ ବୁଲି ସବୁ ଘରଗୁଡ଼ାକ ଉପରେ ଭଲଭାବରେ ଆଖି ପକାଇ ଗଲେ । ଶେଷରେ ସେ ବନ୍ଧକ ବ୍ୟବସାୟୀଙ୍କ ଘର ପାଖକୁ ଫେରିଲେ । ପକ୍‌କା ମେଜିଆଟାକୁ ସେ ତାଙ୍କ ବାଡ଼ିରେ ଖୁବ୍ ଜୋରରେ ତିନି ଥର ଠୁକିଲେ । ତା’ପରେ କବାଟ ପାଖକୁ ଯାଇ ସେ ଠକ୍ ଠକ୍ କଲେ । ଜଣେ ଯୁବକ ଆସି କବାଟ ଖୋଲି ତାଙ୍କୁ ଭିତରକୁ ଡାକିଲେ ।

 

ଧନ୍ୟବାଦ ଦେଇ ହୋମ୍‍ସ୍ କହିଲେ, “ମୁଁ ଖାଲି ପଚାରୁଥିଲି ଷ୍ଟ୍ରାଣ୍ଡ୍ ଷ୍ଟ୍ରୀଟକୁ ଯିବାକୁ କେଉଁଟା ରାସ୍ତା ।”

 

“ଡାହାଣକୁ ତିନିଟା ରାସ୍ତା ତା’ପରେ ବାଁକୁ ଚାରିଟା ।” ଏତିକି କହି ଲୋକଟା କବାଟ ବନ୍ଦ କରିଦେଲା ।

 

ଆମେ ସେଠୁ ଚାଲି ଆସିଲୁ । ହୋମ୍‍ସ୍ କହିଲେ “ଲୋକଟା ବେଶ ଫୂର୍ତ୍ତିବାଲା । ମୋ ବିଚାରରେ ସେ ଲଣ୍ଡନର ଚତୁର୍ଥ ଫୂର୍ତ୍ତିବାଲା ଆଉ ଦୁଃସାହସରେ ସେ ଯେ ଲଣ୍ଡନରେ ତୃତୀୟ ନୁହେଁ ତା ମୁଁ କହିପାରିବି ନାହିଁ । ଆଗକୁ ମୁଁ ତା ବିଷୟରେ କିଛି ଜାଣେ ।”

 

ମୁଁ କହିଲି, “ଏ ରହସ୍ୟରେ ଉଇଲ୍‍ସନ୍‌ଙ୍କ ସହକାରୀର ଭୂମିକା ଯେ ଗୁରୁତ୍ୱପୂର୍ଣ୍ଣ ତା ଜଣାଶୁଣା କଥା । ମୋର ବିଶ୍ୱାସ ଲୋକଟାକୁ ଦେଖିବା ପାଇଁ ତୁମେ ବାଟ ପଚାରିବାର ଆଳ କରୁଥିଲ ।”

 

“ଲୋକଟାକୁ ଦେଖିବାକୁ ନୁହେଁ ।”

 

“ତେବେ ଆଉ କଣ ?”

 

“ତା ପ୍ୟାଣ୍ଟର ଆଣ୍ଠୁ ପାଖଟା ଦେଖିବାକୁ ।”

 

“କଣ ଦେଖିଲ ?”

 

“ମୁଁ ଯାହା ଆଶା କରୁଥିଲି ।”

 

“ଆଉ ମେଜିଆଟାକୁ ତୁମେ ଏମିତି ବାଡ଼େଇଲ କାହିଁକି ?”

 

“ଏଇଟା ଗପ କରିବା ବେଳ ନୁହେଁ ଡାକ୍ତର । ସବୁ ଜିନିଷ ଲକ୍ଷ୍ୟ କରିବା ବେଳ । ଆମେ ଏଇ ସାକସେ-କୋବର୍ଗ ଛକ ସମ୍ୱନ୍ଧରେ କିଛି ଜାଣିଲେ । ଏଥର ଚାଲ ୟା ପଛପାଖ ରାସ୍ତାକୁ ଯିବା । ଦେଖିବା ସେଠି କ’ଣ ଅଛି ।”

 

ସେ ପାଖକୁ ଗଲୁ । ସେ ପାଖଟା ଏ ପାଖର ଠିକ୍‍ ଓଲଟା । ସେଟା ହେଲା ସହରର ଏକ ପ୍ରଧାନ ରାସ୍ତା । ରାସ୍ତାରେ ଯାନ ସବୁ ଦୁଇ ଧାଡ଼ିରେ ଚାଲିଛି । ପାଦଚଲା ବାଟ ଲୋକରେ ଭରପୂର । ସେପଟ ଛକ ଶୂନ୍‌ଶାନ, ଅଥଚ ଏ ପାଖରେ ବଡ଼ ବଡ଼ ସୁନ୍ଦର ଦୋକାନ ରହିଛି ।

 

ହୋମ୍‍ସ୍ କହିଲେ, “ଦେଖି ଦେଖି । ଏଠିକା ଘରଗୁଡ଼ାକର କ୍ରମ ମୁଁ ଟିକିଏ ମନେ ରଖିନିଏ । ଲଣ୍ଡନ ବିଷୟରେ ସଠିକ୍‍ଭାବରେ ଜାଣିବା ମୋର ଅଭ୍ୟାସ । ଏଟା ହେଲା ତମାଖୁ ବ୍ୟବସାୟୀ ମର୍ଟିମର୍‌ଙ୍କ ଘର, ତା ପାଖକୁ ଖବରକାଗଜ ଦୋକାନ, ସହର ଏବଂ ସହର ପ୍ରାନ୍ତ ବ୍ୟାଙ୍କର ଶାଖା, ନିରାମିଷ ଭୋଜନାଳୟ ଏବଂ ମାକ୍ ଫାରଲେନ୍‌ଙ୍କ ଘୋଡ଼ାଗାଡ଼ି ତିଆରି କାରଖାନା । ଏ ଧାଡ଼ିରେ ଏତିକି ଘର । ଏବେ ଆମର କାମ ସରିଗଲା । ତେଣୁ କିଛି ସମୟ ଆମୋଦ କରିବା ।”

 

ହଲରେ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଶୁଣି ଉପରବେଳାଟା କଟାଇ ଦେଲୁ । ବନ୍ଧୁ ହୋମ୍‍ସ୍ ନିଜେ ଜଣେ ଆଗ୍ରହୀ ସଙ୍ଗୀତଜ୍ଞ । ସାରା ଉପରବେଳା ସେ ବେଶ ଆନନ୍ଦିତ । ମୁହଁରେ ଅଳ୍ପ ହସ । ଆଖି ସ୍ୱପ୍ନ ଦେଖିଲାପରି ଢଳ ଢଳ । ଦେଖିଲେ ବିଶ୍ୱାସ କରି ହେବ ନାହିଁ ଯେ ଏଇ ସେର୍‍ଲକ୍‍ ହୋମ୍‍ସ୍ ଚତୁର, ଅନବରତ କର୍ମରତ ଡିଟେକ୍‌ଟିଭ୍‍ ହୋମ୍‍ସ୍ । କିନ୍ତୁ ମୋତେ ଜଣା ଯେ କୌଣସି ମୁହୂର୍ତ୍ତରେ ସେ ସ୍ୱପ୍ନ ଛାଡ଼ି କାମରେ ଲାଗିଯିବେ । ଯେତେବେଳେ ସେ ଦିନ ଦିନ ଧରି ଅଳସୁଆଙ୍କ ପରି ଚଉକି ଉପରେ ବସିରହନ୍ତି, ସେତିକିବେଳେ ହିଁ ସେ ବେଶୀ ଭୀଷଣ ହୋଇଯାଆନ୍ତି । ସେ ଦିନ ତାଙ୍କୁ ଦେଖି ମୁଁ ବୁଝିଲି, ଯେଉଁମାନଙ୍କ ପଛରେ ସେ ଲାଗିଛନ୍ତି ସେମାନଙ୍କର ଦୁର୍ଭାଗ୍ୟ ଆସି ପହଞ୍ଚିଲା ।

 

ହଲ୍ ଛାଡ଼ି ଆମେ ବାହାରିଲୁ । ସେ କହିଲେ, “ମୋର କେତେ କାମ ଅଛି—ଦି ଚାରି ଘଣ୍ଟା ଲାଗିଯିବ । ଏଇ ‘ସାକସେବର୍ଗ’ର ବ୍ୟାପାର ବଡ଼ ଗୁରୁତର । ଗୋଟାଏ ବଡ଼ ଧରଣର ଅପରାଧର ଯୋଜନା ହୋଇଛି । ମୋର ବିଶ୍ୱାସ ଆମେ ଯଥାସମୟରେ ତାହା ରୋକିପାରିବା । କିନ୍ତୁ ଆଜି ଶନିବାର । ତେଣୁ କାମଟା ବଡ଼ କଷ୍ଟକର ହେବ । ଆଜି ରାତିରେ ତୁମେ ମୋତେ ସାହାଯ୍ୟ କରିବ ।”

 

“କେତବେଳେ ?”

 

“ଦଶଟା ବେଳକୁ ହେଲେ ଚଳିବ ।”

 

“ଠିକ୍ ଦଶଟା ବେଳକୁ ମୁଁ ବେକର ଷ୍ଟ୍ରୀଟରେ ପହଞ୍ଚିବି ।”

 

“ଭଲ କଥା । ହଁ, ଶୁଣ ଡାକ୍ତର, ହୁଏତ କିଛି ବିପଦ ପଡ଼ିପାରେ । ତେଣୁ ପକେଟରେ ତୁମ ରିଭଲଭର୍‌ଟା ପକେଇଥିବ ।”

 

ହାତ ହଲାଇ ସେ ଲୋକଗହଳିରେ ମିଶିଗଲେ ।

 

ସନ୍ଧ୍ୟାରେ ମୁଁ ବେକର ଷ୍ଟ୍ରୀଟ୍‌କୁ ଚାଲିଲି । ହୋମ୍‌ସ୍‌ଙ୍କ କୋଠରୀରେ ପହଞ୍ଚି ଦେଖିଲି ସେ ଦୁଇଜଣ ଭଦ୍ରଲୋକଙ୍କ ସାଥିରେ କଥାବାର୍ତ୍ତା କରୁଛନ୍ତି ।

 

ସେଥିରୁ ଜଣେ ମୋର ଚିହ୍ନା । ସେ ହେଲେ ପୋଲିସ ଅଫିସର ମିଷ୍ଟର ପିଟର ଜୋନ୍‌ସ୍-। ଅନ୍ୟ ଜଣକ ପତଳା ଡେଙ୍ଗା । ମୁହଁ ତାଙ୍କର ଶୁଖିଲା ।

 

ମୋତେ ଦେଖି ହୋମ୍‌ସ୍‌ କହିଲେ, “ବାଃ, ଆମ ଦଳ ଏବେ ଠିକ୍ ହୋଇଗଲା ।” ସେ କୋଟର ବୋତାମ ଲଗାଇ ତାଙ୍କ ଚାବୁକ୍‌ଟା ଆଣୁ ଆଣୁ କହିଲେ, “ତମେ ବୋଧହୁଏ ସ୍କଟଲ୍ୟାଣ୍ଡ ୟାର୍ଡ଼ ପୋଲିସ ଅଫିସର ଜୋନ୍‌ସ୍‍ଙ୍କୁ ଜାଣ ଉଆଟ୍‌ସନ୍‍ ? ଆଉ ଏ ଭଦ୍ରଲୋକ ହେଉଛନ୍ତି ମିଷ୍ଟର ମେରୀ ଉଏଦର । ଆଜି ରାତିର ଅଭିଯାନର ସେ ଆମର ଜଣେ ସାଥୀ ।”

 

ମିଷ୍ଟର ଜୋନ୍‌ସ୍‍ କହିଲେ, “ଆମର ବନ୍ଧୁ ହୋମ୍‍ସ୍ କୌଣସି ଅନୁସନ୍ଧାନ ଆରମ୍ଭ କରିବାରେ ଅତି ବିଚକ୍ଷଣ ।”

ମେରୀ ଉଏଦର ଖାପଛଡ଼ାଭଳି କହିଲେ, “ଏ ଅଭିଯାନର ଶେଷ ପରିଣତି ଫାଙ୍କା ନ ହେଉ ।”

 

“ନା, ନା, ଆପଣ ମିଷ୍ଟର ହୋମ୍‌ସ୍‌ଙ୍କ ଉପରେ ପୂର୍ଣ୍ଣ ଆସ୍ଥା ରଖିପାରନ୍ତି । ତାଙ୍କର ଅନୁସନ୍ଧାନ ପଦ୍ଧତିରେ ସେ କେତଥର ପୋଲିସକୁ ମଧ୍ୟ ବଳିଯାଇଛନ୍ତି ।”

 

“ତା’ହେଲେ ଠିକ୍ ଅଛି । ହେଲେ ଗତ ସତେଇଶ ବର୍ଷ ଭିତରେ ଆଜି ଏକମାତ୍ର ଶନିବାର ଯେଉଁ ଦିନ କି ମୁଁ ବାଜି ରଖି ତାସ ଖେଳିବାକୁ ଯାଇ ପାରିଲି ନାହିଁ ।”

 

ହୋମ୍‌ସ୍‌ ଉତ୍ତର ଦେଲେ, “ଆଜିର ଏ ଖେଳର ବାଜି ଯଥେଷ୍ଟ ଅଧିକ । ଖେଳଟା ବି ଖୁବ୍ ଚମକପ୍ରଦ । ଆପଣଙ୍କ ପାଇଁ ବାଜିଟା ହେଲା ପ୍ରାୟ ତିରିଶ ହଜାର ଟଙ୍କା । ଆଉ ମିଷ୍ଟର ଜୋନ୍‌ସ୍‍, ଆପଣଙ୍କ ପାଇଁ ବାଜି ହେଲା ଯାହାକୁ ଆପଣ ଧରିବାକୁ ଅକ୍ଳାନ୍ତ ଚେଷ୍ଟା କରିଛନ୍ତି, ସେଇ ଲୋକ ।”

 

ଉଦ୍‌ଗ୍ରୀବ ହୋଇ ଜୋନ୍‍ସ୍ କହିଲେ, “ନରହତ୍ୟାକାରୀ, ଡକାଏତ୍, ଠକ ଜନ୍ କ୍ଲେ ? ମୁଁ ବର୍ଷ ବର୍ଷ ଧରି ତା ପିଛା ଲାଗିଛି, କିନ୍ତୁ କେବେ ତାକୁ ଦେଖିବାକୁ ପାଇନାହିଁ ।”

 

“ମୋର ଆଶା ଆଜି ରାତିରେ ମୁଁ ତା ସଙ୍ଗେ ଆପଣଙ୍କର ଦେଖା କରାଇ ଦେବି । ଏବେ ବେଳ ହୋଇଗଲା । ଆମେ ବାହାରିବା । ଆପଣ ଦୁଇଜଣ ଗୋଟାଏ ଗାଡ଼ିରେ ଆଗରେ ଯାଆନ୍ତୁ । ମୁଁ ଆଉ ଉଆଟ୍‌ସନ୍‌ ଆଉ ଗୋଟାଏ ଗାଡ଼ିରେ ପଛେ ଯିବୁ ।”

 

ଅନେକ ଛୋଟ ବଡ଼ ଗଳି ଭିତର ଦେଇ ଶେଷରେ ଆମେ ସକାଳର ସେଇ ଜନଗହଳି ଗଳିରେ ଆସି ପହଞ୍ଚିଲୁ । ମେରୀ ଉଏଦର ଆଗରେ ଚାଲୁଥାନ୍ତି । ଆମେ ତାଙ୍କ ପଛରେ । ହୋମ୍‍ସ୍‌ଙ୍କଠାରୁ ବୁଝିଥିଲି ଯେ, ମେରୀ ଉଏଦର ଗୋଟାଏ ବ୍ୟାଙ୍କର ଡିରେକ୍ଟର । ଗୋଟାଏ ଛୋଟ ଗଳି ଏବଂ ଗୋଟାଏ ଦରଜା ଭିତର ଦେଇ ଆମେ ଚାଲିଲୁ । ତା’ପରେ ଗୋଟେ ଛୋଟ ବାରଣ୍ଡା । ତା ଶେଷରେ ଲୁହାର ଏକ ବଡ଼ ଗେଟ୍ । ଏ ଗେଟ୍ ଖୋଲି କେତେଗୁଡ଼ାଏ ପଥର ପାହାଚରେ ଆମେ ତଳକୁ ଓହ୍ଲାଇଲୁ । ପାହାଚ ଶେଷରେ ଆଉ ଗୋଟାଏ ବଡ଼ ଗେଟ୍‍ । ମିଷ୍ଟର ମେରୀ ଉଏଦର ଟିକିଏ ଅଟକି ଯାଇ ଗୋଟାଏ ଲଣ୍ଠନ ଜଳାଇଲେ । ତା’ପରେ ଗୋଟାଏ ମାଟି ବାରଣ୍ଡା ଦେଇ ଆମେ ଚାଲିଲୁ । ଶେଷରେ ଆଉ ଗୋଟାଏ ଦରଜା ଖୋଲି ଆମେ ଭୂଇଁ ତଳେ ଥିବା ଏକ ବଡ଼ ଘରେ ପହଞ୍ଚିଲୁ । ଏ ଘରେ ଅନେକ ବାକ୍‌ସ ଆଉ ପେଟି ଗଦା ହୋଇଥାଏ ।

 

ଲଣ୍ଠନଟା ଟେକିଧରି ହୋମ୍‍ସ୍ କହିଲେ, “ଉପରୁ ଆମ ଉପରେ ଆକ୍ରମଣର ଆଶଙ୍କା ନାହିଁ ।”

 

“ତଳୁ ମଧ୍ୟ ଆକ୍ରମଣର ଆଶଙ୍କା ନାହିଁ ।” ଏହା କହି ମେରୀ ଉଏଦର ତାଙ୍କ ହାତ ବାଡ଼ି ମେଜିଆ ଉପରେ ଠୁକିଲେ । ଆଶ୍ଚର୍ଯ୍ୟ ହୋଇ ଉପରକୁ ଆଖି କରି ସେ କହିଲେ, “ଏ କ’ଣ ? ଏଟା ଫମ୍ପା ପରି ଜଣାଯାଉଛି ।”

 

ଖୁବ୍ ଗମ୍ଭୀର ହୋଇ ହୋମ୍‍ସ୍ କହିଲେ, “ଦୟାକରି ପାଟି ତୁଣ୍ଡ କରନ୍ତୁ ନାହିଁ । ଏଇ ବାକ୍‌ସରୁ ଗୋଟାକରେ ବସନ୍ତୁ । ଆଉ କିଛି ଗୋଳମାଳ କରନ୍ତୁ ନାହିଁ ।’’ ମିଷ୍ଟର ମେରୀ ଉଏଦର ଚୁପ୍ ହୋଇ ଗୋଟାଏ ପେଟି ଉପରେ ବସିଗଲେ । ହୋମ୍‍ସ୍ ଲଣ୍ଠନ ଏବଂ ଗୋଟାଏ ଅଣୁବୀକ୍ଷଣ କାଚ ଧରି ଘରର ମେଜିଆ ଉପରେ ଆଣ୍ଠେଇ ପଡ଼ିଲେ । ତା’ପରେ ମେଜିଆର ଯୋଡ଼େଇ ଜାଗାଗୁଡ଼ାକୁ ପରୀକ୍ଷା କରିବାରେ ଲାଗିଗଲେ ।

 

ଟିକିଏ ପରେ ସେ ଉଠି ଠିଆହୋଇପଡ଼ିଲେ ଆଉ କାଚଟାକୁ ପକେଟରେ ରଖିଦେଲେ-। ତା’ପରେ କହିଲେ, “ଆହୁରି ପ୍ରାୟ ଘଣ୍ଟାଏ ସମୟ ଅଛି । ବିଚରା ବନ୍ଧକ ବ୍ୟବସାୟୀ ଭଦ୍ରଲୋକ ନ ଶୋଇବା ଯାଏ ସେମାନେ କାମ ଆରମ୍ଭ କରିବେ ନାହିଁ । ତା’ପରେ ସେମାନେ ଗୋଟାଏ ମିନିଟ୍ ମଧ୍ୟ ଡେରି କରିବେ ନାହିଁ । ବୁଝିଲ ଡାକ୍ତର ! ଆମେ ବର୍ତ୍ତମାନ ଲଣ୍ଡନର ଏକ ପ୍ରସିଦ୍ଧ ବ୍ୟାଙ୍କର ମାଟି ତଳ ଘରେ । ମିଷ୍ଟର ମେରୀ ଉଏଦର ବ୍ୟାଙ୍କ ଡିରେକ୍ଟରମାନଙ୍କ ସଭାପତି । ସେ ବୁଝାଇ ଦେଇ ପାରିବେ, କାହିଁକି ଲଣ୍ଡନର ସବୁଠୁ ଦୁଃସାହସୀ ଅପରାଧୀମାନେ ଏଇ ଘର ଉପରେ ନଜର ପକାଇଛନ୍ତି ।”

 

ଚୁପ୍‌ଚୁପ୍ କରି ମେରୀ ଉଏଦର କହିଲେ, “ତାର କାରଣ ହେଲା ଆମର ଫରାସୀ ସୁନାମୁଦ୍ରା । ଏହା ନେଇଯିବା ପାଇଁ ଚେଷ୍ଟା ହୋଇପାରେ ବୋଲି ଆମକୁ କେତେଥର ସତର୍କ କରାଇ ଦିଆଯାଇଛି । କେତେ ମାସ ତଳେ ଆମେ ଫ୍ରାନ୍‌ସ୍‌ର ବ୍ୟାଙ୍କରୁ ତିରିଶ ହଜାର ନେପୋଲିୟନ (ସୁନାମୁଦ୍ରା) ଆଣିଛୁ । ତାହା ଖୋଲିବା ଦର୍କାର ହେଲା ନାହିଁ ଏବଂ ତାହା ଆମର ଏଇ ଭୂଇଁ ତଳ ଘରେ ଅଛି ବୋଲି ସମସ୍ତେ ଜାଣନ୍ତି । ଯେଉଁ ପେଟି ଉପରେ ମୁଁ ବସିଛି ସେଥିରେ ଦୁଇ ହଜାର ନେପୋଲିଅନ ଅଛି ।”

 

ହୋମ୍‍ସ୍ କହିଲେ, “ସମୟ ହୋଇଗଲା । ଏଥର ଆମେ ଆମର କାର୍ଯ୍ୟପନ୍ଥା ଠିକ୍‍ କରିବା । ଲଣ୍ଠନ ଉପରେ ଆମକୁ ଖଣ୍ଡେ ପରଦା ଢାଙ୍କିଦେବାକୁ ହେବ । ଆଲୁଅଟାଏ ରଖିବାର ଦାୟିତ୍ୱ ଆମେ ନେବା ନାହିଁ । ପ୍ରଥମେ କିଏ କେଉଁ ଜାଗାରେ ରହିବ ଠିକ୍ କରିନେବା । ସେମାନେ ଦୁଃସାହସୀ ଲୋକ । ଅବଶ୍ୟ ଆମେ ତାଙ୍କୁ ଅତର୍କିତ ଭାବରେ ଆକ୍ରମଣ କରିବା । ତଥାପି ସାବଧାନ ନ ଥିଲେ ସେମାନେ ଆମର କ୍ଷତି କରିପାରନ୍ତି । ମୁଁ ଏଇ ପେଟି ପଛପାଖେ ଠିଆ ହେବି-। ଆପଣମାନେ ସେଇ ପେଟିଗୁଡ଼ାକ ପଛରେ ଲୁଚି ଯାଆନ୍ତୁ । ତା’ପରେ ମୁଁ ଯେତେବେଳେ ଟର୍ଚ୍ଚ ଜାଳିବି ସମସ୍ତେ ଏକାବେଳକେ, ଯେତେ ଶୀଘ୍ର ସମ୍ଭବ ସେମାନଙ୍କୁ ଆକ୍ରମଣ କରିବେ । ଯଦି ସେମାନେ ଗୁଳି କରନ୍ତି ତେବେ ଗୁଳି କରି ତାଙ୍କୁ ତଳେ ପକାଇଦେବାକୁ ପଛେଇବ ନାହିଁ ଉଆଟ୍‌ସନ୍‌ ।”

 

ମୁଁ ଯେଉଁ ପେଟି ପଛରେ ଠିଆ ହୋଇଥିଲି ତା ଉପରେ ମୋ ରିଭଲ୍‌ଭର୍‍ ଠିକ୍ କରି ରଖିଲି । ଲଣ୍ଠନ ଉପରେ ପରଦା ଢାଙ୍କି ଦିଆଗଲା । ଘରଭିତରେ ଆମେ ପୂରା ଅନ୍ଧାରରେ ।

 

ଚୁପ୍‍ ଚୁପ୍ କରି ହୋମ୍‌ସ୍‍ କହିଲେ, “ସେମାନେ ଫେରି ପଳାଇବାପାଇଁ କେବଳ ଗୋଟେ ବାଟ ଅଛି । ସେଟା ହେଲା ଘର ପଛପାଖଦେଇ ସାକସେକୋବର୍ଗ ଛକକୁ । ମୁଁ ଆପଣଙ୍କୁ ଯାହା କହିଥିଲି ଆପଣ ନିଶ୍ଚୟ ତା କରିଥିବେ ମିଷ୍ଟର ଜୋନ୍‌ସ୍‌ ?”

 

“ହଁ, ସାମନା ପାଖ ଦରଜା ନିକଟରେ ଜଣେ ଇନ୍‌ସ୍ପେକ୍ଟର ଆଉ ଦୁଇଜଣ ଅଫିସର ରହିଛନ୍ତି ।”

 

“ତା’ହେଲେ ଆମେ ସବୁ ବାଟ ବନ୍ଦ କରି ଦେଇଛେ । ଏବେ ଆମେ ଚୁପ୍‌ଚାପ୍‍ ଅପେକ୍ଷା କରିବା ।”

 

ଅପେକ୍ଷା କରି କରି ବିରକ୍ତ ଲାଗିଲା । ଜଣାଗଲା ଯେମିତି ରାତି ଶେଷ ହୋଇ ସକାଳ ହେବାକୁ ବସିଲାଣି । ପରେ କିନ୍ତୁ ଜାଣିଲି ଯେ, ଆମେ ମୋଟେ ଘଣ୍ଟାଏ ପନ୍ଦର ମିନିଟ୍ ଅପେକ୍ଷା କରିଥିଲୁ । ମୁଁ ଯେଉଁଠି ଥିଲି ସେଠୁ ଟିକିଏ ହେଲେ ଘୁଞ୍ଚିବାକୁ ଡର ଲାଗିଲା । ହାତ ଗୋଡ଼ ସବୁ ସେଡ଼େଙ୍ଗା ହୋଇ ଭାରି ବାଧା ହେଲା । ତଥାପି ମୁଁ ଦୃଢ଼ ଆଉ ସଜାଗ ହୋଇ ଠିଆ ହୋଇଥାଏ । ଜୋନ୍‌ସ୍‌ ଆଉ ମେରୀ ଉଏଦରଙ୍କ ନିଶ୍ୱାସ ମୁଁ ବାରିପାରୁଥାଏ ।

 

ହଠାତ୍ ଝଲକାଏ ଆଲୁଅ ମୋତେ ଦେଖାଗଲା । ପ୍ରଥମ ଦେଖାଗଲା ଚଟାଣ ଉପରେ ଆଲୁଅର ଗୋଟାଏ ଝଲକ । ତା’ପରେ ହଳଦିଆ ରଙ୍ଗର ଗୋଟାଏ ଧାର । ତା’ପରେ ମେଜିଆର ଗୋଟାଏ ଜାଗା ଖୋଲିଗଲା । ତାରି ଭିତର ଦେଇ ଦେଖାଗଲା ଗୋଟାଏ ହାତ, କୌଣସି ନାରୀର ହାତପରି । ମେଜିଆର ଆଲୁଅ ପଡ଼ିଥିବା ଜାଗାରେ ହାତଟା ବୁଲିଗଲା । ତା’ପରେ ହାତଟା ଯେମିତି ଆସିଥିଲା ସେମିତି ଚାଲିଗଲା । କିନ୍ତୁ ତାହା ମାତ୍ର କ୍ଷଣକ ପାଇଁ । ତା’ପରେ କୌଣସି ଜିନିଷ ଫାଟିବା ପରି ଏକ ଶବ୍ଦ ହେଲା ଏବଂ ମେଜିଆର ଖଣ୍ଡେ ବଡ଼ ଧଳାପଥର ଆସ୍ତେ ଆସ୍ତେ ଓଲଟିଗଲା । ମେଜିଆ ଦେହରେ ବର୍ଗାକାରର ଏକ ଜାଗା ଖୋଲା ହୋଇଗଲା । ଏହି ଖୋଲା ଜାଗା ଦେଇ ଗୋଟିଏ ଲଣ୍ଠନର ଆଲୁଅ ଘର ଭିତରକୁ ଆସିଲା । ମେଜିଆର ଧାରରେ ଗୋଟାଏ ମୁହଁ ଦେଖାଗଲା—ଗୋଟାଏ ବାଳକର ମୁହଁପରି । ଖୁବ୍ ସତର୍କତାର ସହିତ ସେ ଚାରିଆଡ଼କୁ ଚାହିଁଲା । ତା’ପରେ ସେଇ ଖୋଲା ଜାଗାର ଦୁଇ ଧାରରେ ହାତ ରଖି ଜଣେ ଲୋକ କାନ୍ଧଯାଏ ଉପରକୁ ଉଠାଇଲା । ତା’ପରେ ଅଣ୍ଟାଯାଏ ଉଠିଲା । ଶେଷରେ ଗୋଟାଏ ଆଣ୍ଠୁ ମେଜିଆ ଧାରରେ ରଖିଲା । ଟିକିଏ ପରେ ସେ ମେଜିଆ ଉପରକୁ ଉଠିଆସି ସେଇ ଖୋଲା ଜାଗା ଧାରରେ ଠିଆ ହେଲା । ତା’ପରେ ଲଇଁପଡ଼ି ସେ ତାର ସାଥୀକୁ ଉପରକୁ ଟାଣିଲା । ଏହି ଦ୍ୱିତୀୟ ଲୋକ ପ୍ରଥମ ଲୋକ ପରି ଛୋଟ । ତା ମୁଣ୍ଡରେ ଗୋଛାଏ ନାଲି ବାଳ ।

 

“ସବୁ ଠିକ୍ ଅଛି ।” ସେ କହିଲା । “ତୁମେ ଅଖା ଆଉ ବଟାଳି ଆଣିଛ ତ ? ଭଗବାନ ! ଚଞ୍ଚଳ ତଳକୁ ଡେଇଁପଡ଼ । ମୁଁ ତୁମ ପଛରେ ଝୁଲିପଡ଼ିବି ।”

 

ସେର୍‍ଲକ୍ ହୋମ୍‍ସ୍ ହଠାତ୍ ପଦାକୁ ଡେଇଁପଡ଼ି ଲୋକଟାର ତଣ୍ଟିରୁ ଧରି ପକାଇଲେ । ଅନ୍ୟ ଜଣକ ଗାତ ଭିତରକୁ ପଶିଗଲା । ଜୋନ୍‌ସ୍‌ ହାତ ବଢ଼ାଇ ଲୋକଟାକୁ ଧରିବାକୁ ବସିଲେ । କିନ୍ତୁ କନା ଖଣ୍ଡେ ଚିରିଯିବା ଶବ୍ଦ ଶୁଣାଗଲା । ଲୋକଟାର ହାତର ରିଭଲ୍‍ଭର୍‍ଟା ଆଲୁଅରେ ଚକ୍‍ ଚକ୍‍ ଦେଖାଗଲା । କିନ୍ତୁ ସେଇ ମୁହୂର୍ତ୍ତରେ ହୋମ୍‍ସ୍‌ଙ୍କ ଚାବୁକ ଲୋକଟାର କଚଟିରେ ବସିଗଲା । ରିଭଲ୍‍ଭର୍‌ଟା ଛିଟିକି ଯାଇ ମେଜିଆ ଉପରେ ପଡ଼ିଗଲା ।

 

ହୋମ୍‌ସ୍‍ କହିଲେ, “ଆଉ କିଛି ଲାଭ ନାହିଁ ଜନ୍ କ୍ଲେ । ଖସି ଯିବାର ଆଉ କୌଣସି ବାଟ ନାହିଁ ।”

 

ଧୀରସ୍ଥିରଭାବରେ ସେ ଉତ୍ତର ଦେଲା, “ତା ତ ଦେଖୁଛି । ମୋର ଆଶା ମୋ ସାଥୀ ଖସିଯାଇଛି । ତା କୋଟ୍‌ର ଚିରା ଅଂଶ ଖଣ୍ଡେ ତୁମ ହାତରେ ଦେଖୁଛି ।”

 

“ଦରଜା ନିକଟରେ ତିନିଜଣ ତା ପାଇଁ ଅପେକ୍ଷା କରିଛନ୍ତି ।”

 

“ସତେ ? ଦେଖୁଛି କାମଟା ତୁମେ ନିଖୁଣ କରିପାରିଛ । ମୁଁ ତୁମକୁ ଅଭିନନ୍ଦନ କରୁଛି-।”

 

“ଆଉ ମୁଁ ମଧ୍ୟ ତୁମକୁ ଅଭିନନ୍ଦନ କରୁଛି । ତୁମର ନାଲିମୁଣ୍ଡିଆ ଯୋଜନାଟା ବେଶ୍ ନୂଆ ଆଉ ଫଳପ୍ରଦ ।”

 

ଜନ୍ କ୍ଲେକୁ ଧରି ମିଷ୍ଟର ଜୋନ୍‌ସ୍‍ ଆଗେ ଆଗେ ଚାଲିଲେ । ଆମେ ତାଙ୍କ ପଛେ ପଛେ ସେଇ ମାଟିତଳ ଘରୁ ବହାରିଲୁ । ମିଷ୍ଟର ମେରୀ ଉଏଦର କହିଲେ, “ମିଷ୍ଟର ହୋମ୍‌ସ୍‌, ବ୍ୟାଙ୍କ କି ପ୍ରକାରେ ଆପଣଙ୍କୁ ଧନ୍ୟବାଦ ଦେବ ବା ପ୍ରତିଦାନ ଦେବ ମୁଁ ଭାବିପାରୁନାହିଁ ।”

 

ହୋମ୍‌ସ୍‌ ଉତ୍ତର ଦେଲେ, “ଜନ୍ କ୍ଲେର ମୁକାବିଲା କରିବାପାଇଁ ମୋ ନିଜର ଗୋଟେ ଦୁଇଟା କାରଣ ଥିଲା । ଏଇ ଘଟଣାରେ ମୁଁ ଅଳ୍ପ କିଛି ପଇସା ଖର୍ଚ୍ଚ କରିଛି । ବ୍ୟାଙ୍କ ତାହା ମୋତେ ଦେବ, ମୋର ଆଶା । ତାକୁ ଛାଡ଼ିଦେଲେ ମୁଁ ଏଥିରୁ ଯଥେଷ୍ଟ କିଛି ପାଇପାରିଛି । ନାଲିମୁଣ୍ଡିଆ ଦଳ କଥା ଶୁଣି ମୋର ଏ ବ୍ୟାପାରରେ ଏକ ଅଦ୍ୱିତୀୟ ଅନୁଭୂତି ହୋଇଛି ।”

 

X X X

 

ଆମେ ବେକର୍ ଷ୍ଟ୍ରୀଟ୍‌କୁ ଫେରିଲୁ । ବଡ଼ିସକାଳୁ ହୋମ୍‌ସ୍‌ ସବୁ ବୁଝାଇ କହିଲେ, “ବୁଝିଲ ଉଆଟ୍‌ସନ୍‍, ଏଇ ନାଲିମୁଣ୍ଡିଆ ଦଳର ବିଜ୍ଞାପନ, ଏନ୍‍ସାଇକ୍ଳୋପିଡ଼ିଆର ନକଲ ଆଦି ଯେଉଁ ଅଦ୍ଭୁତ ବ୍ୟାପାର, ସେଥିରୁ ସମ୍ପୂର୍ଣ୍ଣ ଜଣାଗଲା ଯେ ସେମାନଙ୍କର ଉଦ୍ଦେଶ୍ୟ ହେଲା ଏଇ ବନ୍ଧକ ବ୍ୟବସାୟୀ ଉଇଲ୍‌ସନ୍‍ଙ୍କୁ ବେଶ୍ କିଛି ସମୟ ପାଇଁ ବାହାରେ ରଖିବା । ଏଇଟା ଅବଶ୍ୟ ଗୋଟାଏ ବିଚିତ୍ର ଉପାୟ, କିନ୍ତୁ ୟାଠାରୁ ଆଉ ଭଲ ଉପାୟ ବାହାର କରିବା କଷ୍ଟକର । ଜନ୍ କ୍ଲେ ତା ସାଥୀର ମୁଣ୍ଡବାଳ ଦେଖି ଏ ଉପାୟଟା ଯେ ଠିକ୍ କଲା ଏଥିରେ ସନ୍ଦେହ ନାହିଁ । ସପ୍ତାହକୁ ଚାରିପାଉଣ୍ଡ ନିଶ୍ଚୟ ଏକ ପ୍ରଲୋଭନ । କିନ୍ତୁ ଯେଉଁମାନେ ହଜାର ହଜାର ପାଉଣ୍ଡ ପାଇଁ ଖେଳୁଛନ୍ତି ତାଙ୍କ ପାଇଁ ଏହା କିଛି ନୁହେଁ । ସେମାନେ ବିଜ୍ଞାପନଟା ଦେଇଦେଲେ । ଜଣେ ଗୋଟାଏ ଅଫିସ ଖୋଲି ବସିଗଲା । ଅନ୍ୟ ଜଣକ ମିଷ୍ଟର ଉଇଲ୍‍ସନ୍‌ଙ୍କୁ ଏଥିପାଇଁ ପ୍ରାର୍ଥୀ ହେବାକୁ ପ୍ରବର୍ତ୍ତାଇଲା । ଏଇପରି ସେମାନେ ମିଷ୍ଟର ଉଇଲ୍‍ସନ୍‌ଙ୍କୁ ତାଙ୍କ ବ୍ୟବସାୟ ଜାଗାରୁ ପ୍ରତିଦିନ ସକାଳେ କିଛି ସମୟ ପାଇଁ ବାହାରକୁ ନେଇଗଲେ । ମୁଁ ଯେତେବେଳେ ଶୁଣିଲି ମିଷ୍ଟର ଉଇଲ୍‍ସନ୍‌ଙ୍କ ସହକାରୀ ଅଧାଦରମାରେ ରହିଛି, ଏଟା ପରିଷ୍କାର ଜଣାଗଲା ଯେ ତାର କିଛି ଗୂଢ଼ ଉଦ୍ଦେଶ୍ୟ ଅଛି ।”

 

“କିନ୍ତୁ ଉଦ୍ଦେଶ୍ୟଟା କ’ଣ ତୁମେ ଜାଣିଲ କିପରି ?”

 

“ଲୋକଟାର ଅଫିସ ଘର ଖୁବ୍ ଛୋଟ । ତେଣୁ ଏଇ ବିରାଟ ଆୟୋଜନ ଆଉ ଖର୍ଚ୍ଚର କୌଣସି କାରଣ ସେଠାରେ ନ ଥିଲା । କାରଣଟା ନିଶ୍ଚୟ ବାହାରେ । ଏହା କ’ଣ ହୋଇପାରେ ? ଉଇଲ୍‌ସନ୍‍ଙ୍କ ସହକାରୀର ଫଟୋ ଉଠାଇବା ସଉକି କଥା ମୁଁ ଭାବିଲି । ଲୋକଟା ଖୁବ୍ ଚତୁରତା ସହି ଭୂଇଁ ତଳ ଘରକୁ ଚାଲିଯାଉଥିଲା ! ଭୂଇଁ ତଳ ଘର—ସେଇ ହେଲା ଏଇ ଜଟିଳ ସୂତ୍ରର ଶେଷ । ତା’ପରେ ମୁଁ ଏଇ ସହକାରୀ ସମ୍ୱନ୍ଧରେ ଅନୁସନ୍ଧାନ କଲି । ଜାଣିଲି ଯେ ଲଣ୍ଡନର ଏକ ଦୁଃସାହସୀ ଏବଂ ଦୁର୍ଦ୍ଧର୍ଷ ଅପରାଧୀ ସହିତ ମୋତେ ମୁକାବିଲା କିରବାକୁ ପଡ଼ିବ । ସେ ଭୂଇଁ ତଳ ଘରେ କିଛି ନା କିଛି କରୁଥିଲା । ଏଥିପାଇଁ ତାର ପ୍ରତିଦିନ ଅନେକ ସମୟ ଲାଗୁଥିଲା, ଆଉ ମାସ ମାସ ଧରି ଏ କାମ ଚାଲିଥିଲା । ଏହା କ’ଣ ହୋଇପାରେ ? ସେ ଅନ୍ୟ କୌଣସି ଘରକୁ ଗୋଟାଏ ସୁଡ଼ଙ୍ଗ ଖୋଳିବା ଛଡ଼ା ମୁଁ ଆଉ କିଛି ଚିନ୍ତା କରିପାରିଲି ନାହିଁ ।

 

“ମୁଁ ଏତିକି ଆଗେଇଥିବାବେଳେ ଆମେ ଘଟଣାସ୍ଥଳ ଦେଖିବାକୁ ଗଲେ । ମୁଁ ମେଜିଆଟାକୁ ମୋ ବାଡ଼ିରେ ଠୁକିବାବେଳେ ତୁମେ ଆଶ୍ଚର୍ଯ୍ୟ ହୋଇଗଲ । ମୁଁ ଜାଣିବାକୁ ଚାହୁଁଥିଲି ଭୂଇଁ ତଳ ଘରଟା ସାମନା ଆଡ଼କୁ କି ପଛ ଆଡ଼କୁ ଲମ୍ୱିଛି । ଏହା ସାମନା ପଟକୁ ନ ଥିଲା । ତା’ପରେ ମୁଁ ବେଲ୍ (ଘଣ୍ଟି) ବଜାଇଲି । ମୁଁ ଆଶା କରିଥିଲି ଉଇଲ୍‍ସନ୍‌ଙ୍କ ସହକାରୀ ତାର ଜବାବ ଦେବ । ଠିକ୍ ସେଇଆ ହେଲା । ମୁଁ ତା ମୁହଁକୁ ମୋଟେ ଚାହିଁ ନାହିଁ । ତା ଆଣ୍ଠୁ ଦୁଇଟା ଦେଖିବା ଥିଲା ମୋର ଉଦ୍ଦେଶ୍ୟ । ତୁମେ ମଧ୍ୟ ଦେଖିଥିବ ତା ପ୍ୟାଣ୍ଟର ଆଣ୍ଠୁ ଦୁଇଟା କେମିତି ଚିରା ମଇଳା, ଏବଂ ଲୋଚାକୋଚା ହୋଇଥିଲା । ଏପରି ହେଲା ଘଣ୍ଟା ଘଣ୍ଟା ଧରି ଆଣ୍ଠେଇ ମାଟି ଖୋଳିବା ଯୋଗୁ । ବୁଝିବାକୁ କେବଳ ବାକି ରହିଲା ସେମାନେ କାହିଁକି ଏ ସୁଡ଼ଙ୍ଗ ଖୋଳୁଥିଲେ । ମୁଁ ଆରପଟ ରାସ୍ତାକୁ ବୁଲିଯାଇ ଦେଖିଲି ଯେ ଆମ ବନ୍ଧୁ ଉଇଲ୍‍ସନ୍‌ଙ୍କ ଘରର ଠିକ୍ ପଛପାଖରେ ସିଟି ବ୍ୟାଙ୍କ । ମୁଁ ବୁଝିଲି ଯେ ସମସ୍ୟାର ସମାଧାନ ହୋଇଗଲା । ହଲ୍‌ରୁ ଫେରି ତୁମେ ଯେତେବେଳେ ଘରକୁ ଗଲ ମୁଁ ସିଧା ସ୍କଟ୍‌ଲାଣ୍ଡୟାର୍ଡ଼ ଏବଂ ବ୍ୟାଙ୍କ ଡିରେକ୍ଟରମାନଙ୍କ ସଭାପତିଙ୍କ ନିକଟକୁ ଗଲି । ତାର ଫଳ ତୁମେ ଦେଖିଲ ।”

 

“ସେମାନେ ଯେ ଆଜି ରାତିରେ ଏ ଚେଷ୍ଟା କରିବେ ତୁମେ ଜାଣିଲ କିପରି ?”

 

“ଦେଖ ସେମାନେ ଯେତେବେଳେ ତାଙ୍କ ଦଳର ଅଫିସ୍ ବନ୍ଦକରିଦେଲେ ସେଥିରୁ ଜଣାଗଲା ଯେ, ଜାବେଜ୍ ଉଇଲ୍‌ସନ୍ ଘରେ ରହିଲେ ମଧ୍ୟ ତାଙ୍କର କିଛି କ୍ଷତି ନାହିଁ । ତା ଅର୍ଥ ସେମାନେ ସୁଡ଼ଙ୍ଗ କାମ ଶେଷ କରିଥିଲେ । କିନ୍ତୁ ଏହାକୁ ଶୀଘ୍ର କାମରେ ଲଗାଇବା ନିହାତି ଦରକାର । ନଚେତ୍ କେହି ଏହା ଦେଖିପାରେ କିମ୍ୱା ବ୍ୟାଙ୍କର ସୁନା ଅନ୍ୟ ସ୍ଥାନକୁ ଚାଲିଯାଇପାରେ-। ଶନିବାରଟା ଅନ୍ୟ ଦିନ ଅପେକ୍ଷା ତାଙ୍କ ପାଇଁ ସୁବିଧାଜନକ । କାରଣ କିଛି ଜଣାଯିବା ଆଗରୁ ଖସି ପଳାଇବାକୁ ସେମାନେ ଦୁଇଦିନ ସମୟ ପାଇବେ । ଏଇସବୁ କାରଣରୁ ସେମାନେ ଯେ ଆଜି ରାତିରେ ଚେଷ୍ଟା କରିବେ ତା ମୁଁ ଭାବିଥିଲି ।”

 

ମୁଁ ତାଙ୍କୁ ଉଚ୍ଛ୍ୱସିତ ପ୍ରଶଂସା କରି କହିଲି, “ତୁମେ ଖୁବ୍ ସୁନ୍ଦର ଅନୁଶୀଳନ କରିପାରିଛ-।”

 

ହାଇ ମାରି ସେ କହିଲେ “ଏଇପରି ଛୋଟ ଛୋଟ ସମସ୍ୟାଗୁଡ଼ିକ ମୋତେ କର୍ମହୀନ ବ୍ୟସ୍ତତାରୁ ରକ୍ଷା କରେ ।”

Image

 

ନୀଳ ପଦ୍ମରାଗ ମଣି

 

ବଡ଼ଦିନ ଉତ୍ସବର ଦୁଇଦିନ ପରକଥା । ସେଦିନ ସକାଳେ ମୁଁ ବନ୍ଧୁ ସେର୍‍ଲକ୍‍ ହୋମ୍‌ସ୍‌ଙ୍କ ଘରକୁ ଗଲି । ସେ ସାମାନ୍ୟ ନାଲି ରଙ୍ଗର ଗୋଟେ ଗାଉନ୍ ପିନ୍ଧି ସୋଫା ଉପରେ ବସିଥାନ୍ତି । ପାଖରେ ଗୋଟାଏ ରାକ୍‍ । ହାତ ପାଖରେ ସକାଳର ଖବରକାଗଜଗୁଡ଼ାକ ଥୁଆ ହୋଇଥାଏ । ଏକ କାଠ ଚଉକିରୁ ଗୋଟେ ଚିରା ପୁରୁଣା ଫେଲ୍‌ଟ୍‌ ଟୋପି ଝୁଲୁଛି । ତାଙ୍କ ପାଖରେ ଗୋଟେ ଅଣୁବୀକ୍ଷଣ କାଚ ଆଉ ଗୋଟେ ସଣ୍ଡୁଆସି । ବୁଝିଲି ସେ ଟୋପିଟାକୁ ପରୀକ୍ଷା କରିବାପାଇଁ ଚଉକି ଉପରେ ଏପରି ଝୁଲାଇ ଦେଇଛନ୍ତି ।

 

କହିଲି, “ବୋଧହୁଏ ମୁଁ ତୁମ କାମରେ ବାଧା ଦେଲି ?”

 

“ମୋଟେ ନୁହେଁ । ମୁଁ ବରଂ ଖୁସି ଯେ ମୋ ପରୀକ୍ଷା ଫଳ ମୁଁ ତୁମ ସାଥିରେ ଆଲୋଚନା କରିପାରିବି ।”

 

ମୁଁ ଆରାମ ଚଉକିଟାରେ ବସିପଡ଼ିଲି । ଖୁବ୍ ଜୋରରେ ତୁଷାର ପଡ଼ୁଥାଏ । ଝରକାରେ ତୁଷାରଖଣ୍ଡ ଜମିଯାଇଥାଏ । ରଡ଼ ନିଆଁରେ ହାତ ଦୁଇଟା ସେକିନେଲି ।

 

ତା’ପରେ କହିଲି, “ଏଇ ଟୋପିଟା ଅତି ସାଧାରଣ ଦେଖାଯାଉଥିଲେ ମଧ୍ୟ ୟା ପଛରେ ନିଶ୍ଚୟ କିଛି ଗୋଟାଏ ଗୂଢ଼ ତଥ୍ୟ ଅଛି ବୋଲି ମୋର ଅନୁମାନ । କୌଣସି ଅପରାଧୀକୁ ଧରିବା ପାଇଁ ଏଇଟା ବୋଧହୁଏ ସୂତ୍ର ।”

 

ହସି ହସି ହୋମ୍‌ସ୍‌ କହିଲେ, “ନା ନା, ଅପରାଧୀ ନୁହେଁ । ତୁମେ ବୋଧହୁଏ ହୋଟେଲ୍ ଦ୍ୱାରରକ୍ଷକ ପିଟର୍ ସନ୍‌ଙ୍କୁ ଜାଣ ?”

“ହଁ ।”

“ଏ ଟୋପିଟା ତାଙ୍କରି ପାଖରୁ ଆସିଛି ।”

“ଏଇଟା ତାଙ୍କ ଟୋପି ?”

“ନା, ସେ ଏଇଟା ପାଇଛନ୍ତି । ୟାର ମାଲିକ ଅଜଣା । ତୁମେ ଏଟା ଦେଖ । କିନ୍ତୁ ମୋର ଅନୁରୋଧ ଏଟାକୁ ଗୋଟେ ମାମୁଲି ଟୋପି ବୋଲି ଧରିନେବ ନାହିଁ । ବରଂ ଏହା ଗୋଟେ ବୁଦ୍ଧି ଖଟେଇବା ସମସ୍ୟା ବୋଲି ଭାବିବ । ଏଇଟା ବଡ଼ଦିନ ସକାଳେ ଆସି ପହଞ୍ଚିଲା । ତା ସାଥିରେ ଗୋଟାଏ ଭଲ ମୋଟା ହଂସ । ଘଟଣା ହେଲା ଏଇଆ । ବଡ଼ଦିନ ସକାଳ ପ୍ରାୟ ଚାରିଟାବେଳେ ପିଟର୍‌ସନ୍ ଏକ ଭୋଜି ସଭାରୁ ଘରକୁ ଫେରୁଥିଲେ । ତୁମେ ତ ଜାଣ ସେ ଜଣେ ସଚ୍ଚୋଟ ଲୋକ । ସେ ଦେଖିଲେ ଆଗରେ ଜଣେ ଡେଙ୍ଗା ଲୋକ ଯାଉଛି । ସେ ବଡ଼ ବିଚଳିତ ଜଣାଯାଉଥିଲା । ତା କାନ୍ଧରେ ଗୋଟାଏ ହଂସ । ସେ ରାସ୍ତାର ଗୋଟିଏ ମୋଡ଼ରେ ପହଞ୍ଚିଲା ମାତ୍ରେ କେତେଟା ଗୁଣ୍ଡା ଆଉ ତାଙ୍କ ଭିତରେ ଗଣ୍ଡଗୋଳ ଲାଗିଗଲା । ଗୋଟେ ଗୁଣ୍ଡା ତା ଟୋପିଟା ମାରି ଫିଙ୍ଗିଦେଲା । ଡେଙ୍ଗାଲୋକଟି ବାଡ଼ି ଧରି ଆତ୍ମରକ୍ଷା କରିବାକୁ ବସିଲା । ସେ ବାଡ଼ିଟା ମୁଣ୍ଡ ଉପରେ ଏତେ ଜୋରରେ ବୁଲାଇଲା ଯେ ପଛପାଖ ଦୋକାନର ଝରକାଟା ଭାଙ୍ଗିଗଲା । ପିଟର୍‌ସନ୍‌ ଲୋକଟାକୁ ସାହାଯ୍ୟ କରିବାକୁ ଧାଇଁଗଲେ । ଲୋକଟା ଦୋକାନ ଝରକାଟା ଭାଙ୍ଗି ଦେଇଥିବାରୁ ତାର ଭୟ ହେଲା । ପୁଣି ପିଟର୍‌ସନ୍‌ଙ୍କୁ ଦେଖି କୌଣସି ଅଫିସର ଆସୁଛନ୍ତି ବୋଲି ଭାବିଲା । ହଂସଟାକୁ ପକେଇଦେଇ ସେ ଆଖିବୁଜା ଦୌଡ଼ି ପଳାଇଳା । ପିଟର୍‌ସନ୍‌ଙ୍କୁ ଦେଖି ଗୁଣ୍ଡାଗୁଡ଼ା ମଧ୍ୟ ପଳେଇଲେ । ପିଟର୍‌ସନ୍‌ ଏଇ ଟୋପି ଆଉ ହଂସ ଏ ଦୁଇଟା ପାଇଲେ ।”

“ସେ ତ ନିଶ୍ଚୟ ଯାହାର ଜିନିଷ ତାକୁ ଫେରାଇଦେଇଥିବେ ?”

“ବୁଝିଲ ବନ୍ଧୁ ସେଇ ତ ହେଲା ସମସ୍ୟା ! ଖଣ୍ଡେ କାଗଜରେ ‘ଶ୍ରୀମତୀ ହେନ୍‌ରୀ ବେକରଙ୍କ ପାଇଁ’ ବୋଲି ଲେଖା ହୋଇ ଅବଶ୍ୟ ହଂସ ବାଁଗୋଡ଼ରେ ବନ୍ଧା ହୋଇଥିଲା । ଟୋପିଟାର ଧାରରେ ଏଇଚ୍.ବି. ଅକ୍ଷର ବି ଲେଖା ଅଛି । କିନ୍ତୁ ଆମ ଏ ସହରରେ ହଜାର ହଜାର ବେକର୍ ଆଉ ଶହ ଶହ ହେନ୍‍ରୀ ବେକର୍ ଅଛନ୍ତି । ତେଣୁ ସେମାନଙ୍କ ଭିତରୁ ଏ ଜିନିଷ କାହାର ଜାଣିବା ସହଜ ନୁହେଁ ।”

“ପିଟର୍‌ସନ୍ ତା’ହେଲେ କ’ଣ କଲେ ?”

“ସେ ଜାଣନ୍ତି ଯେ ଏଇ ଛୋଟ ଛୋଟ ସମସ୍ୟାରେ ମଧ୍ୟ ମୋର ଆଗ୍ରହ । ତେଣୁ ସେ ଦୁଇଟା ଯାକ ଧରି ବଡ଼ଦିନ ସକାଳେ ମୋ ପାଖକୁ ଆସିଲେ । ହଂସଟାକୁ ଆମେ ଆଜି ସକାଳ ଯାଏ ରଖିଥିଲୁ । କିନ୍ତୁ ଦେଖିଲୁ ନ ଖାଇ ଆଉ ଡେରି କଲେ ସେଟା ପଚିଯିବ । ତାଙ୍କୁ ସେଟା ଦେଇଦେଲି । ଟୋପିଟା ମୁଁ ରଖିଛି ।”

“ସେ ଖବରକାଗଜରେ ବିଜ୍ଞାପନ ଦେଇ ନ ଥିଲେ ?”

“ନା ।”

“ତେବେ ଏହାର ମାଲିକ କିଏ ଜାଣିବାରେ କଣ ସୂତ୍ର ଅଛି ?”

“କେବଳ ଆମେ ଯାହା କିଛି ଅନୁଶୀଳନ କରିବା ।”

“କ’ଣ ଏଇ ଟୋପିଟାରୁ ?”

“ଅନ୍ତତ ।”

“ତୁମେ ଥଟ୍ଟା କରୁଛ । ଏଇ ପୁରୁଣା ଫେଲଟ୍ ଟୋପିଟାରୁ କଣ ଜଣାଯିବ ?”

“ଏଇ ନିଅ ଏ ଅଣୁବୀକ୍ଷଣ କାଚ । ତୁମେ ତ ମୋ ପଦ୍ଧତି ଜାଣ । ଦେଖ, ଯେଉଁ ଲୋକ ଏ ଟୋପି ପିନ୍ଧି ଚିରିସାରିଲଣି ତା ବିଷୟରେ ତୁମେ କଣ ଜାଣିପାରୁଛ ।”

ମୁଁ ସେଇ ପୁରୁଣା ଟୋପି ହାତରେ ଧରି ଏପଟ ସେପଟ କଲି । ସାଧାରଣ ଟୋପିଟାଏ–କଳା ଆଉ ଗୋଲାକାର । ଟାଣୁଆ ଆଉ ଖୁବ୍ ଚିରା । ନାଲି ସିଲ୍‌କ ଫିତାରୁ ରଙ୍ଗ ଛାଡ଼ିଗଲାଣି-। କାରିଗରର ନାଁ ନାହିଁ । କିନ୍ତୁ ଗୋଟାଏ କଡ଼ରେ ଏଇଚ୍.ବି. ଅକ୍ଷର ଦୁଇଟା ଲେଖା ଥିଲା । ବେକ ତଳେ ବାନ୍ଧିବା ଫିତା ପାଇଁ ଟୋପି ଧାରରେ କଣା ଥିଲା, କିନ୍ତୁ ଫିତା ଖଣ୍ଡ ନ ଥିଲା । ଟୋପିଟା ଚିରା ଫଟା, ଖୁବ୍ ମଇଳା ଏବଂ କେତେ ଜାଗାରେ ଟୋପା ଟୋପା ଦାଗ । ଏଇ ଦାଗଗୁଡ଼ା ଲୁଚାଇବା ପାଇଁ କେହି ତା ଉପରେ କାଳି ବୋଳିଦେଇଛି ।

ଟୋପିଟା ସେରଲକ୍‍ ହୋମ୍‌ସ୍‌ଙ୍କୁ ଫେରାଇ ଦେଇ ମୁଁ କହିଲି, “ମୁଁ ତ କିଛି ଦେଖିପାରୁନାହିଁ ।”

“ତୁମେ ବରଂ ସବୁ ଦେଖିପାରୁଛ ଉଆଟ୍‍ସନ୍, କିନ୍ତୁ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଚିନ୍ତା କରିପାରୁନାହିଁ ।”

“ତା’ହେଲେ ତୁମେ କଣ ଜାଣିପାରୁଛ ମୋତେ କୁହ ।”

ସେ ଟୋପିଟା ଉଠାଇ ନେଇ ନିରେଖି କରି ଚାହିଁଲେ । ତା’ପରେ କହିଲେ, “ଲୋକଟା ଯେ ଖୁବ୍ ଚତୁର ତାହା ଜଣାଯାଉଛି । ଏବେ ଗରିବ ହୋଇଯାଇଥିଲେ ମଧ୍ୟ ଗତ ତିନି ବର୍ଷ ତଳେ ସେ ବେଶ୍ ଧନୀ ଥିଲା । ଲୋକଟାର ଦୂରଦୃଷ୍ଟି ଥିଲା । ଏବେ ମଧ୍ୟ ଅଛି–କିନ୍ତୁ ପୂର୍ବାପେକ୍ଷା କମ୍ । ଏହା ନୈତିକ ଅବନତିରୁ ଘଟିଛି । ଧନ କମିବା ସଙ୍ଗେ ସଙ୍ଗେ ବୋଧହୁଏ ମଦ ପିଇବା ପରି ଦୁଷ୍କର୍ମର ଏହା ଫଳ । ଏଟା ମଧ୍ୟ ପରିଷ୍କାର ଯେ, ତାର ସ୍ତ୍ରୀ ତାକୁ ଆଉ ଭଲପାଉନାହିଁ ।”

“ହୋମ୍‍ସ୍ !” ବିସ୍ମୟରେ ମୁଁ ଚିତ୍କାର କରିପକାଇଲି ।

ସେ କହି ଚାଲିଲେ, “ଏବେ ବି ଲୋକଟାର ଆତ୍ମସମ୍ମାନ ଅଛି । ସେ ଅଧିକାଂଶ ସମୟ ବସି ବସି କଟାଏ । ବାହାରକୁ ଖୁବ୍ କମ୍ ଯାଏ । ଲୋକଟାର ଶାରୀରିକ ସ୍ୱାସ୍ଥ୍ୟ ଭଲ ନୁହେଁ । ସେ ମଧ୍ୟ ବୟସ୍କ । ମୁଣ୍ଡର ବାଳ ଧୂସର ବର୍ଣ୍ଣ । ଏଇ ଅଳ୍ପଦିନ ଭିତରେ ସେ ମୁଣ୍ଡର ବାଳ କଟାଇଛି । ସେ ମୁଣ୍ଡରେ ଲାଇମ କ୍ରିମ୍‍ ବ୍ୟବହାର କରେ । ଏଇ କଥାଗୁଡ଼ା ବେଶ୍ ଜଣାଯାଉଛି । ଆଉ ମଧ୍ୟ ତାଙ୍କ ଘରେ ଗ୍ୟାସ ଲାଇଟ ନ ଥିବା ଅସମ୍ଭବ ନୁହେଁ ।”

 

“ତୁମେ ନିଶ୍ଚୟ ଥଟ୍ଟା କରୁଛ । ତୁମେ ମୋତେ ବୋକା କହିପାର; ହେଲେ ମୁଁ ତୁମ କଥା କିଛି ବୁଝିପାରୁନାହିଁ । ଉଦାହରଣ ସ୍ୱରୂପ, ତୁମେ କେମିତି ଅନୁମାନ କଲ ଲୋକଟା ଚତୁର ?”

 

ଏ ପ୍ରଶ୍ନର ଉତ୍ତରରେ ହୋମ୍‌ସ୍‌ ଟୋପିଟାକୁ ନେଇ ନିଜ ମୁଣ୍ଡରେ ଥୋଇଦେଲେ । ଟୋପିଟା ସିଧା କପାଳ ଉପରକୁ ଆସି ନାକ ମଝିରେ ଲାଗିଲା । ସେ କହିଲେ, “ଏଡ଼େ ବଡ଼ ମୁଣ୍ଡଟାରେ ନିଶ୍ଚୟ ମସଲା ଥିବ ।”

 

“ତା’ପରେ ତାଙ୍କ ଧନ ସମ୍ପତ୍ତି କମିଯିବା କଥା ?”

 

“ଏଇ ଟୋପିଟା ତିନି ବର୍ଷର ପୁରୁଣା । ସେତେବେଳେ ଟୋପିର ଏଇ ଚେପ୍‌ଟା ଧାରଟା ବେଶ୍ ଚକମକିଆ ଥିଲା । ଏହା ଏକ ଉତ୍କୃଷ୍ଟ ଧରଣର ଟୋପି । ଏଇ ସିଲକ୍ ପଟି ଆଉ ସୁନ୍ଦର ଧାର ଦେଖ । ତିନି ବର୍ଷ ତଳେ ଲୋକଟା ଏତେ ଦାମିକା ଟୋପି କିଣିପାରିଥିଲା । ଏ ଭିତରେ ସେ ଆଉ ଟୋପି କିଣିନାହିଁ । ତେଣୁ ସେ ନିଶ୍ଚୟ ଏ ଭିତରେ ଗରିବ ହୋଇଯାଇଛି ।”

 

“ଆଚ୍ଛା, ଏଟା ବେଶ୍ ପରିଷ୍କାର ହୋଇଗଲା । କିନ୍ତୁ ଦୂରଦୃଷ୍ଟି ଆଉ ନୈତିକ ଅବନତି କଥା ?”

 

ହୋମ୍‌ସ୍‌ ହସିଲେ । ବେକ ଫିତା ପାଇଁ ଟୋପିରେ ହୋଇଥିବା କଣାରେ ଆଙ୍ଗୁଠି ଦେଇ କହିଲେ, “ଏଇ ଦୂରଦୃଷ୍ଟି । କୌଣସି ଟୋପିରେ ଏପରି ବେକ ଫିତା ବିକ୍ରୀ ହୁଏନା । ଏ ଲୋକ ଯଦି ବରାଦ ଦେଇ ଏହା କରାଇଛି ତେବେ ତାହା ନିଶ୍ଚୟ ଦୂରଦୃଷ୍ଟିର ଚିହ୍ନ । ପବନରେ ମୁଣ୍ଡରୁ ଟୋପି ଉଡ଼ି ନ ଯିବାପାଇଁ ସେ ଏହା କରିଛି । କିନ୍ତୁ ଏବେ ଆମେ ଦେଖୁଛେ ସେ ଫିତା ଚିରିଯାଇସାରିଛି, ଅଥଚ ସେ ଆଉ ଖଣ୍ଡେ ଫିତା ଲଗାଇନାହିଁ । ତେଣୁ ବର୍ତ୍ତମାନ ତାର ଦୂରଦୃଷ୍ଟି କମ୍ । ଅପର ପକ୍ଷେ ଟୋପିର କେତେଗୁଡ଼ାଏ ଦାଗ କାଳି ବୋଳି ସେ ଲୁଚାଇବାକୁ ଚେଷ୍ଟା କରିଛି-। ତେଣୁ ଲୋକଟା ଯେ ତାର ଆତ୍ମସମ୍ମାନ ସମ୍ପୂର୍ଣ୍ଣ ହରାଇନାହିଁ ତାହା ସ୍ପଷ୍ଟ ।”

 

“ଅନ୍ୟ ବିଷୟଗୁଡ଼ିକ ହେଲା ସେ ମଧ୍ୟବୟସ୍କ, ତା’ ମୁଣ୍ଡର ବାଳ ଧୂସର, ତାହା ଏବେ କଟା ହୋଇଛି, ଆଉ ସେ ଲାଇମ କ୍ରିମ୍ ବ୍ୟବହାର କରେ । ଟୋପିଟାର ତଳପାଖ ଭଲଭାବରେ ଦେଖିଲେ ଏହା ଜଣାଯିବ । ଏଇ ଲେନ୍‌ସରେ ଦେଖାଯାଉଛି–କେତେକ ଛୋଟ ଛୋଟ ବାଳ, କୌଣସି ଭଣ୍ଡାରୀ କଇଁଚିରେ କାଟିଛି । ଲାଇମ କ୍ରିମ୍‍ର ଗନ୍ଧ ମଧ୍ୟ ଟୋପିରୁ ଜଣାଯାଉଛି । ଟୋପିରେ ଲାଗିଥିବା ଧୂଳି ବାହାରର ଧୂଳି ନୁହେଁ; ଘର ଭିତରର ଧୂଳି । ସେଥିରୁ ଜଣାଯାଉଛି ଟୋପିଟା ବେଶି ସମୟ ଘରେ ଝୁଲୁଥାଏ । ଟୋପିର ଭିତର ପାଖଟା ଓଦାଳିଆ ଦିଶୁଛି । ତେଣୁ ଟୋପି ପିନ୍ଧିବାବାଲା ଦେହରୁ ଟିକକେ ଝାଳ ବୁହେ ଆଉ ତାର ସ୍ୱାସ୍ଥ୍ୟ ଭଲ ହୋଇନପାରେ ।”

 

“କିନ୍ତୁ ତା’ ସ୍ତ୍ରୀ କଥା—ତମେ କହିଲ ତାର ସ୍ତ୍ରୀ ତାକୁ ଆଉ ଭଲ ପାଉନାହିଁ ।”

 

“କେତେ ସପ୍ତାହ ହେଲା ଏ ଟୋପିଟା ଝାଡ଼ି ସଫା କରାଇହୋଇନାହିଁ ।”

 

“କିନ୍ତୁ ସେ ଅବିବାହିତ ହୋଇପାରିଥାଏ ?”

 

“ନା, ନା, ସେ ତା ସ୍ତ୍ରୀକୁ ଉପହାର ଦେବାପାଇଁ ହଂସଟା ଘରକୁ ଆଣୁଥିଲା । ହଂସଟାର ଗୋଡ଼ରେ ଥିବା କାଗଜ କଥା ମନେ କର ।”

 

“ସବୁ କଥାର ଉତ୍ତର ତୁମେ ଦେଇଦେଲ । କିନ୍ତୁ ତାଙ୍କ ଘରେ ଗ୍ୟାସ୍ ଲାଇଟ ନାହିଁ ବୋଲି ଜାଣିଲ କିପରି ?”

 

“ଟୋପିଟାର ଏଇ ତେଲିଆ ଚିହ୍ନରୁ ଅନୁମାନ କରାଯାଇପାରେ ଯେ ଲୋକଟା ଉପର ମହଲାକୁ ଗଲାବେଳେ ଗୋଟାଏ ହାତରେ ବତି ଏବଂ ଅନ୍ୟ ହାତରେ ଟୋପିଟା ଧରି ଯାଏ ।”

 

ହସି ହସି ମୁଁ କହିଲି, “ଏଥର ସବୁ ପରିଷ୍କାର ହୋଇଗଲା । ହେଲେ ଏଥିରେ ତ ଅପରାଧ କିଛି ନାହିଁ—ମିଛରେ ମୁଣ୍ଡ ଖେଳାଇବା ଦର୍କାର କ’ଣ ?”

 

ଠିକ୍ ଏତିକିବେଳେ ଦରଜା ଖୋଲି ପିଟର୍‍ସନ୍‍ ଘର ଭିତରକୁ ଦୌଡ଼ି ଆସିଲେ ।

 

“ସେଇ ହଂସ, ମିଷ୍ଟର ହୋମ୍‍ସ୍ ! ସେଇ ହଂସ ।” ସେ ଘନ ଘନ ନିଶ୍ୱାସ ମାରୁଥାନ୍ତି । “ଏଇ ଦେଖନ୍ତୁ ! ମୋ ସ୍ତ୍ରୀ ହଂସ ତଣ୍ଟିରୁ କ’ଣ ପାଇଛନ୍ତି ।”

 

ସେ ହାତ ବଢ଼ାଇ ଦେଖାଇଲେ । ତାଙ୍କ ପାପୁଲିରେ ଅତି ଉଜ୍ଜ୍ୱଳ ଖଣ୍ଡେ ନୀଳପଥର । ଆକାରରେ ଶିମ୍ୱ ମଞ୍ଜିଠାରୁ ସାମାନ୍ୟ ଛୋଟ । କିନ୍ତୁ ଏହା ଏତେ ଉଜ୍ଜ୍ୱଳ ଯେ ହାତରେ ଚକ୍ ଚକ୍ ଦେଖାଯାଉଥିଲା ।

 

ସେରଲକ୍‍ ହୋମ୍‌ସ୍‌ ବିସ୍ମୟ ଏବଂ ଆନନ୍ଦରେ କହିଲେ, “ଏହା ଏକ ଅମୂଲ୍ୟ ସମ୍ପଦ । ଆପଣ କ’ଣ ପାଇଛନ୍ତି ତା ଜାଣିପାରିଛନ୍ତି ?”

 

“ହଁ, ଖଣ୍ଡେ ହୀରା । ଏକ ମୂଲ୍ୟବାନ ପଥର ।’’

 

“ଏହା ଏକ ମୂଲ୍ୟବାନ୍ ପଥରଠାରୁ ଆହୁରି ମୂଲ୍ୟବାନ୍ । ଏହା ହେଲା ସବୁଠୁ ମୂଲ୍ୟବାନ୍ ପଥର ।”

 

ମୁଁ ହଠାତ୍ କହି ପକାଇଲି, “ମରକାର୍‌ର କାଉଣ୍ଟେସ୍‍ଙ୍କ ନୀଳ ପଦ୍ମରାଗ ମଣି ନୁହେଁ ତ-?”

 

“ହଁ ।” ହୋମ୍‌ସ୍ ଉତ୍ତର ଦେଲେ । ଖବର କାଗଜ ବିଜ୍ଞାପନରୁ ମୁଁ ଏହାର ଆକାର ପ୍ରକାର ଜାଣିଛି । ଏହା ଅଦ୍ୱିତୀୟ । ଏଥିପାଇଁ ଏକ ହଜାର ପାଉଣ୍ଡ ପୁରଷ୍କାର ଘୋଷଣା କରାଯାଇଛି । କିନ୍ତୁ ତାହା ଏ ପଥର ମୂଲ୍ୟର କୋଡ଼ିଏ ଭାଗରୁ ଭାଗେ ମଧ୍ୟ ହେବ ନାହିଁ ।”

 

“ଏକ ହଜାର ପାଉଣ୍ଡ !” ସ୍ତମ୍ଭୀଭୂତ ପିଟର୍‌ସନ୍ ଚଉକିଟାରେ ବସିପଡ଼ି ଆମ ମୁହଁକୁ ଆଁ କରି ଚାହିଁ ରହିଲେ ।

 

ମୁଁ କହିଲି, “ମୋର ଠିକ୍ ମନେ ଅଛି, ଏ ମଣିଟା କସମୋପଲିଟାନ ହୋଟେଲରେ ହଜିଥିଲା ।”

 

“ହଁ, ଆଜିକି ଠିକ୍ ପାଞ୍ଚଦିନ ତଳେ ଡିସେମ୍ୱର ବାଇଶି ତାରିଖରେ । ଜନ୍ ହରନର୍‍ ନାମକ ଜଣେ ମିସ୍ତ୍ରୀ ଭଦ୍ର ମହିଳାଙ୍କ ଅଳଙ୍କାର ବାକ୍‌ସରୁ ତାହା ଚୋରାଇ ନେଇଛି ବୋଲି ଅଭିଯୁକ୍ତ ହୋଇଥିଲା । ମୋ ପାଖରେ ତାର ବିବରଣୀ ଅଛି ।” ଖବରରାଗଜଗୁଡ଼ାକ ଟିକିନିଖି କରି ଖୋଜି ଶେଷରେ ଗୋଟାଏ ସ୍ତମ୍ଭ ପଢ଼ିଲେ ।

 

ଲେଖା ଥିଲା ଯେ, ଏହା ମଣି ଚୋରି କରିବା ଅପରାଧରେ ମିସ୍ତ୍ରୀ ଜନ୍ ହରନର୍‌କୁ ଅଭିଯୁକ୍ତ କରାଯାଇଛି । ହୋଟେଲର ଜଣେ ପରିଚାରକ ଜେମସ୍‍ ରାଇଡର୍‍ ସାକ୍ଷ୍ୟ ଦେଇଛି ଯେ, ଚୋରି ହେଲା ଦିନ ସେ ଗୋଟାଏ ଜାଲି ମରାମତି କରିବା ପାଇଁ ଜନ୍ ହରନର୍‍କୁ କାଉଣ୍ଟେସ୍‍ଙ୍କ କୋଠରୀକୁ ନେଇ ଯାଇଥିଲା । କିଛି ସମୟ ପାଇଁ ରାଇଡର୍‍ ଅନ୍ୟ କାମରେ ଚାଲିଗଲା । ସେ ଫେରି ଦେଖିଲା ଯେ ହରନର୍‍ ନାହିଁ, ଟେବୁଲର ଡ୍ରୟାର ଜବରଦସ୍ତି ଖୋଲାଯାଇଛି । ଛୋଟ ଗହଣା ବାକ୍‌ସ ଡ୍ରେସିଂ ଟେବୁଲ ଉପରେ ଖାଲି ପଡ଼ିଛି । ରାଇଡର୍‍ ଡାକ ପକାଇଲା । ସେଦିନ ସନ୍ଧ୍ୟାରେ ଜନ୍ ହରନର୍‍କୁ ଆରେଷ୍ଟ କରାଗଲା । ମଣିଟା କିନ୍ତୁ ତା ପାଖରେ ନ ଥିଲା । କାଉଣ୍ଟେସ୍‍ଙ୍କ ଚାକରାଣୀ କାଥେରାଇନ କୁଶାକ୍ ମଧ୍ୟ ଏଇ ଚୋରୀ ବିଷୟରେ ସାକ୍ଷ୍ୟ ଦେଇଥିଲା । ପୂର୍ବରୁ ଥରେ ଚୋରୀ ଅପରାଧରେ ହରନର୍‍ ସଜା ପାଇଥିଲା । ତେଣୁ ମାଜିଷ୍ଟ୍ରେଟ କେସ୍‍ଟା ସେସନସ୍ ବିଚାର ପାଇଁ ପଠାଇଦେଲେ । ହରନର୍‍ କିନ୍ତୁ ବରାବର ନିର୍ଦ୍ଦୋଷ ବୋଲି ପ୍ରତିବାଦ କରିଆସିଛି ।

 

କାଗଜଟା ଗୋଟାଏ କଡ଼କୁ ଥୋଇ ଦେଇ ହୋମ୍‌ସ୍‌ କହିଲେ, “ହୁଁ ! ଗୋଟାଏ ପାଖରେ ଖାଲି ଗହଣା ବାକ୍‌ସ ଆଉ ଗୋଟାଏ ପାଖରେ ହଂସର ତଣ୍ଟି–ଆମକୁ ଏଇଥିରୁ ସମସ୍ୟାଟାର ସମାଧାନ କରିବାକୁ ହେବ । ଏଇ ହେଲା ମଣିଟା । ଏଟା ମିଳିଲା ହଂସଠାରୁ । ଆଉ ହଂସଟା ଆସିଲା ଏଇ ଟୋପିର ମାଲିକ ହେନ୍‍ରୀ ବେକର୍‍ ପାଖରୁ । ଆମେ ଏଇ ଭଦ୍ରଲୋକଙ୍କୁ ଖୋଜି ବାହାର କରିବା ଆଉ ଦେଖିବା ଏ ରହସ୍ୟରେ ତାଙ୍କର ଭୂମିକା କ’ଣ । ମୋତେ ଗୋଟେ ପେନସିଲ୍ ଆଉ ଖଣ୍ଡେ କାଗଜ ଦିଅ ।”

 

ସେଦିନ ସନ୍ଧ୍ୟା ଖବରକାଗଜରେ ପ୍ରକାଶ କରିବା ପାଇଁ ହୋମ୍‌ସ୍‌ ଗୋଟାଏ ବିଜ୍ଞାପନ ଲେଖିଲେ । ଲେଖା ହେଲା “ଗୁଜ୍‌ଷ୍ଟ୍ରୀଟ୍‍ରୁ ଗୋଟାଏ ହଂସ ଆଉ ଗୋଟାଏ କଳା ଫେଲ୍‌ଟ ଟୋପି ମିଳିଛି । ମିଷ୍ଟର ହେନ୍‍ରୀ ବେକର୍ ୨୨୧ ବି. ବେକର୍‍ ଷ୍ଟ୍ରୀଟ୍‌କୁ ଆସି ତାହା ନେଇଯାଇପାରନ୍ତି ।”

 

“ଏଇ ଯଥେଷ୍ଟ” —ସେ କହିଲେ ।

 

“କିନ୍ତୁ ସେ ଏ ବିଜ୍ଞାପନ ଦେଖିବ ତ ?” ମୁଁ ପଚାରିଲି ।

 

“ନିଶ୍ଚୟ । କାରଣ ସେ ବିଚରା ଗରିବ ଲୋକ । କ୍ଷତିଟା ତାଙ୍କ ପାଇଁ କିଛି କମ୍ ନୁହେଁ-।”

 

ହୋମ୍‌ସ୍‌ ଖବରକାଗଜରେ ବିଜ୍ଞାପନଟା ଦେବା ପାଇଁ ପିଟର୍‍ସନ୍‌ଙ୍କୁ ପଠାଇଲେ । ବାଟରେ ଗୋଟେ ହଂସ କିଣି ନେବାକୁ ମଧ୍ୟ ତାଙ୍କୁ କହିଲେ । ହଜିଥିବା ହଂସ ବଦଳରେ ଏଇଟା ବେକର୍‍ଙ୍କୁ ଦିଆଯିବ ।

 

ପିଟର୍‌ସନ୍ ଯିବାରେ ହୋମ୍‌ସ୍‌ ମଣିଟାକୁ ଆଲୁଅ ପାଖରେ ଧରି କହିଲେ, “ଦେଖ, କେଡ଼େ ତେଜିୟାନ୍ ଏଟା । ଏଇ ମଣି ଦକ୍ଷିଣ ଚୀନରୁ ମିଳିଥିଲା । ପଦ୍ମରାଗ ମଣିର ସବୁ ଲକ୍ଷଣ ଏଥିରେ ଅଛି । ପାର୍ଥକ୍ୟ ଏତିକି ଯେ, ପଦ୍ମରାଗ ମଣି ନାଲି କିନ୍ତୁ ଏହା ନୀଳବର୍ଣ୍ଣ । ୟା ପଛରେ ଅଛି ଏକ ଅଶୁଭ ଇତିହାସ । ଏଇ ମଣି ପାଇଁ ଦୁଇଟା ମର୍ଡ଼ର, ଗୋଟାଏ ଏସିଡ଼ ପକା, ଗୋଟାଏ ଆତ୍ମହତ୍ୟା ଆଉ ଅନେକ ଚୋରି ଡକାୟତି ହୋଇଯାଇଛି । ମୁଁ ଏଟା ଆଲମିରା ଭିତରେ ଚାବି ଦେଇ ରଖି କାଉଣ୍ଟେସ୍‌ଙ୍କୁ ଫୋନରେ ଜଣାଇଦେବି ଯେ ମଣିଟା ଆମେ ପାଇଛୁ ।”

 

“ଏଇ ହରନର୍ ଲୋକଟା ନିର୍ଦ୍ଦୋଷ ବୋଲି କ’ଣ ତୁମେ ମନେକର ?”

 

“ମୁଁ କହିପାରୁ ନାହିଁ ।”

 

“ଆଚ୍ଛା, ହେନ୍‌ରୀ ବେକର୍‍ ଏ ଘଟଣାରେ ସଂପୃକ୍ତ ବୋଲି ତୁମେ ମନେ କରୁଛ ?”

 

“ମୁଁ ଭାବୁଛି ହେନ୍‍ରୀ ବେକର୍‍ ନିରୀହ । ସେ ନେଇଯାଉଥିବା ହଂସର ମୂଲ୍ୟ ଯେ କେତେ ସେ ବିଷୟରେ ତା’ର ଧାରଣା ନ ଥିଲା । ଯଦି ଆମ ବିଜ୍ଞାପନ ପାଇ ସେ ଆସନ୍ତି ତେବେ ଖୁବ୍ ସହଜରେ ମୁଁ ତାଙ୍କୁ ପରୀକ୍ଷା କରିନେବି ।”

 

ସେଦିନ ସନ୍ଧ୍ୟାରେ ମୁଁ ପୁଣି ବେକର୍ ଷ୍ଟ୍ରୀଟ୍‌କୁ ଗଲି । ହୋମ୍‌ସ୍‌ଙ୍କ ଘର ପାଖରେ ପହଞ୍ଚି ଦେଖିଲି ଜଣେ ଡେଙ୍ଗା ଲୋକ ବାହାରେ ଅପେକ୍ଷା କରିଛି । ମୁଣ୍ଡରେ ତାର କନା ଟୋପି । କୋଟ୍‌ର ବୋତାମ ବେକଯାଏ ବନ୍ଦ । ମୁଁ ପହଞ୍ଚିବା ପରେ କବାଟ ଖୋଲିଲା ଏବଂ ଆମେ ଦୁଇଜଣ ହୋମ୍‌ସ୍‌ଙ୍କ କୋଠରୀ ଭିତରକୁ ଗଲୁ ।

 

ଚଉକି ଉପରୁ ଉଠି ହୋମ୍‌ସ୍‌ କହିଲେ, “ମୋର ବିଶ୍ୱାସ ଆପଣ ମିଷ୍ଟର ହେନ୍‍ରୀ ବେକର୍ ! ଦୟାକରି ନିଆଁ ପାଖେ ଏଇ ଚଉକିରେ ବସନ୍ତୁ । ଆଉ ତୁମେ ଉଆଟ୍‌ସନ୍‌ ଠିକ୍ ସମୟରେ ଆସିଛ । ଏଇଟା ଆପଣଙ୍କ ଟୋପି ମିଷ୍ଟର ବେକର୍‍ ?”

 

“ହଁ ଆଜ୍ଞା ।”

 

“ଆପଣ ଖବରକାଗଜରେ ବିଜ୍ଞାପନ ଦେଲେ ନାହିଁ ?”

 

ସାମାନ୍ୟ ହସି ଟିକିଏ ଲାଜ ଲାଜ ହୋଇ ଭଦ୍ରଲୋକ କହିଲେ, “ମୋ ଅବସ୍ଥା ଆଗେ ସ୍ୱଚ୍ଛଳ ଥିଲା, ଏବେ ଆଉ ନାହିଁ । ତେଣୁ ଏଇ ଟୋପି ଆଉ ହଂସ ପାଇବା ପାଇଁ ମୁଁ ଆଉ ପଇସା ଖର୍ଚ୍ଚ କରିବାକୁ ମନ କଲି ନାହିଁ ।”

 

“ତେବେ କଥା କ’ଣ କି, ଆମେ ବାଧ୍ୟ ହୋଇ ସେ ହଂସଟାକୁ ଖାଇଦେଲୁ ।”

 

“ଖାଇଦେଲେ ?” ମିଷ୍ଟର ବେକର୍‍ ବଡ଼ ବିବ୍ରତ ହୋଇ ଚଉକିରୁ ପ୍ରାୟ ଉଠିପଡ଼ିଲେ ।

 

ହଁ, ଆମେ ଖାଇ ନ ଥିଲେ ସେଟା କିଛି କାମରେ ଲାଗି ନଥାନ୍ତା । ତେବେ ଏଇ ଯେଉଁ ହଂସଟା ଦେଖୁଛନ୍ତି, ଏଟା ପ୍ରାୟ ଆପଣଙ୍କ ହଂସ ସଙ୍ଗେ ସମାନ । ମୋର ଆଶା ଏଟା ନେଲେ ଆପଣଙ୍କର ଚଳିବ ।”

 

“ନିଶ୍ଚୟ ।” ମିଷ୍ଟର ବେକର୍‍ ସ୍ୱସ୍ତିର ନିଶ୍ୱାସ ମାଇଲେ ।”

 

“ଅବଶ୍ୟ ଆପଣଙ୍କ ହଂସଟାର ପର, ଗୋଡ଼ ଆଉ ଥଣ୍ଟ ଆଦି ଆମେ ରଖିଛୁ । ଆପଣ ଯଦି ଇଚ୍ଛା କରନ୍ତି...... ।”

 

ମିଷ୍ଟର ବେକର୍‍ ଖୁବ୍ ହସି ଉଠିଲେ । ସେ କହିଲେ, “ସେଗୁଡ଼ାକ କେବଳ ସେ ଦିନର ସ୍ମୃତି ଛଡ଼ା ଅନ୍ୟ କିଛି କାମରେ ଆସିବ ନାହିଁ । ଏଇ ଯେଉଁ ହଂସଟା ଅଛି ଏଟା ବେଶ୍ ଚମତ୍କାର । ମୁଁ ଏଇଟା ନେବି ।”

 

ସେର୍‍ଲକ୍ ହୋମ୍‌ସ୍‌ ମୋ ଆଡ଼କୁ କଣେଇ ଚାହିଁଲେ । ତା’ପରେ ମିଷ୍ଟର ବେକର୍‍ଙ୍କୁ କହିଲେ, “ତେବେ ନିଅନ୍ତୁ । ଏଇ ଆପଣଙ୍କ ଟୋପି ଆଉ ହଂସ । ଆଚ୍ଛା, ଆପଣ ସେ ହଂସଟା କେଉଁଠୁ ଆଣିଥିଲେ । ସେଭଳି ଭଲ ହଂସ ମୁଁ ପ୍ରାୟ ଦେଖିନାହିଁ ।”

 

“ନିଶ୍ଚୟ । ଯାଦୁଘର ପାଖ ଆଲଫା ପାନ୍ଥଶାଳା ଆପଣ ଜାଣନ୍ତି । ଆମେ ସବୁ ସେଠିକି ଯାଉ । ଏ ବର୍ଷ ତାର ମାଲିକ ଗୋଟାଏ ହଂସ କ୍ଲବ ଆରମ୍ଭ କଲେ । ଆମେ ପ୍ରତି ସପ୍ତାହରେ କିଛି କିଛି ପଇସା ଦେଲୁ । ତା ବଦଳରେ ବଡ଼ଦିନରେ ସେ ଆମକୁ ଗୋଟାଏ ଗୋଟାଏ ହଂସ ଦବା କଥା । ଏ ସେଇ ହଂସ । ମୁଁ ଆପଣଙ୍କ ପାଖରେ କୃତଜ୍ଞ ଆଜ୍ଞା !’’

 

ସେ ଖୁବ୍ ନମ୍ରଭାବରେ ଚାଲିଗଲେ । ତା’ପରେ ହୋମ୍‌ସ୍‌ କହିଲେ, “ଘଟଣାଟା ଏ ଭଦ୍ରଲୋକ କିଛି ଜାଣନ୍ତି ନାହିଁ—ଏଇଟା ନିଶ୍ଚିତ । ତୁମକୁ ଭୋକ ଲାଗିଲାଣି ଉଆଟ୍‌ସନ୍‌ ?”

 

“ନା, ପ୍ରାୟ ନୁହେଁ ।”

 

“ତେବେ ଚାଲ ଏଇ ସୂତ୍ର ପଛରେ ଯିବା ।”

 

ରାତି ଖୁବ୍ ବେଶୀ । ଶୀତ ହେଉଥାଏ । ଆମେ କୋଟ୍‍ ପିନ୍ଧିନେଲୁ, ଆଉ ବେକରେ ମଫ୍‌ଲର୍ ଗୁଡ଼ାଇ ଦେଲୁ । ଆମେ ଗଳି ରାସ୍ତାରେ ଚାଲି ଗଲାବେଳେ ପାଦ ଶବ୍ଦ ବେଶ୍ ଜୋରରେ ଶୁଣାଯାଉଥାଏ । ପନ୍ଦର ମିନିଟ୍‍ ପରେ ଆମେ ଆଲଫା ପାନ୍ଥଶାଳାରେ ପହଞ୍ଚିଲୁ । ହୋମ୍‌ସ୍‌ ଦରଜା ଖୋଲି ଦେଲେ ଏବଂ ଆମେ ଭିତରକୁ ଗଲୁ । ହୋମ୍‌ସ୍‌ ଦୁଇ ଗ୍ଲାସ ବିଅର୍ ବରାଦ ଦେଲେ-

 

ବିଅର୍ ପିଉ ପିଉ ହୋମ୍‌ସ୍‌ ମାଲିକଙ୍କୁ କହିଲେ, “ଆପଣଙ୍କ ବିଅର୍ ଯେମିତି ବଢ଼ିଆ ହଂସ ମଧ୍ୟ ସେମିତି ବଢ଼ିଆ ।”

 

“ଆମ ହଂସ ?” ମାଲିକ ଆଶ୍ଚର୍ଯ୍ୟ ହୋଇଗଲାପରି ଜଣାଗଲା ।

 

“ହଁ; ଏଇ ଅଧଘଣ୍ଟାଏ ତଳେ ମୁଁ ମିଷ୍ଟର ହେନ୍‍ରୀ ବେକର୍‌ଙ୍କ ସଙ୍ଗେ କଥା ହେଉଥିଲି । ସେ ଆପଣଙ୍କ ହଂସ କ୍ଲବର ସଭ୍ୟ ।”

 

“ହଁ ହଁ, ବୁଝିଲି । କିନ୍ତୁ ସେ ହଂସ ସବୁ ଆମ ନିଜର ନୁହେଁ ।”

 

“ତେବେ କାହାର ?”

 

“ମୁଁ କଭେଣ୍ଟ ଗାର୍ଡ଼ନ୍‌ର ଜଣେ ଦୋକାନୀଠାରୁ ଦୁଇ ଡଜନ ହଂସ କିଣିଥିଲି । ତାଙ୍କ ନା ବ୍ରେକିନ ରିଜ୍ ।”

 

“ମୁଁ ତାଙ୍କୁ ଚିହ୍ନେ ନାହିଁ । ହଉ, ଏଇ ପଇସା ରଖନ୍ତୁ ।”

 

ଆମେ ବାହାରକୁ ଆସିଲୁ । ପବନ ହେମାଳିଆ ଥାଏ । ହୋମ୍‌ସ୍‌ କହିଲେ, “ଏଥର ବ୍ରେକିନ ରିଜ୍‌ଙ୍କ ପାଖକୁ । ମନେ ରଖ ଗୋଟାଏ ପାଖରେ ସାମାନ୍ୟ ହଂସଟାଏ କିନ୍ତୁ ଅନ୍ୟ ପାଖରେ ଜଣେ ଲୋକ । ସେ ନିର୍ଦ୍ଦୋଷ ବୋଲି ଆମେ ପ୍ରମାଣ କରି ନ ପାରିଲେ ବିଚରା ଅନ୍ତତଃ ସାତ ବର୍ଷ ସଜା ପାଇବ ।”

 

କେତେ ବଙ୍କାଟଙ୍କା ଗଳି ରାସ୍ତା ଦେଇ ଆମେ କଭେଣ୍ଟ ଗାର୍ଡ଼ନରେ ପହଞ୍ଚିଲୁ । ଗୋଟାଏ ବଡ଼ ଦୋକାନରେ ବ୍ରେକିନ ରିଜ୍ ବୋଲି ଲେଖା ହୋଇଥିଲା । ଗୋଟାଏ ପିଲା ଦରଜା ବନ୍ଦ କରୁଥିଲା । ଦୋକାନର ମାଲିକ ତାକୁ ସାହାଯ୍ୟ କରୁଥିଲେ ।

 

“ଶୁଭରାତ୍ରି, ଆଜି ଖୁବ୍‍ ଶୀତ ହେଉଛି ।” ହୋମ୍‌ସ୍‌ କହିଲେ । ବିକ୍ରୀ କରିବା ଲୋକ ମୁଣ୍ଡ ହଲାଇ ହଁକଲା ।

 

ମାର୍ବଲ୍‌ର କେତେକ ଶିଳ ଆଡ଼କୁ ହାତ ଠାରି ହୋମ୍‌ସ୍‌ କହିଲେ, ‘‘ହଂସ ମିଳିବ ବୋଧହୁଏ ?”

 

“କାଲି ସକାଳେ ଗୋଟାଏ କାହିଁକି ପାଞ୍ଚଶହଟା ମୁଁ ଦେଇ ପାରିବି ।” ଲୋକଟା ଉତ୍ତର ଦେଲା ।

 

“ତା’ହେଲେ ଚଳିବ ନାହିଁ ।” ହୋମ୍‌ସ୍‌ କହିଲେ ।

 

ଦୋକାନ ମାଲିକ କହିଲେ, “ଆଗରେ ଯେଉଁ ଦୋକାନରେ ଗ୍ୟାସ ଆଲୁଅ ଜଳୁଛି ସେଠି ମିଳିବ ।”

 

“ହେଲେ ଆପଣଙ୍କ ଦୋକାନ ମୋତେ ସୁପାରିଶ୍ କରାଯାଇଥିଲା ।”

 

“କିଏ ସୁପାରିଶ୍‍ କରିଥିଲା ?”

 

“ଆଲ୍‌ଫାର ମାଲିକ ।”

 

“ହଁ, ମୁଁ ତାଙ୍କୁ ଦୁଇ ଡଜନ ହଂସ ଦେଇଥିଲି ।”

 

“ସେଗୁଡ଼ାକ ଖୁବ୍ ବଢ଼ିଆ ହଂସ । ଆଚ୍ଛା, ଆପଣ ସେ ସବୁ କେଉଁଠାରୁ ପାଇଥିଲେ ?”

 

ଆଶ୍ଚର୍ଯ୍ୟକଥା ଯେ ଏ ପ୍ରଶ୍ନରେ ଲୋକଟା ରାଗିଉଠିଲା । “ଆଚ୍ଛା ! ଆପଣଙ୍କର ଉଦ୍ଦେଶ୍ୟ କଣ ?” ସେ ପଚାରିଲା ।

 

“ମୁଁ ଜାଣିବାକୁ ଚାହେଁ ଆପଣ ଆଲ୍‌ଫାକୁ ଯେଉଁ ହଂସ ଦେଇଥିଲେ ତା କାହଠାରୁ ପାଇଥିଲେ ।”

 

“ମୁଁ କହିବି ନାହିଁ ।”

 

“କିଛି ଯାଏ ଆସେ ନାହିଁ । ହେଲେ ଏଇ ସାମାନ୍ୟ କଥାରେ ଆପଣ ଏମିତି ରାଗିବାର କିଛି କାରଣ ତ ମୁଁ ଦେଖୁନାହିଁ ।”

 

“ମୁଁ ରାଗିଲି ? ମୋପରି ବ୍ୟସ୍ତ ଥିଲେ ଆପଣ ବି ରାଗିଥାନ୍ତେ । ହଂସଗୁଡ଼ା କେଉଁଠୁ ଆଣିଲେ, କାହାକୁ ବିକିଲେ—ଆପଣ କ’ଣ ଭାବୁଛନ୍ତି ଦୁନିଆରେ କେବଳ ସେତିକି ହଂସ ଥିଲେ । ତା ଉପରେ ଏତେ ଚର୍ଚ୍ଚା କାହିଁକି ?”

 

ହୋମ୍‌ସ୍ କହିଲେ, “ଅନ୍ୟ କେହି ଯଦି ଏ ହଂସ ବିଷୟରେ କିଛି ପଚାରିଥାନ୍ତି ତାଙ୍କ ସଙ୍ଗେ ମୋର କିଛି ସମ୍ବନ୍ଧ ନାହିଁ । ଆପଣ ଯଦି ନ କହିବେ ତେବେ ବାଜିଟା ଏଇଠି ଶେଷ ହେଲା-। ବେଶ୍, ସେତିକି । କିନ୍ତୁ ପକ୍ଷୀ ଚିହ୍ନିବାରେ ମୋ ମତକୁ ମୁଁ ଦୃଢ଼ ପ୍ରମାଣ କରିପାରିବି । ଏଇ ହଂସଟା ଦେଶୀ ବୋଲି ମୁଁ ପାଞ୍ଚପାଉଣ୍ଡ ବାଜି ରଖିଛି ।”

 

“ତା’ହେଲେ ଆପଣ ପାଞ୍ଚ ପାଉଣ୍ଡ ହରାଇଲେ । କାରଣ ସେ ହଂସଟା ମୋଟେ ଦେଶୀ ନୁହେଁ । ସେଟା ଉନ୍ନତ ସହରୀ ଛୁଆ ।”

 

“ମୁଁ କହୁଛି ମୋଟେ ସହରୀ ନୁହେଁ ।”

 

“ମୁଁ କହୁଛି ହଁ ।”

 

“ମୁଁ ଏ କଥା ବିଶ୍ୱାସ କରୁନାହିଁ ।” ହୋମ୍‌ସ୍ କହିଲେ ।

 

“ମୁଁ କହୁଛି, ଆଲ୍‌ଫାକୁ ମୁଁ ଯେତେ ହଂସ ଦେଇଥିଲି ସବୁ ସହରୀ ।”

 

“ଯାହା କହିଲେ ବି ମୁଁ ବିଶ୍ୱାସ କରିବି ନାହିଁ ।”

 

“ତା’ହେଲେ ଆପଣ ବାଜି ରଖିବେ ?”

 

“ମୁଁ ଏକ ସଭରେନ୍ ବାଜି ରଖିଲି—ଖାଲି ଆପଣଙ୍କ ଜିଦ୍ ଭାଙ୍ଗିବା ପାଇଁ । ଆପଣ ନିଶ୍ଚୟ ହାରିବେ ।”

 

ଲୋକଟା ହସ ଚାପି, ଦାନ୍ତ କାମୁଡ଼ି କହିଲା, “ଠିକ୍ ଅଛି । ବିଲ୍ ! ବହିଗୁଡ଼ା ନେଇଆ ।”

 

ସେଇ ଛୋଟ ପିଲା ଗୋଟେ ପତଳା ଆଉ ଗୋଟେ ମୋଟା ବହି ଆଣି ଆଲୁଅ ପାଖରେ ଥୋଇଲା । ଲୋକଟା କହିଲା, “ଏଇ ଦେଖନ୍ତୁ । ଏଇ ପତଳା ବହିଟା । ଏଟା ହେଲା ମୁଁ ଯାହାଠାରୁ କିଣେ ତାଙ୍କର ତାଲିକା । ଏଇ ପୃଷ୍ଠାରେ ଗାଉଁଲୀ ଲୋକଙ୍କ ନାଁ । ଆର ପୃଷ୍ଠାରେ ନାଲି ଅକ୍ଷରରେ ଯେଉଁ ଲେଖା ହୋଇଛି ସେ ହେଲା ସହରୀ ଲୋକଙ୍କ ନାଁ । ଏଇ ତୃତୀୟ ନାଁଟା । ଦେଖନ୍ତୁ, ପଢ଼ନ୍ତୁ ।”

 

ହୋମ୍‌ସ୍ ପଢ଼ିଲେ, “ମିସେସ୍ ଓକ୍‌ସଟ୍, ୧୧୭ ବ୍ରିକ୍‌ସ୍‌ଟନ୍ ରୋଡ଼, ଅଣ୍ଡା ଓ କୁକୁଡ଼ା ଯୋଗାଇବା ବାଲା ।”

 

“ଏଥର ଆର ବହିଟା ଖୋଲନ୍ତୁ ।”

 

ହୋମ୍‌ସ୍ ପୃଷ୍ଠା ଓଲଟାଇଗଲେ । ଲୋକଟା କହିଲା, “ଏଇଠି ଦେଖନ୍ତୁ । ମିସେସ୍ ଓକ୍‌ସଟ୍, ୧୧୭ ବ୍ରିକ୍‌ସ୍‌ଟନ୍ ରୋଡ଼, ଅଣ୍ଡା ଏବଂ କୁକୁଡ଼ା ଯୋଗାଇବାବାଲା ।”

 

“ସବା ଶେଷ ଯୋଗାଇବା ତାରିଖ କେବେ ?”

 

“ଡ଼ିସେମ୍ବର ୨୨ ତାରିଖ । ଚବିଶ୍‌ଟା ହଂସ । ଦାମ୍ ସାତ ସିଲିଙ୍ଗ୍ ଛଅ ପେନ୍‌ସ୍ କରି ।”

 

“ଠିକ୍ ଅଛି । ତା ତଳେ କ’ଣ ଲେଖା ଅଛି ପଢ଼ନ୍ତୁ ।” ଲୋକଟା କହିଲା ।

 

“ଆଲ୍‌ଫାର ମାଲିକ ଉଇଣ୍ଡିଗେଟ୍‌ଙ୍କୁ ଗୋଟା ବାର ସିଲିଙ୍ଗରେ ବିକ୍ରି କରାଗଲା ।”

 

ସେରଲକ୍‍ ହୋମ୍‌ସ୍ ହତୋତ୍ସାହ ଆଉ ବିରକ୍ତ ହେଲା ପରି ଜଣାଗଲା । ପକେଟ୍‌ରୁ ଗୋଟାଏ ସଭରେନ୍ ବାହାର କରି ପକାଇଦେଇ ସେ ବାହାରି ଆସିଲେ । ଟିକିଏ ଦୂର ଆସିଲା ପରେ ସେ ଖୁବ୍ ଜୋରରେ ହସିଉଠିଲେ ।

 

“ବୁଝିଲ ଉଆଟ୍‌ସନ୍, ଲୋକଟା ଆଗରେ ଶହେ ପାଉଣ୍ଡ ଥୋଇଦେଇଥିଲେ ମଧ୍ୟ ସେ ଏତେ ଖବର ଦେଇନଥାନ୍ତା । ଏମିତିକା ଲୋକଙ୍କ ପାଖରୁ କଥା ଆଦାୟ କରିବାକୁ ହେଲେ ଏଇଭଳି ବାଜି ମାରିବା ଦର୍କାର । ଆଚ୍ଛା, ଆମେ ଏବେ ମିସେସ୍ ଓକ୍‌ସଟ୍‌ଙ୍କ ପାଖକୁ ଯିବା ନାଁ କାଲି ସକାଳେ ?”

 

ତାଙ୍କ କଥା ସେତିକିରେ ରହିଗଲା । ଦୋକାନ ପାଖରେ ଖୁବ୍ ପାଟିତୁଣ୍ଡ ଶୁଣାଗଲା । ବୁଲିପଡ଼ି ଆମେ ଦେଖିଲୁ ଦୋକାନ ବାହାରେ ଆଲୁଅରେ, ଜଣେ ପତଳା ଲୋକ ଠିଆ ହୋଇଛି । ଦୋକାନୀ ବ୍ରେକିନ୍‌ ରିଜ୍ ହାତ ମୁଠା କରି ଖୁବ୍ ରାଗରେ ହଲାଉଛି ।

 

ଗର୍ଜିଉଠି ସେ କହିଲା, ‘ତୁମ ହଂସ ଆଉ ତୁମେ ମତେ ବେଶ୍ ପାଠ ଶିଖେଇଲଣି । ଆଉ ଆସି ଗୋଳମାଳ କଲେ କୁକୁର ଲଗେଇଦେବି । ଯା ମିସେସ୍ ଓକ୍‌ସଟ୍‍ଙ୍କୁ ଏଠିକି ଡାକି ଆଣ-। ମୁଁ ତାଙ୍କୁ ଜବାବ୍ ଦେବି । ମୁଁ ତୁମଠାରୁ ହଂସ କିଣିଥିଲି ?”

 

କାନ୍ଦ କାନ୍ଦ ହୋଇ ପତଳା ଲୋକଟା କହିଲା, “ନାହିଁ ଯେ, ହେଲେ ସେଥିରେ ମୋର ଗୋଟେ ହଂସ ଥିଲା ।”

 

“ସେ କଥା ମିସେସ୍ ଓକ୍‌ସଟ୍‌ଙ୍କୁ କହିବ ।”

 

“ଆପଣଙ୍କୁ ପଚାରିବାକୁ ସେ ମୋତେ କହିଲେ ।”

 

“ମୁଁ ଖୁବ୍ ଫଳ ପାଇଲିଣି । ଯା, ଚାଲିଯାଇ ।” ଦୋକାନୀ ରାଗରେ ସେଇ ପତଳା ଲୋକଟା ଆଡ଼କୁ ମାଡ଼ି ଆସିଲା । ବିଚରା ଭୟରେ ପଳାଇଗଲା ।

 

ଚୁପ୍‍ ଚୁପ୍ କରି ହୋମ୍‌ସ୍ କହିଲେ, “ଆମକୁ ଆଉ ବ୍ରିକ୍‌ସ୍‍ଟନ୍ ରୋଡ଼୍ ଯିବାକୁ ପଡ଼ିବ ନାହିଁ । ମୋ ପଛରେ ଆସ ।”

 

ଖୁବ ଶୀଘ୍ର ହୋମ୍‌ସ୍ ଲୋକଟା ପାଖକୁ ଲାଗିଯାଇ ତା କାନ୍ଧରେ ହାତ ପକାଇଦେଲେ । ଚମକି ଉଠି ଲୋକଟା ବୁଲିପଡ଼ିଲା । ଦେଖିଲି ତା ମୁହଁ ଏକାବେଳକେ ଶୁଖିଯାଇଛି ।

 

ଥରିଲା ଗଳାରେ ସେ ପଚାରିଲା, “ଆପଣ କିଏ ? କଣ ଦରକାର ?”

 

ହୋମ୍‌ସ୍ ଉତ୍ତର ଦେଲେ, “କିଛି ମନେ କରିବ ନାହିଁ । ଦୋକାନୀକୁ ତୁମେ ଯାହା ପଚାରୁଥିଲ ମୁଁ ସବୁ ଶୁଣିଛି । ମୁଁ ବୋଧହୁଏ ସେ ବାବଦରେ ତୁମକୁ ସାହାଯ୍ୟ କରିପାରିବି ।”

 

“କିନ୍ତୁ ଆପଣ କିଏ ? ଘଟଣା ବିଷୟରେ ଆପଣ କିଛି ଜାଣିଲେ କେମିତି ?”

 

“ମୋ ନାଁ ସେରଲକ୍‍ ହୋମ୍‌ସ୍ । ଅନ୍ୟମାନେ ଯାହା ଜାଣିପାରନ୍ତି ନାହିଁ ତାହା ଜାଣିବା ହେଲା ମୋର କାମ ।”

 

“କିନ୍ତୁ ଆପଣ ଏ ବିଷୟରେ କିଛି ଜାଣିପାରିନଥିବେ ।”

 

“ମୁଁ ସବୁ ଜାଣେ । ତୁମେ ଗୋଟାଏ ହଂସ ଖୋଜୁଛ । ସେ ହଂସଟା ବ୍ରିକ୍‌ସ୍‌ଟନ୍ ରୋଡ଼୍‍ର ମିସେସ୍ ଓକ୍‌ସଟ୍ ବ୍ରେକିନ୍‌ ରିଜ୍ ବୋଲି ଜଣେ ଦୋକାନୀକୁ ବିକିଥିଲେ । ଦୋକାନୀ ସେଟା ଆଲ୍‌ଫାର ମାଲିକ ଉଇଣ୍ଡିଗେଟ୍‌ଙ୍କୁ ବିକିଲା । ଉଇଣ୍ଡିଗେଟ୍ ସେଟା ତାଙ୍କ କ୍ଲବକୁ ଦେଲେ । ମିଷ୍ଟର ହେନ୍‍ରୀ ବେକର୍ ସେ କ୍ଲବର ଜଣେ ସଭ୍ୟ ।”

 

ଚିତ୍କାର କରି ଲୋକଟା କହିଲା, “ଆଜ୍ଞା ! ଆପଣଙ୍କୁ ହିଁ ମୁଁ ଖୋଜି ବୁଲୁଥିଲି ।”

 

ଗୋଟାଏ ଗାଡ଼ି ଡାକି ହୋମ୍‌ସ୍ କହିଲେ, “ତା’ହେଲେ ଏଠି ବଜାରଟାରେ କଥାବାର୍ତ୍ତା ନ ହୋଇ ଆମେ ଘର ଭିତରେ ଆରାମରେ ବସି କଥାବାର୍ତ୍ତା ହେବା ଭଲ । ତା ପୂର୍ବରୁ ମୁଁ ଜାଣିବାକୁ ଚାହେଁ, ତୁମେ କିଏ ?”

 

ଲୋକଟା ଟିକିଏ ଇତସ୍ତତ ହୋଇ କହିଲା, “ମୋ ନାଁ, ଜନ୍ ରବିନ୍‌ସନ୍ ।”

 

“ନା ନା, ତୁମର ପ୍ରକୃତ ନାମ ।”

 

“ଲୋକଟା ହଠାତ୍ ଉତ୍ତେଜିତ ହୋଇଉଠି କହିଲା, “ଠିକ୍ ଅଛି, ମୋର ପ୍ରକୃତ ନାମ ଜେମ୍‌ସ୍ ରାଇଡର୍ ।”

 

“ହୁଁ, କସମୋପଲିଟାନ୍ ହୋଟେଲର ମୁଖ୍ୟ ପରିଚାରକ । ଗାଡ଼ି ଭତରକୁ ଚାଲ । ଖୁବ୍ ଶୀଘ୍ର ତୁମେ ଯାହା ଚାହୁଁଛ ମୋଠାରୁ ଶୁଣିବ ।”

 

ବିଚରା ଜଳ ଜଳ କରି ଆମ ମୁହଁକୁ ଚାହିଁଲା । ସେ ଚାହାଣୀରେ ଭୟ ଏବଂ ଆଶା ମିଶି ରହିଥିଲା । ତା’ପରେ ସେ ଗାଡ଼ି ଭିତରକୁ ଉଠିଲା । ଅଧ ଘଣ୍ଟାଏ ପରେ ଆମେ ବେକର୍ ଷ୍ଟ୍ରୀଟରେ ହୋମ୍‌ସ୍‌ଙ୍କ ବୈଠକଖାନାରେ ପହଞ୍ଚିଲୁ ।

 

ହୋମ୍‌ସ୍ ଉଲ୍ଲାସରେ କହିଲେ, “ବେଶ୍, ଆମେ ଆସିଗଲେ । ଏ ପାଗକୁ ନିଆଁଟା ବେଶ୍ ସୁଖ ଲାଗିବ । ସେଇ ବେତ ଚଉକିରେ ବସ ମିଷ୍ଟର ରାଇଡର୍ । ମୁଁ ଚପଲ ଦୁଇଟା ପିନ୍ଧିନିଏ । ଆଛା, ହଂସଟା କଣ ହେଲା ତୁମେ ଜାଣିବାକୁ ଚାହୁଁଛ ?”

 

“ହଁ ଆଜ୍ଞା !”

 

“ବରଂ ମୁଁ କହିବି ସେଇ ନିର୍ଦ୍ଦିଷ୍ଟ ହଂସଟା—ସେଇଟାରେ ତୁମର ପ୍ରୟୋଜନ—ଧଳା ହଂସଟା, ଲାଞ୍ଜରେ କଳା ଗାର ଅଛି ।”

 

ଉତ୍ତେଜନାରେ ରାଇଡର୍‍ ଥରି ଉଠିଲା । ତା’ପରେ କହିଲା, “ଆଜ୍ଞା, ଆପଣ କହିପାରିବେ ସେଟା କଣ ହେଲା ?”

 

“ସେଟା ଏଇଠିକି ଆସିଲା । ବଡ଼ ବଢ଼ିଆ ପକ୍ଷୀଟାଏ । ତୁମେ ତା ପାଇଁ ଏତେ ବ୍ୟସ୍ତ ହେବାର କିଛି ଆଶ୍ଚର୍ଯ୍ୟ ନାହିଁ । ମଲା ପରେ ସେ ହଂସ ଗୋଟାଏ ଡିମ୍ବ ଦେଲା । ଖୁବ୍ ସୁନ୍ଦର ଚକଚକିଆ ନୀଳ ଡିମ୍ବଟାଏ । ଏମିତି ଡିମ୍ବ ଦେଖା ନାହିଁ । ସେଟା ମୁଁ ଏଇଠି ରଖିଛି ।”

 

ରାଇଡର୍‍ ସେତେବେଳକୁ ଠିଆ ହୋଇ ଟଳଟଳ ହେଲାଣି । ହୋମ୍‌ସ୍ ଆଲମିରା ଚାବି ଖୋଲି ନୀଳ ମଣିଟି ଆଣି ହାତରେ ଧରିଲେ । ରାଇଡର୍‍ ଖାଲି ସେ ଆଡ଼କୁ ଚାହିଁ ରହିଲା । ତା ମୁହଁ ଶେତା ପଡ଼ିଗଲା । କଣ କରିବ ସେ ଠିକ୍ କରିପାରିଲା ନାହିଁ ।

 

ଧୀର ଭାବରେ ହୋମ୍‌ସ୍ କହିଲେ, “ତୁମର ଖେଳ ସରିଯାଇଛି ରାଇଡର୍‍ । ଦମ୍ଭ ଧରି ଠିଆ ହୁଅ । ତାକୁ ଚଉକିରେ ବସାଇଦିଅ ଉଆଟ୍‍ସନ୍‍; ଆଉ କିଛି ବ୍ରାଣ୍ଡି ପିଇବାକୁ ଦିଅ । ବେଶ୍, ଏଥର ସେ ମଣିଷ ପରି ଦେଖାଗଲା ।”

 

କିଛି ସମୟଯାଏ ଲୋକଟା ଟଳ ଟଳ ହୋଇ ପଡ଼ିଯିବା ଉପରେ ହେଲା । ତା’ପରେ ଭୟପୂର୍ଣ୍ଣ ଆଖିରେ ସେ ତାର ଅଭିଯୁକ୍ତକାରୀ ଆଡ଼କୁ ଚାହିଁଲା । ହୋମ୍‍ସ୍ କହିଲେ, “ଯାହା କିଛି ପ୍ରମାଣ ଆବଶ୍ୟକ ସବୁ ମୋ ପାଖରେ ଅଛି । ତେଣୁ ତୁମେ ମୋତେ ଅଧିକା କିଛି କହିବାର ନାହିଁ-। ଆଛା, ତୁମେ ମରକାର୍‌ର କାଉଣ୍ଟେସ୍‌ଙ୍କ ଏଇ ନୀଳ ମଣି କଥା ଆଗରୁ ଶୁଣିଥିଲ ?”

 

ଭଙ୍ଗା ଗଳାରେ ରାଇଡର୍‍ ଉତ୍ତର ଦେଲା, “କାଥେରାଇନ୍ କୁଶାକ୍ ମତେ ଏ ବିଷୟ କହିଲା ।”

 

“ଆଛା ! କାଉଣ୍ଟେସ୍‌ଙ୍କ ଚାକରାଣୀ ! ତା’ପରେ ଏତେ ସହଜରେ ଏତେ ଧନ ପାଇବା ଲୋଭ ତୁମେ ଏଡ଼ିପାରିଲ ନାହିଁ । ମୁଁ ଦେଖୁଛି ତୁମେ ଗୋଟାଏ ନରାଧମ (ଶୟତାନ) ହେବାକୁ ବସିଲଣି । ତୁମେ ଜାଣିଥିଲ ଯେ ମିସ୍ତ୍ରୀ ହର୍‌ନର୍ ଆଗରୁ ଏଇଭଳି କିଛି ଘଟଣାରେ ଅଭିଯୁକ୍ତ ହୋଇଥିଲା । ତେଣୁ ତାକୁ ସନ୍ଦେହ କରାଯିବ । ତା’ପରେ ତୁମେ, କଣ କଲ ? ତୁମେ, ଆଉ ଏଇ ଅପରାଧରେ ତୁମର ସାଥୀ କୁଶାକ୍ ଗୋଟେ ଉପାୟ କଲ । କାଉଣ୍ଟେସ୍‌ଙ୍କ କୋଠରୀରେ କିଛି କାମ କରିବା ପାଇଁ ତୁମେ କୌଣସି ପ୍ରକାରେ ହର୍‌ନର୍‌କୁ ଡକାଇ ଆଣିଲ । ସେ ଚାଲିଯିବା ପରେ ତୁମେ ଗହଣା ବାକ୍‌ସ ଚୋରି ହୋଇଥିବା ହୁରି ପକାଇଲ । ଫଳରେ ଏଇ ହତଭାଗା ଲୋକଟିକୁ ଆରେଷ୍ଟ କରାଗଲା ।”

 

ରାଇଡର୍‌ ଲମ୍ବ ହୋଇ ଗାଲିଚା ଉପରେ ପଡ଼ିଗଲା । ହୋମ୍‌ସ୍‌ଙ୍କ ପାଦ ଦୁଇଟାକୁ ଜାବୁଡ଼ି ଧରି କହିଲା, “ମୋତେ ଦୟା କରନ୍ତୁ ଆଜ୍ଞା ! ମୋ ବାପା ମାଆଙ୍କ କଥା ଚିନ୍ତା କରନ୍ତୁ । ଏ କଥା ଶୁଣିଲେ ସେମାନେ ମରିଯିବେ । ଆଗରୁ କେବେ ହେଲେ ମୁଁ ଏମିତି ଭୁଲ୍‍ କରିନାହିଁ । ନିୟମ କରି କହୁଛି ଆଉ କେବେ କରିବି ନାହିଁ ।”

 

ଅତି ରୂଢ଼ଭାବରେ ହୋମ୍‌ସ୍ କହିଲେ, “ଏଇଲେ ମୁଣ୍ଡ ନୋଇଁ ଗୋଡ଼ ତଳେ ପଡ଼ିବାଟା ଭାରି ସହଜ । ହେଲେ ବିଚରା ହର୍‌ନର୍ ବିନା ଅପରାଧରେ କାଠଗଡ଼ା ଭିତରେ ଢୁକିଲା । ତା କଥା ତୁମେ ତ ଟିକିଏ ହେଲେ ଭାବିଲ ନାହିଁ ?”

 

“ମୁଁ ଏ ଦେଶ ଛାଡ଼ି ପଳାଇଯିବି ମିଷ୍ଟର ହୋମ୍‌ସ୍ ।”

 

“ହୁଁ, ସେ କଥା ପରେ । ଏଥର ସତ କଥା କହିଯାଅ । ମଣିଟା ହଂସ ଭିତରକୁ ଆଉ ହଂସଟା ବଜାରକୁ ଗଲା କିପରି ?”

 

ରାଇଡର୍‍ ଶୁଖିଲା ଓଠ ଦୁଇଟାକୁ ଜିଭରେ ଚାଟି ପକାଇ କହିଲା, “ମୁଁ ଭାବିଲି ମଣିଟା ଯେତେ ଶୀଘ୍ର ମୋ ପାଖରୁ ଯିବ ସେତେ ଭଲ । ହୋଟେଲରେ ଲୁଚାଇ ରଖିବା ପାଇଁ ସେମିତି ଜାଗା ନ ଥିଲା । ମୁଁ ବାହାରକୁ ଯାଇ ସିଧା ମୋ ଭଉଣୀ ଘରକୁ ପଳେଇଲି । ସେ ମିଷ୍ଟର ଓକ୍‌ସଟ୍‌ଙ୍କୁ ବାହା ହୋଇ ବ୍ରିକ୍‌ସ୍‌ଟନ୍ ରୋଡ଼ରେ ରହୁଥିଲା । ସେଠି ସେ ବିକିବା ପାଇଁ ପକ୍ଷୀ ପାଳୁଥିଲା । ମୋ ଦେହ ମୁହଁରୁ ଗମ୍ ଗମ୍ ଝାଳ ବୋହିଯାଉଥାଏ । ମୁଁ କାହିଁକି ଏଡ଼େ ଶୁଖିଲା ଦିଶୁଛି ବୋଲି ମୋ ଭଉଣୀ ପଚାରିଲା । ମୁଁ ତାକୁ କହିଲି ଯେ ହୋଟେଲରେ ମଣି ଚୋରୀ ଯୋଗୁଁ ମୁଁ ବିବ୍ରତ ହୋଇପଡ଼ିଛି । ତା’ପରେ ମୁଁ ଘର ପଛ ପାଖକୁ ଯାଇ ଖଣ୍ଡେ ସିଗାରେଟ୍‍ ଟାଣିଲି ଆଉ କଣ କରିବି ଭାବିଲି । କାନ୍ଥକୁ ଆଉଜି ମୁଁ ହଂସଗୁଡ଼ାଙ୍କ ଆଡ଼କୁ ଚାହିଁଥାଏ । ହଠାତ୍ ମୋ ମୁଣ୍ଡରେ ଗୋଟେ ଉପାୟ ଢୁକିଲା । ଆଗରୁ ମୋ ଭଉଣୀ ମୋତେ କହିଥିଲା ଯେ ବଡ଼ଦିନକୁ ସେ ମୋତେ ଗୋଟେ ହଂସ ଦବ । ମୁଁ ବାଛି କରି ଗୋଟେ ନେଇଯିବି । ଭାବିଲି ମୁଁ ଏବେ ହଂସଟା ନେଇଯିବି ଆଉ ତା ଭିତରେ ମଣିଟାକୁ ନେଇ କିଲ୍‌ବର୍‌ନରେ ଥିବା ମୋର ସାଙ୍ଗ ପାଖକୁ ଚାଲିଯିବି । ଅଗଣାଟାରେ ଅଳ୍ପ ଛାଇ ଥିଲା । ତାରି ପାଖକୁ ମୁଁ ଗୋଟେ ପକ୍ଷୀ ଘଉଡ଼ି ନେଲି । ଖୁବ୍ ବଡ଼ ଧଳା ହଂସଟାଏ । ଲାଞ୍ଜରେ ତାର କଳା ଗାର । ସେଟାକୁ ଧରି ମୁଁ ତା ଥଣ୍ଟ ମେଲା କଲି । ତା’ପରେ ମଣିଟା ତା ଭିତରେ ପୂରାଇଦେଇ ଆଙ୍ଗୁଠି ପାଇବାଯାଏ ଠେଲିଦେଲି । ହଂସଟା ସେଟାକୁ ଗିଳିଦେଲା । ମଣିଟା ତା କଣ୍ଠନଳୀଦେଇ ତଣ୍ଟିକୁ ଚାଲିଗଲା । କିନ୍ତୁ ପକ୍ଷୀଟା ଫଡ଼୍ ଫଡ଼୍ ହେଲା । ଶବ୍ଦ ଶୁଣି ମୋ ଭଉଣୀ ଦେଖିବାକୁ ଆସିଲା ।”

 

“ସେଠି କ’ଣ କରୁଛ ଜେମ୍ ?” ସେ ମୋତେ ପଚାରିଲା ।”

 

“କିଛି ନାହିଁ ।” ମୁଁ ଉତ୍ତର ଦେଲି । “ତୁ ମୋତେ ଗୋଟେ ହଂସ ଦେବାକୁ କହିଥିଲୁନା । ମୁଁ ଦେଖୁଥିଲି କୋଉଟା ମୋଟାରୋଟା ।”

 

“ଆମେ ତୋ ପାଇଁ ଗୋଟେ ବାଛି ରଖିଛୁ ।” ସେଇ ବଡ଼ ଧଳାଟା ।

 

“ନାଇଁ, ମୁଁ ଏଇଲେ ଯେଉଁଟା ଧରିଥିଲି ସେଇଟା ନେବି ।” ମୁଁ କହିଲି ।

 

‘ସେ କହିଲା, “ଆରଟା କିନ୍ତୁ ବେଶୀ ଓଜନିଆ । ତୋରି ପାଇଁ ମୁଁ ସାଇତିଛି’’ ।

 

“କିଛି ଯାଏ ଆସେ ନାହିଁ । ମୁଁ ସେ ଆରଟା ନେବି, ଆଉ ଏଇଲେ ମୁଁ ନେଇଯିବି ।”

 

ମୁଁ କହିଲି ।

 

“ଯାହା ତୋ ଇଚ୍ଛା ।” ସେ କହିଲା, “କେଉଁଟା ତୋ ମନ” ?

 

“ସେଇ ମଝିରେ ଯେଉଁ ବଡ଼ ଧଳାଟା । ତା ଲାଞ୍ଜରେ କଳା ଗାର ଅଛି” ।

 

“ବେଶ୍ ଭଲ କଥା । ସେଟାକୁ ମାରି ତୁ ନେଇଯା” ।

 

“ମୁଁ ହଂସଟାକୁ ମାରି ସିଧା କିଲବର୍‌ନ୍‌ ପଳାଇଲି । ମୋ ସାଥୀକୁ ସବୁ କଥା କହିଲି । ହସି ହସି ସେ ବେଦମ୍ ହୋଇଗଲା । ତା’ପରେ ଗୋଟେ ଛୁରୀ ଆଣି ଆମେ ହଂସଟାକୁ କାଟିଲୁ । ତା ଭିତରେ ମଣିର କିଛି ଚିହ୍ନବି ନଥିଲା । ମୋ ରକ୍ତ ପାଣି ଫାଟିଗଲା । ମୁଁ ବୁଝିପାରିଲି ଯେ ମୁଁ ମସ୍ତବଡ଼ ଭୁଲ୍‍ କରି ବସିଛି । ସାଙ୍ଗେ ସାଙ୍ଗେ ମୁଁ ମୋ ଭଉଣୀ ଘରକୁ ଧାଇଁଲି । ଦେଖିଲି ସେଠି ଆଉ ମୋଟେ ହଂସ ନାହାନ୍ତି ।”

 

“ହଂସଗୁଡ଼ା କୁଆଡ଼େ ଗଲେ ମାଗୀ ?” ମୁଁ ପଚାରିଲି ।

 

“ଦୋକାନୀକୁ ବିକ୍ରି କରିଦେଲି ।” ସେ ଉତ୍ତର ଦେଲା ।

 

“କେଉଁ ଦୋକାନୀ ?”

 

“କଭେଣ୍ଟ ଗାର୍ଡ଼ନ୍‌ର ବ୍ରେକିନ୍‌ ରିଜ୍ ।”

 

“ଆଚ୍ଛା, ତା ଭିତରେ ଲାଞ୍ଜରେ କଳା ଗାର ଥିବା ହଂସ ଆଉ ଥିଲା ?”

 

‘‘ହଁ, ଲାଞ୍ଜରେ କଳା ଗାର ଥିବା ହଂସ ଦୁଇଟା ଥିଲେ । ମୁଁ ସେ ଦୁଇଟାକୁ ଚିହ୍ନି ପାରେନାହିଁ ।”

 

“ତା’ପରେ ମୁଁ ଆଖି ବୁଜି ବ୍ରେକିନ୍‌ ରିଜ୍ ପାଖକୁ ଧାଇଁଲି । କିନ୍ତୁ ସେ ସାଙ୍ଗେ ସାଙ୍ଗେ ସବୁଯାକ ବିକିଦେଇସାରିଥିଲା । କାହାକୁ ବିକ୍ରି କଲା ସେ କଥା ମୋତେ କହିଲା ନାହିଁ । ଆପଣ ତ ନିଜେ ଶୁଣିଛନ୍ତି । ମୋ ଭଉଣୀ ଏବେ ଭାବୁଛି ମୁଁ ପାଗଳ ହୋଇଯାଇଛି । ମୁଁ ବି ବେଳେ ବେଳେ ସେଇଆ ଭାବୁଛି । ଏବେ ମୁଁ ଚୋରରେ ଗଣା ହେଲି । ଯେଉଁ ଧନ ପାଇଁ ମୋ ଚରିତ୍ରରେ ଏ କଳଙ୍କ ତାକୁ ହାତରେ ନ ଧରି ମଧ୍ୟ ମୁଁ ଚୋର । ଭଗବାନ୍ ମୋତେ ରକ୍ଷା କରନ୍ତୁ ।”

 

ଏତିକି କହି ସେ କଇଁ କଇଁ ହୋଇ କାନ୍ଦି ଉଠିଲା । କିଛି ସମୟ ଚୁପ୍‍ଚାପ୍ କଟିଗଲା । ତା’ପରେ ମୋ ବନ୍ଧୁ ଉଠି ଘରର ଦରଜା ଖୋଲି କହିଲେ, “ଚାଲିଯା ଏଠୁ ।”

 

“କଣ କହିଲେ ଆଜ୍ଞା ! ଭଗବାନ୍ ଆପଣଙ୍କର ମଙ୍ଗଳ କରନ୍ତୁ ।”

 

“ଚୁପ୍ କର । ଶୀଘ୍ର ଚାଲିଯା ।”

 

ଲୋକଟା ଆଉ କିଛି କହିଲା ନାହିଁ । ପାହାଚ ଉପର ଦେଇ ଦୌଡ଼ିଗଲା । ଦରଜା ବନ୍ଦ ହେବାର ଶବ୍ଦ ଆଉ ତଳେ ରାସ୍ତାରେ ଲୋକଟାର ପାଦ ଶବ୍ଦ ଶୁଣାଗଲା ।

 

ହୋମ୍‌ସ୍ କହିଲେ, “ଯାହା ହେଉ ଉଆଟ୍‌ସନ୍, ଯଦି ହର୍‌ନର୍ ଉପରକୁ କିଛି ବିପଦ ଆସେ ସେ ଅଲଗା କଥା; କିନ୍ତୁ ଏଇ ଲୋକଟା ଯଦି ହର୍‌ନର୍ ବିପକ୍ଷରେ ସାକ୍ଷୀ ନ ହୁଏ ତେବେ କେସ୍‍ଟା ପ୍ରମାଣିତ ହେବ ନାହିଁ । ଏ ଲୋକଟା ଆଉ ଭୁଲ୍‍ ବାଟକୁ ଯିବ ନାହିଁ । ସେ ଅତି ଭୟଭୀତ ହୋଇପଡ଼ିଛି । ଥରେ ତାକୁ ଜେଲ୍‌କୁ ପଠାଇଦେଲେ ଜୀବନସାରା ସେ ଦାଗୀ ହୋଇଯିବ । ତା ବ୍ୟତୀତ ଏଟା ହେଲା କ୍ଷମା କରିବାର ସମୟ । ଯାହା ହେଉ, ଦୈବାତ୍ ଗୋଟାଏ ଅସାଧାରଣ ରହସ୍ୟ ଆସି ଆମ ପାଖରେ ପହଞ୍ଚିଲା । ତାର ସମାଧାନହିଁ ଆମର ପୁରସ୍କାର ।”

Image

 

Unknown

ତିନି ଛାତ୍ର

 

ମିଷ୍ଟର ସେରଲକ୍‍ ହୋମ୍‌ସ୍ ଆଉ ମୁଁ କିଛି ଦିନ ପାଇଁ ଆମ ବିଶ୍ୱବିଦ୍ୟାଳୟ ସହରରୁ ଗୋଟାକରେ ରହୁଥିଲୁ । ଲାଇବ୍ରେରୀ ପାଖ ଗୋଟେ ଘରେ ଆମେ ଥାଉ । ଦିନେ ସନ୍ଧ୍ୟାରେ ମିଷ୍ଟର ହଲ୍‌ଟନ୍ ସୋମ୍‌ସ୍ ଆସି ପହଞ୍ଚିଲେ । ସେ ସେଣ୍ଟ ଲିଉକ କଲେଜର ଜଣେ ଅଧ୍ୟାପକ । ଆଗରୁ ସେ ଆମର ଜଣାଶୁଣା । ଟିକିଏ କଥାରେ ବ୍ୟସ୍ତ ହୋଇପଡ଼ିବା ତାଙ୍କ ପ୍ରକୃତି । ସେଦିନ ସେ ବେଶୀ ବ୍ୟସ୍ତ ଥିଲେ । କିଛି ଗୋଟାଏ ଅସ୍ୱାଭାବିକ ଘଟଣା ଘଟିଥିଲା ପରି ପରିଷ୍କାର ଜଣାଯାଉଥିଲା ।

 

ପହଞ୍ଚିଲା କ୍ଷଣି ସେ ଆରମ୍ଭ କଲେ, “ମିଷ୍ଟର ହୋମ୍‌ସ୍ ! ଆମ କଲେଜରେ ଗୋଟେ ଦୁର୍ଘଟଣା ଘଟିଯାଇଛି । ମୋର ଦୃଢ଼ ଆଶା ଆପଣ ଆମକୁ ସାହାଯ୍ୟ କରିବେ ।”

 

ବନ୍ଧୁ ହୋମ୍‌ସ୍ ଉତ୍ତର ଦେଲେ, “ମୁଁ ଏବେ କାର୍ଯ୍ୟବ୍ୟସ୍ତ ଅଛି । ଆପଣ ବରଂ ପୋଲିସର ସାହାଯ୍ୟ ନିଅନ୍ତୁ ।”

 

“ନା ନା, କଥାଟା ପୋଲିସ କାନକୁ ଗଲେ ଆମ କଲେଜର ବଦନାମ ହୋଇଯିବ । ଆପଣ ଯାହା କିଛି କରନ୍ତୁ ।”

 

“ଘଟଣାଟା ହେଲା ଏଇଆ । ଆସନ୍ତା କାଲି ଫରଟେକ୍‌ସ୍ ବୃତ୍ତି ପରୀକ୍ଷାର ପ୍ରଥମ ଦିନ-। ମୁଁ ଜଣେ ପରୀକ୍ଷକ । ମୋର ବିଷୟ ହେଲା ଗ୍ରୀକ୍ ଭାଷା । ପ୍ରଥମ ପତ୍ରରେ ଗୋଟାଏ ବଡ଼ ପାରା ଗ୍ରୀକ୍ ଅନୁବାଦ କରିବାକୁ ଦିଆଯାଏ । ପରୀକ୍ଷାର୍ଥୀ ପୂର୍ବରୁ ଏହା ଦେଖିନଥାଏ । ପାରାଟା ପରୀକ୍ଷା ଖାତାରେ ଛାପା ହୋଇଥାଏ । କୌଣସି ପରୀକ୍ଷାର୍ଥୀ ଆଗରୁ ଏହା ଜାଣିପାରିଲେ ତାର ଅନେକ ସୁବିଧା ହେବ । ତେଣୁ ଏହି କାଗଜକୁ ଗୋପନ ରଖିବା ପାଇଁ ଖୁବ୍ ଯତ୍ନ ନିଆଯାଏ ।

 

“ଆଜି ପ୍ରାୟ ତିନିଟା ବେଳେ କାଗଜଗୁଡ଼ାକ ପ୍ରେସରୁ ଆସି ପହଞ୍ଚିଲା । ବିଷୟ ସମସ୍ତ ଠିକ୍ ଅଛି କି ନା ଜାଣିବାକୁ ମୋତେ ସବୁଗୁଡ଼ା ଭଲଭାବରେ ପଢ଼ିବାକୁ ହେଲା । ସାଢ଼େ ଚାରିଟାବେଳକୁ ବି ମୋ କାମ ସରି ନ ଥାଏ । ସେତେବେଳକୁ ମୋର ଜଣେ ବନ୍ଧୁଙ୍କ ଘରେ ଚା ଖାଇବାର କଥା । ତେଣୁ କାଗଜତକ ମୋ ଟେବୁଲ ଉପରେ ଛାଡ଼ିଦେଇ ମୁଁ ଚାଲିଗଲି । ପ୍ରାୟ ଘଣ୍ଟାକରୁ ଅଧିକ ମୁଁ ଅନୁପସ୍ଥିତ ଥିଲି । ଫେରି ଆସି ଦେଖିଲି ମୋ ଦରଜା ତାଲାରେ ଚାବିଟା ଲାଗିଛି । ବଡ଼ ଆଶ୍ଚର୍ଯ୍ୟ ଲାଗିଲା । ଭାବିଲି ଭୁଲରେ ମୁଁ ଚାବିଟା ଛାଡ଼ିଯାଇଥିବି । ପକେଟରେ ହାତ ମାରି ଦେଖିଲି ଚାବି ଅଛି । ଆଉ ଗୋଟେ ଚାବି ମୋ ଚାକର ବାନିଷ୍ଟର୍ ପାଖରେ ଥାଏ । ଲୋକଟା ଖୁବ୍ ଭଲ, ଆଉ ସନ୍ଦେହର ବାହାରେ । ଦେଖିଲି ତାଲାରେ ଲାଗିଥିବା ଚାବିଟା ପ୍ରକୃତରେ ତାରି ଚାବି । ମୁଁ ଚା ଖାଇବି କି ନା ବୁଝିବାକୁ ସେ ବୋଧହୁଏ ମୋ କୋଠରୀ ଭିତରକୁ ଆସିଥିଲା । ଘରୁ ପୁଣି ବାହାରି ଗଲାବେଳେ ଅସାବଧାନ ହୋଇ ଚାବିଟା ଛାଡ଼ିଯାଇଛି ।

 

“ଘର ଭିତରକୁ ଯାଇ ଟେବୁଲ ଆଡ଼େ ଚାହିଁଲି । କେହି କାଗଜଗୁଡ଼ାକ ଘଣ୍ଟାଘଣ୍ଟି କରିଛି-। ପ୍ରଶ୍ନଟା ତିନିଖଣ୍ଡ ଲମ୍ବା କାଗଜରେ ଛପା ହୋଇଥିଲା । ମୁଁ ସେଗୁଡ଼ାକ ଏକାଠି ରଖି ଯାଇଥିଲି । ଦେଖିଲି ସେଥିରୁ ଖଣ୍ଡେ ଘର ଚଟାଣ ଉପରେ, ଖଣ୍ଡେ ଝରକା ପାଖ ଟେବୁଲ ଉପରେ, ଆଉ ତୃତୀୟ ଖଣ୍ଡ ମୁଁ ରଖିଥିବା ଜାଗାରେ ଥିଲା । ପ୍ରଥମେ ମୁଁ ଭାବିଲି ଯେ ବାନିଷ୍ଟର୍‍ କାଗଜଗୁଡ଼ା ଦେଖୁଥିଲା; ସେ କିନ୍ତୁ ମନାକଲା । ମୁଁ ନିଶ୍ଚିତ ଯେ ସେ ସତ କହିଛି । ତେବେ କେହି ଏ ବାଟେ ଗଲାବେଳେ ତାଲାରେ ଚାବିଟା ଲାଗିଥିବା ଦେଖିଛି । ମୁଁ ବାହାରକୁ ଯାଇଛି ଜାଣି ଘର ଭିତରେ ପଶି କାଗଜଗୁଡ଼ା ଦେଖିଛି । ବୃତ୍ତିଟାର ପରିମାଣ ଖୁବ୍ ବେଶୀ, ତେଣୁ ଘଟଣାଟା ଖୁବ୍ ଗୁରୁତର ।

 

“ବାନିଷ୍ଟର୍‍ ବଡ଼ ବିବ୍ରତ ହୋଇପଡ଼ିଲା । ସେ ପ୍ରାୟ ଚେତାଶୂନ୍ୟ ହୋଇଗଲା । ମୁଁ ତାକୁ କିଛି ବ୍ରାଣ୍ଡି ପିଆଇଦେଇ ଚଉକି ଉପରେ ବସାଇଦେଲି । ତା’ପରେ କୋଠରୀଟା ଭଲଭାବରେ ଦେଖିନେଲି । କେହି ଘର ଭିତରେ ପଶିଥିବାର ଅନ୍ୟ କେତେ ଚିହ୍ନ ଥିଲା । ଝରକା ପାଖ ଟେବୁଲ ଉପରେ ପେନ୍‌ସିଲ୍‌ର କଟା ଅଂଶ ପଡ଼ିଥିଲା । ଖଣ୍ଡେ ଭଙ୍ଗା ସିସା ମଧ୍ୟ ପଡ଼ିଥିଲା । ବଦ୍‌ମାସ୍‍ଟା ତରତରରେ ଲେଖାଗୁଡ଼ାକ ଉତ୍ତାରୁଥିଲା । ସିସା ଭାଙ୍ଗିଯିବାରୁ ପେନ୍‌ସିଲ୍ କାଟିଛି ।”

 

“ଚମତ୍କାର !” ହୋମ୍‌ସ୍ କହିଉଠିଲେ ।

 

“ସେତିକି ନୁହେଁ, ଲେଖାଲେଖି କରିବା ପାଇଁ ମୁଁ ଗୋଟେ ନୂଆ ଟେବୁଲ କିଣିଛି । ତା ଉପରେ ଖଣ୍ଡେ ଚିକ୍‌କଣ ନାଲି ଚମଡ଼ା ପଡ଼ିଛି । ମୁଁ ଆଉ ବାନିଷ୍ଟର୍‍ ଭଲଭାବରେ ଦେଖିଛୁ ସେଥିରେ କୌଣସି ଦାଗ ନ ଥିଲା । ଏବେ ସେଥିରେ ତିନି ଇଞ୍ଚ ଲମ୍ବର ଗୋଟାଏ କଟା ଦାଗ ମୁଁ ଦେଖିଲି । ତା ଛଡ଼ା ଟେବୁଲ ଉପରେ କାଳିଆ ମାଟିର ଗୋଟେ ଛୋଟ ପିଣ୍ଡୁଳା ପଡ଼ିଥିଲା । ସେଥିରେ କରତଗୁଣ୍ଡ ପରି କିଛି ଲାଗିଥିଲା । ଘର ଭିତରେ ପାଦଚିହ୍ନ ବା ଅନ୍ୟ କୌଣସି ଚିହ୍ନ ନ ଥିଲା । ମୁଁ ସିଧା ଆପଣଙ୍କ ପାଖକୁ ଚାଲି ଆସିଲି । ମତେ ସାହାଯ୍ୟ କରନ୍ତୁ ମିଷ୍ଟର ହୋମ୍‌ସ୍ । ଲୋକଟାକୁ ଖୋଜି ବାହାର କରିବାକୁ ହେବ କିମ୍ବା ପରୀକ୍ଷା ଘୁଞ୍ଚାଇବାକୁ ପଡ଼ିବ । ସେଥିପାଇଁ ମୋତେ କୈଫିୟତ୍ ଦେବାକୁ ପଡ଼ିବ । କଥାଟା ପ୍ରଘଟ ହୋଇଗଲେ କେବଳ କଲେଜ ନୁହଁ, ବିଶ୍ୱବିଦ୍ୟାଳୟର ମଧ୍ୟ ବଦ୍‌ନାମ ହୋଇଯିବ । ଘଟଣାଟା ଗୁପ୍ତରେ ସମାଧାନ କରିବା ମୋର ଇଚ୍ଛା-।”

 

ହୋମ୍‌ସ୍ ଚଉକିରୁ ଉଠି ଓଭରକୋଟ୍ ପିନ୍ଧୁ ପିନ୍ଧୁ କହିଲେ, “ମୁଁ ଆପଣଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବି । କହନ୍ତୁ ତ, କାଗଜଗୁଡ଼ା ପ୍ରେସରୁ ଆସିବା ପରେ କେହି ଆପଣଙ୍କ ପାଖକୁ ଆସିଥିଲା କି ?”

 

“ହଁ, ଦଉଲତ୍‌ରାସ ଆସିଥିଲା । ସେ ଜଣେ ଭାରତୀୟ ଛାତ୍ର । ଏଇ ପରୀକ୍ଷା ସମ୍ବନ୍ଧରେ କେତେଟା କଥା ବୁଝିବା ପାଇଁ ଆସିଥିଲା ।”

 

“ସେ ଏ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ?”

 

“ହଁ ।”

 

“ସେ ଆସିଲାବେଳେ କାଗଜଗୁଡ଼ା ଟେବୁଲ ଉପରେ ଥିଲା ?”

 

“ହଁ । ତେବେ ମୋର ଭଲ ରୂପେ ମନେ ଅଛି ସେଗୁଡ଼ା ଗୁଡ଼ାହୋଇ ଥିଲା ।”

 

“କିନ୍ତୁ ସେଗୁଡ଼ା ପ୍ରଶ୍ନ ବୋଲି କେହି ତ ଜାଣିପାରିଥାଏ ?”

 

“ତା ସମ୍ଭବ ।”

 

“ଆଉ କେହି ଆପଣଙ୍କ କୋଠରୀକୁ ଆସି ନାହିଁ ?”

“ନା ।”

“କାଗଜଗୁଡ଼ା ସେଠି ଥାଇପାରେ ବୋଲି ଆଉ କେହି ଜାଣିଥିଲା ?”

“କେବଳ ଛପାଇବା ଲୋକ ବିନା ଅନ୍ୟ କେହି ନୁହେଁ ।”

“ବାନିଷ୍ଟର୍‍ ଜାଣିଥିଲା ?”

“ନା, କେବେ ନୁହେଁ—କେହି ଜାଣେ ନାହିଁ ।”

“ବାନିଷ୍ଟର୍‍ ଏବେ କେଉଁଠି ?”

“ବିଚରାକୁ ସେଇ ଚଉକି ଉପରେ ବସାଇଦେଇ ମୁଁ ତରତର ହୋଇ ଚାଲିଆସିଲି ।”

“ଦରଜା ଖୋଲା ରଖି ଆସିଲେ ?”

“କାଗଜଗୁଡ଼ା ପ୍ରଥମେ ମୁଁ ଭିତରେ ରଖି ଚାବି ବନ୍ଦ କରିଦେଇଛି ।”

“ତା’ହେଲେ ମିଷ୍ଟର ସୋମ୍‌ସ୍, ସେଇ ଭାରତୀୟ ଛାତ୍ର ଯଦି କାଗଜଗୁଡ଼ାକ ପ୍ରଶ୍ନପତ୍ର ବୋଲି ଜାଣିପାରିନଥାଏ, ଯେଉଁ ଲୋକ ସେଥିରେ ଲାଗିଛି ସେ ଦୈବାତ୍ ତାହା ଦେଖିଛି ।”

“ମୋର ମଧ୍ୟ ସେଇଆ ଅନୁମାନ ।”

ସାମାନ୍ୟ ହସି ହୋମ୍‌ସ୍ କହିଲେ, “ଚାଲନ୍ତୁ ଦେଖିବା । ତମେ ଯଦି ଚାହଁ, ଆସିପାର ଉଆଟ୍‍ସନ୍ ।”

କଲେଜର ଲନ୍ କଡ଼କୁ ଅଧ୍ୟାପକଙ୍କ ବୈଠକଖାନାର ଗୋଟାଏ ଝରକା–ଲମ୍ବା କିନ୍ତୁ କମ୍ ଉଚ୍ଚା । ପାଖରେ ଗୋଟେ ଦରଜା । ତା ଭିତର ଦେଇ ଗଲେ ଉପରକୁ ଯିବା ପାଇଁ ପାହାଚ–ପୁରୁଣା ହୋଇଗଲାଣି । ଅଧ୍ୟାପକ ତଳ ମହଲାରେ ରହନ୍ତି । ଉପର ତିନି ମହଲାରେ ତିନିଜଣ ଛାତ୍ର । ଆମେ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ବେଳ ରତ ରତ । ହୋମ୍‌ସ୍ ଝରକା ପାଖରେ ଅଟକିଯାଇ ଭଲଭାବରେ ନିରୀକ୍ଷଣ କଲେ । ତା’ପରେ ଝରକା ନିକଟକୁ ଯାଇ ଆଙ୍ଗୁଠି ଅଗରେ ଠିଆ ହୋଇ ବେକ ଲମ୍ବାଇ ଘର ଭିତରକୁ ଚାହିଁଲେ ।

“ସେ ଦରଜା ବାଟ ଦେଇ ଆସିଥିବ–ତା ଛଡ଼ା ଆଉ ବାଟ ନାହିଁ ।” ଅଧ୍ୟାପକ କହିଲେ-

ସାମାନ୍ୟ ହସି ହୋମ୍‌ସ୍ କହିଲେ, “ହଉ, ଚାଲନ୍ତୁ ଭିତରକୁ ଯିବା ।” ଅଧ୍ୟାପକ ଦରଜା ତାଲା ଖୋଲିଲେ । ଆମେ ବାଟ ମୁହଁରେ ରହିଲୁ ହୋମ୍‌ସ୍ ଘର ଭିତରକୁ ଯାଇ ଗାଲିଚାଟା ପରୀକ୍ଷା କରି ଦେଖିଲେ । କିଛି ଚିହ୍ନ ନ ଥିଲା ।

ହୋମ୍‌ସ୍ କହିଲେ, “ଆପଣ ତ କହୁଥିଲେ ଆପଣଙ୍କ ଚାକରକୁ ଗୋଟାଏ ଚଉକି ଉପରେ ବସାଇଦେଇ ଯାଇଥିଲେ–କେଉଁ ଚଉକିଟା ?”

“ସେଇ ଝରକା ପାଖରେ ।”

“ଏଇ ଛୋଟ ଟେବୁଲ ପାଖରେ ତ ? ଘଟଣାଟା ବେଶ୍ ପରିଷ୍କାର । ଲୋକଟା ଘର ଭିତରେ ପଶି ମଝି ଟେବୁଲରୁ କାଗଜଗୁଡ଼ା ନେଇଛି । ସେ ଝରକା ପାଖ ଟେବୁଲ ଉପରେ ଲେଖିଛି, କାରଣ ଆପଣ ଅଗଣା ଭିତର ଦେଇ ଆସିଲେ ସେ ଦେଖିପାରିବ ।”

 

“କିନ୍ତୁ ମୁଁ ଆରପାଖରେ ଥିବା ଦରଜାଦେଇ ଆସିଲି । ତେଣୁ ସେ ମୋତେ ଦେଖି ପାରି ନ ଥିବ ।”

 

“ଠିକ୍ ଅଛି । ମୁଁ କାଗଜ ତିନି ଖଣ୍ଡ ଦେଖେ । ନା, କୌଣସି ଆଙ୍ଗୁଠି ଚିହ୍ନ ନାହିଁ । ଦେଖନ୍ତୁ, ସେ ପ୍ରଥମେ ଏଇ ଖଣ୍ଡ ନେଇ ଉତ୍ତାରିଛି । ସେଥିପାଇଁ ପନ୍ଦର ମିନିଟ୍‌ରୁ କମ୍ ସମୟ ଲାଗିନଥିବ । ତା’ପରେ ସେଟା ରଖିଦେଇ ଆଉ ଖଣ୍ଡେ ନେଇଛି । ସେଟା ଅଧା ଲେଖିବା ବେଳକୁ ଆପଣ ଫେରିଛନ୍ତି । ତେଣୁ ସେ ଖୁବ୍ ତରତରରେ ପଳାଇଛି । କାଗଜଗୁଡ଼ା ଠିକ୍ ଜାଗାରେ ରଖିବା ପାଇଁ ସମୟ ପାଇନାହିଁ । ଆପଣ ସିଡ଼ି ଉପର ଦେଇ ଆସିଲାବେଳେ କାହାରି ଦ୍ରୁତ ପାଦଶବ୍ଦ ଶୁଣିନାହାନ୍ତି ?”

 

“ନା ।”

 

“ସେ ଖୁବ୍ ଜୋରରେ ଲେଖିଛି, ଫଳରେ ପେନ୍‍ସିଲ୍‍ର ସୀସା ଭାଙ୍ଗିଯାଇଛି ଏବଂ ସେ ତାକୁ ପୁଣି ଥରେ କାଟିଛି । ପେନ୍‌ସିଲ୍‍ଟା ବି ବାଜେ ପେନ୍‌ସିଲ୍ ନୁହେଁ । ଆକାରଟା ସାଧାରଣ ପେନ୍‌ସିଲ୍‍ ଆକାର । ସୀସାଟା ନରମା, ବାହାର ରଙ୍ଗଟା ଗାଢ଼ ନୀଳ । ପେନ୍‌ସିଲ୍ ନିର୍ମାତାର ନାଁ ଧଳା ଅକ୍ଷରରେ ଲେଖା । ପେନ୍‌ସିଲ୍‌ର ଯେଉଁତକ ଅଂଶ ବାକି ଅଛି ତାହା ପ୍ରାୟ ଦେଢ଼ ଇଞ୍ଚ ଲମ୍ବ । ଏଇପରି ପେନ୍‌ସିଲ୍ ଯାହା ପାଖରୁ ମିଳିବ ସେଇ ହେଲା ଅପରାଧୀ । ତା’ ଛଡ଼ା ତାର ଗୋଟାଏ ବଡ଼ ମୁଣ୍ଡା ଛୁରୀ ଅଛି ।”

 

ଏ ସବୁ ତଥ୍ୟ ପାଇ ମିଷ୍ଟର ସୋମ୍‌ସ୍ ଖୁସି ହୋଇ କହିଲେ, “ସବୁ ବୁଝିଲି, ହେଲେ ପେନ୍‌ସିଲ୍‌ର ଲମ୍ବ ?”

 

ହୋମ୍‌ସ୍ ପେନ୍‌ସିଲ୍‌ର କଟା ଅଂଶରୁ ଖଣ୍ଡେ ଗୋଟାଇ ଆଣି ଦେଖାଇଲେ । ସେଥିରେ ‘N’ ଅକ୍ଷରଟି ଥିଲା । ତା ପଛକୁ ପେନ୍‌ସିଲ୍‌ର କାଠ ଅଂଶ କିଛି ।

 

“ଏଇ N ଅକ୍ଷରଟି କୌଣସି ଶବ୍ଦର ଶେଷ ଅକ୍ଷର । ‘ଜୋହାନ୍ ଫେବର୍’ ଜଣାଶୁଣା ପେନ୍‌ସିଲ୍ ନିର୍ମାତା । ତେଣୁ ଜୋହାନ୍‍ ଶବ୍ଦ ପରେ ପେନ୍‌ସିଲ୍‍ର ଆଉ କେତେ ଅଂଶ ବାକି ଥିବ ? ଏଇଟା ହେଲା ଆପଣ ଯେଉଁ ପିଣ୍ଡୁଳା କଥା କହୁଥିଲେ । ତା’ପରେ ଟେବୁଲର ଏଇ କଟା ଚିହ୍ନ । ଆରମ୍ଭରେ ଖୁବ୍ ସରୁ ଏବଂ ଶେଷକୁ ମୋଟା ଏବଂ ଟେବୁଲରେ ଗୋଟାଏ କଣା ପରି ହୋଇଛି । ଆଚ୍ଛା, ଏଇ ଦରଜାଟା କେଉଁଠାକୁ ?”

 

“ମୋ ଶୋଇବା କୋଠରୀକୁ ।”

 

“ଏ ଘଟଣା ପରେ ଆପଣ ତା ଭିତରେ ଯାଇଥିଲେ ?”

 

“ନାଁ ।”

 

“ମୁଁ ଟିକିଏ ଘରଟା ଦେଖିନିଏ । ଆପଣମାନେ ଏଇଠି ରହନ୍ତୁ । ମୁଁ ଚଟାଣଟା ପରୀକ୍ଷା କରିନିଏ । ନା, କିଛି ନାହିଁ । ଏ ପରଦାଟା କଣ ? ଆପଣ ୟା ପଛପାଖେ ପୋଷାକପତ୍ର ରଖନ୍ତି । ଯଦି କେହି ବାଧ୍ୟ ହୋଇ ଏ ବଖରା ଭତରକୁ ଆସିଥିବ ତେବେ ସେ ଏଇ ପରଦା ପଛରେ ଲୁଚି ରହିଥିବ । ସେଠାରେ ବୋଧହୁଏ କେହି ନାହିଁ ?”

 

ସେଠି କେଇଖଣ୍ଡ ଜାମା ଛଡ଼ା ଆଉ କିଛି ନ ଥିଲା । ହୋମ୍‌ସ୍ ସେଠୁ ଫେରିଲେ । ହଠାତ୍ ମେଜିଆ ଉପରେ ନଇଁପଡ଼ି ସେ କହିଲେ, “ଏଟା କଣ ?”

 

ବୈଠକ ଘରୁ ମିଳିଥିବା ମାଟି ପିଣ୍ଡୁଳା ପରି ଏକ ପିଣ୍ଡୁଳା ହାତରେ ଧରି ହୋମ୍‌ସ୍ ଦେଖାଇଲେ ।

 

“ଅପରାଧୀ ଆପଣଙ୍କ ଶୋଇବା ଘରେ ବି କିଛି ସଙ୍କେତ ଛାଡ଼ିଯାଇଛି ମିଷ୍ଟର ସୋମ୍‌ସ୍-!”

 

“କିନ୍ତୁ ସେ ଘରେ ତାର କାମ କଣ ?”

 

“ଘଟଣାଟା ବେଶ୍ ପରିଷ୍କାର । ଆପଣ ଯେଉଁ ବାଟେ ଆସିବେ ବୋଲି ସେ ଭାବିଥିଲା, ସେ ବାଟେ ନଆସି ଆପଣ ଅତର୍କିତ ଭାବରେ ଅନ୍ୟ ପାଖରୁ ଆସି ପହଞ୍ଚିଗଲେ । ଆପଣ ଘରର ଦରଜା ନିକଟରେ ହେବାଯାଏ ସେ ଜାଣିପାରିଲା ନାହିଁ । ଆଉ କ’ଣ କରିଥାନ୍ତା ? ଯାହା କିଛି ପାଇଲା ଧରି ତରତରରେ ଲୁଚିଯିବା ପାଇଁ ସେ ଆପଣଙ୍କ ଶୋଇବା ଘରକୁ ପଳାଇଲା ।”

 

“ହେ ଭଗବାନ ! ଆପଣ ତେବେ କହୁଛନ୍ତି, ଯେ ମୁଁ ଏ ଘରେ ବାନିଷ୍ଟର୍‍ ସାଥିରେ କଥାବାର୍ତ୍ତା କଲାବେଳେ ଲୋକଟା ଆର ଘରେ ଥିଲା ?”

 

“ହଁ, ମୁଁ ଭାବୁଛି ନିଶ୍ଚୟ ସେଇଆ ହୋଇଛି ।”

 

“ଆଉ ଗୋଟାଏ କଥା ବି ହୋଇପାରେ । ଆପଣ ମୋ ଶୋଇବା ଘର ଝରକା ଦେଖିଛନ୍ତି କି ନା ମୁଁ ଜାଣେନା ।”

 

“ଦେଖିଛି । ସୀସାର ଫ୍ରେମରେ ଚାରିକଣିଆ କାଚ ଖଞ୍ଜା । ତିନିଟା ଅଲଗା ଅଲଗା ଝରକା । ଗୋଟାଏ ଟିକିଏ ବଡ଼ । ତା ଭିତର ଦେଇ କେହି ଘର ଭିତରକୁ ଆସିପାରିବ ।”

 

“ଠିକ୍ କହିଛନ୍ତି । ଝରକାଟା ବି ଅଗଣାର ଗୋଟାଏ କଣରୁ ଦେଖାଯିବ । ତେଣୁ କେତେକାଂଶରେ ସେଇଟା ଦୃଷ୍ଟିର ବାହାରେ । ଲୋକଟା ସେଇ ବାଟେ ଭିତରକୁ ଆସିଥାଇପରେ-। ଶୋଇବା ଘର ଭିତର ଦେଇ ଆସିବାବେଳେ ଏଇ ସଙ୍କେତ ଛାଡ଼ିଯାଇଛି । ଶେଷରେ ବୈଠକ ଘରର ଦରଜା ଖୋଲା ଦେଖି ସେ ବାଟେ ଖସିଯାଇଛି ।”

 

ମୁଣ୍ଡ ହଲାଇ ହୋମ୍‌ସ୍ କହିଲେ, “ନା ନା, ଆମେ ବାସ୍ତବ ହେବା ଉଚିତ । ଆପଣ କହୁଥିଲେ ନା, ତିନି ଜଣ ଛାତ୍ର ଏଇ ପାହାଚ ବ୍ୟବହାର କରନ୍ତି, ଆଉ ଏଇ ଦରଜା ପାଖ ଦେଇ ଯିବା ଆସିବା କରନ୍ତି ?”

 

“ହଁ ।”

 

“ସେମାନେ ସମସ୍ତେ ଏଇ ପରୀକ୍ଷା ଦେଉଛନ୍ତି ?”

 

“ହଁ ।”

 

“ସେମାନଙ୍କ ଭିତରୁ ଆପଣ କାହାକୁ ବେଶୀ ସନ୍ଦେହ କରିବାର କିଛି କାରଣ ଅଛି ?”

 

“କିଛି ପ୍ରମାଣ ନ ଥାଇ କାହାକୁ କେମିତି ସନ୍ଦେହ କରିବି ?”

 

“ଆପଣ ସନ୍ଦେହ କଥା କୁହନ୍ତୁ—ପ୍ରମାଣ କଥା ମୁଁ ବୁଝିବି ।”

 

“ତଳମହଲାରେ ରହେ ଗିଲ୍‌କ୍ରିଷ୍ଟ । ମେଧାବୀ ଛାତ୍ର ଆଉ ଭଲ ଖେଳାଳୀ । କଲେଜର ଫୁଟବଲ ଆଉ କ୍ରିକେଟ ଦଳରେ ଖେଳେ । ବଡ଼ ଚମତ୍କାର ପିଲା । ତା ବାପା ହେଲେ କୁଖ୍ୟାତ ସାର୍ ଜାବେଜ୍ ଗିଲ୍‌କ୍ରିଷ୍ଟ । ସେ ଘୋଡ଼ା ବାଜିରେ ସବୁ ଧନ ହରାଇ ବସିଲେ । ମୋର ଏଇ ଛାତ୍ରଟି ନିତାନ୍ତ ଗରିବ । କିନ୍ତୁ ସେ ଖୁବ୍ ପରିଶ୍ରମୀ । ପରୀକ୍ଷାରେ ନିଶ୍ଚୟ ଭଲ କରିବ ।”

 

“ଦ୍ୱିତୀୟ ମହଲାରେ ରହେ ଦଉଲତ୍‌ରାସ୍ । ସେ ଭାରତୀୟ । ବଡ଼ ଧୀରସ୍ଥିର । ତା କାମରେ ପାରଙ୍ଗମ । କିନ୍ତୁ ଗ୍ରୀକ୍ ଭାଷାରେ ସେ ଦୁର୍ବଳ । ତଥାପି ସେ ଦୃଢ଼ମନା ଏବଂ ସୁଶୃଙ୍ଖଳ ।”

 

“ଉପର ମହଲାରେ ରହେ ମାଇଲସ୍ ମାକ୍‌ଲାରେନ୍ । ସେ ଯେତେବେଳେ କାମରେ ମନ ଦିଏ ସେତେବେଳେ ଖୁବ୍ ମେଧାବୀ । କିନ୍ତୁ ସେ ଅଧିକାଂଶ ସମୟ ଆମୋଦରେ କଟାଏ । ପ୍ରଥମେ ବର୍ଷ ତାକୁ କଲେଜରୁ ବାହାର କରିଦିଆଯାଇଥାନ୍ତା । ଏବର୍ଷ ସାରା ମଧ୍ୟ ସେ ଅଯଥାରେ ସମୟ ନଷ୍ଟ କରିଛି । ତେଣୁ ପରୀକ୍ଷା ପାଇଁ ତାର ନିଶ୍ଚୟ ଭୟ ଥିବ ।”

 

“ତା’ହେଲେ ତାକୁ ଆପଣ ସନ୍ଦେହ କରୁଛନ୍ତି ?”

 

“ମୁଁ ଅବଶ୍ୟ ସେତେ ଦୂର ଯାଉନାହିଁ । ତେବେ ତିନି ଜଣଙ୍କ ଭିତରୁ ସେ ସନ୍ଦେହର ବାହାରେ ନୁହେଁ ।”

 

“ଠିକ୍ । ଆଚ୍ଛା, ମିଷ୍ଟର ସୋମ୍‌ସ୍, ଆପଣଙ୍କ ଚାକର ବାନିଷ୍ଟର୍‍କୁ ଟିକିଏ ଦେଖିବା ।”

 

ବାନିଷ୍ଟର୍‍ର ବୟସ ପ୍ରାୟ ପଚାଶ ବର୍ଷ । ପ୍ରଶ୍ନଚୋରୀ ଘଟଣା ଯୋଗୁଁ ସେ ବଡ଼ ବିଚଳିତ ହୋଇପଡ଼ିଥାଏ । ଏପରିକି ସେ ଯାଏ ତା ଆଙ୍ଗୁଠିଗୁଡ଼ାକ ଥରୁଥାଏ ।

 

ହୋମ୍‌ସ୍ କହିଲେ, “ତୁମେ କୁଆଡ଼େ ତୁମ ଚାବିଟା ଦରଜାରେ ଛାଡ଼ି ଦେଇଥିଲ ବାନିଷ୍ଟର୍‍ ?”

 

“ହଁ ଆଜ୍ଞା ।”

 

“ଘର ଭିତରେ ଏଇ କାଗଜଗୁଡ଼ା ଅଛି । ସେତିକିବେଳେ ତୁମେ ୟା କରିବାଟା ବଡ଼ ଦୁର୍ଭାଗ୍ୟଜନକ ନୁହେଁ କି ?”

 

“ନିଶ୍ଚୟ ଦୁର୍ଭାଗ୍ୟଜନକ ଆଜ୍ଞା । କିନ୍ତୁ ଆଗରୁ କେତେ ଥର ବି ମୁଁ ସେଇଆ କରିଛି ।”

 

“ତୁମେ କେତେବେଳେ ଘର ଭିତରକୁ ଆସିଲ ?”

“ପ୍ରାୟ ସାଢ଼େ ଚାରିଟାବେଳେ ।”

“ଘର ଭିତରେ କେତେ ସମୟ ରହିଲ ?”

“ଦେଖିଲି ମିଷ୍ଟର ସୋମ୍‌ସ୍ ନାହାନ୍ତି । ସାଙ୍ଗେ ସାଙ୍ଗେ ଚାଲିଗଲି ।”

“ତୁମେ ଟେବୁଲ ଉପର ଏଇ କାଗଜଗୁଡ଼ା ଦେଖିଥିଲ ?”

“ନା ଆଜ୍ଞା, ମୋଟେ ନୁହେଁ ।”

“ତମେ ଦରଜାରେ ଚାବିଟା ଛାଡ଼ିଗଲ କେମିତି ?”

“ହାତରେ ଚା’ ଟ୍ରେଟା ଧରିଥିଲି । ଭାବିଲି ପୁଣି ଆସି ଚାବିଟା ନେଇ ଯିବି, କିନ୍ତୁ ଭୁଲିଗଲି ।”

“ବାହାର ଦରଜାରେ ଆପେ ବନ୍ଦ ହୋଇଯିବ ସ୍ପ୍ରିଙ୍ଗ ତାଲା ଅଛି କି ?”

“ନାହିଁ ଆଜ୍ଞା ।”

“ତା’ହେଲେ ସେଇଟା ବରାବର ଖୋଲାଥିଲା ?”

“ହଁ ଆଜ୍ଞା ।”

“ଘର ଭିତରୁ ଯେ କେହି ଏ ବାଟେ ବାହାରି ଯାଇ ପାରିବ ?”

“ହଁ ।”

“ମିଷ୍ଟର ସୋମ୍‌ସ୍ ଯେତେବେଳେ ଫେରି ତୁମକୁ ଡାକିଲେ ତୁମେ ବଡ଼ ବିବ୍ରତ ହୋଇପଡ଼ିଥିଲ ?”

“ହଁ ଆଜ୍ଞା, ମୁଁ ପ୍ରାୟ ଚେତାଶୂନ୍ୟ ହୋଇଯାଇଥିଲି ।”

“ତୁମକୁ ଯେତେବେଳେ ପ୍ରଥମେ ଖରାପ ଲାଗିଲା ତୁମେ କେଉଁଠି ଥିଲ ?”

“କାହିଁକି, ଏଇଠି ଦରଜା ପାଖରେ ।”

 

“ତୁମେ କିନ୍ତୁ କଣର ସେଇ ଚଉକି ଉପରେ ଯାଇ ବସିଥିଲ । ଏଇଟା ବଡ଼ ବିଚିତ୍ର କଥା-। ତୁମେ ଏଇ ଚଉକିଗୁଡ଼ାକ ଛାଡ଼ି ସେଠିକି ଗଲ କାହିଁକି ?”

 

“ଜାଣେ ନା ଆଜ୍ଞା—ମୁଁ କେଉଁଠି ବସିଲି କିଛି ଜାଣେ ନା ।”

 

“ମିଷ୍ଟର ସୋମ୍‌ସ୍ ଯିବା ପରେ ତୁମେ ଏଠି ରହିଲ ?”

 

“ମୋଟେ ମିନିଟ୍‌ଏ ହେବ । ତା’ପରେ ଦରଜାରେ ତାଲା ଦେଇ ମୁଁ ମୋ କାଠରୀକୁ ଚାଲିଗଲି ।”

 

“ତୁମେ କାହାକୁ ସନ୍ଦେହ କରୁଚ ?”

 

“ଏଡ଼େ ବଡ଼ କଥା କେମିତି କହିବି ଆଜ୍ଞା ! ଏ ବିଶ୍ୱବିଦ୍ୟାଳୟର କେହି ଏ କାମ କରି କିଛି ଲାଭ ପାଇବ ନାହିଁ ।”

 

“ଧନ୍ୟବାଦ । ସେଇ ଯଥେଷ୍ଟ । ହଁ, ଆଉ ପଦେ କଥା । ଯେଉଁ ତିନିଜଣଙ୍କ ପାଖରେ ତମେ କାମ କରୁଛ ତାଙ୍କୁ ଏ ବିଷୟରେ କିଛି କହି ନାହଁ ତ ?”

 

“ପଦେ ହେଲେ କହି ନାହିଁ ଆଜ୍ଞା ।”

 

“ଖୁବ୍ ଭଲ କରିଛ । ଆଚ୍ଛା, ମିଷ୍ଟର ସୋମ୍‌ସ୍, ଆମେ ଟିକିଏ ବାହାର ଅଗଣାଟା ବୁଲି ଆସିବା ।”

 

ଉପରେ ଆଲୁଅ ଜଳୁଥିଲା । ଉପରକୁ ଚାହିଁ ହୋମ୍‌ସ୍ କହିଲେ, “ଆପଣଙ୍କ ପକ୍ଷୀମାନେ ବସାରେ ଅଛନ୍ତି । କିନ୍ତୁ ଏ କ’ଣ ? ତାଙ୍କ ଭିତରୁ ଜଣେ ଅତି ବିଚଳିତ ଥିଲା ପରି ମନେ ହୁଏ ।”

 

ସେ ଜଣକ ସେଇ ଭାରତୀୟ ଛାତ୍ର । ହଠାତ୍ ପରଦା ଉପରେ ତାର ଛାଇ ଦେଖାଗଲା-। ସେ ଖୁବ୍ ବ୍ୟସ୍ତ ହୋଇ ଘରର ଏପାଖ ସେପାଖ ହେଉଥିଲା । ହୋମ୍‌ସ୍ ସେମାନଙ୍କୁ ଦେଖିବାକୁ ଚାହିଁଲେ । ଆମେ ଯାଇ ଗିଲ୍‌କ୍ରିଷ୍ଟର ଦରଜାରେ ଠକ୍ ଠକ୍ ଆଘାତ କଲୁ । ଜଣେ ଖୁବ୍ ଡେଙ୍ଗା ପତଳା ତରୁଣ ଦରଜା ଖୋଲି ଆମକୁ ଭିତରକୁ ନେଇଗଲା । ଘରଟିର ସାଜସଜ୍ଜା ଖୁବ୍ ଚମତ୍କାର । ହୋମ୍‌ସ୍ ଖୁସି ହୋଇ ଘରର ଗୋଟିଏ ଚିତ୍ର ଆଙ୍କି ବସିଲେ । ତାଙ୍କ ପେନ୍‌ସିଲ୍‌ର ସିସା ଭାଙ୍ଗିଗଲା-। ସେ ଗିଲ୍‌କ୍ରିଷ୍ଟଠାରୁ ଗୋଟାଏ ପେନ୍‌ସିଲ୍‌ ମାଗିଲେ ଏବଂ ପରେ ନିଜ ପେନ୍‌ସିଲ୍ କାଟିବା ପାଇଁ ଛୁରୀଟାଏ ମଧ୍ୟ ମାଗିଲେ । ଭାରତୀୟ ଛାତ୍ରର କୋଠରୀରେ ମଧ୍ୟ ଠିକ୍ ସେଇଆ ଘଟିଲା । ତା’ପରେ ଆମେ ତୃତୀୟ କୋଠରୀକୁ ଗଲୁ । ଆମେ ଦରଜାରେ ଠକ୍ ଠକ୍ କଲୁ । କିନ୍ତୁ ଦରଜା ଖୋଲିଲା ନାହିଁ । ଭିତରୁ ରୁକ୍ଷ ଏବଂ କ୍ରୁଦ୍ଧ ସ୍ୱରରେ ଶୁଭିଲା, “ତୁମେ ଯେ କେହି ହୋଇଥାଅ, ଏଠାରୁ ଚାଲିଯାଅ ।”

 

ମିଷ୍ଟର ସୋମ୍‌ସ୍ କହିଲେ, “ପିଲାଟା ବଡ଼ ରୁକ୍ଷ । ଅବଶ୍ୟ ମୁଁ ଡାକୁଛି ବୋଲି ସେ ଜାଣେନା । ତଥାପି ତାର ବ୍ୟବହାର ଅତି ଅଭଦ୍ର ଏବଂ ବର୍ତ୍ତମାନ ପରିସ୍ଥିତରେ ସନ୍ଦେହଜନକ ।”

 

ହୋମ୍‌ସ୍ ସେ କଥା ନ ଶୁଣିଲା ପରି ଅପ୍ରତ୍ୟାଶିତ ଭାବେ ପଚାରିଲେ, “ତାର ଉଚ୍ଚତା କେତେ ହେବ ମିଷ୍ଟର ସୋମ୍‌ସ୍ ?”

 

“ଉଚ୍ଚାରେ ସେ ଭାରତୀୟ ଛାତ୍ରଠାରୁ ବଡ଼ । କିନ୍ତୁ ଗିଲ୍‌କ୍ରିଷ୍ଟପରି ସେତେ ଉଚ୍ଚ ନୁହେଁ । ତା ଉଚ୍ଚତା ପ୍ରାୟ ପାଞ୍ଚଫୁଟ ଛଅ ଇଞ୍ଚ ହେବ ।”

 

“ଠିକ୍ ଅଛି । ଏଥର ଆମେ ଆସୁଛୁ ମିଷ୍ଟର ସୋମ୍‌ସ୍ ।”

 

ହତାଶ ଏବଂ ବ୍ୟଗ୍ର ହୋଇ ସୋମ୍‌ସ୍ କହିଲେ, “ମିଷ୍ଟର ହୋମ୍‌ସ୍, ଆପଣ ପରିସ୍ଥିତିର ଗୁରୁତ୍ୱ ବୁଝୁନାହାନ୍ତି । କାଲି ପରୀକ୍ଷା । ଆଜି ରାତି ଭିତରେ ମୋତେ କିଛି ସ୍ଥିର କରିବାକୁ ହେବ ।”

 

“ବର୍ତ୍ତମାନ ଆଉ କିଛି କରିବାର ନାହିଁ । ମୁଁ ପୁଣି ସକାଳେ ଆସିବି । ଆଉ କ’ଣ କରିବାକୁ ହେବ ଆପଣଙ୍କୁ କହିବି । ଆପଣ ଏବେ ନିଶ୍ଚିନ୍ତ ରହନ୍ତୁ । ଆମେ କିଛି ନା କିଛି ଗୋଟାଏ ବାଟ କରିପାରିବା । ଏଇ କଳା ମାଟି ଆଉ ପେନ୍‌ସିଲ୍‌ କଟା ଅଂଶ ମୁଁ ନେଇଯାଉଛି । ଶୁଭରାତ୍ର ।”

 

ଆମେ ରାସ୍ତା ଉପରକୁ ବାହାରି ଆସିଲୁ । ହୋମ୍‌ସ୍‌ କହିଲେ, “ଆଚ୍ଛା ଉଆଟ୍‌ସନ୍, ତୁମେ ଏ ବିଷୟରେ କ’ଣ ଭାବୁଛ ? ଏଇ ତିନିଜଣଙ୍କ ଭିତରୁ କେହି ନିଶ୍ଚୟ ଏ କାମ କରିଛି । କିଏ ବୋଲି ତୁମେ ଭାବୁଛ ?”

 

“ଉପର ମହଲାର ସେଇ ଲୋକ—ସେ କେମିତି ରାଗିଯାଇ ପାଟିକଲା । ୟାଙ୍କ ଭିତରେ ସେ ହେଲା ସବୁଠୁ ଖରାପ । ପୁଣି ସେ ଭାରତୀୟ ଛାତ୍ର ! ସେ କାହିଁକି ଘର ଭିତରେ ଏମିତି ଏ ପାଖ ସେ ପାଖ ହେଉଥିଲା ?”

 

“ସେଥିରେ କିଛି ଯାଏଆସେନା । କିଛି ମୁଖସ୍ଥ କଲାବେଳେ ଅନେକ ଲୋକ ସେମିତି କରିଥାନ୍ତି ।”

 

“କିନ୍ତୁ ସେ କେମିତି ଅସ୍ୱାଭାବୁକ ଭାବରେ ଚାହୁଁଥିଲା ।”

 

“ତୁମେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛ । ଏତିକିବେଳେ ଦଳେ ଅଚିହ୍ନା ଲୋକ ତୁମ ପାଖରେ ପହଞ୍ଚିଲେ ତୁମେ ବି ସେଇଆ କରିଥାନ୍ତ । ସେଥିରେ କିଛି ଯାଏ ଆସେ ନା । ତା ଛଡ଼ା ତାର ପେନ୍‌ସିଲ୍, ଛୁରୀ, ଏଗୁଡ଼ା ସନ୍ଦେହ ବାହାରେ । କିନ୍ତୁ ସେଇ ଲୋକଟା ସବୁ ଗୋଳମାଳିଆରେ ପକାଉଛି ।”

 

“କିଏ ?”

 

“ସେଇ ଚାକର ବାନିଷ୍ଟର୍‍ ।”

 

“ଲୋକଟାକୁ ଦେଖିଲେ ମନେ ହୁଏ ସେ ଖୁବ୍ ସଚ୍ଚୋଟ ।”

 

“ସେଇଠି ତ ସବୁ ଗୋଳମାଳ । ଜଣେ ସଚ୍ଚୋଟ ଲୋକ କାହିଁକି...... ?”

 

“ଆଚ୍ଛା ଡାକ୍ତର, ଏଇ ତ ଗୋଟେ ବଡ଼ ଷ୍ଟେସ୍‌ନାରୀ ଦୋକାନ । ଏଇଠୁ ଆମେ ଆମର ଅନୁସନ୍ଧାନ ଆରମ୍ଭ କରିବା ।”

 

ସହରରେ ମୋଟେ ଚାରୋଟି ବଡ଼ ବଡ଼ ଷ୍ଟେସ୍‌ନାରୀ ଦୋକାନ । ସବୁଠି ହୋମ୍‌ସ୍‌ ପେନ୍‌ସିଲ୍‍ର କଟା ଅଂଶ ଦେଖାଇ ସେଇପରି ଗୋଟେ ପେନ୍‌ସିଲ୍ ମାଗିଲେ । କିନ୍ତୁ କାହାରି ପାଖରେ ସେ ପେନ୍‌ସିଲ୍ ନ ଥିଲା । ସମସ୍ତେ କହିଲେ ଯେ ସେ ପେନ୍‌ସିଲ୍ ସାଧାରଣ ପେନ୍‌ସିଲ୍‌ଠାରୁ ଭିନ୍ନ । ବରାଦ ଦେଲେ ମିଳିବ ।

 

ବନ୍ଧୁ ହୋମ୍‌ସ୍‌ ମୋଟେ ହତୋତ୍ସାହ ନ ହୋଇ କହିଲେ, “ଉଆଟ୍‌ସନ୍, ଆମର ସବୁଠୁ ଭଲ ସୂତ୍ରଟା କିଛି କାମ ଦେଲା ନାହିଁ । ତଥାପି ଆମେ କେସ୍‍ଟା ତଦନ୍ତ କରିପାରବା ।”

 

ତା’ପରଦିନ ସକାଳ ଆଠଟା ବେଳେ ହୋମ୍‌ସ୍‌ ମୋ କୋଠରୀକୁ ଆସିଲେ । ଆମେ ସେଣ୍ଟ ଲିଉକ୍ କଲେଜକୁ ବାହାରିଲୁ ।

 

ମୁଁ ପଚାରିଲି, “କ’ଣ କିଛି ସିଦ୍ଧାନ୍ତ କରିପାରିଲ ?”

 

“ନିଶ୍ଚୟ ।”

 

“ତେବେ କ’ଣ କିଛି ନୂଆ ପ୍ରମାଣ ପାଇ ପାରିଛ ?”

 

“ସକାଳ ଛଅଟାରେ ବିଛଣାରୁ ଉଠିବାଟା ମୋର ବ୍ୟର୍ଥ ହୋଇନି ଡାକ୍ତର । ମୁଁ ଦୁଇ ଘଣ୍ଟା ଖୁବ୍ କଠିନ ପରିଶ୍ରମ କରିଛି ଏବଂ ପ୍ରାୟ ପାଞ୍ଚମାଇଲ ଚାଲିଛି । ଫଳରେ ମୁଁ କିଛି ପାଇଛି—ଏଇ ଦେଖ ।”

 

ତାଙ୍କ ହାତ ଚକିରେ କଳା କାଦୁଅର ତିନିଟା ଶୁଖିଲା ପିଣ୍ଡୁଳା ।

 

“କାଲି ତ ତୁମେ ଏଥିରୁ ମୋଟେ ଦୁଇଟା ପାଇଥିଲ ?”

 

“ତୃତୀୟଟା ଆଜି ପାଇଲି । ଏଇଟା ଯେଉଁଠୁ ଆସିଛି ପ୍ରଥମ ଦୁଇଟା ଯେ ସେଇଠୁ ଆସିଛି, ତାହା ଯୁକ୍ତିସଂଗତ ନିଶ୍ଚୟ । ହଉ, ଆସ ଯିବା । ବନ୍ଧୁ ସୋମ୍‌ସ୍‌ଙ୍କୁ ଏ ଦୁଃଖରୁ ମୁକ୍ତ କରିବା-।”

 

ବିଚରା ଅଧ୍ୟାପକ ବଡ଼ ବିବ୍ରତ ହୋଇପଡ଼ିଥିଲେ । ଆଉ କେତେ ଘଣ୍ଟା ପରେ ପରୀକ୍ଷା ଆରମ୍ଭ ହେବ । ଘଟଣାଟା ସର୍ବସାଧାରଣରେ ପ୍ରକାଶ କରିବେ, କି ଅପରାଧୀକୁ ଏଇ ମୂଲ୍ୟବାନ୍ ବୃତ୍ତି ପରୀକ୍ଷାରେ ପ୍ରତିଯୋଗିତା କରିବାକୁ ସୁଯୋଗ ଦେବେ, ତାଙ୍କୁ ସ୍ଥିର କରିବାକୁ ହେବ । ସେ ଆମ ପାଖକୁ ଧାଇଁ ଆସିଲେ ।

 

“ଯାହା ହେଉ ଆପଣ ଆସିଲେ । ମୁଁ କ’ଣ କରିବି ? ପରୀକ୍ଷା କ’ଣ ଚାଲିବ ?” —ବ୍ୟାକୁଳଭାବେ ପଚାରିଲେ ସୋମ୍‍ସ୍ ।

 

“ହଁ ନିଶ୍ଚୟ ଚାଲିବ ।” ହୋମ୍‌ସ୍‌ ଉତ୍ତର ଦେଲେ ।

 

“କିନ୍ତୁ ଏଇ ବଦ୍‌ମାସ୍.... !”

 

“ସେ ପରୀକ୍ଷା ଦେବ ନାହିଁ ।”

 

“ଆପଣ ତା’ହେଲେ ତାକୁ ଜାଣନ୍ତି ।”

 

“ଜାଣେ ବୋଲି ମୁଁ ଭାବୁଛି । ଘଟଣାଟା ଯଦି ସର୍ବସାଧାରଣଙ୍କୁ ନ ଜଣାଇବା ତା’ହେଲେ ଆମକୁ ଗୋଟାଏ ଘରୋଇ ମିଲିଟାରୀ ବିଚାରାଳୟ କରିବାକୁ ହେବ । ଆପଣ ଏଇଠି ବସନ୍ତୁ ମିଷ୍ଟର ସୋମ୍‌ସ୍‌ । ତୁମେ ସେଠି ବସ ଉଆଟ୍‌ସନ୍‌ । ମୁଁ ମଝିରେ ଏଇ ଚଉକିଟାରେ ବସୁଛି । ଦୟାକରି ଏଥର କଲିଙ୍ଗ୍ ବେଲ୍‌ଟା ବଜାଅ ।”

 

ବାନିଷ୍ଟର୍ ଆସି ପହଞ୍ଚିଲା । ଆମକୁ ବିଚାରପତିମାନଙ୍କପରି ବସିଥିବାର ଦେଖି ସେ ଟିକିଏ ଚମକିପଡ଼ିଲା ।

 

ହୋମ୍‌ସ୍‌ କହିଲେ, “ଦରଜାଟା ବନ୍ଦ କରିଦିଅ । ଆଚ୍ଛା ବାନିଷ୍ଟର୍‍ ! କାଲି ଘଟଣା ବିଷୟରେ ସବୁ ସତକଥା କହିବ କି ?”

 

ଲୋକଟା ଶେତା ପଡ଼ିଗଲା । କହିଲା, “ମୁଁ ତ ସବୁ କହିଛି ଆଜ୍ଞା ।”

 

“ଆଉ କିଛି କହିବାର ନାହିଁ ?”

 

“କିଛି ନାହିଁ ଆଜ୍ଞା ।”

 

“ତା’ହେଲେ ମୁଁ କହୁଛି । କାଲି ତୁମେ ସେ ଯେଉଁ ଚଉକିରେ ବସିଥିଲ କିଛି ଜିନିଷ ଲୁଚାଇବା ତୁମର ମତଲବ ଥିଲା । ସେଥିରୁ ଜଣାପଡ଼ିଥାନ୍ତା କିଏ ଘରଭିତରେ ପଶିଥିଲା । ଏ କଥା ସତ ?”

 

ବାନିଷ୍ଟର୍ ମୁହଁ ଶୁଖିଗଲା । “ନା ଆଜ୍ଞା ମୋଟେ ସତନୁହେଁ ।”

 

“ମୁଁ ମାନୁଛି ଯେ ମୁଁ ପ୍ରମାଣ କରିପାରିବି ନାହିଁ, କିନ୍ତୁ ତାର ସମ୍ଭାବନା ଖୁବ୍ ବେଶୀ । ସୋମ୍‌ସ୍‌ ଏଠୁ ଚାଲିଗଲା ପରେ ତାଙ୍କ ଶୋଇବା ଘରୁ ତୁମେ ଲୋକଟାକୁ ବିଦା କରିଦେଲ ।”

 

ଶୁଖିଲା ଓଠରେ ଜିଭବୁଲାଇ ବାନିଷ୍ଟର୍‍ କହିଲା, “ସେଠି କେହି ନ ଥିଲା ଆଜ୍ଞା ।”

 

“ଦେଖ, ଏ ପର୍ଯ୍ୟନ୍ତ ତୁମେ ସତ କଥା କହିଥାଇପାର, କିନ୍ତୁ ମୁଁ ଜାଣେ ଏବେ ମିଛ କହୁଛ ।”

 

“ନା ଆଜ୍ଞା, ସେ ଘରେ କେହି ନ ଥିଲା ।”

 

“ତୁମେ ତେବେ ଆଉ କିଛି ସମ୍ବାଦ ଦେଇପାରିବ ନାହିଁ । ଆଚ୍ଛା ତୁମେ ଏଇ ଘରେ ଥାଅ-। ସେଇ ଶୋଇବା ଘର ଦରଜା ପାଖରେ ଯାଇ ଠିଆ ହୁଅ । ମିଷ୍ଟର ସୋମ୍‌ସ୍‌, ଆପଣ ଦୟାକରି ଗିଲ୍‌କ୍ରିଷ୍ଟି କୋଠରୀକୁ ଯାଆନ୍ତୁ ଆଉ ତାକୁ ସାଥିରେ ଧରି ଏଠିକି ଆସନ୍ତୁ ।”

 

ଅଳ୍ପ ସମୟ ପରେ ଅଧ୍ୟାପକ ଛାତ୍ରଟିକୁ ସାଥିରେ ଧରି ଆସିଲେ । ତାର ବିସ୍ମିତ ଆଖି ଆମ ମୁହଁ ଉପରେ ବୁଲିଯାଇ ଶେଷରେ ବ୍ୟାକୁଳ ଭାବରେ ବାନିଷ୍ଟର୍‍ ମୁହଁ ଉପରେ ରହିଲା ।

 

ହୋମ୍‌ସ୍‌ କହିଲେ, “ଦରଜାଟା ବନ୍ଦ କରିଦିଅନ୍ତୁ । ଆଚ୍ଛା ମିଷ୍ଟର ଗିଲ୍‍କ୍ରିଷ୍ଟ, ଆମେ ଏଠି ଏକା । ଆମର କଥାବାର୍ତ୍ତା ବାହାରର କେହି ଜାଣିବେ ନାହିଁ । ଆମେ ଜାଣିବାକୁ ଚାହୁଁ ତୁମପରି ଜଣେ ମେଧାବୀ ଭଦ୍ରଲୋକ କାହିଁକି କାଲି ଏ କାମ କଲା ?”

 

ଯୁବକଟି ଟଳିଟଳି ପଛକୁ ଘୁଞ୍ଚିଗଲା ଆଉ ଭୟ ଏବଂ ଘୃଣାପୂର୍ଣ୍ଣ ଆଖିରେ ବାନିଷ୍ଟର୍‍କୁ ଚାହିଁ ରହିଲା । ହଠାତ୍ ବାନିଷ୍ଟର୍‍ କହିପକାଇଲା, “ନା ନା, ମିଷ୍ଟର ଗିଲ୍‌କ୍ରିଷ୍ଟ । ମୁଁ କିଛି କହିନାହିଁ ।”

 

“ନା, କିନ୍ତୁ ତୁମେ ବର୍ତ୍ତମାନ କହିଲ”, ହୋମ୍‌ସ୍‌ କହିଲେ । “ଦେଖ ମିଷ୍ଟର ଗିଲ୍‍କ୍ରିଷ୍ଟ, ବର୍ତ୍ତମାନ ଏକମାତ୍ର ବାଟ ହେଲା ସବୁ ସ୍ୱୀକାର କରିଯିବା ।”

 

କିଛି ସମୟ ପାଇଁ ଗିଲ୍‍କ୍ରିଷ୍ଟ ନିଜକୁ ସମ୍ଭାଳିବାକୁ ଚେଷ୍ଟା କଲା । ତା’ପରେ ଆଣ୍ଠୁ ମାଡ଼ି ବସି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

 

ଖୁବ୍ କୋମଳ ସ୍ୱରରେ ହୋମ୍‌ସ୍‌ କହିଲେ, “ମଣିଷମାତ୍ରେ ଭୁଲ୍‍ କରେ । ଏଥିପାଇଁ ତୁମକୁ କେହି ଗୋଟାଏ ବଡ଼ ଅପରାଧୀ ବୋଲି କହିବ ନାହିଁ । ବୋଧହୁଏ ଘଟଣାଟା ମୁଁ ମିଷ୍ଟର ସୋମ୍‍ସ୍‌ଙ୍କୁ କହିଦେଲେ ଭଲ ହେବ । ଦେଖନ୍ତୁ ମିଷ୍ଟର ସୋମ୍‍ସ୍‌, ଆପଣମାନେ ଯେତେବେଳେ କହିଲେ ଯେ କାଗଜଗୁଡ଼ା ଘର ଭିତରେ ଥିବା କଥା ବାନିଷ୍ଟର୍‍ ମଧ୍ୟ ଜାଣେନା, ସେତେବେଳୁ ଘଟଣାଟା ଗୋଟାଏ ନିର୍ଦ୍ଦିଷ୍ଟ ଆକାର ଧାରଣା କଲା । ପ୍ରଶ୍ନ ଛାପିଥିବା ଲୋକ କଥା ଛାଡ଼, ଭାରତୀୟ ଛାତ୍ରକୁ ମଧ୍ୟ ମୁଁ ଏଥିରୁ ବାଦ୍ ଦେଇଥିଲି । କାଗଜଗୁଡ଼ିକ ଗୁଡ଼ା, ହୋଇଥିଲା, ତେଣୁ ସେଗୁଡ଼ା କି କାଗଜ ସେ ଜାଣି ପାରିବା ସମ୍ଭବ ନୁହେଁ । ଯେଉଁ ଲୋକ ଘର ଭିତରେ ପଶିଥିଲା ସେ ଆଗରୁ ଜାଣିଥିଲା ଯେ କାଗଜଗୁଡ଼ା ସେଠାରେ ଅଛି । ସେ କେମିତି ଜାଣି ପାରିଲା ?”

 

“ମୁଁ ଯେତେବେଳେ ଆପଣଙ୍କ କୋଠରୀକୁ ଆସିଲି, ଏଇ ଝରକାଟା ପରୀକ୍ଷା କରି ଦେଖିଥିଲି । ମୁଁ ମାପ କରି ଦେଖିଲି, କେତେ ଉଚ୍ଚର ଲୋକ ହେଲେ ଏଇ ଝରକା ବାଟେ ଘର ମଝିରେ ଥିବା ଟେବୁଲ ଉପର କାଗଜ ଦେଖିପାରିବ । ମୁଁ ନିଜେ ଛଅଫୁଟ ଉଚ୍ଚ, ଆଉ ମତେ ଏଇ ଘର ଭିତର ଦେଖିବାକୁ ଟିକିଏ କଷ୍ଟକର ହେଲା । ଆପଣ ମୋତେ କହିଥିଲେ ଯେ ଗିଲ୍‍କ୍ରିଷ୍ଟ ଖୁବ୍ ଡେଙ୍ଗା ଆଉ ଡେଇଁବା ବାଲା । ତା’ପରେ ଘଟଣାଟା ମୋ ପାଖରେ ପରିଷ୍କାର ହୋଇଗଲା ।

 

“ଘଟଣାଟା ହେଲା ଏଇଆ । ଏଇ ଯୁବକ ଖେଳପଡ଼ିଆରେ ଡେଇଁବା ଅଭ୍ୟାସ କରୁଥିଲେ । ଫେରିବା ବେଳକୁ ସେ ତାଙ୍କ ଜୋତା ହାତରେ ଧରି ଫେରିଲେ । ଆପଣ ଜାଣନ୍ତି ଏଇ ପ୍ରକାର ଜୋତା ତଳେ ଅନେକ କଣ୍ଟା (spikes) ଥାଏ । ସେ ଆପଣଙ୍କ ଘର ଝରକା ପାଖ ଦେଇ ଗଲାବେଳେ ଟେବୁଲ ଉପରେ ଥିବା କାଗଜଗୁଡ଼ା ଦେଖିଥିଲେ । ତାଙ୍କର ଉଚ୍ଚତା ଯୋଗୁଁ ସେ ଏହା ଦେଖିପାରିଥିଲେ । ତା’ପରେ ସେ ଅନୁମାନ କଲେ, କାଗଜଗୁଡ଼ା କଣ ହୋଇଥିବ । ଆପଣଙ୍କ ଘର ଦରଜା ପାଖରେ ଗଲାବେଳେ ସେ ଚାବିଟା ଦେଖିଲେ । ଘର ଭିତରେ ପଶି କାଗଜଗୁଡ଼ା ଦେଖିବାକୁ ହଠାତ୍ ତାଙ୍କ ମନରେ ଭାବନା ଆସିଲା । ଆଗ ପଛ ନ ଭାବି ସେ ଘରେ ପଶି ଦେଖିଲେ ଯେ କାଗଜଗୁଡ଼ା ପରୀକ୍ଷାକାଗଜ । ସେ ଲୋଭ ସମ୍ଭାଳି ପାରିଲେ ନାହିଁ । ଜୋତାଦୁଇଟା ଟେବୁଲ ଉପରେ ରଖିଲେ । ଆଚ୍ଛା ଗିଲ୍‍କ୍ରିଷ୍ଟ, ଝରକା ପାଖ ଚଉକି ଉପରେ ତମେ କଣ ରଖିଥିଲ ?”

 

“ଗ୍ଲୋଭ୍ ଦୁଇଟା ।”

 

ବିଜୟ ଦର୍ପରେ ହୋମ୍‌ସ୍‌ ବାନିଷ୍ଟର୍‍ ଆଡ଼େ ଚାହିଁଲେ । ତା’ପରେ ପୁଣି ଆରମ୍ଭ କଲେ, “ଗ୍ଲୋଭ୍‍ ଦୁଇଟା ଚଉକି ଉପରେ ରଖି ଖଣ୍ଡ ଖଣ୍ଡ କରି କାଗଜ ଉତ୍ତାରିବା ପାଇଁ ନେଲେ । ସେ ଭାବିଥିଲେ ମିଷ୍ଟର ସୋମ୍‍ସ୍ ସାମନା ପାଖ ଫାଟକ ବାଟେ ଆସିବେ, ଆଉ ସେ ତାଙ୍କୁ ଦେଖିପାରିବେ । କିନ୍ତୁ ମିଷ୍ଟର ସୋମ୍‌ସ୍‌ କଡ଼ର ଗୋଟାଏ ଗେଟ୍ ଦେଇ ଚାଲିଆସିଲେ । ଖସିଯିବାକୁ ଆଉ ବାଟ ନାହିଁ । ତେଣୁ ତରତରରେ ଗ୍ଲୋଭ୍‌ସ୍‌ ଦୁଇଟା ଛାଡ଼ିଦେଇ, ଜୋତା ହଳକ ଧରି ଶୋଇବାଘର ଭିତରକୁ ପଳାଇଲେ । ସେଥିପାଇଁ ଟେବୁଲ ଉପରର କଟା ଦାଗ ପ୍ରଥମେ ସରୁ ହୋଇ ଶୋଇବାଘର ଆଡ଼କୁ ଆସ୍ତେ ଆସ୍ତେ ଗହିରିଆ ହୋଇଯାଇଛି । ସେଇଥିରୁ ଜଣାଗଲା ଅପରାଧୀ ଶୋଇବା ଘରେ ଲୁଚି ରହିଥିଲା । ଜୋତା କଣ୍ଟାରେ ଲାଗିଥିବା ମାଟି ଟେବୁଲ ଉପରେ ପଡ଼ିଯାଇଥିଲା । ଆଜି ସକାଳେ ମୁଁ ଖେଳପଡ଼ିଆକୁ ଯାଇଥିଲି । ଡେଇଁବା ଜାଗାରୁ ସେଇ କଳା ମାଟିର ନମୁନା ନେଇଆସିଲି । ତା ଛଡ଼ା କରତଗୁଣ୍ଡର ନମୁନା ମଧ୍ୟ ଆଣିଲି । ଡେଇଁବା ବେଳେ ଗୋଡ଼ ଖସିନଯିବା ପାଇଁ ଏଇ କରତଗୁଣ୍ଡ ପଡ଼ିଆରେ ବ୍ୟବହାର କରାଯାଇଥାଏ । କଣ ଗିଲ୍‌କ୍ରି‌ଷ୍ଟ, ମୁଁ ଯାହା କହିଲି ସତ ତ ?”

 

ନିଜକୁ ସମ୍ଭାଳି ନେଇ, ସିଧା ହୋଇ ବସି ଗିଲ୍‌କ୍ରିଷ୍ଟ ଉତ୍ତର ଦେଲା, “ହଁ, ସବୁ ସତ ।”

 

“ହେ ଭଗବାନ୍ !” ମିଷ୍ଟର ସୋମ୍‌ସ୍‌ ଚିତ୍କାର କରିଉଠିଲେ । “ତୁମର ଆଉ କିଛି କହିବାର ଅଛି ?”

 

ଗିଲ୍‍କ୍ରିଷ୍ଟ କହିଲା—

 

“ଅଛି ଆଜ୍ଞା । କାଲି ସାରା ରାତି ମୁଁ ବଡ଼ ଅସ୍ଥିର ହୋଇପଡ଼ିଲି । ଆଜି ବଡ଼ିସକାଳେ ଆପଣଙ୍କ ପାଖକୁ ଖଣ୍ଡେ ଚିଠି ଲେଖିଲି । ଏଇଟି ସେ ଚିଠି । ସେଥିରେ ମୁଁ ଲେଖିଛି ଯେ, ଏ ପରୀକ୍ଷା ନ ଦେବା ପାଇଁ ମୁଁ ସ୍ଥିର କରିଛି । ରୋଡ଼େସିଆ ପୋଲିସ ବାହିନୀରେ ମୁଁ ଏକ ଅଫିସର ପଦରେ ନିଯୁକ୍ତି ପାଇଛି । ଖୁବ୍ ଶୀଘ୍ର ମୁଁ ଦକ୍ଷିଣ ଆଫ୍ରିକା ଚାଲିଯାଉଛି ।”

 

“ଶୁଣି ଖୁସି ହେଲି ଯେ ତୁମେ ଏଇ କୁକର୍ମରୁ ଅଯଥା ଫାଇଦା ଉଠାଇବାକୁ ଇଚ୍ଛା କରୁନାହଁ । କିନ୍ତୁ ତୁମେ ମତ ପରିବର୍ତନ କଲ କାହିଁକି ?”

 

ବାନିଷ୍ଟର୍‍ ଆଡ଼କୁ ଠାରି ଗିଲ୍‍କ୍ରିଷ୍ଟ ଉତ୍ତର ଦେଲା, “ଏଇ ଲୋକ ମୋତେ ଠିକ୍ ବାଟ ବତାଇଦେଇଛି ।”

 

ହୋମ୍‌ସ୍‌ କହିଲେ, “ଆସ ବାନିଷ୍ଟର୍‍ । ମୁଁ କହିଛି ଯେ ଏଇ ଯୁବକକୁ ଏ ଘରୁ ବାହାରକୁ ଚାଲିଯିବାର ସୁଯୋଗ କେବଳ ତୁମେ ଦେଇଛ କାରଣ ତୁମେ ଏଠୁ ଗଲାବେଳେ ଦରଜାରେ ତାଲା ଦେଇ ଯାଇଥିଲ । କାହିଁକି ତୁମେ ୟା କଲ ଦୟାକରି କହିବ କି ?”

 

“କାରଣଟା ଅତି ସରଳ ଆଜ୍ଞା । ଆଗେ ମୁଁ ସାର୍ ଜାବେଜ୍ ଗିଲ୍‍କ୍ରିଷ୍ଟଙ୍କ ପାଖରେ ରାନ୍ଧୁଣିଆ ଚାକର ଥିଲି । ସେ ସବୁ ଧନ ହରାଇ ଗରିବ ହୋଇଗଲେ । ମୁଁ ତାଙ୍କ ପାଖରୁ ଆସି ଏଇ କଲେଜରେ ରହିଲି । ହେଲେ ମୋର ପୁରୁଣା ମୁନିବଙ୍କୁ ମୁଁ କେବେ ଭୁଲିନାହିଁ । ତାଙ୍କ ପୁଅଙ୍କର ଭଲମନ୍ଦ ପାଇଁ ମୁଁ ସବୁବେଳେ ଦୃଷ୍ଟି ଦେଇଥାଏ । କାଲି ଯେତେବେଳେ ମୁଁ ଏ କୋଠରୀ ଭିତରକୁ ଆସିଲି ପ୍ରଥମେ ମୋର ଦୃଷ୍ଟି ପଡ଼ିଲା ଚଉକି ଉପରେ ଥିବା ଚମଡ଼ା ଗ୍ଲୋଭ୍‌ସ୍‌ ଉପରେ । ସେଗୁଡ଼ାକ ମୁଁ ଭଲଭାବରେ ଚିହ୍ନେ ଏବଂ ଘଟଣାଟା ବେଶ୍ ବୁଝିପାରିଲି । କ’ଣ କରିବି ? ଯଦି ମିଷ୍ଟର ସୋମ୍‌ସ୍‌ ସେ ଗ୍ଲୋଭ୍‌ସ୍‌ ଦେଖନ୍ତି କଥା ସରିଗଲା । ତେଣୁ ମୁଁ ସେ ଚଉକି ଉପରେ ବସିରହିଲି ଆଉ ମିଷ୍ଟର ସୋମ୍‌ସ୍‌ ଏଠୁ ନ ଯିବାଯାଏ କୌଣସି ପ୍ରକାରେ ଚଉକିରୁ ଇଞ୍ଚେ ବି ଘୁଞ୍ଚିଲି ନାହିଁ । ତା’ପରେ ମୋର ଏଇ ତରୁଣ ମୁନିବ ବିଚରା ବାହାରି ଆସି ସବୁକଥା ମୋ ଆଗରେ ମାନିଗଲେ । ମୁଁ ତାଙ୍କୁ ଏ ବିପଦରୁ ରକ୍ଷା କରିବାଟା ସ୍ୱାଭାବିକ ନୁହେଁ କି ? ତାଙ୍କ ବାପା ବଞ୍ଚିଥିଲେ ଏମିତି ଗୋଟାଏ କାମ କରି ଫାଇଦା ଉଠାଇବାକୁ ତାଙ୍କୁ ନିଶ୍ଚୟ ବାରଣ କରିଥାନ୍ତେ । ମୁଁ ମଧ୍ୟ ଠିକ୍ ସେଇଆ କରିଛି । ଏଥିପାଇଁ କଣ ଆପଣ ମୋତେ ଦୋଷ ଦେବେ ?”

 

“ନା, ନା ମୋଟେ ନୁହେଁ ।” ଚଉକିରୁ ଉଠୁ ଉଠୁ ହୋମ୍‌ସ୍‌ କହିଲେ । “ହଉ ମିଷ୍ଟର ସୋମ୍‌ସ୍‌, ଆପଣଙ୍କର ସବୁ ଅଡ଼ୁଆ ତ ତୁଟିଗଲା, ଏଥର ଆମେ ଚାଲିଲୁ । ଆସ ଉଆଟ୍‌ସନ୍ । ହଁ ମିଷ୍ଟର ଗିଲ୍‍କ୍ରିଷ୍ଟ, ମୋର ବିଶ୍ୱାସ ରୋଡ଼େସିଆରେ ତୁମେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବ । ଥରେ ତୁମେ ତଳକୁ ଖସିଯାଇଛ । ଭବିଷ୍ୟତରେ ତୁମେ କେତେ ଉପରକୁ ଉଠିପାରୁଛ ଦେଖିବା ପାଇଁ ଆଶା ରହିଲା ।”

Image

 

ଗ୍ରୀକ୍ ଅନୁବାଦକ

 

ମିଷ୍ଟର ସେରଲକ୍‍ ହୋମ୍‌ସ୍‌ଙ୍କ ସହିତ ମୋର ବନ୍ଧୁତା ଅନେକ ଦିନର । କିନ୍ତୁ ତାଙ୍କ ମୁହଁରୁ ତାଙ୍କ ବନ୍ଧୁବାନ୍ଧବଙ୍କ କଥା କିମ୍ୱା ତାଙ୍କ ପିଲାଦିନ କଥା ମୁଁ କେବେ ଶୁଣିନାହିଁ । ବେଳେବେଳେ ମୁଁ ଭାବେ, ସେ ଜଣେ ବଡ଼ ବୁଦ୍ଧିମାନ୍ ଲୋକ, କିନ୍ତୁ ତାଙ୍କର ହୃଦୟ ନାହିଁ । ନାରୀମାନଙ୍କୁ ଘୃଣା କରିବା ଏବଂ ନୂଆ ନୂଆ ବନ୍ଧୁ କରିବାକୁ ଇଚ୍ଛା ନ କରିବା ତାଙ୍କ ଚରିତ୍ରର ଏକ ବୈଶିଷ୍ଟ୍ୟ । ତାଠୁ ଅଧିକ ହେଲା ନିଜ ଲୋକଙ୍କ କଥା ଲୁଚାଇବା । ମୋର ଧାରଣା ଥିଲା ସେ ପିତୃମାତୃହୀନ, ଆଉ ତାଙ୍କର କେହି ବନ୍ଧୁ ବାନ୍ଧବ ଜୀବିତ ନ ଥିଲେ । କିନ୍ତୁ ଦିନେ ତାଙ୍କ ମୁହଁରୁ ତାଙ୍କ ଭାଇଙ୍କ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ।

 

ଖରା ଦିନ । ସନ୍ଧ୍ୟାବେଳେ ଆମେ ଚା ଖାଇସାରି ବସିଥିଲୁ । ଆଲୋଚନା ଚାଲିଥିଲା–ମଣିଷର କୌଣସି ବିଶିଷ୍ଟ ଗୁଣ ବଂଶାନୁଗତ ନା ପିଲାଦିନ ଶିକ୍ଷାର ଫଳ ।

 

ମୁଁ କହିଲି, “ତୁମ ନିଜ କଥା । ତୁମର ପର୍ଯ୍ୟବେକ୍ଷଣ ପାଇଁ ଅନୁଶୀଳନ ଶକ୍ତି ନିଶ୍ଚୟ ଶିକ୍ଷାର ଫଳ ।”

 

“କେତେକାଂଶରେ ।” ସେ ଉତ୍ତର ଦେଲେ । “ମୋ ପୂର୍ବପୁରୁଷ ଗାଉଁଲୀ ଚାଷୀ । କିନ୍ତୁ ମୋର ଶିକ୍ଷା ମୋ ଜେଜେମା ବାରୋନେଟ୍‍ଙ୍କଠାରୁ ଆସିଥାଇପାରେ । ସେ ଥିଲେ ଜଣେ ଫରାସୀ ଚିତ୍ରକର । ଏଇ କଳା ବିଦ୍ୟା ମଣିଷ ରକ୍ତରେ ଅଦ୍ଭୁତ ରୂପ ନିଏ ।”

 

“ଏଇଟା ବଂଶାନୁଗତ ବୋଲି ତମେ କେମିତି ଜାଣିଲ ?”

 

“ମୋ ଭାଇ ମାଇକ୍ରଫ୍‌ଟ୍‍ଙ୍କର ଏ ଗୁଣ ମୋଠାରୁ ବେଶୀ ।”

 

କଥାଟା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । “ତୁମ ପରି ଶକ୍ତି ଥିବା ଲୋକ ଆଉ ଜଣେ ଯଦି ଇଂଲଣ୍ଡରେ ଅଛି, ତେବେ ପୋଲିସ ବା ଲୋକମାନେ ତାଙ୍କୁ ନ ଜାଣିଲେ କିପରି ? ତୁମ ଅପେକ୍ଷା ତୁମ ଭାଇଙ୍କର ଶକ୍ତି ବେଶୀ ବୋଲି କହିବାଟା କେବଳ ତୁମର ନମ୍ରତା ।”

 

ହୋମ୍‌ସ୍‌ ହସିଲେ । କହିଲେ, “ବୁଝିଲ ଉଆଟ୍‌ସନ୍‌, ନମ୍ରତାକୁ ଯେଉଁମାନେ ଗୁଣ ଭିତରେ ଗଣନ୍ତି, ମୁଁ ତାଙ୍କ ସହିତ ଏକମତ ନୁହେଁ । ମାଇକ୍ରଫ୍‍ଟ୍‌ଙ୍କର ପର୍ଯ୍ୟବେକ୍ଷଣ ଶକ୍ତି ମୋଠାରୁ ବେଶୀ, ଏଇଟା ନିରାଟ ସତ ।”

 

“ସେ କ’ଣ ତୁମଠାରୁ ବୟସରେ ସାନ ?”

 

“ମୋଠୁ ସାତବର୍ଷ ବଡ଼ ।”

 

“ତେବେ ସେ ଜଣାଶୁଣା ନୁହନ୍ତି କେମିତି ?”

 

“ତାଙ୍କ ପରିସର ଭିତରେ ସେ ବେଶ୍ ଜଣାଶୁଣା ।”

 

“ତାଙ୍କ ପରିସର କହିଲେ କଣ ?”

 

“ଉଦାହରଣ ସ୍ୱରୂପ ଡାଇଓଜେନିସ୍ କ୍ଲବରେ ।”

 

“ମୁଁ ତ କେବେ ଏ ଅନୁଷ୍ଠାନ ନାଁ ଶୁଣିନାହିଁ ।”

 

“ସେଇଟା ହେଲା ଇଂଲଣ୍ଡରେ ଏକ ଅଦ୍ଭୁତ କ୍ଲବ, ଆଉ ମାଇକ୍ରଫ୍‍ଟ୍ ବି ଏକ ଅଦ୍ଭୁତ ଲୋକ । ସେ ପ୍ରତିଦିନ ଚାରିଟା ପଇଁଚାଳିଶରୁ ସାତଟା ଚାଳିଶ ଯାଏ କ୍ଲବରେ ରହନ୍ତି । ବର୍ତ୍ତମାନ ଛଅଟା ବାଜିଛି । ଚାଲ, ଘେରାଏ ବୁଲି ଆସିବା । ମୁଁ ତାଙ୍କ ସଙ୍ଗେ ତୁମର ପରିଚୟ କରାଇଦେବି ।”

 

ପାଞ୍ଚ ମିନିଟ୍‍ ପରେ ଆମେ ରାସ୍ତାକୁ ବାହାରିପଡ଼ିଲୁ । ମୋ ବନ୍ଧୁ କହିଲେ, “ତୁମେ ଆଶ୍ଚର୍ଯ୍ୟ ହେଉଛ ଯେ ମାଇକ୍ରଫ୍‌ଟ୍‌ କାହିଁକି ତାଙ୍କ ଶକ୍ତି ଡିଟେକ୍‌ଟିଭ୍‍ କାମରେ ଲଗାଉନାହାନ୍ତି ? ସେ ଏଥିପାଇଁ ଅକ୍ଷମ ।”

 

“କିନ୍ତୁ ତୁମେ ତ କହୁଥିଲ..... ।”

 

“ଘର ଭିତରେ ଚଉକିରେ ବସି ଯୁକ୍ତି କରିବାରେ ଯଦି ଡିଟେକ୍‌ଟିଭ୍‌ର କାମ ଆରମ୍ଭ ଓ ଶେଷ ହେଉଥାନ୍ତା, ତା’ହେଲେ ମୋ ଭାଇ ପୃଥିବୀର ଶ୍ରେଷ୍ଠ ଡିଟେକ୍‌ଟିଭ୍‍ ହୋଇପାରିଥାନ୍ତେ । କିନ୍ତୁ ତାଙ୍କର ସେ ଆଗ୍ରହ ବା କାମ କରିବାର ଶକ୍ତି ନାହିଁ । ତାଙ୍କ ସମାଧାନ ଠିକ୍ କି ନୁହେଁ ଜାଣିବା ପାଇଁ ସେ କେବେ ଚେଷ୍ଟା କରନ୍ତି ନାହିଁ, କିମ୍ୱା ତାଙ୍କ ସମାଧାନର ସତ୍ୟତା ପ୍ରମାଣ କରିବାକୁ ଚେଷ୍ଟା କରନ୍ତି ନାହିଁ ।”

 

“ଏଟା ତେବେ ତାଙ୍କର ବ୍ୟବସାୟ ନୁହେଁ ?”

 

“ମୋଟେ ନୁହେଁ । ଏଇଟା ତାଙ୍କର ଗୋଟେ ସଉକ୍ । ସେ ସରକାରୀ ଅଫିସରେ ଚାକିରି କରନ୍ତି । ପାଲ୍‌ମଲ୍‌ ଗଳିରେ ରହନ୍ତି । ସକାଳେ ଚାଲି ଚାଲି ଅଫିସ ଯାଆନ୍ତି, ଆଉ ସନ୍ଧ୍ୟାରେ ଫେରନ୍ତି । ତା’ଛଡ଼ା ସେ କିଛି ପରିଶ୍ରମ କରନ୍ତି ନାହିଁ । ସନ୍ଧ୍ୟାରେ କେବଳ ଡାଇଓଜେନିସ୍ କ୍ଲବକୁ ଯାଆନ୍ତି । କ୍ଲବଟା ତାଙ୍କ ଘର ସାମନାରେ ।”

 

“ନାଁଟା ଶୁଣିଲା ପରି ମୋର ମନେ ହେଉନାହିଁ ।”

 

“ନ ହେବା କଥା । ଇଂଲଣ୍ଡରେ ଅନେକ ଲୋକ ଅଛନ୍ତି, ଯେ କି କାହାରି ସାଥିରେ ମିଶିବାକୁ ଚାହାନ୍ତି ନାହିଁ । କିନ୍ତୁ ଚଉକିରେ ବସି ଖବର କାଗଜ, ପତ୍ରିକା ଆଦି ପଢ଼ିବାକୁ ତାଙ୍କର ଆପତ୍ତି ନାହିଁ । ଏଇପରି ଲୋକଙ୍କ ପାଇଁ ଏ କ୍ଲବ ଆରମ୍ଭ ହୋଇଥିଲା । ଏବେ ସହରର କେତେ ଗୋଠଖଣ୍ଡିଆ ଲୋକ ଏ କ୍ଲବର ସଭ୍ୟ । କୌଣସି ସଭ୍ୟକୁ ଅନ୍ୟକୁ ଜାଣିବାକୁ ଦିଆଯାଏ ନାହିଁ । ମୋ ଭାଇ କ୍ଲବ ପ୍ରତିଷ୍ଠାତାଙ୍କ ଭିତରୁ ଜଣେ । ମୋତେ ବି ଜାଗାଟା ବେଶ୍ ଆରାମଦାୟକ ଲାଗେ-।”

 

ଆମେ ପାଲ୍‌ମଲ୍‌ ଷ୍ଟ୍ରୀଟରେ ପହଞ୍ଚି କ୍ଲବକୁ ଗଲୁ । ମାଇକ୍ରଫ୍‌ଟ୍‌ ହୋମ୍‌ସ୍‌ ସେର୍‌ଲ୍‌କ୍‌ଙ୍କ ଅପେକ୍ଷା ଉଚ୍ଚା ଆଉ ବଳବାନ୍ । ତାଙ୍କ ଦେହ ବେଶ୍ ମୋଟା, କିନ୍ତୁ ମୁହଁ ସେର୍‌ଲ୍‌କ୍‌ଙ୍କ ମୁହଁ ପରି ଭାବପୂର୍ଣ୍ଣ । ଆମକୁ ଦେଖି ସେ ବେଶ୍ ଖୁସି ହେଲେ । ଗୋଟାଏ ଝରକା ପାଖରେ ଆମେ ବସିଲୁ । ତା’ପରେ ମାଇକ୍ରଫ୍‌ଟ୍‍ କହିଲେ, “ଯେ ମଣିଷ ଚରିତ୍ର ଆଲୋଚନା କରେ ତା ପାଇଁ ଏ ଜାଗାଟା ଖୁବ୍ ଉପଯୁକ୍ତ । ଉଦାହରଣ ସ୍ୱରୂପ, ଏଇ ଯେଉଁ ଲୋକ ଦୁଇଜଣ ଏଣେ ଆସୁଛନ୍ତି ତାଙ୍କୁ ଦେଖ ।”

 

“ସେଇ ବିଲିୟାର୍ଡ଼ ଖେଳାଳୀ ଆଉ ତାଙ୍କ ସାଥୀ ତ ?” ହୋମ୍‌ସ୍‌ କହିଲେ ।

 

“ହଁ, ଅନ୍ୟ ଲୋକଟି ବିଷୟରେ ତୁମର ଧାରଣା କ’ଣ ?”

 

ଲୋକ ଦୁଇଜଣ ପାଖକୁ ଆସିଯାଇଥିଲେ । ଜଣକ ଉଏଷ୍ଟକୋଟ୍ ପକେଟରେ ଚକ୍ ଚିହ୍ନ ଥିଲା । ମାତ୍ର ସେତିକିରୁ ସେ ବିଲିୟାର୍ଡ଼ ଖେଳାଳୀ ବୋଲି ଜଣାଯାଉଥିଲା । ଅନ୍ୟ ଲୋକ ଜଣକ ଟିକିଏ ଛୋଟ ଏବଂ କଳା । ତା’ ଟୋପିଟା ମୁଣ୍ଡର ଟିକିଏ ପଛକୁ ଝୁଲିପଡ଼ିଥିଲା । ବାହୁ ତଳେ ସେ କେତେଗୁଡ଼ିଏ ପ୍ୟାକେଟ୍ ଧରିଥିଲା ।

 

ତାକୁ ଦେଖି ସେର୍‌ଲ୍‌କ କହିଲେ, “ଜଣେ ଅବସରପ୍ରାପ୍ତ ସୈନିକ ।”

 

“ଅଳ୍ପ ଦିନ ହେଲା ଚାକିରି ଛାଡ଼ିଛି ।” —ତାଙ୍କ ଭାଇ କହିଲେ ।

 

“ଭାରତରେ ଚାକିରି କରୁଥିଲା ।”

 

“ଜଣେ ନନ୍‌-କମିଶନ୍‍ଡ୍‍ ଅଫିସର ।”

 

“ରୟାଲ୍ ଗୋଲନ୍ଦାଜ (Artillery) ବାହିନୀର ଲୋକ ।”

 

“ତାଙ୍କର ଗୋଟିଏ ପିଲା ।”

 

“ଗୋଟିଏ ନୁହେଁ, କୋତୋଟି ।”

 

ହସି ହସି ମୁଁ କହିଲି, “ଥାଉ, ଯଥେଷ୍ଟ ହେଲାଣି । ମୁଁ କିଛି ବୁଝିପାରୁ ନାହିଁ ।”

 

“କାହିଁକି ?” –ସେରଲକ୍‍ ଉତ୍ତର ଦେଲେ । “ଲୋକଟାର ଜିନିଷପତ୍ର ଗମ୍ଭୀର ଚେହେରା, ଆଉ ଖରାଖିଆ ଚମଡ଼ାରୁ ସେ ଯେ ନିକଟରେ ଭାରତରୁ ଫେରିଛି ଏକଥା କହିବା ମୋଟେ କଠିନ ନୁହେଁ ।”

 

ମାଇକ୍ରଫ୍‌ଟ୍‌ ସାଙ୍ଗେ ସାଙ୍ଗେ କହିଉଠିଲେ, “ସେ ସେନାବାହିନୀର ଯୋତା ପିନ୍ଧିଛି । ସେଥିରୁ ଜଣାଯାଏ ଯେ ସେ ଖୁବ୍ ନିକଟରେ ଚାକିରି ଛାଡ଼ିଛି ।”

 

“ସେ ଅଶ୍ୱାରୋହୀ ସୈନିକ ପରି ଲମ୍ୱ ପାହୁଣ୍ଡ ପକାଇ ଚାଲୁନାହିଁ, ଅଥଚ ତା ମୁଣ୍ଡର ଟୋପି ଗୋଟିଏ କଡ଼କୁ ରହିଛି । ସେଥିରୁ ଜଣାଯାଏ ଯେ ସେ ରୟାଲ ଇଞ୍ଜିନିୟର ବାହିନୀର ନୁହଁ-। ସୁତରାଂ ସେ ଗୋଲନ୍ଦାଜ ବାହୀନୀର ।” ସେରଲକ୍‍ କହିଲେ ।

 

ମାଇକ୍ରଫ୍‌ଟ୍‌ କହିଲେ, “ଲୋକଟାର କାନ୍ଦରୁ ଜଣାଯାଉଛି ସେ ତାର କେହି ନିଜର ମରିଯାଇଛି । ନିଶ୍ଚୟ ତାର ସ୍ତ୍ରୀ । କାରଣ ସେ ନିଜେ ବଜାର ସଉଦା କରୁଛି । ସେ ପିଲାଙ୍କ ପାଇଁ ଜିନିଷ କିଣିଛି । ତା ଭିତରେ ଗୋଟାଏ ଝୁମୁକା ଅଛି । ସେଥିରୁ ଜଣାଯାଉଛି ଯେ ଗୋଟିଏ ପିଲା ଅତି ଛୋଟ । ସ୍ତ୍ରୀ ତାର ବୋଧହୁଏ ଶିଶୁର ଜନ୍ମ ପରେ ପରେ ମରିଯାଇଛି । ତା ହାତରେ ଗୋଟେ ଛବି ବହି । ତେଣୁ ତାର ଆଉ ଗୋଟିଏ ବଡ଼ ପିଲା ନିଶ୍ଚୟ ଅଛି ।”

 

ସେରଲକ୍‍ଙ୍କ ଅପେକ୍ଷା ମାଇକ୍ରଫ୍‌ଟ୍‍ଙ୍କର ଯେ ଅଧିକ ସୂକ୍ଷ୍ମ ଶକ୍ତି ଅଛି ସେ କଥା ମୁଁ ବେଶ୍ ବୁଝିପାରିଲି ।

 

“ଆଚ୍ଛା ସେରଲକ୍‍, ଗୋଟାଏ ଅସ୍ୱାଭାବିକ ସମସ୍ୟା ମୋ ପାଖରେ ଯୁଟିଛି । ତାର ସମାଧାନ କରିବାକୁ ମୋର ଆଗ୍ରହ ନାହିଁ । ତୁମେ ଯଦି ଘଟଣା ଶୁଣିବାକୁ ଚାହଁ... ।”

 

“ନିଶ୍ଚୟ, ଘଟଣାଟା ଶୁଣିଲେ ମୁଁ ତ ଖୁସିହେବି ।”

 

ମାଇକ୍ରଫ୍‌ଟ୍‍ ଖଣ୍ଡେ ଛୋଟ କାଗଜରେ ଦି ଧାଡ଼ି ଲେଖି ସେଟା କ୍ଲବ୍ ଚପରାଶିକୁ ଦେଇ କହିଲେ, “ଏଠିକି ଆସିବା ପାଇଁ ମୁଁ ମିଷ୍ଟର ମେଲାସ୍‌ଙ୍କ ପାଖକୁ ଲେଖିଛି । ସେ ମୋ ଘର ଉପର ମହଲାରେ ରହନ୍ତି । ତାଙ୍କ ସାଥିରେ ମୋର ବିଶେଷ ଜଣାଶୁଣା ନାହିଁ । ସେ ଜଣେ ଗ୍ରିକ୍ ଲୋକ, ଆଉ ଅନେକ ଭାଷାରେ ଦକ୍ଷ । ସେ ଅଦାଲତରେ ଅନୁବାଦକ କାମ କରି ଜୀବକା ଅର୍ଜନ କରନ୍ତି । ବେଳେ ବେଳେ ମଧ୍ୟ ଗାଇଡ୍‍ କାମ କରନ୍ତି ।”

 

କେତେ ମିନିଟ୍ ପରେ ମିଷ୍ଟର ମେଲାସ୍ ପହଞ୍ଚିଲେ । ସେରଲକ୍‍ ହୋମ୍‌ସ୍‌ ତାଙ୍କ କଥା ଶୁଣିବାକୁ ଆଗ୍ରହୀ ଜାଣି ସେ ଶୋକ ଗଦ୍ ଗଦ୍ ସ୍ୱରରେ କହିଲେ, “ପୋଲିସ୍ ମୋ କଥା ବିଶ୍ୱାସ କରିବା ଆଶା ମୋର ନାହିଁ । କିନ୍ତୁ ମୁହଁରେ ପଟି ବନ୍ଧା ହୋଇଥିବା ବିଚରା ଲୋକଟିର କ’ଣ ହେଲା ନ ଜାଣିବା ଯାଏ ମୋ ମନରେ ଶାନ୍ତି ନାହିଁ ।”

 

“ଘଟଣାଟା କହନ୍ତୁ । ମୁଁ ମନଦେଇ ଶୁଣୁଛି ।”

 

ମେଲାସ୍ ଆରମ୍ଭ କଲେ, “ଆଜି ବୁଧବାର । ଘଟଣାଟା ଘଟିଲା ସୋମବାର ଦିନ ରାତିରେ । ମୁଁ ଜଣେ ଅନୁବାଦକ । ଅନେକ ଦିନ ହେଲା ମୁଁ ହେଲି ଲଣ୍ଡନରେ ପ୍ରଧାନ ଗ୍ରୀକ୍ ଅନୁବାଦକ । ମୋ ନାଁ ସବୁ ହୋଟେଲରେ ବେଶ୍ ଜଣାଶୁଣା । ଅନେକ ସମୟରେ ଅସମୟରେ ମୋତେ ଡାକରା ଆସେ । କେହି ବିଦେଶୀ ବା ଭ୍ରମଣକାରୀ ବିଳମ୍ୱରେ ପହଞ୍ଚି ଅସୁବିଧାରେ ପଡ଼ିଲେ ମୋତେ ଡକାନ୍ତି । ସୋମବାର ରାତିରେ ଲାଟିମର୍ ନାଁରେ ଜଣେ ତରୁଣ ଭଦ୍ରଲୋକ ଆସି ମୋ ପାଖରେ ପହଞ୍ଚିଲେ ଆଉ ତାଙ୍କ ସାଥିରେ ଯିବା ପାଇଁ ମୋତେ ଡାକିଲେ । କହିଲେ ତାଙ୍କର ଜଣେ ଗ୍ରୀକ୍‌ବନ୍ଧୁ ବ୍ୟବସାୟ ସଂକ୍ରାନ୍ତରେ ତାଙ୍କ ପାଖକୁ ଆସିଛନ୍ତି ଏବଂ ସେ ଜଣେ ଅନୁବାଦକ ଦର୍କାର କରୁଛନ୍ତି । ଏଥିରେ ମୋର ବିସ୍ମିତ ହେବାର କିଛି ନ ଥିଲା । ସେ କହିଲେ ଯେ, ତାଙ୍କ ଘର ଟିକିଏ ଦୂରରେ, କେସିଙ୍ଗ୍‌ଟନରେ, ଏବଂ ସେ ଖୁବ୍ ବ୍ୟଗ୍ର ଥିଲା ପରି ମନେହେଲା । ବାହାରେ ଗୋଟାଏ ଦୁଇଚକିଆ ଘୋଡ଼ାଗାଡ଼ି ଥିଲା । ତରତରରେ ସେ ମୋତେ ତା ଭିତରକୁ ଟାଣିନେଲେ । ଗାଡ଼ିଟା ବୁଲି ବୁଲି ଗଲାପରି ମୋତେ ଜଣାଗଲା । ଭଦ୍ରଲୋକ ତାଙ୍କ ପକେଟ୍‌ରୁ ଖଣ୍ଡେ ଛୋଟ ବାଡ଼ି ବାହାରକରି ସିଟ୍ ଉପରେ ରଖିଲେ । ତା’ପରେ ସେ ଗାଡ଼ିର ଝରକା ବନ୍ଦ କରିଦେଲେ । ମୁଁ ଦେଖିଲି ଯେ ଝରକା କାଚଉପରେ କାଗଜ ମଡ଼ାଯାଇଛି । ମୁଁ ବାହାରର କିଛି ଦେଖିପାରିଲି ନାହିଁ ।

 

ତା’ପରେ ସେ କହିଲେ, “ମିଷ୍ଟର ମେଲାସ୍, ବଡ଼ ଦୁଃଖର କଥା ମୁଁ ଆପଣଙ୍କୁ ବାହାରର କିଛି ଦେଖିବାକୁ ଦେଉନାହିଁ । ଆମେ କେଉଁ ଜାଗାକୁ ଯାଉଛେ ସେଟା ଆପଣ ଜାଣିବା ମୋର ଇଚ୍ଛା ନୁହେଁ । ଆପଣ ପୁଣି ଥରେ ସେ ଜାଗାକୁ ଯାଇପାରିଲେ ହୁଏତ ମୋର ଅସୁବିଧା ହେବ ।”

 

ମୋ ପାଟି ଖନୀ ବାଜିଗଲା । ଖନେଇ ଖନେଇ ମୁଁ କହିଲି, “ମିଷ୍ଟର ଲାଟିମର୍, ଆପଣଙ୍କ ବ୍ୟବହାର ମୋଟେ ଭଲ ଲାଗୁନି । ଆପଣ ଜାଣିରଖିବା ଉଚିତ ଯେ ଆପଣ ଆଇନ୍‌ବିରୋଧୀ କାମ କରୁଛନ୍ତି ।”

 

“ମୁଁ ଅବଶ୍ୟ ବେଆଇନ୍ କାମ, କରୁଛି, କିନ୍ତୁ ଆମେ ସେଥିପାଇଁ ଆପଣଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବୁ ।” ସେ ଉତ୍ତର ଦେଲେ । “ମୁଁ ଆପଣଙ୍କୁ ସାବଧାନ କରାଇ ଦେଉଛି । ଯଦି ଆପଣ ପାଟି ତୁଣ୍ଡ କରନ୍ତି, ପରିଣାମ ଭଲ ହେବ ନାହିଁ ।”

 

କଥାଗୁଡ଼ା ସେ ଅବଶ୍ୟ ଖୁବ୍ ଧୀରେ କହୁଥିଲେ, କିନ୍ତୁ ତାଙ୍କ ସ୍ୱରଟା ଖୁବ୍ କର୍କଶ ଜଣାଯାଉଥିଲା । ମୋତେ ବଡ଼ ଡର ଲାଗୁଥାଏ । ମୁଁ ଚୁପ୍‍ଚାପ୍ ବସିଥାଏ । ଭାବୁଥାଏ ଲୋକଟାଇ ଉଦ୍ଦେଶ୍ୟ କଣ ! ଯାହା ହେଉ ନା କାହିଁକି, ମୁଁ ଦେଖିଲି ପ୍ରତିରୋଧ କରିବାର କିଛି ମୂଲ୍ୟ ନାହିଁ । କ’ଣ ଘଟୁଛି ଦେଖିବା ପାଇଁ ମୁଁ କେବଳ ଅପେକ୍ଷା କରିବା କଥା ।

 

ପ୍ରାୟ ଦୁଇଘଣ୍ଟାଯାଏ ଗାଡ଼ି ଚାଲିଲା । କେତେବେଳେ ପଥୁରିଆ ରାସ୍ତାରେ ଆଉ କେତେବେଳେ ପିଚୁରାସ୍ତାରେ ଯାଉଥାଏ । ଝରକାରେ ମଡ଼ାଯାଇଥିବା କାଗଜ ଭିତର ଦେଇ ଆଲୁଅ ଆସି ପାରୁନଥାଏ । ସାମନାର କାଚ ଗୋଟାଏ ନୀଳ ପରଦାରେ ଢଙ୍କାହୋଇଥାଏ । ଆମେ ସାତଟା ପନ୍ଦର ମିନିଟରେ ପାଲ୍‌ମଲ୍‌ ଷ୍ଟ୍ରୀଟ୍‌ରୁ ବାହାରିଥିଲୁ । ଶେଷରେ ଗାଡ଼ି ଗୋଟାଏ ଜାଗାରେ ରହିଲା ବେଳକୁ ମୋ ଘଣ୍ଟାରେ ନଅଟା ବାଜିବାକୁ ଦଶମିନିଟ୍ ବାକି । ଭଦ୍ରଲୋକ ଝରକା ଖୋଲିଦେଲେ । ମୁଁ ଦେଖିଲି ଗୋଟାଏ ଦରଜା–ତା ଉପରେ ଗୋଟାଏ ବତୀ ଜଳୁଛି । ଆମେ ଗାଡ଼ିରୁ ଓହ୍ଲାଇ ଗୋଟେ କୋଠରୀ ଭିତରକୁ ଗଲୁ । ଗଲାବେଳେ ମୁଁ ଅନୁମାନ କରିଛି, ସେଠି ଗୋଟେ ପଡ଼ିଆ ଆଉ ତା ଦୁଇ ପାଖରେ କେତେକ ଗଛ ଥିଲା ।

 

ଘର ଭିତରେ ଗୋଟେ ରଙ୍ଗୀନ୍ ଗ୍ୟାସ୍‌ବତି ମିଞ୍ଜି ମିଞ୍ଜି ଜଳୁଥାଏ । ସେଇ ଆଲୁଅରେ ମୁଁ ଦେଖିଲି, ଘରଟା ବେଶ୍ ବଡ଼, ଆଉ କାନ୍ଥରେ ଗୁଡ଼ାଏ ଛବି ଝୁଲୁଛି । ଯେଉଁ ଲୋକ ଦରଜା ଖୋଲିଲା, ଫିକା ଆଲୁଅରେ ମୁଁ ତାକୁ ଦେଖିପାରିଥିଲି । ଲୋକଟା ମଧ୍ୟବୟସ୍କ, ହୃଷ୍ଟପୁଷ୍ଟ, ଅଳ୍ପ ଉଚ୍ଚ; ତା ଆଖିରେ ଚଷମା ଥିଲା ।

 

ସେ ପଚାରିଲା, ‘‘ଏଇ କଣ ମିଷ୍ଟର ମେଲାସ୍, ହାରଲ୍‍ଡ୍‍ ?”

 

“ହଁ ।”

 

“ସାବାସ୍ ! କିଛି ଭାବିବେ ନାହିଁ ମିଷ୍ଟର ମେଲାସ୍ । ଆପଣ ଆସିନଥିଲେ ଆମର କାମ ଚଳିନଥାନ୍ତା । ଆପଣ ଯଦି ସୁରୁଖୁରୁରେ ସବୁ କରିଯିବେ ପଛରେ ପସ୍ତେଇବାକୁ ପଡ଼ିବ ନାହିଁ । କିନ୍ତୁ ଆପଣ ଯଦି ଖେଳି ବସନ୍ତି, ଭଗବାନ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିପାରିବେ ନାହିଁ ।”

 

ଲୋକଟା ଚାପା ଗଳାରେ, ଉତ୍ତେଜିତ ହେଲା ପରି କହୁଥାଏ, ଆଉ ମଝିରେ ମଝିରେ ମୁରୁକି ମୁରୁକି ହସୁଥାଏ । ସେ କିନ୍ତୁ ପ୍ରଥମ ଲୋକ ଅପେକ୍ଷା ବେଶୀ ଭୀତିପ୍ରଦ ଜଣାଗଲା ।

 

ମୁଁ ପଚାରିଲି, “ମୋ’ଠି କଣ କାମ ?”

 

“ବେଶୀ କିଛି ନୁହେଁ । ଜଣେ ଗ୍ରୀକ୍‍ ଭଦ୍ରଲୋକ ଆମ ପାଖକୁ ଆସିଛନ୍ତି । ଆପଣ ତାଙ୍କୁ କେତେଟା ପ୍ରଶ୍ନ ପଚାରିବେ, ଆଉ ଉତ୍ତରଗୁଡ଼ା ଆମକୁ କହିବେ । କୁନ୍ତୁ ଆପଣଙ୍କୁ ଯାହା କୁହାଯିବ ତାଠୁ ଅଧିକ କିଛି କହିବେ ନାହିଁ । ନଚେତ୍ ଫଳ ବିଷମୟ ହେବ ।”

 

କଥା କହୁ କହୁ ଲୋକଟା ଗୋଟାଏ ଦରଜା ଖୋଲି ମୋତେ ଆଉ ଗୋଟାଏ କୋଠରୀକୁ ନେଇଗଲା । ବେଶ୍ ବଡ଼ କୋଠରୀଟାଏ । ଭିତରେ ଗୋଟାଏ ମାତ୍ର ବତି ଅଧା ତେଜରେ ଜଳୁଥାଏ । ଭେଲଭେଟ୍‌ ଚଉକି, ଧଳା ମାର୍ବଲ ପଥରର ବତି ରଖିବା ଜାଗା ଏବଂ ଗୋଟାଏ କଣରେ ଥିବା ଜାପାନୀ ସାଞ୍ଜୁ ମୋ ଆଖିରେ ପଡ଼ିଲା । ବତିର ଠିକ୍ ତଳେ ଗୋଟେ ଚଉକି ପଡ଼ିଥିଲା । ସେଠି ବସିବାକୁ ଲୋକଟା ମୋତେ ନିର୍ଦ୍ଦେଶ ଦେଲା । ଅନ୍ୟ ଲୋକ ଜଣକ ବାହାରିଯାଇଥିଲା । ହଠାତ୍ ସେ ଆଉ ଗୋଟେ ଦରଜାବାଟେ ଘର ଭିତରକୁ ଆସିଲା । ସାଙ୍ଗରେ ଆଉ ଜଣେ ଭଦ୍ରଲୋକଙ୍କୁ ଧରିଆଣିଥାଏ । ଭଦ୍ରଲୋକ ଅତି କ୍ଷୀଣ ଆଉ ମ୍ଳାନ ଦେଖାଯାଉଥାନ୍ତି । ଆଖି ଦୁଇଟା ତାଙ୍କର କିନ୍ତୁ ବେଶ୍ ଉଜ୍ଜ୍ୱଳ । ତାଙ୍କ ଶାରୀରିକ ଦୁର୍ବଳତା ଅପେକ୍ଷା ତାଙ୍କ ମୁହଁରେ ଛକ ପଡ଼ିଲା ପରି ମରାଯାଇଥିବା ପଟି ଦେଖି ମୋତେ ବେଶୀ ବିକଳ ଲାଗିଲା । ତାଙ୍କ ପାଟି ଉପରେ ବି ଗୋଟାଏ ପଟି ।

 

ବୟସ୍କ ଲୋକଟା ତା’ପରେ କହିଲା, “ସ୍ଲେଟ୍ ଆଣିଛ ହାର୍‌ଲ୍‌ଡ ? ତା ହାତ ଖୋଲା ଅଛି ତ ? ଏଥର ତାକୁ ପେନ୍‌ସିଲଟା ଦିଅ । ଆପଣ ତାକୁ ପ୍ରଶ୍ନ ପଚାରିବେ ମିଷ୍ଟର ମେଲାସ୍, ଆଉ ସେ ଉତ୍ତରଗୁଡ଼ା ଲେଖିଦେବ । ତାକୁ ପଚାରନ୍ତୁ, ସେ କାଗଜଗୁଡ଼ାକରେ ଦସ୍ତଖତ କରିବାକୁ ରାଜି କି ?”

 

ଭଦ୍ରଲୋକଙ୍କର ଆଖି ଦୁଇଟା ଜଳି-ଉଠିଲା । ସ୍ଲେଟ୍ ଉପରେ ସେ ଗ୍ରୀକ୍ ଭାଷାରେ ଲେଖିଦେଲେ, “କେବେ ନୁହେଁ ।”

 

ମୁଁ ପଚାରିଲି, “କୌଣସି ସର୍ତ୍ତରେ ମଧ୍ୟ ନୁହେଁ ?”

 

ସେ ଲେଖିଦେଲେ, “ମୋର ଜଣାଶୁଣା କୌଣସି ଗ୍ରୀକ୍ ପୁରୋହିତଙ୍କ ଉପସ୍ଥିତିରେ ଯଦି ତାର (ସ୍ତ୍ରୀ ଲୋକ) ବିବାହ ହୁଏ ।”

 

“ତା’ହେଲେ ତୁମର ଭବିଷ୍ୟତ କଣ ହେବ ଜାଣ ?”

 

“ମୁଁ ମୋ ପାଇଁ ମୋଟେ ଚିନ୍ତା କରୁନାହିଁ ।”

 

ଏ ହେଲା ପ୍ରଶ୍ନ ଆଉ ଉତ୍ତରର କେତେଟା ମାତ୍ର । ମୁଁ ବାରମ୍ୱାର ତାଙ୍କୁ ପଚାରିଲି ସେ କାଗଜଗୁଡ଼ାକରେ ଦସ୍ତଖତ କରିବେ କି ନାହିଁ । ପ୍ରତ୍ୟେକ ଥର ସେଇ ଏକା ଉତ୍ତର । ହଠାତ୍ ମୋତେ ଗୋଟେ ବୁଦ୍ଧି ଦିଶିଲା । ପ୍ରତ୍ୟେକ ପ୍ରଶ୍ନ ସାଥିରେ ମୁଁ ମୋ ନିଜର କିଛି ଛୋଟ ଛୋଟ ବାକ୍ୟ ଯୋଡ଼ି ଚାଲିଲି । ଅବଶ୍ୟ ସେସବୁ ମୋଟେ ଗୁରୁତ୍ୱପୂର୍ଣ୍ଣ ନୁହେଁ । କାରଣ ମୁଁ ଦେଖିବାକୁ ଚାହିଁଲି, ସେ ଲୋକ ଦୁଇଟା ମୋ କଥା ଜାଣିପାରୁଛନ୍ତି କି ନାହିଁ । ଯେତେବେଳେ ଦେଖିଲି ଯେ ସେମାନେ ମୋ କଥା ବୁଝିପାରୁନାହାନ୍ତି, ମୁଁ ବେଶ୍ ଖେଳ ଖେଳି ବସିଲି । ଆମର କଥାବାର୍ତ୍ତା ଯାହା ହେଲା ଶୁଣନ୍ତୁ ।

 

“ତୁମେ ଏମିତି ଜିଦ୍ ଧରି କିଛି ଲାଭ ନାହିଁ । ତୁମେ କିଏ ?”

 

“ମୁଁ ସେଥିପାଇଁ ଖାତିର୍ କରେ ନା । ମୁଁ ଲଣ୍ଡନରେ ପୂରା ଅପରିଚିତ ।”

 

“ତୁମର ଦୁର୍ଭାଗ୍ୟ ପାଇଁ ତୁମେ ଦୋଷୀ ହେବ । କେତେ ଦିନ ହେବ ତୁମେ ଏଠାକୁ ଆସିଲଣି ?”

 

“ହେଲେ ହେଉ । ତିନି ସପ୍ତାହ ।”

 

“ସମ୍ପତ୍ତି କେବେ ହେଲେ ତୁମର ହେବ ନାହିଁ । ତୁମର କଣ ହୋଇଛି ?”

 

“ମୁଁ ଏ ଶୟତାନଙ୍କ କଥା ମାନିବି ନାହିଁ । ଏମାନେ ମୋତେ ଉପାସରେ ମାରିଦେଲେଣି-।”

 

“ଦସ୍ତଖତ କଲେ ତୁମକୁ ଛାଡ଼ିଦିଆଯିବ । ଏଇଟା କି ଘର ?”

 

“ମୁଁ ମୋଟେ ଦସ୍ତଖତ କରିବି ନାହିଁ । ମୁଁ ଜାଣେନା ।”

 

“ତୁମେ ସେ ସ୍ତ୍ରୀଲୋକର କିଛି ଉପକାର କରିପାରିବ ନାହିଁ । ତୁମ ନା କଣ ?”

 

“ମୁଁ ତା ମୁହଁରୁ ଶୁଣିବାକୁ ଚାହେଁ । କାଟ୍ରାଇଡ଼ସ୍ ।”

 

“ତୁମେ ଦସ୍ତଖତ କଲେ ତାଙ୍କୁ ଦେଖିପାରିବ । ତୁମେ କେଉଁଠୁ ଆସିଛ ?”

 

“ତା’ହେଲେ ମୋର ତାକୁ ଦେଖିବା ହେବ ନାହିଁ । ଏଥେନ୍‌ସ୍‌ରୁ ।”

 

ଆଉ ପାଞ୍ଚ ମିନିଟରେ ମୁଁ ଘଟଣାଟା ସବୁ ଜାଣିଯାଇଥାନ୍ତି ମିଷ୍ଟର ହୋମ୍‌ସ୍‌ । କିନ୍ତୁ ଠିକ୍ ସେତିକିବେଳେ ଦରଜା ଖୋଲି ଜଣେ ମହିଳା ଘର ଭିତରକୁ ପଶିଆସିଲେ । ସେ ଖଣ୍ଡିଆ ଖଣ୍ଡିଆ ଇଂରାଜିରେ କହିଲେ, “ହାରଲ୍‌ଡ୍‍, ମୁଁ ଆଉ ରହିପାରିଲି ନାହିଁ । ହେ ଭଗବାନ । ଏ ଯେ ପଲ୍‌– !” ଶେଷ ପଦକ ସେ ଗ୍ରୀକ୍ ଭାଷାରେ କହିଲେ, ଆଉ ଠିକ୍ ସେଇ ମୁହୂର୍ତ୍ତରେ ଭଦ୍ରଲୋକ ଜଣକ ଜୋର୍ କରି ନିଜ ମୁହଁର ପଟିକୁ ଛିଣ୍ଡାଇପକାଇ କହି ଉଠିଲେ, ‘ସୋଫି...ସୋଫି’ ! ତା’ପରେ ସେ ସେହି ମହିଳାଙ୍କ ପାଖକୁ ଧାଇଁଗଲେ । ହାରଲ୍‍ଡ୍‍ ଭଦ୍ରମହିଳାଙ୍କୁ ଜୋର କରି ସେ ଘରୁ ବାହାର କରିଦେଲେ ଏବଂ ଅନ୍ୟ ଲୋକ ଜଣକ ଅତି ସହଜରେ ସେଇ ଦୁର୍ବଳ ଭଦ୍ରଲୋକଙ୍କୁ ଆୟତ୍ତ କରି ଅନ୍ୟ ଏକ ଦରଜା ବାଟେ ଟାଣି ନେଇଗଲେ । ଘର ଭିତରେ ମୁଁ ଏକା । ଭାବିଲି ଏତିକିବେଳେ ଜାଗାଟା ବିଷୟରେ କିଛି ଜାଣିପାରିବି । ଭାଗ୍ୟକୁ ମୁଁ ପାଦେ ହେଲେ ଘୁଞ୍ଚିନି । ଉପରକୁ ଚାହିଁ ଦେଖିଲି ବୟସ୍କ ଲୋକଟା ଦରଜା ପାଖରେ ଠିଆ ହୋଇ ମୋ ଉପରେ କଡ଼ା ନଜର ପକାଇଛି ।

 

ଲୋକଟା କହିଲା “ମିଷ୍ଟର ମେଲାସ୍, ଆପଣଙ୍କ କାମ ଶେଷ । ଏଇ ନିଅନ୍ତୁ ଆପଣଙ୍କ ଫିସ୍ ପାଞ୍ଚ ସଭରେନ୍ । କିନ୍ତୁ ମନେରଖନ୍ତୁ, ଏ ବିଷୟ କାହାକୁ କହିଲେ କେଜାଣି ଭଗବାନ ଅବା ଆପଣଙ୍କୁ ରକ୍ଷାକରିପାରନ୍ତି ।”

 

ବତି ଆଲୁଅରେ ଏଥର ମୁଁ ଲୋକଟାକୁ ଭଲ ଭାବରେ ଦେଖିପାରିଲି । ଲୋକଟା ଦୁର୍ବଳ ଏବଂ ପାଉଁଶିଆ ଦିଶୁଥାଏ । ଆଖି ଦୁଇଟା ହିଂସ୍ର । ତା ପ୍ରତି ମୋ ମନରେ ଯେ କି ଘୃଣା ଆଉ ଭୟ ଆସିଲା ତା’ ମୁଁ ଏବେ କଥାରେ କହି ପାରିବି ନାହିଁ ।

 

“ଆପଣ ଏ କଥା କାହା ଆଗରେ କହିଲେ ଆମକୁ ଅଛପା ରହିବ ନାହିଁ । ବାହାରେ ଗାଡ଼ି ଅଛି । ଏଥର ଆପଣ ଯାଇପାରନ୍ତି ।” ଲୋକଟା ମୋତେ କହିଲା ।

 

ମିଷ୍ଟର ଲାଟିମର୍ ମୋ ପାଖେ ପାଖେ ଗାଡ଼ିରେ ବସିଲେ । ଗାଡ଼ିର ଝରକା ବନ୍ଦ । ଚୁପ୍‍ଚାପ୍ ଆମେ ବସିଥାଉ । ଗାଡ଼ି ବୁଲି ବୁଲି ରାତି ଅଧ ପରେ ଗୋଟାଏ ଜାଗାରେ ଅଟକିଲା । ଲାଟିମର୍ ମୋତେ ଏକ ରକମ ଗାଡ଼ିରୁ ଜବରଦସ୍ତ ଓହ୍ଲାଇ ଦେଇ କହିଲେ, “କ୍ଷମା କରିବେ, ବାଧ୍ୟ ହୋଇ ଆପଣଙ୍କୁ ଏଇଠି ଛାଡ଼ିଦେଉଛି ।” ମୁଁ ଗାଡ଼ିରୁ ତଳକୁ ଆସୁ ନଆସୁଣୁ ଗାଡ଼ି ଆଗକୁ ଚାଲିଗଲା । ଆଗରେ ଦୂରରେ ଧାଡ଼ିଏ ଘର ଦେଖାଯାଉଥାଏ । ଠାଏ ଠାଏ ଉପର ମହଲାର ଝରକା ଦେଇ ଆଲୁଅ ଦେଖାଯାଉଥାଏ । ଆର ପାଖେ ରେଲ୍ ସିଗ୍‌ନାଲ୍‌ର ନାଲି ବତି ଦେଖାଗଲା-। ମୁଁ କେଉଁଠି କିଛି ଜାଣି ନ ପାରି ବିସ୍ମୟରେ ଚାହିଁରହିଥାଏ । ସେଇ ଅନ୍ଧାରରେ ଜଣେ ଲୋକ ମୋ ଆଡ଼େ ଆସୁଥିବାର ଦେଖିଲି । ଲୋକଟି ପାଖକୁ ଆସିଲା । ଦେଖିଲି ସେ ଜଣେ ରେଲ୍‌ବାଇ କୁଲି । ପଚାରିଲି, “ଏଇଟା କେଉଁ ଜାଗା ?”

 

“ୱାଣ୍ଡ୍‌ସ୍ଓର୍ଥ ପଡ଼ିଆ ।”

 

“ସହରକୁ ଯିବାପାଇଁ ମୁଁ ଏବେ ଟ୍ରେନ୍ ପାଇପାରିବି ?”

 

“ତୁମେ ଯଦି ଚଞ୍ଚଳ ଷ୍ଟେସନକୁ ଚାଲିଯାଅ ତେବେ ଭିକ୍ଟୋରିଆ ଯିବା ପାଇଁ ଶେଷ ଗାଡ଼ି ପାଇପାରିବ ।”

 

ଏଇ ହେଲା ସେ ରାତିର ଘଟଣା । ମୁଁ ପରଦିନ ସକାଳେ ଏକଥା ମିଷ୍ଟର ମାଇକ୍ରଫ୍‌ଟ୍‌ଙ୍କୁ ଏବଂ ପରେ ପୋଲିସ୍‌କୁ ଜଣାଇଲି ।

 

ଏଇ ଅଦ୍ଭୁତ କାହାଣୀ ଶୁଣି ଆମେ କିଛି ସମୟ ନୀରବରେ ବସିରହିଲୁ । ତା’ପରେ ସେର୍‍ଲ୍‍କ୍ ତାଙ୍କ ଭାଇଙ୍କ ଆଡ଼େ ଚାହିଁ କହିଲେ, “ତୁମେ ଏ ବିଷୟରେ କୌଣସି ପଦକ୍ଷେପ ନେଇଛ ?”

 

ମାଇକ୍ରଫ୍‌ଟ୍‌ ଏକ ଦୈନିକ ଖବରକାଗଜରୁ ଗୋଟେ ବିଜ୍ଞାପନ ପଢ଼ିଲେ । ଯଦି କେହି ପଲ୍ ଏବଂ ସୋଫି କାଟ୍ରାଇଡ଼୍‌ସ୍‌ଙ୍କ ବିଷୟରେ କିଛି ସମ୍ୱାଦ ଦେଇପାରନ୍ତି, ତାଙ୍କୁ ପୁରସ୍କାର ଦେବା ପାଇଁ ସେ ଘୋଷଣା କରିଥିଲେ । ସେ ପ୍ରତ୍ୟେକ ଦୈନିକ ଖବର କାଜଗରେ ଏ ବିଜ୍ଞାପନ ଦେଇଥିଲେ, କିନ୍ତୁ କିଛି ଉତ୍ତର ମିଳିନାହିଁ ବୋଲି କହିଲେ ।

 

ସେର୍‍ଲ୍‍କ୍ ପଚାରିଲେ, “ଗ୍ରୀକ୍ ରାଷ୍ଟ୍ରଦୂତ ଅଫିସକୁ ପଚାରିଥିଲେ ?”

 

“ହଁ, ସେଠି ମଧ୍ୟ ସନ୍ଧାନ ନେଇଥିଲି । ସେମାନେ କିଛି ଜାଣନ୍ତ ନାହିଁ ।”

 

ଏଥେନ୍‌ସ୍‌ ପୋଲିସ୍ ବିଭାଗ ମୁଖ୍ୟଙ୍କ ପାଖକୁ ଗୋଟାଏ ଟେଲିଗ୍ରାମ କରିଥିଲେ ହୋଇଥାନ୍ତା ।”

 

ମୋ ଆଡ଼କୁ ମୁହଁ ବୁଲାଇ ମାଇକ୍ରଫ୍‍ଟ୍ କହିଲେ, “ଆମ ବଂଶଗତ ଉତ୍ସାହ ସେର୍‍ଲ୍‍କ୍‌ଠାରେ ଅଛି । ଆଚ୍ଛା ସେରଲକ୍‍, ତମେ ଏ କେସ୍‍ଟା ହାତକୁ ନିଅ । ଯଦି ସଫଳ ହୁଅ ମୋତେ ଜଣାଇବ ।”

 

ଚଉକିରୁ ଉଠୁ ଉଠୁ ମୋ ବନ୍ଧୁ କହିଲେ, “ନିଶ୍ଚୟ” ।

 

ଆମେ ଫେରିଲୁ । ବାଟରେ ସେରଲକ୍‍ କେତେଗୁଡ଼ାଏ ଟେଲଗ୍ରାମ ବିଭିନ୍ନ ସ୍ଥାନକୁ ପଠାଇଲେ । ବାଟରେ ଆସି ଆସୁ ମୁଁ ପଚାରିଲି, “ସମସ୍ୟାଟାର ସମାଧାନ ଆଶା ତୁମର ଅଛି ?”

 

“ଘଟଣା ସମ୍ଭନ୍ଧରେ ଆମେ ଯାହା ଜାଣିଲେ, ସେଇଥିରୁ ବାକିଟା ଜାଣିବାକୁ ଅସମର୍ଥ ହେବାହିଁ ଆଶ୍ଚର୍ଯ୍ୟର କଥା । ତୁମେ ତ ମନେ ମନେ ଏ ବିଷୟରେ କିଛି ଗୋଟାଏ ଠିକ୍ କରିଥିବ ।”

 

“ହଁ ସେମିତି ଏକପ୍ରକାର ।”

 

“ଆଚ୍ଛା, ତୁମେ କଣ ଭାବୁଛ କହିଲ ?”

 

“ମୋର ଅନୁମାନ ଏଇ ଇଂରେଜ ତରୁଣ ହାରଲ୍‌ଡ୍‍ ଲାଟିମର୍ ସେଇ ଗ୍ରୀକ୍‍ ତରୁଣୀକୁ ଧରି ପଳାଇଆସିଛି ।”

 

“କେଉଁଠାରୁ ?”

 

“ବୋଧହୁଏ ଏଥେନ୍‌ସ୍‌ରୁ ।”

 

“ନା, ନା, ଏଇ ତରୁଣ ଗୋଟାଏ ହେଲେ ଗ୍ରୀକ୍ ଶବ୍ଦ ଜାଣେନା । ତରୁଣୀ କିନ୍ତୁ ଇଂରାଜି ଭାଷା ବେଶ କହିପାରୁଛି । ଏଥିରୁ ଜଣାଯାଉଛି, ତରୁଣୀ କିଛି ସମୟ ଇଂଲଣ୍ଡରେ ରହିଛି । ତରୁଣ କିନ୍ତୁ କେବେ ଗ୍ରୀସ୍ ଯାଇନାହିଁ ।”

 

“ତା’ହେଲେ ଆମେ ଧରିନେବା ଯେ ତରୁଣୀ ବୁଲିବାପାଇଁ ଇଂଲଣ୍ଡକୁ ଆସିଛି, ଆଉ ଏଇ ହାରଲ୍‌ଡ୍‍ ତା ସାଥିରେ ପଳାଇଯିବା ପାଇଁ ତରୁଣୀକୁ ପ୍ରବର୍ତ୍ତାଇଛି ।”

 

“ସେଇଟା ବେଶୀ ସମ୍ଭବ ।”

 

“ତା’ପରେ ତରୁଣୀର ଭାଇ (ମୋର ଅନୁମାନ) ଏଥିରେ ବାଧା ଦେବା ପାଇଁ ଗ୍ରୀସ୍‌ରୁ ଆସିଛି ଏବଂ ଏଇ ତରୁଣ ଇଂରେଜ ଆଉ ତାର ସାହାଯ୍ୟକାରୀ ହାତରେ ପଡ଼ିଛି । ସେମାନେ ତରୁଣୀର ସମ୍ପତ୍ତି ନିଜ ଦଖଲକୁ ନେବାପାଇଁ କେତେକ କାଗଜରେ ଦସ୍ତଖତ କରିବାକୁ ତରୁଣକୁ ଜବରଦସ୍ତ କରିଛନ୍ତି । ସେ ଦସ୍ତଖତ କରିବାକୁ ମନାକରିଛି । ତା ସାଥିରେ କଥାଟା ଆଲୋଚନା କରିବା ପାଇଁ ସେମାନେ ମେଲାସ୍‌ଙ୍କୁ ଅନୁବାଦକ କରି ନେଇଛନ୍ତି । ତରୁଣୀଟି କିନ୍ତୁ ତା ଭାଇ ଆସିଥିବା କଥା ଜାଣେନା । ଦୈବାତ୍ ସେ ତାକୁ ଦେଖିପାରିଛି ।”

 

“ଚମତ୍କାର ଉଆଟ୍‌ସନ୍‌ ! ଘଟଣାଟା ତୁମେ ଠିକ୍ ଅନୁମାନ କରିପାରିଛ ।”

 

“ସେ ଘରଟା କେଉଁଠି ଆମେ କେମିତି ଜାଣିବା ?”

 

“ଆମର ବିଚାରଧାରା ଯଦି ଠିକ୍ ହୋଇଥାଏ, ଆଉ ସେଇ ତରୁଣୀର ନାଁ ଯଦି ସୋଫି କାଟ୍ରାଇଡ଼୍‍ସ୍ ହୋଇଥାଏ, ତା’ହେଲେ ତାକୁ ଖୋଜି ବାହାର କରିବା କଷ୍ଟସାଧ୍ୟ ହେବନାହିଁ । ସେଇ ହେଲା ଆମର ବଡ଼ ଆଶା । କାରଣ ତା’ଭାଇ ସମ୍ପୂର୍ଣ୍ଣ ଅପରିଚିତ ।”

 

ଆମେ ବେକର୍‍ ଷ୍ଟ୍ରିଟରେ ପହଞ୍ଚିଗଲୁ । ପ୍ରଥମେ ହୋମ୍‌ସ୍‌ ଉପର ମହଲାକୁ ଉଠିଗଲେ-। ଘରର ଦରଜା ଖୋଲିବା ମାତ୍ରେ ସେ ବିସ୍ମିତ ହୋଇଗଲେ । ଭିତରେ ଗୋଟାଏ ଚଉକିରେ ବସିଥିଲେ ତାଙ୍କ ଭାଇ ମାଇକ୍ରଫ୍‌ଟ୍ ।

 

ଧୀରସ୍ୱରରେ ସେ ଆମକୁ ଡାକିଲେ, “ଭିତରକୁ ଆସ । ତୁମେ ମୋଠୁ ଏ ଉତ୍ସାହ ଓ ଆଗ୍ରହ ଆଶା କରୁନଥିଲ । କିନ୍ତୁ ଏ କେସ୍‍ଟାରେ କାହିଁକି ମୋ ମନ ଲାଗିଛି ।”

 

“ତୁମେ ଏଠିକି ଆସିଲ କେମିତି ?”

 

“ଗୋଟେ ଘୋଡ଼ାଗାଡ଼ିରେ ତୁମକୁ ଅତିକ୍ରମ କରି ଆସିଲି ।”

 

“ଆଉ କିଛି ନୂଆ ତଥ୍ୟ ମିଳିଲା ?”

 

“ମୋ ବିଜ୍ଞାପନର ଗୋଟେ ଉତ୍ତର ମିଳିଛି । ତୁମେ ଫେରିବାର କେତେ ମିନିଟ୍ ପରେ ଏହା ଆସିଲା । ଏଇ ଦେଖ ।” ମୋଟା କ୍ରିମ୍ କାଗଜରେ ଲେଖା । କଲମର ନିବ୍ ମଧ୍ୟ ସାଧାରଣ ନୁହେଁ । କୈଣସି ମଧ୍ୟବୟସ୍କ ଲୋକର ଲେଖା । ତାଙ୍କର ସ୍ୱାସ୍ଥ୍ୟ ଭଲ ନୁହେଁ । ସେ ଲେଖିଛନ୍ତି, “ମହାଶୟ, ଆପଣଙ୍କ ବିଜ୍ଞାପନ ଦେଖିଲି । ଯେଉଁ ତରୁଣୀ ବିଷୟ ଆପଣ ଲେଖିଛନ୍ତି ମୁଁ ତାଙ୍କୁ ଭଲଭାବରେ ଜାଣେ । ଆପଣ ମୋ ନିକଟକୁ ଆସିଲେ ମୁଁ ତାଙ୍କ କରୁଣ କାହାଣୀ ଆପଣଙ୍କୁ କହିବି-। ବର୍ତ୍ତମାନ ସେ ବେକେନ୍‌ହାମ୍‌ର ମାର୍‌ଟ୍‌ଲସରେ ରହୁଛନ୍ତି–ଆପଣଙ୍କର ବିଶ୍ୱସ୍ତ ଜେ ଡାଭେନ୍‌ପୋର୍ଟ ।”

 

“ସେ ବ୍ରିକ୍‌ସ୍‌ଟନ୍‌ରୁ ଏ ଚିଠି ଲେଖିଛନ୍ତି । ଆମେ ଡେରି ନ କରି ତାଙ୍କ ପାଖକୁ ଯିବା ଉଚିତ୍ ନୁହେଁ କି ?”

 

ସେରଲକ୍‍ ଉତ୍ତର ଦେଲେ, “ଭଉଣୀର କାହାଣୀ ଅପେକ୍ଷା ଭାଇର ଜୀବନ ଅଧିକ ମୂଲ୍ୟବାନ୍ । ମୋ ବିଚାରରେ ଆମେ ସ୍କଟ୍‌ଲାଣ୍ଡ ୟାର୍ଡ଼ର ଇନ୍‍ସ୍ପେକ୍ଟର ଗ୍ରେଗ୍‌ସନ୍‌ଙ୍କୁ ସାଥିରେ ଧରି ସିଧା ବେକେନ୍‌ହାମ୍‌ ଯିବା ।”

 

“ବାଟରୁ ମିଷ୍ଟର ମେଲାସ୍‌ଙ୍କୁ ନେଇଗଲେ ଭଲ ହେବ । ଆମର ଅନୁବାଦକ ଜଣେ ହୁଏତ ଦର୍କାର ହୋଇପାରେ ।” ମୁଁ ଏ ପ୍ରସ୍ତାବ ଦେଲି ।

 

ଗାଡ଼ିଟାଏ ଡାକିବାକୁ କହି ସେର୍‌ଲ୍‍କ୍‍ ଟେବ୍‍ଲ୍‌ ଡ୍ରୟାର୍‌ରୁ ରିଭଲ୍‌ଭର ବାହାରକରି ପକେଟରେ ରଖିଲେ । ମେଲାସ୍‌ଙ୍କ ଘରପାଖରେ ପହଞ୍ଚିଲାବେଳକୁ ଅନ୍ଧାର ହୋଇଯାଇଥିଲା । ଅଳ୍ପ ସମୟ ଆଗରୁ ସେ ଜଣେ ଭଦ୍ରଲୋକଙ୍କ ସାଥିରେ ଗୋଟିଏ ଗାଡ଼ିରେ କେଉଁଆଡ଼େ ଯାଇଛନ୍ତି ବୋଲି ତାଙ୍କ ଚାକରାଣୀ କହିଲା । ସେରଲକ୍‍ଙ୍କ ପ୍ରଶ୍ନର ଉତ୍ତରରେ ସେ କହିଲା ଯେ, ସେ ଭଦ୍ରଲୋକଙ୍କୁ ଜାଣେନା । ପତଳା ହୋଇ ଜଣେ ଭଦ୍ରଲୋକ, ଆଖିରେ ଚଷମା, ଭଲ ବ୍ୟବହାର, ହସି ହସି କଥା କହନ୍ତି ।

 

ହଠାତ୍ ସେରଲକ୍‍ କହିଉଠିଲେ, “ଶୀଘ୍ର ଚାଲ । ଘଟଣାଟା ବଡ଼ ଗୁରୁତର ହୋଇଗଲାଣି । ସେ ଲୋକଗୁଡ଼ା ମେଲାସ୍‌ଙ୍କୁ ପୁଣି ଧରିନେଇଛନ୍ତି ।”

 

ଆମେ ସ୍କଟ୍‌ଲାଣ୍ଡ ୟାର୍ଡ଼ରେ ପହଞ୍ଚିଲୁ । ଇନ୍‍ସ୍ପେକ୍ଟର ଗ୍ରେଗ୍‌ସନ୍‌ଙ୍କୁ ଭେଟି ସବୁ କାମ ଶେଷ କରୁ କରୁ ଘଣ୍ଟାଏ ବିତିଗଲା । ତା’ପରେ ଆମେ ରେଲ୍‌ଗାଡ଼ିରେ ବେକେନ୍‌ହାମ୍ ଗଲୁ । ଅଧଘଣ୍ଟାଏ ପରେ ମାର୍‌ଟଲ୍‌ସ୍‌ ନିକଟରେ ପହଞ୍ଚିଲୁ । ରାସ୍ତାରୁ ଟିକିଏ ଦୂରରେ ବେଶ୍ ଏକ ବଡ଼ ଘର । ଆମେ ଘରଆଡ଼କୁ ଆଗେଇଲୁ । ଝରକାବାଟେ ଭିତରୁ କୌଣସି ଆଲୁଅ ଦେଖାଯାଉନଥିଲା । ଜଣାଯାଉଥିଲା ଘରେ ଯେମିତି କେହି ଲୋକ ନାହାନ୍ତି ।

 

“ଚଢ଼େଇମାନେ ଉଡ଼ିଯାଇଛନ୍ତି । ବସା ଖାଲି ।” ହୋମ୍‌ସ୍‌ କହିଲେ ।

 

“କେମିତି ଜାଣିଲେ ?” ପଚାରିଲେ ଇନ୍‍ସ୍ପେକ୍ଟର ଗ୍ରେଗ୍‌ସନ୍ ।

 

ଏଇ ଘଣ୍ଟାଏ ଭିତରେ ଗୋଟାଏ ଗାଡ଼ି ଏଠୁ ବାହାରିଯାଇଛି । ସେଥିରେ ବହୁତ ପରିମାଣରେ ଜିନିଷପତ୍ର ଲଦାହୋଇଛି ।”

 

ହସି ହସି ଇନ୍‍ସ୍ପେକ୍ଟର କହିଲେ, “ହଁ, ଗେଟ୍‌ପାଖ ବତି ଆଲୁଅରେ ମୁଁ ବି ଗାଡ଼ିର ଚକଦାଗ ଦେଖିଛି । ହେଲେ ଜିନିଷପତ୍ର କଥା ଜାଣିଲେ କେମିତି ?”

 

“ଆପଣ ଅନୁମାନ କରିଥିବେ, ଗାଡ଼ି ଚକାରେ ଗୋଟାଏ ଦାଗ ଆରପାଖକୁ ପଡ଼ିଛି । କିନ୍ତୁ ବାହାରକୁ ଆସିଥିବା ଚକା ଦାଗ ବେଶୀ ଗହିରିଆ । ସେଥିରୁ ଜଣାଯାଏ ଯେ ଗାଡ଼ିରେ ବହୁତ ଜିନିଷପତ୍ର ଥିଲା ।”

 

“ସେଇଟା ଅନୁମାନ କରିବା ନିଶ୍ଚୟ ସହଜ ନୁହେଁ । ଏ ଘରର ଦରଜାଟା ଭାଙ୍ଗିବା ସହଜ ନୁହେଁ । ଆମେ ଡାକିବା । ଭିତରେ କେହି ଥାଇପାରେ ।”

 

ଭିତରୁ କିଛି ଜବାବ୍ ମିଳିଲାନାହିଁ । ଏ ଭିତରେ ହୋମ୍‌ସ୍‌ ଆମପାଖରୁ ଖସିଯାଇ ଗୋଟାଏ ଝରକା ଖୋଲିଦେଇଥିଲେ । ଆମେ ସେଇବାଟେ ଭିତରକୁ ଗଲୁ । ମିଷ୍ଟର ମେଲାସ୍ ବର୍ଣ୍ଣନା କରିଥିବା ପ୍ରଥମ କୋଠରୀରେ ପହଞ୍ଚିଲୁ । ଇନ୍‍ସ୍ପେକ୍ଟର ତାଙ୍କୁ ଲଣ୍ଠନ ଲଗାଇଲେ । ସେଇ ଆଲୁଆରେ ଆମେ ଦୁଇଟା ଦରଜା, ପରଦା, ଆଉ ସେଇ ଜାପାନୀ ସାଞ୍ଜୁ ଦେଖିୁବାକୁ ପାଇଲୁ । ଟେବୁଲ୍‍ ଉପରେ ଦୁଇଟା ଗ୍ଲାସ ଆଉ ଗୋଟିଏ ଖାଲି ମଦବୋତଲ ଥିଲା ।

 

ହଠାତ୍ ହୋମ୍‍ସ୍ କହିଲେ, “ଏ କଣ ?” ଆମେ ଚୁପ୍‌ଚାପ୍‌ କାନ ଡେରି ଶୁଣିଲୁ । ଆମ ମୁଣ୍ଡ ଉପରୁ କେଉଁଠୁ ଗୋଟାଏ କ୍ଷୀଣ କାନ୍ଦ ଶୁଭୁ ଥିଲା । ହୋମ୍‌ସ୍‌ ହଲ୍‌ ଭିତରକୁ ପଶିଗଲେ । କାନ୍ଦଟା ଉପର ମହଲାରୁ ଆସୁଥିଲା । ହୋମ୍‍ସ୍ ଉପରକୁ ଦୌଡ଼ିଗଲେ । ତାଙ୍କ ପଛେ ପଛେ ମୁଁ ଆଉ ଇନ୍‍ସ୍ପେକ୍ଟର ଗ୍ରେଗ୍‌ସନ୍‍, ଆଉ ଆମ ପଛରେ ମିଷ୍ଟର ମାଇକ୍ରଫ୍‌ଟ୍‍ । ଉପର ମହଲାରେ ତିନି ବଖରା ଘର । ମଝି ଘରୁ ଶବ୍ଦଟା ଆସୁଥିଲା । ଦରଜାରେ ତାଲା ପଡ଼ିଥିଲା, କିନ୍ତୁ ଚାବିଟା ତାଲାରେ ଲାଗିଥିଲା । ହୋମ୍‌ସ୍‌ ଦରଜାଟା ଖୋଲିଦେଇ ଘର ଭିତରକୁ ପଶିଗଲେ, କିନ୍ତୁ ମୁହୂର୍ତ୍ତକ ଭିତରେ ବାହାରି ପଳାଇ ଆସିଲେ । ଭିତରଟା କୋଇଲା ଧୂଆଁରେ ପୂର୍ଣ୍ଣ । ଭିତରକୁ ଚାହିଁ ଆମେ ଦେଖିଲୁ ଘର ମଝିରେ ଗୋଟେ ପିତଳ ରୁଖା । ସେଥିରୁ ନୀଳ ଆଲୁଅ ଶିଖା ବାହାରୁଥିଲା । ତା ଆରପାଖେ କାନ୍ଥ ଦେହରେ ଲେସି ହୋଇ ଦୁଇ ଜଣ ଲୋକ । ଖୋଲା ଦରଜାବାଟେ ଭିତରୁ ଗୋଟାଏ ବିଷାକ୍ତ ବାଷ୍ପ ଆସୁଥାଏ । ଆମ ନିଶ୍ୱାସ ବନ୍ଦ ହୋଇଗଲା ପରି ଲାଗୁଥାଏ । କାଶି କାଶି ଆମେ ବେଦମ୍ ହୋଇଗଲୁ । ହୋମ୍‌ସ୍‌ ସିଡ଼ି ଉପରକୁ ଧାଇଁ ଯାଇ ଉପର ଝରକାଟା ଖୋଲିଦେଲେ । ତା’ପରେ ଘର ଭିତରକୁ ଧସେଇ ପଶି, ଝରକାଟା ଖୋଲି, ରୁଖାଟାକୁ ବଗିଚା ଭିତରକୁ ଫିଙ୍ଗି ଦେଲେ । କିଛି ସମୟ ପରେ ଆମେ ଗୋଟାଏ ମହମବତି ଜାଳି ଦରଜା ପାଖରେ ରଖିଲୁ । ତା’ପରେ ଘର ଭିତରକୁ ପଶି ସେଇ ଦୁଇଜଣ ଲୋକଙ୍କୁ ବାହାରକୁ ନେଇଆସୁଲୁ । ଦୁଇଜଣ ଯାକ ଚେତାଶୂନ୍ୟ, ଆଉ ତାଙ୍କ ଓଠ ନେଳି ପଡ଼ିଯାଇଥାଏ । ମୁହଁ କଳା ପଡ଼ି ଆଖି ଭିତରକୁ ପଶିଯାଇଥାଏ । ଜଣକର କଳା ଦାଢ଼ି ଆଉ ହୃଷ୍ଟପୁଷ୍ଟ ଦେହରୁ ଆମେ ଚିହ୍ନିଲୁ ସେ ମିଷ୍ଟର ମେଲାସ୍, ଗ୍ରୀକ୍ ଅନୁବାଦକ । ମାତ୍ର କେତେ ଘଣ୍ଟା ଆଗରୁ ସେ ଡାଇଓଜେନିସ୍ କ୍ଲବରୁ ଆମ ପାଖରୁ ଫେରିଥିଲେ ।

 

ତାଙ୍କ ହାତ ଆଉ ପାଦ ଜୋରରେ ବନ୍ଧା ହୋଇଥିଲା । ଆଖିପିତା ଉପରେ ମାଡ଼ର ଚିହ୍ନ-। ଅନ୍ୟ ଜଣକ ଡେଙ୍ଗା ଆଉ ଖୁବ୍ ପତଳା । ତାଙ୍କ ମୁହଁ ଯାକ ପଟି ମଡ଼ାହୋଇଛି । ସେ ମଧ୍ୟ ସେଇପରି ବନ୍ଧା ହୋଇଥିଲେ । ଆମେ ତାଙ୍କୁ ବାହାରକୁ ଆଣିଲା ବେଳକୁ ତାଙ୍କର କାନ୍ଦ ବନ୍ଦ ହୋଇ ଯାଇଥିଲା । ତାଙ୍କୁ ଥରେ ମାତ୍ର ଚାହିଁ ଦେଖିଲୁ ଆମ ସାହାଯ୍ୟ ପାଇବା ଆଗରୁ ସେ ଚାଲିଯାଇଛନ୍ତି । ମିଷ୍ଟର ମେଲାସ୍ କିନ୍ତୁ ସେ ପର୍ଯ୍ୟନ୍ତ ବଞ୍ଚିଥିଲେ । କିଛି ଆମୋନିଆ ଆଉ ବ୍ରାଣ୍ଡିଦ୍ୱାରା ମୁଁ ତାଙ୍କର ଚିକିତ୍ସା ଆରମ୍ଭ କଲି । କିଛି ସମୟ ପରେ ସେ ଆଖି ଖୋଲିଲେ ।

 

ତା’ପରେ ସେ ଯାହା କହିଲେ ସେଟା ଅତି ସାଧାରଣ କଥା । ଦ୍ୱିତୀୟ ଥର ପାଇଁ ତାଙ୍କୁ ପୁଣି ଜବରଦସ୍ତ ଧରିନିଆଗଲା ସେଇ ଅନୁବାଦକ କାମ କରିବାକୁ । ଏଥର ଇଂରେଜ ଦୁଇଜଣ ତାଙ୍କ ବନ୍ଦୀ ଗ୍ରୀକ୍ ତରୁଣକୁ ତାଙ୍କ ଆଦେଶ ମାନିବାକୁ ବାଧ୍ୟ କଲେ । ନଚେତ୍ ପ୍ରାଣରେ ମାରି ଦେବାର ଭୟ ଦେଖାଇଲେ । ଶେଷରେ ତାଙ୍କୁ ଏଇ ଘରେ ବାନ୍ଧି ପକାଇଦେଲେ । ଖବର କାଗଜ ବିଜ୍ଞାପନରୁ ସେମାନେ ଜାଣିଲେ ଯେ ମେଲାସ୍‍ ବିଶ୍ୱାସଘାତକାତା କରିଛନ୍ତି । ତେଣୁ ତାଙ୍କୁ ଜଣେ ଗୋଟେ ବାଡ଼ିରେ ଶକ୍ତ ପାହାର ଦେଲା । ତା’ପରେ କଣ ହେଲା ସେ କିଛି ଜାଣନ୍ତି ନାହିଁ ।

 

ଏଇ ହେଲା ଗ୍ରୀକ୍ ଅନୁବାଦକର କେଶ୍ ଯାହାକି ଏ ପର୍ଯ୍ୟନ୍ତ ରହସ୍ୟାବୃତ ହୋଇ ରହିଛି । ଯେଉଁ ଭଦ୍ରଲୋକ ମାଇକ୍ରଫ୍‌ଟ୍‍ଙ୍କ ବିଜ୍ଞାପନର ଉତ୍ତର ଦେଇଥିଲେ ତାଙ୍କଠାରୁ ବୁଝିଲୁ ଯେ ବିଚାରୀ ହତଭାଗୀ ତରୁଣୀଟି ଗ୍ରୀସ୍‌ର ଏକ ଧନୀ ଘରର ଝିଅ । ସେ ଇଂଲଣ୍ଡର କୌଣସି ବନ୍ଧୁ ଘରକୁ ବୁଲି ଆସିଥିଲା । ଏଠି ହାରଲ୍‍ଡ୍‍ ଲାଟିମର ସାଥିରେ ତାର ଦେଖାହେଲା । ତରୁଣୀଟିକୁ ପ୍ରବର୍ତ୍ତାଇ ହାରଲ୍‍ଡ୍‍ ତାକୁ ସାଥିରେ ଧରି ପଳାଇଲା । ଝିଅଟିର ସାଥୀମାନେ ଏଥେନ୍‌ସ୍‌କୁ ତା ଭାଇ ପାଖକୁ ଖବର ଦେଲେ । ଭାଇ ବିଚରା ଇଂଲଣ୍ଡକୁ ଆସି ହାରଲ୍‍ଡ୍‍ ଆଉ ତାର ସାହାଯ୍ୟକାରୀ ଉଇଲ୍‍ସନ୍ କେମ୍ପ ହାତରେ ପଡ଼ିଲା । ସେମାନେ ତାକୁ ଅଟକାଇ ରଖି ତା ନିଜ ସମ୍ପତ୍ତି ଏବଂ ତା ଭଉଣୀର ସମ୍ପତ୍ତି ସେମାନଙ୍କ ନାଁରେ ଲେଖି ଦେବାକୁ ବାଧ୍ୟକଲେ । ତା ମୁହଁ ଉପରେ ପଟି ମାରିବାର ଉଦ୍ଦେଶ୍ୟ ହେଲା, ଯଦି ଦୈବାତ୍ ତରୁଣୀଟି ତାକୁ ଦେଖେ ତେବେ ଚିହ୍ନି ପାରିବ ନାହିଁ । ଝିଅଟି କିନ୍ତୁ ଭାଇକୁ ଦେଖିବା ମାତ୍ରେ ଚିହ୍ନିପାରିଲା । ବିଚାରୀ ନିଜେ ଏକ ରକମ ବନ୍ଦୀ ହୋଇଥିଲା-। ପାଷାଣ୍ଡ ଦୁଇଟା ଯେତେବେଳେ ଦେଖିଲେ ଯେ ସେମାନେ ଧରା ପଡ଼ିଯିବେ, ତରୁଣୀଟିକୁ ଧରି ଏ ଘର ଛାଡ଼ି ପଳାଇଗଲେ ।

 

କେତେ ମାସ ପରେ ବୁଦାପେଷ୍ଟରୁ ଖଣ୍ଡେ ଖବର କାଗଜ ଆମ ପାଖରେ ପହଞ୍ଚିଲା । ସେଥିରେ ଲେଖାଥିଲା ଯେ ଦୁଇଜଣ ଇଂରେଜ ଲୋକ ଜଣେ ତରୁଣୀକୁ ସାଥିରେ ଧରି ଗଲାବେଳେ ଶୋଚନୀୟ ଭାବରେ ମରିଛନ୍ତି । ଉଭୟଙ୍କ ଦେହରେ ଛୁରା ଭୁଷା ହୋଇଛି । ହଙ୍ଗେରୀ ପୋଲିସ୍ ମତରେ ସେମାନେ ନିଜ ଭିତରେ କଳି କରି ପରସ୍ପରକୁ ମାରିଛନ୍ତି । ହୋମ୍‌ସ୍‍ଙ୍କର ଚିନ୍ତାଧାରା କିନ୍ତୁ ଏ ବିଷୟରେ ଭିନ୍ନ । ଏବେ ମଧ୍ୟ ସେ ବିଶ୍ୱାସ କରନ୍ତି ଯେ ସେଇ ଗ୍ରୀକ୍ ତରୁଣୀର ଯଦି ସନ୍ଧାନ ମିଳନ୍ତା ତେବେ ଜଣାଯାନ୍ତା ତା ପ୍ରତି ଏବଂ ତା ଭାଇ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାରର ପ୍ରତିଶୋଧ କିପରି ନିଆଗଲା ।

Image

 

କପର ବିଚେସ୍

 

ବସନ୍ତ ଋତୁ ଆରମ୍ଭର ଏକ ଶୀତଳ ସକାଳ । ଜଳଖିଆ ଖାଇ ସାରି ଆମେ ବେକର ଷ୍ଟ୍ରୀଟ୍‌ର ସେଇ ପୁରୁଣା ଘରେ ନିଆଁ ପାଖରେ ବସିଥାଉ । ଧୂସର ରଙ୍ଗର ଧାଡ଼ି ଧାଡ଼ି ଘର ମଝିରେ ଘଞ୍ଚ କୁହୁଡ଼ି ! ଝରକାଗୁଡ଼ା କଳଙ୍କି ଲାଗିଲା ପରି ଦିଶୁଥାଏ । ହୋମ୍‌ସ୍‌ ଚୁପ୍ ହୋଇ ବସି ଖଣ୍ଡକ ପରେ ଖଣ୍ଡେ ଖବରକାଗଜ ନେଇ ବିଜ୍ଞାପନଗୁଡ଼ା ପଢ଼ୁଥାନ୍ତି । କିଛି ସମୟ ପରେ ସେ କହିଲେ, “ବଡ଼ ବଡ଼ ଜଟିଳ କେସ୍‍ର ଦିନ ଚାଲିଯାଇଛି । ମଣିଷ, ଅନ୍ତତଃ ଅପରାଧୀମାନେ, ସେମାନଙ୍କର ସାହସିକତା ଆଉ ମୌଳିକତା ହରେଇ ବସିଲେଣି । ମୋ ନିଜର ବ୍ୟବସାୟ ମଧ୍ୟ ବହୁତ ତଳକୁ ଖସିଗଲାଣି । ଏଇ ଚିଠି, ଆଜି ସକାଳେ ମୁଁ ପାଇଲି । ଏହା ମୋ ବ୍ୟବସାୟକୁ ଅତି ତଳକୁ ନେଇଯାଇଛି ବୋଲି ମୋର ମନେହୁଏ । ନିଅ ପଢ଼ ।”

 

ଚିଠିଟା ପୂର୍ବଦିନ ସନ୍ଧ୍ୟାରେ ଲେଖାଯାଇଛି । ଲେଖାଥିଲା, “ପ୍ରିୟ ମିଷ୍ଟର ହୋମ୍‌ସ୍‌,–ଗୋଟିଏ ଜାଗାରେ ଗୃହଶିକ୍ଷୟିତ୍ରୀ ଭାବରେ ମୋତେ ନିଯୁକ୍ତି ମିଳିଛି । ମୁଁ ସେଠି ଯୋଗ ଦେବି କି ନାହିଁ ସେ ବିଷୟରେ ଆପଣଙ୍କ ସଙ୍ଗେ ଆଲୋଚନା କରିବାକୁ ବଡ଼ ବ୍ୟଗ୍ର । ଯଦି ଆପଣଙ୍କର କିଛି ଅସୁବିଧା ନ ହୁଏ, କାଲି ସକାଳ ସାଢ଼େଦଶଟାବେଳେ ମୁଁ ଆପଣଙ୍କୁ ଦେଖା କରିବାକୁ ଯିବି ।

 

ଆପଣଙ୍କର

ଭାଓଲେଟ୍ ହଣ୍ଟର୍ ।”

 

“ଭଦ୍ରମହିଳାଙ୍କୁ ତୁମେ ଜାଣ ?” —ମୁଁ ପଚାରିଲି ।

 

“ମୋଟେ ନୁହେଁ ।”

 

“ବର୍ତ୍ତମାନ ସାଢ଼େଦଶଟା ବାଜିଲାଣି ।”

 

“ହଁ, ଏଇ ଯେ କଲିଙ୍ଗ୍ ବେଲ୍ ବାଜୁଛି । ନିଶ୍ଚୟ ସେ ଆସିଲେଣି ।”

 

“ତମେ ଯାହା ଭାବୁଛ, ଘଟଣାଟା ତାଠୁ ବେଶୀ କୌତୂହଳପ୍ରଦ ହୋଇଥାଇପାରେ । ସେଇ ନୀଳ ମଣି କଥା ମନେକଲ ! ସେଟାତ ପୁଣି ଏଡ଼େ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ହେଲା ! ଏ ଘଟଣା ବି ସେଇପରି ହୋଇ ପାରେ ।”

 

“ଆମେ ଅନ୍ତତଃ ସେଇଆ ଆଶା କରିବା ।”

 

ଘରର ଦରଜା ଖୋଲି ଜଣେ ଯୁବତୀ ଭିତରକୁ ଆସିଲେ । ତାଙ୍କ ପୋଷାକ ଅତି ସାଧାରଣ ଅଥଚ ପରିଷ୍କାର । ମୁହଁ ବେଶ୍ ଉଜ୍ଜ୍ୱଳ ଆଉ ଚଞ୍ଚଳ । ନିଜ ଗୋଡ଼ରେ ଠିଆ ହୋଇ ପାରିବା ନାରୀ ପରି ତାଙ୍କର ବ୍ୟବହାର । ନମ୍ରଭାବରେ ସେ କହିଲେ, “ଆପଣଙ୍କୁ ହଇରାଣ କଲି, କ୍ଷମା କରିବେ । କିନ୍ତୁ ଗୋଟାଏ ଅଦ୍ଭୁତ୍ ଘଟଣା ଘଟିଛି । ମୋତେ ଉପଦେଶ ଦେବା ପାଇଁ ମୋର ବାପା, ମା ବା ବନ୍ଧୁ ବାନ୍ଧବ କେହି ନାହାନ୍ତି । ଭାବିଲି ମୁଁ କଣ କରିବି ଆପଣ ଦୟାକରି ମୋତେ କହିବେ ।”

 

“ଆପଣ ବସନ୍ତୁ ମିସ୍ ହଣ୍ଟର୍‍ ।” —ହୋମ୍‍ସ୍ କହିଲେ । “ଆପଣଙ୍କ ପାଇଁ ଯାହା କିଛି ସମ୍ଭବ କରିପାରିଲେ ମୁଁ ଖୁସି ହେବି ।”

 

ମୁଁ ଦେଖିଲି, ଏଇ ନୂଆ ମହକିଲଙ୍କର ବ୍ୟବହାର ହୋମ୍‌ସ୍‌ଙ୍କୁ ବେଶ୍ ପ୍ରଭାବିତ କରିପାରିଛି । ସେ ତାଙ୍କ ଜିଜ୍ଞାସୁ ଭଙ୍ଗୀରେ ଭଦ୍ରମହିଳାଙ୍କୁ ଥରେ ଦେଖିନେଲେ ଏବଂ ତା’ପରେ ତାଙ୍କ କଥା ଶୁଣିବାକୁ ବସିଲେ ।

 

ମିସ୍ ହଣ୍ଟର୍‍ ଆରମ୍ଭକଲେ, “ପାଞ୍ଚବର୍ଷ ହେଲା ମୁଁ ଜଣେ ଗୃହ ଶିକ୍ଷୟିତ୍ରୀରୂପେ କାମକରିଆସୁଥିଲି । ଦୁଇମାସ ତଳେ ମୋର ମୁନିବ ନୋଭସ୍କୋଟିଆରେ ଗୋଟିଏ ନିଯୁକ୍ତି ପାଇ ପିଲାପିଲି ନେଇ ଚାଲିଗଲେ । ମୁଁ ବେକାର ହୋଇଗଲି । ମୁଁ କାଗଜରେ ବିଜ୍ଞାପନ ଦେଲି ଏବଂ କେତେ ବିଜ୍ଞାପନର ଉତ୍ତର ମଧ୍ୟ ଦେଲି । କିନ୍ତୁ କିଛି ଫଳ ହେଲାନାହିଁ । ଶେଷରେ ମୁଁ ଯାହାକିଛି ସଞ୍ଚୟ କରି ରଖିଥିଲି ସେ, ସରିଆସିଲା । କ’ଣ କରିବି ମୁଁ କିଛି ଠିକ୍ କରିପାରିଲି ନାହିଁ ।

 

“ଗୋଟାଏ ଜଣାଶୁଣା ବ୍ୟବସାୟ ପ୍ରତିଷ୍ଠାନ ଅଛି । ତାରି ଜରିଆରେ ଗୃହଶିକ୍ଷୟିତ୍ରୀ ନିଯୁକ୍ତି ହୁଏ । ପ୍ରତିଷ୍ଠାନର ନାଁ ଉଏଷ୍ଟଆୱେ । ଏହାର ପ୍ରତିଷ୍ଠାତାଙ୍କ ନାମ ଉଏଷ୍ଟଆୱେ ଏ, କିନ୍ତୁ ମିସ୍ ଷ୍ଟପର୍‌ ଏହାର ପରିଚାଳନା କରନ୍ତି । ସେ ତାଙ୍କ ଅଫିସରେ ବସିଥାନ୍ତି । ଯେଉଁ ମହିଳାମାନେ କୌଣସି ନିଯୁକ୍ତି ଖୋଜନ୍ତି ସେମାନେ ଜଣ ଜଣ କରି ତାଙ୍କୁ ଦେଖାକରନ୍ତି । ମୁଁ ପ୍ରାୟ ପ୍ରତି ସପ୍ତାହରେ ସେଠିକି ଯାଏ—କାଳେ କେତେବେଳେ କିଛି ସୁବିଧା ଯୁଟିଯିବ !

 

“ଗଲା ସପ୍ତାହରେ ମଧ୍ୟ ମୁଁ ସେଠିକି ଯାଇଥିଲି । ମିସ୍ ଷ୍ଟପର୍‍ଙ୍କ ଅଫିସରେ ଜଣେ ହୃଷ୍ଟପୁଷ୍ଟ ଭଦ୍ରଲୋକ ବସିଥିଲେ । ମୋତେ ଦେଖି ସେ ଖୁବ୍ ଖୁସି ହୋଇ ପଚାରିଲେ, “ତୁମେ ଚାକିରି କରିବାକୁ ଚାହଁ ?”

 

“ହଁ ଆଜ୍ଞା ।”

 

“ଗୃହଶିକ୍ଷୟିତ୍ରୀ ଚାକିରି ?”

 

“ଆଜ୍ଞା ।”

 

“ଦରମା କେତେ ନେବ ?”

 

“ପୂର୍ବରୁ ମୁଁ ଯେଉଁଠି ଥିଲି ସେଠୁ ମାସିକ ଚାରି ପାଉଣ୍ଡ କରି ପାଉଥିଲି ।”

 

“ଏତେ କମ୍ ! ମୁଁ ପ୍ରଥମେ ତୁମକୁ ବାର୍ଷିକ ଶହେ ପାଉଣ୍ଡ କରି ଦେବି ।”

 

“ଭାବି ଦେଖନ୍ତୁ ମିଷ୍ଟର ହୋମ୍‌ସ୍‌–ସେତେବେଳେକୁ ମୋ ପାଖରେ ଗୋଟାଏ ପେନି ବି ନାହିଁ । ଏତେ ଗୁଡ଼ାଏ ଦରମା କଥା ଶୁଣି ମୁଁ ବିଶ୍ୱାସ କରିପାରିଲି ନାହିଁ । ଭଦ୍ରଲୋକ ମୋ ମୁହଁର ଭାବ ବୁଝିପାରି ଗୋଟାଏ ପକେଟ୍ ବହିରୁ ଖଣ୍ଡେ ନୋଟ୍ ବାହାରକରି କହିଲେ. ‘ମୋ ପାଖରେ ଯେଉଁ ଯୁବତୀମାନେ ଚାକିରି କରନ୍ତି ମୁଁ ତାଙ୍କ ଦରମାର ଅଧା ଅଗ୍ରିମ ଆକାରରେ ଦେଇଥାଏ । ସେଥିରେ ସେମାନେ ତାଙ୍କର ପୋଷାକ ପତ୍ର କରିବେ ଏବଂ ବାଟ ଖର୍ଚ୍ଚ ମଧ୍ୟ ତୁଲାଇବେ ।’

 

‘ଏମିତି ଜଣେ ହୃଦୟବାନ୍, ଚିନ୍ତାଶୀଳ ଲୋକ ମୁଁ କେବେ ଦେଖି ନଥିଲି । ତଥାପି ବ୍ୟାପାରଟା ମତେ କେମିତି ଅଡ଼ୁଆ ଅଡ଼ୁଆ ଲାଗିଲା । ତେଣୁ ମୋର ମତାମତ ଦେବା ଆଗରୁ ଆଉ କିଛି ଜାଣିବା ପାଇଁ ପଚାରିଲି—

 

“ଆପଣ କେଉଁଠି ରହନ୍ତି ଆଜ୍ଞା ?”

 

“ହାମ୍ପସାୟାରରେ । ବେଶ୍ ସୁନ୍ଦର ମଫସଲ ଜାଗା । ମୋ ଘରଟାର ନାଁ ‘କପର୍ ବିଚେସ୍’ ।”

 

“ମୋର କାମ କଣ ଆଜ୍ଞା ?”

 

“ଛଅ ବର୍ଷର ଗୋଟିଏ ପୁଅ । ଚପଲ ପଟେ ଧରି ଅସରପା ମାରିବା ତାର ଏକ ପ୍ରକୃତି-। ଆଖି ପିଛଡ଼ାକେ ତିନିଚାରିଟା ମାରିଦେବଣି ।” ଏହା କହୁ କହୁ ସେ ହସିଉଠିଲେ ।

 

ପୁଅର ଖେଳର ଏ ପ୍ରକାର ପ୍ରକୃତି ଶୁଣି ମୁଁ ଟିକିଏ ବିସ୍ମିତ ହୋଇଗଲି । କିନ୍ତୁ ବାପାଙ୍କର ହସରୁ ଭାବିଲି, ସେ ବୋଧହୁଏ ରହସ୍ୟ କରୁଛନ୍ତି ।

 

“ତା’ହେଲେ ମୋର କାମ କଣ ଏଇ ଗୋଟିଏ ମାତ୍ର ପିଲାର ଯତ୍ନ ନେବା ?” ମୁଁ ପଚାରିଲି ।

 

“ନା, କେବଳ ସେତିକି ନୁହେଁ । ମୋ ସ୍ତ୍ରୀ କେତେବେଳେ କିଛି ଆଦେଶ ଦେଲେ ମାନିବାକୁ ପଡ଼ିବ । ସେଥିରେ ବୋଧହୁଏ ତୁମର କିଛି ଅସୁବିଧା ହେବନାହିଁ ?”

 

“ମୁଁ ବରଂ କିଛି କାମ କରିପାରିଲେ ଖୁସି ହେବି ।”

 

“ନିଶ୍ଚୟ, ନିଶ୍ଚୟ । ଆଉ ଗୋଟେ କଥା । ଆମେ ହେଲୁ ଟିକିଏ ଖିଆଲି । ମନେକର ଆମେ ତୁମକୁ କୌଣସି ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧିବାକୁ ଦେଲୁ । ତୁମର ବୋଧହୁଏ ସେଥିରେ କିଛି ଆପତ୍ତି ନାହିଁ ?”

 

ତାଙ୍କ କଥା ଶୁଣି ମୁଁ ଖୁବ୍ ବିସ୍ମିତ ହୋଇ କହିଲି, “ନା ।”

 

“କିମ୍ୱା ଏଠି ବା ସେଠି ବସିବାକୁ କହିଲେ ତୁମେ କିଛି ମନେ କରିବ ନାହିଁ ।”

 

“ନା ଆଜ୍ଞା ।”

 

“କିମ୍ୱା ଆମ ପାଖକୁ ଯିବା ପୂର୍ବରୁ ତୁମର ଏଇ ଲମ୍ୱ ବାଳ କାଟି ଛୋଟ କରିବାକୁ କହିଲେ ଆପତ୍ତି କରିବ ନାହିଁ ?”

 

ମୋ ନିଜ କାନକୁ ବି ମୁଁ ବିଶ୍ୱାସ କରିପାରିଲି ନାହିଁ । ଆପଣ ତ ଦେଖୁଛନ୍ତି ମିଷ୍ଟର ହୋମ୍‌ସ୍‌, ମୋ ମୁଣ୍ଡର ବାଳ କିପରି ସୁନ୍ଦର ଆଉ ବାଦାମୀ ରଙ୍ଗ । ଏପରି ଭାବରେ ତାକୁ କାଟିଦେବା ମୁଁ କଳ୍ପନା କରିପାରିଲି ନାହିଁ । ତେଣୁ ଉତ୍ତର ଦେଲି, “କ୍ଷମା କରିବେ । ତା ନିହାତି ଅସମ୍ଭବ ।”

 

ସେ ମୋ ଆଡ଼କୁ ବ୍ୟଗ୍ର ହୋଇ ଚାହିଁଥାନ୍ତି । ଦେଖିଲି, ମୋ କଥାରେ ତାଙ୍କ ମନ ମରିଗଲା ।

 

ସେ କହିଲେ, “ସେଇଟା କିନ୍ତୁ ନିହାତି ଦର୍କାର । ସେଟା ମୋ ସ୍ତ୍ରୀର ଗୋଟେ ଖିଆଲ; ଆଉ ନାରୀମାନଙ୍କର ଖିଆଲ ପୂରଣ କରିବା ଦର୍କାର । ତୁମେ କଣ ତେବେ ମୁଣ୍ଡର ବାଳ କାଟିବ ନାହିଁ ?”

 

ଦୃଢ଼ ଭାବରେ ମୁଁ ଉତ୍ତର ଦେଲି, “ନା ଆଜ୍ଞା, ମୁଁ ପାରିବି ନାହିଁ ।”

 

“ହେଲା । ତୁମ ସାଥିରେ କଥାବାର୍ତ୍ତା ତା’ହେଲେ ସେତିକି । ମିସ୍ ଷ୍ଟପର୍, ଅନ୍ୟ କେହି ଯଦି ଅଛନ୍ତି ମୁଁ ତାଙ୍କୁ ଦେଖିବା ଭଲ ହେବ ।”

 

ପରିଚାଳିକା ମିସ୍ ଷ୍ଟପର୍ ଏ ଯାହା ଚୁପ୍‌ଚାପ୍‌ ବସିଥିଲେ । ଏବେ ସେ ଏମିତି ରାଗିକରି ମୋ ଆଡ଼େ ଚାହିଁଲେ ଯେ ମୁଁ ବୁଝିଲି ସେ ବେଶ୍ ମୋଟା କମିଶନ୍ ଗୋଟାଏ ହରାଇ ବସିଲେ । ରାଗରେ ସେ ମୋତେ କହିଲେ, “ତୁମ ନାଁ ଆମ ଖାତାରେ ରଖିବୁ କି ?”

 

“ଯଦି ଆପଣ ଦୟା କରନ୍ତି ।” ମୁଁ ଉତ୍ତର ଦେଲି ।

 

“କିନ୍ତୁ ତୁମ ନାଁ’ଟା ରଖିବା ବେକାର । ଏଡ଼େ ସୁନ୍ଦର ସୁଯୋଗ ତୁମେ ଏମିତି ଭାବରେ ହରେଇ ବସିଲ ।” ଏତିକି କହି ସେ ମୋତେ ବିଦାକରିଦେଲେ । ଘରକୁ ଫେରି ଦେଖିଲି ଆଲ୍‌ମାରୀରେ କିଛି ନାହିଁ । ଏଣେ ଟେବ୍‍ଲ୍ ଉପରେ ଦୁଇ ତିନିଟା ବାକି ବିଲ୍ ପଡ଼ିଛି । ମନେ ମନେ ଭାବିଲି–ମୁଁ ବଡ଼ ବୋକାମୀ କରିଛି । ମୋର ଦମ୍ଭ ଭାଙ୍ଗିଗଲା । ପରଦିନ ପୁଣି ଥରେ ସେଇ ପ୍ରତିଷ୍ଠାନକୁ ଯିବି ବୋଲି ବାହାରିଛି, ଠିକ୍ ସେତିକି ବେଳେ ଭଦ୍ର ଲୋକଙ୍କର ଏଇ ଚିଠି ଖଣ୍ଡ ମୋ ପାଖରେ ପହଞ୍ଚିଲା । ପଢ଼ୁଛି, ଶୁଣନ୍ତୁ ।

 

“ପ୍ରିୟ ମିସ୍ ହଣ୍ଟର୍, ମିସ୍ ଷ୍ଟପର୍‌ଙ୍କ ପାଖରୁ ତୁମ ଠିକଣା ପାଇ ପୁଣି ଏ ଚିଠି ଲେଖିଲି । ଆଶା ତୁମେ ତୁମର ମତ ପୁଣି ଥରେ ବିଚାର କରିବ । ତୁମେ ଏଠିକି ଆସିବା ପାଇଁ ମୋ ସ୍ତ୍ରୀ ବଡ଼ ବ୍ୟଗ୍ର । ତୁମର ଯାହା କିଛି ଅସୁବିଧା ହେବ ଆମେ ତାର ଉପଯୁକ୍ତ କ୍ଷତିପୂରଣ ଦେବାକୁ ରାଜି । ସେଥିପାଇଁ ଆମେ ତୁମକୁ ବର୍ଷକୁ ଏକଶହ କୋଡ଼ିଏ ପାଉଣ୍ଡ କରି ଦରମା ଦେବୁ । ମୋ ସ୍ତ୍ରୀ ଚିକ୍‌କଣ ନୀଳରଙ୍ଗକୁ ଭଲ ପାଆନ୍ତି । ତେଣୁ ସକାଳେ ଘରେ ତୁମକୁ ସେଇ ରଙ୍ଗର ପୋଷାକ ପିନ୍ଧିବାକୁ ହେବ । ତେବେ ତୁମକୁ ସେ ପୋଷାକ କିଣିବାକୁ ପଡ଼ିବ ନାହିଁ । ମୋ ଝିଅ ଆଲିସ୍‌ର ସେଇ ରଙ୍ଗର ଗୋଟାଏ ପୋଷାକ ଅଛି । ସେ ଏବେ ଫିଲାଡେଲ୍‌ଫିଆରେ । ସେଇ ପୋଷାକଟା ତୁମକୁ ବୋଧହୁଏ ଠିକ୍ ହେବ । କିନ୍ତୁ ତୁମକୁ ତୁମ ମୁଣ୍ଡବାଳ କାଟିବାକୁ ପଡ଼ିବ । ମୋର ଆଶା ଆମେ ଦେଉଥିବା ଅଧିକ ଦର୍‌ମା ତୁମର କ୍ଷତି ପୂରଣ କରିବ । ତୁମର କାମ ମଧ୍ୟ ଖୁବ୍ ସହଜ । ତୁମେ ନିଶ୍ଚୟ ଆସିବ । ମୁଁ ଉଇଞ୍ଚେଷ୍ଟର୍ ଷ୍ଟେସନରେ ତୁମକୁ ଭେଟିବି । ତୁମେ କେଉଁ ଟ୍ରେନରେ ଆସିବ ମୋତେ ଜଣାଇବ । ତୁମର–ଜେଫ୍ରୋ ରୁକାସ୍‌ଲ୍‌ ।”

 

“ଚିଠିଟା ତ ଶୁଣିଲେ ମିଷ୍ଟର ହୋମ୍‌ସ୍‌ । ମୁଁ ଠିକ୍ କରିଛି ସେଠିକି ଯିବି । କିନ୍ତୁ ଶେଷ ନିଷ୍ପତ୍ତି କରିବା ଆଗରୁ ମୁଁ କଥାଟା ଆପଣଙ୍କ ବିଚାର ଉପର ଛାଡ଼ିଦେଉଛି ।”

 

ଅଳ୍ପ ହସି ହୋମ୍‌ସ୍‌ କହିଲେ, “ତୁମେ ଯଦି ଯିବା ପାଇଁ ଠିକ୍ କରିଛ ତେବେ ତ ବିଚାର ସରିଯାଇଛି ।”

 

“କିନ୍ତୁ ଏ ସବୁର ଅର୍ଥ କଣ ?”

 

“ମୁଁ କହିପାରିବି ନାହିଁ । ତୁମେ ତ ମନେ ମନେ କିଛି ଚିନ୍ତା କରିଥିବ ।”

 

“ମୁଁ ଗୋଟେ କଥା ଭାବୁଛି । ଭଦ୍ରଲୋକଙ୍କ ସ୍ତ୍ରୀ ବୋଧହୁଏ ପାଗଳୀ । ତେଣୁ ଘଟଣାଟା ଚାପି ରଖିବା ଏବଂ ତାଙ୍କୁ ସମ୍ଭାଳି ରଖିବା ପାଇଁ ସେ ସ୍ତ୍ରୀଙ୍କର ଖିଆଲ୍ ପୂରଣ କରିବାକୁ ବାଧ୍ୟ ହେଉଛନ୍ତି ।”

 

“ସେଇଟା ଅବଶ୍ୟ ସମ୍ଭବ । କିନ୍ତୁ ଘରଟା ଜଣେ ଯୁବତୀ ପାଇଁ ସୁବିଧାଜନକ ବୋଲି ମନେହେଉନାହିଁ ।”

 

“କିନ୍ତୁ ଦରମାଟାକଥା—’’

 

“ଦରମାଟା ଅବଶ୍ୟ ଖୁବ୍ ଭଲ । ସେଇଟା ହିଁ ଚିନ୍ତାର ବିଷୟ । ତୁମର ଏଇ ଛୋଟ ସମସ୍ୟାଟି ବେଶ୍ କୌତୂହଳପ୍ରଦ । କେତେ ମାସ ଭିତରେ ଏମିତି ଘଟଣା ମୋ ପାଖକୁ ଆସିନଥିଲା । ଯାହା ହେଉ, ଯଦି ତୁମେ କିଛି ସନ୍ଦେହ ବା ବିପଦରେ ପଡ଼—”

 

“ବିପଦ ! କି ପ୍ରକାର ବିପଦ ଆପଣ ଆଶଙ୍କା କରୁଛନ୍ତି ?”

 

“ବିପଦଟା କଣ ଜାଣିପାରିଲେ ତ ସେ ଆଉ ବିପଦ ହୋଇ ରହିବ ନାହିଁ ! ହଉ, ଦର୍କାର ହେଲେ ମୋ ପାଖକୁ ଯେ କୌଣସ, ସମୟରେ ଟେଲିଗ୍ରାମ କରିବ । ତୁମକୁ ସାହାଯ୍ୟ କରିବାକୁ ମୁଁ ଯାଇ ପହଞ୍ଚିବି ।”

 

“ସେତିକି ଯଥେଷ୍ଟ ଆଜ୍ଞା । ମୁଁ ଆପଣଙ୍କ ପାଖରେ ଚିରକୃତଜ୍ଞ । ଏଥର ମୁଁ ଯାଉଛି । ମିଷ୍ଟର ରୁକାସ୍‌ଲ୍‍ଙ୍କ ନିକଟକୁ ଖଣ୍ଡେ ଚିଠି ଲେଖିଦେବି, ଆଉ କାଲି ଉଇଞ୍ଚେଷ୍ଟର୍‍ ବାହାରିବି । ଧନ୍ୟବାଦ ।”

 

ମିସ୍ ହଣ୍ଟର୍‍ ଚାଲିଯିବା ପରେ ପରେ ମୁଁ କହଲି, “ମୋର ଅନୁମାନ ଭଦ୍ରମହିଳା ନିଜେ ନିଜ କଥା ସମ୍ଭାଳି ପାରିବେ ।”

 

“ସେଇଟା ତାଙ୍କର ଦର୍କାର ।” ହୋମ୍‌ସ୍‌ ଉତ୍ତର ଦେଲେ । “ମୋର ବିଶ୍ୱାସ ଖୁବ୍ କମ୍ ଦିନ ଭିତରେ ଆମେ ତାଙ୍କଠୁ ଖବର ପାଇବା ।’’

 

ଅଳ୍ପ ଦିନ ପରେ । ରାତି ଡେରି ହୋଇଗଲାଣି । ମୁଁ ଶୋଇବାକୁ ଯାଉଛି । ହୋମ୍‌ସ୍‌ ଖଣ୍ଡେ ବହି ପଢ଼ୁଛନ୍ତି । ଏତିକିବେଳେ ଟେଲିଗ୍ରାମ ଆସି ପହଞ୍ଚିଲା । ହୋମ୍‌ସ୍‌ ସେଟା ପଢ଼ି ମୋ ଆଡ଼କୁ ପକାଇଦେଲେ । ଖବରଟା ସଂକ୍ଷିପ୍ତ କିନ୍ତୁ ଜରୁରୀ । ଲେଖା ଥିଲା, “ଦୟାକରି କାଲି ଦୁଇପ୍ରହର ବେଳକୁ ଉଇଞ୍ଚେଷ୍ଟର୍‌ର ବ୍ଲାକ୍‍ସ୍ୱାନ ହୋଟେଲକୁ ଆସିବେ । ନିଶ୍ଚୟ ଆସିବେ । ମୁଁ କ’ଣ କରିବି ଭାବିପାରୁନାହିଁ—ହଣ୍ଟର୍ ।”

 

ଟେବ୍‍ଲ୍ ଘଣ୍ଟାକୁ ଚାହିଁ ମୁଁ କହିଲି, “ସାଢ଼େ ନଅଟା ବେଳେ ଗୋଟାଏ ଟ୍ରେନ୍‌ ଅଛି । ଉଇଞ୍ଚେଷ୍ଟରରେ ସାଢ଼େ ଏଗାରଟାରେ ପହଞ୍ଚିବ ।”

 

“ସେଇଟା ବେଶ୍ ସୁବିଧାଜନକ ହେବ ।” ହୋମ୍‍ସ୍‌ କହିଲେ ।

 

ତା ପରଦିନ ଏଗାରଟା ସମୟ । ଟ୍ରେନ ଉଇଞ୍ଚେଷ୍ଟର୍‍ ଦିଗରେ ଚାଲିଥାଏ । ବସନ୍ତ ଋତୁ-। ନୀଳ ଆକାଶରେ ଖଣ୍ଡେ ଖଣ୍ଡେ ଚଲା ବାଦଲ । ସୂର୍ଯ୍ୟକିରଣ ବେଶ୍ ପରିଷ୍କାର । ଚାରି ପାଖରେ ଗାଁ ଗଣ୍ଡା । ଗଛଲତାର ନୂଆ ସାଗୁଆ ପତ୍ର ଭିତରେ ଘରଗୁଡ଼ିକର ନାଲି ଆଉ ମାଟିଆ ଛାତ ଦେଖାଯାଉଥାଏ ।

 

“ଘରଗୁଡ଼ିକ କି ସୁନ୍ଦର ଦିଶୁଛି ।” —ମୁଁ କହିଲି ।

 

ହୋମ୍‍ସ୍ ମୁଣ୍ଡ ହଲାଇ କହିଲେ, “ଘରଗୁଡ଼ିକ ଗୋଟି ଗୋଟି ହୋଇ ରହିଛି । ତୁମେ ତାର ସୌନ୍ଦର୍ଯ୍ୟରେ ମୁଗ୍‌ଧ । ମୁଁ କିନ୍ତୁ ଭାବୁଛି ଘରଗୁଡ଼ାକ କି ନିଛାଟିଆ ! ଏମିତି ଜାଗା ଅପରାଧୀମାନଙ୍କ ପାଇଁ ବେଶ୍ ସୁବିଧାଜନକ ।”

 

“ହେ ଭଗବାନ !” ମୁଁ କହିଉଠିଲି ।

 

“ମୋର ବିଶ୍ୱାସ ଉଆଟ୍‌ସନ୍‍, ଏଇ ସୁନ୍ଦର, ସରସ ଗାଁ ଗଣ୍ଡାରେ ଯେତେ ଅପରାଧ ଘଟୁଥିବ ଲଣ୍ଡନର ଜଘନ୍ୟ ଗଳିରେ ମଧ୍ୟ ତା ହେଇନଥିବ । କାରଣଟା ସହଜ । ଲଣ୍ଡନର ଯେ କୌଣସି ଗଳିରେ କୌଣସି ଶିଶୁ ଉପରେ ଅତ୍ୟାଚାର ହେଲେ କିମ୍ୱା କେହି ମଦୁଆ କାହାକୁ ମାଡ଼ ମାରିଲେ ପାଖ ପଡ଼ିଶାଏ ଅନ୍ତତଃ ସହାନୁଭୂତି ଏବଂ ଦୟା ଦେଖାଇବେ । କିନ୍ତୁ ଏଇ ନିରୋଳା ଘରଗୁଡ଼ାକୁ ଦେଖ । ପ୍ରତ୍ୟେକ ଲୋକର ଘର ତା ନିଜ ଜମିରେ । ଏଇ ଗରିବ ଅଜ୍ଞ ଲୋକେ ଆଇନ୍‌ କିଛି ଜାଣନ୍ତି ନାହିଁ । ଆମ ଭଦ୍ରମହିଳା ଯଦି ଉଇଞ୍ଚେଷ୍ଟରରେ ରହୁଥାନ୍ତେ ତେବେ ତାଙ୍କ ପାଇଁ କିଛି ଭୟ କରନ୍ତି ନାହିଁ । କିନ୍ତୁ ପାଞ୍ଚ ମାଇଲ ଦୂରରେ ଏଇ ପଲ୍ଲୀ ହେଲା ଭୟର କାରଣ ।”

 

“ଆମ ସଙ୍ଗେ ସାକ୍ଷାତ କରିବାକୁ ସେ ଯଦି ଉଇଞ୍ଚେଷ୍ଟର୍‍ ଆସିପାରିବେ ତା’ହେଲେ ତ ଏଠୁ ଚାଲିଯାଇପାରିବେ ।”

“ନିଶ୍ଚୟ । ସେ ସମ୍ପୂର୍ଣ୍ଣ ସ୍ୱାଧୀନ ।”

“ତେବେ ଘଟଣାଟା କ’ଣ ହୋଇପାରେ ?”

“ମୁଁ ମନେ ମନେ ସାତଟା ବିଷୟ ଠିକ୍ କରିଛି । କିନ୍ତୁ ସେଥିରୁ କେଉଁଟା ଠିକ୍‍, ତା ନିର୍ଭର କରୁଛି ଆମେ ଯେଉଁ ନୂଆ ଖବର ପାଇବା ତା ଉପରେ । ମିସ୍ ହଣ୍ଟର୍‍ଙ୍କଠାରୁ ଆମେ ଖୁବ୍ ଶୀଘ୍ର ସବୁ ଜାଣିବା ।”

ବ୍ଲାକ୍‍ ସ୍ୱାନ ହୋଟେଲରେ ମିସ୍ ହଣ୍ଟର୍‍ ଅପେକ୍ଷା କରିଥିଲେ । ଆମକୁ ଦେଖି ଖୁବ୍ ଆନନ୍ଦିତ ହୋଇ କୃତଜ୍ଞତା ପ୍ରକାଶ କରି କହିଲେ, “ମୁଁ କଣ କରିବି କିଛି ଠିକ୍ କରିପାରୁନାହିଁ ।”

“ଘଟଣା କଣ କୁହ ।” —ହୋମ୍‍ସ୍‌ ପ୍ରଶ୍ନ କଲେ ।

“ପ୍ରଥମ କଥା ହେଲା,ମୁଁ ମିଷ୍ଟର ଏବଂ ମିସେସ୍ ରୁକାସ୍‌ଲ୍‌ଙ୍କ ପାଖରୁ କୌଣସି ଖରାପ ବ୍ୟବହାର ପାଇନାହିଁ । କିନ୍ତୁ ମୁଁ ସେମାନଙ୍କ ମତି ଗତି କିଛି ବୁଝିପାରୁନାହିଁ । ସେଥିପାଇଁ ମୋ ମନ ବଡ଼ ଅସ୍ଥିର । ମୁଁ ଯେତେବେଳେ ଏଠିକି ଆସିଲି, ମିଷ୍ଟର ରୁକାସ୍‌ଲ୍‌ ଉଇଞ୍ଚେଷ୍ଟର୍‍ ଆସି ମୋତେ ସାଥିରେ ନେଇ କପର୍‌ ବିଚେସ୍ ଗଲେ । ଘରଟିର ଅବସ୍ଥିତି ବେଶ୍ ସୁନ୍ଦର, କିନ୍ତୁ ଘରଟା ସେତେ ସୁନ୍ଦର ନୁହେଁ । ଖୁବ୍ ବଡ଼ ଚାରିକୋଣିଆ ଘର, ଚୂନଲିପା । କିନ୍ତୁ ବର୍ଷା କାକର ଖାଇ ବହୁତ ଜାଗା କଳା ପଡ଼ିଯାଇଛି ଆଉ ଭାଙ୍ଗିରୁଜି ଯାଇଛି । ଘର ଚାରିପାଖ ଖୋଲା । ତିନି ପାଖରେ ଜଙ୍ଗଲ ଆଉ ଗୋଟେ ପାଖରେ ଗୋଟେ ପଡ଼ିଆ । ଏଇ ପଡ଼ିଆ ସାଉଦାମ୍ପ୍‌ଟନ ରାସ୍ତା ଯାଏ ଆସ୍ତେ ଆସ୍ତେ ଗଡ଼ିଯାଇଛି । ରାସ୍ତାଟା ଘରର ସାମ୍‌ନା ପାଖ ଦରଜାଠାରୁ ପ୍ରାୟ ଶହେ ଗଜ ଦୂର । ହଲ୍ ଘରର ଦରଜା ଆଗରେ କରପ୍‌ ବିଚେସ୍ ବୁଦା ଲାଗିଛି । ତେଣୁ ଘରଟାର ନାଁ କପର୍‌ ବିଚେସ୍ ।

“ମିଷ୍ଟର ରୁକାସ୍‌ଲ୍‌ ତାଙ୍କ ସ୍ତ୍ରୀ ଆଉ ପୁଅ ସଙ୍ଗେ ମୋର ପରିଚୟ କରେଇଦେଲେ । ମିସେସ୍ ରୁକାସ୍‌ଲ୍‌ ପାଗଳୀ ନୁହନ୍ତି । କିନ୍ତୁ ସେ ସବୁବେଳେ ଚୁପ୍‍ଚାପ୍ ଥାନ୍ତି ଆଉ ତାଙ୍କ ମୁହଁ ସବୁବେଳେ ବିରସ । ତାଙ୍କ ବୟସ ତିରିଶ ବର୍ଷ ଭିତରେ, କିନ୍ତୁ ତାଙ୍କ ସ୍ୱାମୀଙ୍କ ବୟସ ପଇଁଚାଳିଶ ବର୍ଷରୁ କମ୍ ହେବ ନାହିଁ । ମୁଁ ଜାଣିବାକୁ ପାଇଛି ଯେ ସେମାନେ ସାତ ବର୍ଷ ହେଲା ବିବାହ କରିଛନ୍ତି । ସେତେବେଳକୁ ମିଷ୍ଟର ରୁକାସ୍‍ଲ୍‍ଙ୍କ ପ୍ରଥମ ସ୍ତ୍ରୀ ମରିଯାଇଥିଲେ, ଆଉ ତାଙ୍କର ଗୋଟିଏ ଝିଅ ଥିଲା । ସେ ଝିଅ ଏବେ ଫିଲାଡ଼େଲ୍‍ଫିଆରେ ଅଛି । ମିଷ୍ଟର ରୁକାସ୍‌ଲ୍‍ ମୋତେ ଗୁପ୍ତରେ କହୁଥିଲେ ଯେ ଝିଅଟି ସାବତମା’କୁ ଭଲ ପାଏ ନାହିଁ । ତେଣୁ ସେ ତାଙ୍କୁ ଛାଡ଼ି ଚାଲିଗଲା ।

“ମୋତେ ଜଣାଗଲା ମିସେସ୍‍ ରୁକାସ୍‍ଲ୍‍ଙ୍କ ମୁହଁ ଯେମିତି ବିରସ ମନ ମଧ୍ୟ ସେହିପରି । ସେ ତାଙ୍କ ସ୍ୱାମୀ ଏବଂ ପୁଅକୁ ଅତି ମାତ୍ରାରେ ଭଲପାଆନ୍ତି । ମୋଟାମୋଟି ସେମାନଙ୍କ ପରିବାରଟି ସୁଖୀ । ତଥାପି ମୋର ମନେହେଲା ମିସେସ୍‌ ରୁକାସ୍‍ଲ୍‌ଙ୍କର କିଛି ଗୋପନୀୟ ଦୁଃଖ ରହଛି । ବେଳେବେଳେ ତାଙ୍କ ମୁହଁ ଅତି ବେଶୀ ବିରସ ଦେଖାଯାଏ ।

“ତା’ପରେ ତାଙ୍କ ପୁଅ କଥା । ଏମିତିକା ନଷ୍ଟଚରିତ୍ର ପିଲା ମୁଁ କେଉଁଠି ଦେଖିନାହିଁ । ତାଠାରୁ ଦୁର୍ବଳ ଯେ କୌଣସି ଜୀବକୁ ମାରିବା ପିଟିବା ହେଲା ତାର ଖେଳ । ମୁଁ କିନ୍ତୁ ତା’କଥା ବିଶେଷ କିଛି କହିବାକୁ ଯାଉନାହିଁ । କାରଣ ଘଟଣା ସହିତ ତାର କିଛି ସମ୍ୱନ୍ଧ ନାହିଁ ।”

“ନା, ନା, ସବୁ କଥା ଟିକିନିଖି ଶୁଣିଲେ ମୁଁ ବରଂ ଖୁସି ହେବି ।” ହୋମ୍‌ସ୍‌ କହିଲେ ।

“ସବୁ ଗୁରୁତ୍ୱପୂର୍ଣ୍ଣ ଘଟଣା କହିବାକୁ ମୁଁ ଚେଷ୍ଟା କରିବି । ଘର ଭିତରେ ସବୁଠୁ ଅପ୍ରୀତିକର ହେଲା ଚାକରଙ୍କ ହାବଭାବ । ଚାକର ବୋଇଲେ ଦୁଇଜଣ—ଜଣେ ଚାକର ଆଉ ଜଣେ ତା ସ୍ତ୍ରୀ । ଚାକର ଟୋଲର୍‌ ନିହାତି ଅଭଦ୍ର । ସବୁବେଳେ ମଦ ଖାଏ । ଦୁଇଥର ସେ ମଦ ଖାଇ ମାତାଲ୍ ହୋଇଛି କିନ୍ତୁ ମିଷ୍ଟର ରୁକାସ୍‌ଲ୍‍ ସେଥିପ୍ରତି ନଜର ଦିଅନ୍ତି ନାହିଁ । ତା ସ୍ତ୍ରୀ ବେଶ୍ ଉଚ୍ଚା ଆଉ ବଳୁଆ ଲୋକ । ତା ମୁହଁଟା ସବୁବେଳେ ଆମ୍ୱିଳା । ମିସେସ୍ ରୁକାସ୍‌ଲ୍‌ଙ୍କ ପରି ସେ ବି ସବୁବେଳେ ଚୁପ୍‌ଚାପ୍‌ । ଏଇ ଚାକର ଚାକରାଣୀ ଦୁଇଜଣ ହେଲେ ସବୁଠୁ ଅବାଗିଆ । ଭାଗ୍ୟକୁ ମୋର ଅଧିକାଂଶ ସମୟ ପିଲାର ପଢ଼ାଘରେ କିମ୍ୱା ମୋ ନିଜ କୋଠରୀରେ କଟେ । ଏ ଦୁଇବଖରା ଘରର ଗୋଟାଏ କଣରେ ଏବଂ ଲଗାଲଗି ।

“ମୁଁ ପହଞ୍ଚିବା ପରେ ଦୁଇଦିନ ଏକୁଟିଆ କଟେଇଲି । ତୃତୀୟ ଦିନ ସକାଳେ ଜଳଖିଆ ଖାଇସାରି ମିସେସ୍ ରୁକାସ୍‌ଲ୍‌ ଆସିଲେ । ସେ ତାଙ୍କ ସ୍ୱାମୀଙ୍କ କାନରେ ତୁନି ତୁନି କଣ କହିଲେ ।

“ମୋ ଆଡ଼େ ମୁହଁ ବୁଲାଇ ମିଷ୍ଟର ରୁକାସ୍‌ଲ୍‌ କହିଲେ, ‘ମିସ୍ ହଣ୍ଟର୍‍, ତୁମେ ମୁଣ୍ଡର ବାଳ କାଟିଦେଇଥିବାରୁ ଆମେ କୃତଜ୍ଞ । ଗାଢ଼ ନୀଳ ରଙ୍ଗର ପୋଷାକ ତୁମ ଦେହକୁ କେମିତି ହେଉଛି ଆମେ ଦେଖିବୁ । ତୁମ କୋଠରୀରେ ଖଟ ଉପରେ ପୋଷାକଟା ଅଛି ।’’

 

“ପୋଷାକଟାର ନୀଳ ରଙ୍ଗ ଅତି ଅସାଧାରଣ । ଏହା ଖୁବ୍ ଭଲ କନାରେ ତିଆରି, କିନ୍ତୁ ଆଗରୁ ବ୍ୟବହାର କରାଗଲାପରି ଜଣାଯାଉଥିଲା । ମୁଁ ସେ ପୋଷାକ ପିନ୍ଧିବା ଦେଖି ମିଷ୍ଟର ଆଉ ମିସେସ୍ ରୁକାସ୍‌ଲ୍‌ ଖୁବ୍ ଖୁସି ହେଲେ । ସେମାନେ ବୈଠକଖାନାରେ ଅପେକ୍ଷା କରିଥିଲେ । କୋଠରୀଟା ବେଶ୍ ବଡ଼ । ଖଞ୍ଜାର ସମୁଦାୟ ସାମନା ପାଖଟା ଏଇ ବୈଠକଖାନା । କୋଠରୀରେ ତିନିଟା ବଡ଼ ବଡ଼ ଝରକା, ମେଜିଆକୁ ଲାଗିଛି । ମଝି ଝରକା ପାଖରେ ଗୋଟାଏ ଚଉକି ପଡ଼ିଥିଲା-। ଚଉକିର ପଛପାଖ ଝରକା ଆଡ଼କୁ । ସେଇ ଚଉକିରେ ବସିବା ପାଇଁ ମୋତେ କହିଲେ-। ତା’ପରେ ମିଷ୍ଟର ରୁକାସ୍‌ଲ୍‌ କେତେଗୁଡ଼ିଏ ମଉଜିଆ ଗପ କହିଲେ । ଗପ ଶୁଣି ମୁଁ ହସି ହସି ବେଦମ୍ ହୋଇଗଲି । ମିସେସ୍ ରୁକାସ୍‌ଲ୍‌ କିନ୍ତୁ ମୋଟେ ହସୁନଥାନ୍ତି । କେବଳ ବ୍ୟଗ୍ର ହୋଇ ଚାହିଁ ରହିଥାନ୍ତି । ପ୍ରାୟ ଘଣ୍ଟାଏ ପରେ ପୋଷାକ ବଦଳେଇ ତାଙ୍କ ପୁଅ ଏଡ୍‍ଉଆର୍ଡ଼ ପାଖକୁ ଯିବାକୁ ମିଷ୍ଟର ରୁକାସ୍‌ଲ୍‌ ମୋତେ କହିଲେ ।

 

“ଦି ଦିନ ପରେ ଏ ଘଟଣାର ପୁନରାବୁତ୍ତି ହେଲା । ମୁଁ ପୁଣି ସେଇ ଝରକା ପାଖ ଚଉକିରେ ବସିଲି, ମିଷ୍ଟର ରୁକାସ୍‌ଲ୍‌ ସେଇମିତି ଗପ କହିଚାଲିଲେ ଆଉ ମୁଁ ହସି ହସି ବେଦମ୍ ହୋଇଗଲି । ତା’ପରେ ସେ ମୋତେ ଗୋଟେ ହଳଦିଆମଲାଟର ଉପନ୍ୟାସ ଦେଇ ବଡ଼ ପାଟିରେ ପଢ଼ିବାକୁ କହିଲେ । ମୁଁ ପ୍ରାୟ ଦଶମିନିଟ୍ ପଢ଼ିବା ପରେ ବନ୍ଦ କରିବାକୁ କହିଲେ । ତା’ପରେ ମୁଁ ଯାଇ ମୋ ପୋଷାକ ବଦଳେଇଲି ।

 

“ଆପଣ ଭାବିପାରୁଥିବେ ମିଷ୍ଟର ହୋମ୍‌ସ୍‌, ଏ ଘଟଣା ମୋ ମନରେ କିପରି କୌତୂହଳ ଜାତକଲା । ମୋ ମୁହଁ ସବୁବେଳେ ଝରକାର ବିପରୀତ ଦିଗକୁ ରହିବା ପାଇଁ ସେମାନେ ସାବଧାନ ଥିଲେ । ମୋ ପଛପାଖେ କଣ ଘଟୁଛି ଜାଣିବା ପାଇଁ ମୋର ପ୍ରବଳ ଇଚ୍ଛା ହେଲା । ପ୍ରଥମେ ସେଇଟା ଅସମ୍ଭବ ମନେ ହେଲା । କିନ୍ତୁ ଗୋଟେ ଭଲ ବୁଦ୍ଧି ମୋତେ ଦିଶିଲା । ମୋ ଦର୍ପଣଟା ଭାଙ୍ଗିଯାଇଥିଲା । ସେଇଥିରୁ ଖଣ୍ଡେ ଭଙ୍ଗାକାଚ ମୁଁ ମୋ ରୁମାଲ୍ ଭିତରେ ଲୁଚାଇ ରଖିଲି ।

 

“ପୁଣି ଏ ଘଟଣାର ପୁନରାବୃତ୍ତି ହେଲା । ମୁଁ ହସୁହସୁ ରୁମାଲଟା ଆଖି ପାଖକୁ ନେଇଗଲି ଆଉ ଦର୍ପଣରେ ପଛପାଖେ କଣ ଅଛି ଦେଖିଲି । ପ୍ରଥମେ କିଛି ଦେଖିପାରିଲି ନାହିଁ । ପୁଣି ଥରେ ଚାହିଁ ଦେଖିଲି ରାସ୍ତା ଉପରେ ଜଣେ ଲୋକ ଠିଆହୋଇଛି । ମୁହଁରେ ତାର ଛୋଟ ଛୋଟ ଦାଢ଼ି । ମାଟିଆ ରଙ୍ଗର ପୋଷାକ ପିନ୍ଧିଥାଏ । ସେ ମୋ ଆଡ଼କୁ ଚାହିଁଲାପରି ଜଣାଗଲା । ଆମ ବାଡ଼ି ସୀମାରେ ଥିବା ବାଡ଼କୁ ଆଉଜି ଠିଆହୋଇ ଲୋକଟା ଏକ ଲୟରେ ଚାହିଁଥାଏ । ମୁଁ ରୁମାଲଟା ତଳକୁ ନେଇଆସି ମିସେସ୍ ରୁକାସ୍‌ଲ୍‌ଙ୍କ ଆଡ଼େ ଚାହିଁଲି । ସେ କିଛି କହିଲେ ନାହିଁ, କିନ୍ତୁ ମୋ ହାତରେ ଦର୍ପଣ ଥିବା କଥା ସେ ଅନୁମାନ କରିପାରିଛନ୍ତି ବୋଲି ମୁଁ ଜାଣିଲି । ସେ ଉଠି ଠିଆ ହୋଇ କହିଲେ, ‘ଜେଫ୍ରୋ, ରାସ୍ତା ଉପରେ କେହି ଅଭଦ୍ର ଲୋକ ଠିଆ ହୋଇ ମିସ୍ ହଣ୍ଟର୍ ଆଡ଼କୁ ଚାହିଁଛି ।’’

 

“ତୁମର କେହି ବନ୍ଧୁ ନୁହେଁ ତ ?’’ ମିଷ୍ଟର ରୁକାସ୍‌ଲ୍‌ ମୋତେ ପଚାରିଲେ ।

 

“ନା, ନା, ଏ ଅଞ୍ଚଳର କାହାରିକୁ ମୁଁ ଜାଣେନା ।’’

 

‘ତେବେ ତ ଲୋକଟା ନିହାତି ଅଭଦ୍ର । ତୁମେ ସେଆଡ଼କୁ ମୁହଁକରି ହାତଠାରି ଲୋକଟାକୁ ତଡ଼ିଦିଅ ମିସ୍ ହଣ୍ଟର୍‍ ।’

 

‘ଆମେ ତା ଆଡ଼କୁ ନ ଚାହିଁବା ବରଂ ଭଲ ।’

 

‘ନା, ନା, ତା’ହେଲେ ଲୋକଟା ବରାବର ଆସି ଏଠି ପଇଁତରା ମାରିବ । ତୁମେ ହାତ ଠାରି ତାକୁ ତଡ଼ିଦିଅ ।’

 

“ମୁଁ ସେଇଆ କଲି, ଆଉ ସାଙ୍ଗେ ସାଙ୍ଗେ ମିସେସ୍ ରୁକାସ୍‌ଲ୍‌ ଝରକାର ପରଦାଟା ପକାଇଦେଲେ । ଏ ହେଲା ଏକ ସପ୍ତାହ ତଳର ଘଟଣା । ସେଇ ଦିନଠୁଁ ମୋତେ ଆଉ ଝରକା ପାଖରେ ବସିବାକୁ ପଡ଼ିନାହିଁ, କିମ୍ୱା ସେ ନୀଳ ପୋଷାକ ପିନ୍ଧିବାକୁ ପଡ଼ିନାହିଁ, କିମ୍ୱା ରାସ୍ତା ଉପରେ ସେ ଲୋକର ଆଉ ଦେଖା ନାହିଁ ।”

 

“ଆଉ ଯାହା କହିବାର ଅଛି କୁହ”—କହିଲେ ହୋମ୍‌ସ୍‌ ।

 

“ମୁଁ ଯେଉଁ ଦିନ ଆସିଲି ସେଇ ଦିନ ମିଷ୍ଟର ରୁକାସ୍‌ଲ୍‌ ମୋତେ ଖଞ୍ଜା ବାହାରେ ଥିବା ଗୋଟେ କୋଠରୀ ଦେଖାଇଦେଲେ । କୋଠରୀଟା ରନ୍ଧାଘର ଦରଜା ପାଖକୁ ଲାଗି । ସେ ଘର ଭିତରୁ ଗୋଟାଏ ଶିକୁଳିର ଝଣ୍ ଝଣ୍ ଶବ୍ଦ ଆଉ କୌଣସି ଗୋଟାଏ ବଡ଼ ଜୀବ ବୁଲିବାର ଶବ୍ଦ ଶୁଣାଯାଉଥାଏ । କବାଟର ପଟା ଫାଙ୍କରେ ଭିତରକୁ ଚାହିଁବାକୁ ରୁକାସଲ୍‍ ମୋତେ କହିଲେ । ଭିତରକୁ ଚାହିଁ ମୁଁ ଦେଖିଲି ଦୁଇଟା ଜଳନ୍ତା ଆଖି ଆଉ ଗୋଟେ ଅସ୍ପଷ୍ଟ ମୂର୍ତ୍ତି ।

 

ମୋ ମାଲିକ କହିଲେ, ‘ଭୟକରନା; ସେଇଟା ମୋ କୁକୁର କାର୍ଲୋ, ମୋ କୁକୁର ସତ, କିନ୍ତୁ କେବଳ ଟୋଲର୍ ତାକୁ ଆୟତ୍ତ କରିପାରେ । ସେ ଦିନରେ ଥରେ ଖାଏ । ପ୍ରତି ରାତିରେ ଟୋଲର୍‍ ତାକୁ ଫିଟାଇଦିଏ । ଯଦି କେହି ଘର ଭିତରକୁ ପଶେ ତେବେ ତା ମୁନିଆଁ ଦାନ୍ତରୁ ରକ୍ଷା ପାଇବ ନାହିଁ । ରାତିରେ ଭୁଲରେ କେବେ ଗେଟ୍ ଆଡ଼େ ପାଦ ପକାଇବ ନାହିଁ । ଜୀବନ ଉପରେ ବିପଦ ପଡ଼ିପାରେ ।

 

“ଦୁଇ ଦିନ ପରେ । ରାତି ଦୁଇଟାବେଳକୁ ମୁଁ ମୋ ଶୋଇବାଘର ଝରକାବାଟେ ବାହାରକୁ ଚାହିଁଲି । ତୋଫା ଜହ୍ନ ପଡ଼ିଥାଏ । ହଠାତ୍ ମୋତେ ଜଣାଗଲା କପର୍ ବିଚେସ୍ ଗଛ ଛାଇରେ କିଛି ଗୋଟାଏ ବୁଲୁଛି । ତା’ପରେ ମୁଁ ତାକୁ ଦେଖିପାରିଲି । ବାଛୁରୀପରି ଗୋଟେ ବିରାଟ କୁକୁର । ଜିଭ ଲହଲହ କରୁଛି । ମୁହଁଟା କଳା ଆଉ ଦାନ୍ତଗୁଡ଼ାକ ଖୁବ୍ ବଡ଼ ବଡ଼ । ପଡ଼ିଆ ଭିତର ଦେଇ ସେଟା ଧୀରେ ଧୀରେ ଆର ପାଖକୁ ଚାଲିଗଲା । ସେଇ ଭୟଙ୍କର କୁକୁରଟାକୁ ଦେଖି ମୋ ଛାତି ଥରିଉଠିଲା ।

 

“ଏଥର ଆଉ ଏକ ବିଚିତ୍ର ଅନୁଭୂତି ମୁଁ ଆପଣଙ୍କୁ କହୁଛି । ଆପଣ ଜାଣନ୍ତି ମୁଁ ଲଣ୍ଡନରେ ମୋ ମୁଣ୍ଡର ବାଳ କାଟି ଦେଇଥିଲି । ତାକୁ ଗୁଡ଼େଇ ମୁଁ ମୋ ଟ୍ରଙ୍କର ସବା ତଳେ ରଖିଦେଇଥିଲି । ଦିନେ ସନ୍ଧ୍ୟାରେ ମୁଁ ଘରର ଚଉକି ଟେବୁଲ ଆଦି ଉପକରଣଗୁଡ଼ା ଦେଖୁଥିଲି । ଡ୍ରୟର ଥିବା ଗୋଟେ ପୁରୁଣା ଆଲମାରି । ଉପର ଡ୍ରୟର ଦୁଇଟା ଖୋଲା ଏବଂ ଖାଲି । ତଳ ଡ୍ରୟରଟାରେ ତାଲା ପଡ଼ିଥିଲା । ମୁଁ ପ୍ରଥମ ଦୁଇଟାରେ ମୋ ଜିନିଷ ଭର୍ତ୍ତିକରିଦେଇଥିଲି । ତଥାପି ମୋର ଆହୁରି କେତେକ ଜିନିଷ ଥାଏ । ମୁଁ ତୃତୀୟ ଡ୍ରୟରଟା ଖୋଲିବାପାଇଁ ମୋ ଚାବିମାଳ ନେଇ ଲଗାଇଲି । ପ୍ରଥମ ଚାବିଟାରେହିଁ ଡ୍ରୟରଟା ଖୋଲିଗଲା । ତା ଭିତରେ କେବଳ ଗୋଟିଏ ଜିନିଷ ଥିଲା । ସେ ହେଲା ମୋର ବାଳପେଣ୍ଡା ।

 

“ମୁଁ ତାକୁ ବାହାରକୁ ଆଣି ଭଲଭାବରେ ପରୀକ୍ଷା କରି ଦେଖିଲି । ମୋ ବାଳର ରଙ୍ଗ ଆଉ ସେତିକି ମୋଟା । ମୋ ହାତ ଥରିଗଲା । ମୁଁ ମୋ ଟ୍ରଙ୍କ ଖୋଲି ତଳୁ ମୋ ବାଳ ପେଣ୍ଡାଟା ଆଣିଲି । ଦୁଇଟାଯାକ ପେଣ୍ଡା ଏକାଠି ରଖିଲି । ଦୁଇଟାଯାକ ସବୁ ପ୍ରକାରେ ସମାନ । ମୁଁ କିଛି ବୁଝି ପାରିଲି ନାହିଁ । ଶେଷରେ ବାଳ ପେଣ୍ଡାଟା ଡ୍ରୟରରେ ରଖିଦେଲି । ମିଷ୍ଟର ବା ମିସେସ୍ ରୁକାସ୍‍ଲ୍‍ଙ୍କୁ ଏ ବିଷୟରେ କିଛି କହିଲି ନାହିଁ ।

 

“ପ୍ରତ୍ୟେକ ଜିନିଷକୁ ଭଲ ଭାବରେ ଲକ୍ଷ୍ୟ କରିବା ମୋର ଅଭ୍ୟାସ । ଖୁବ୍ ଶୀଘ୍ର ମୁଁ ସମୁଦାୟ ଘରର ଗୋଟେ ନକ୍‌ସା ମନେରଖିନେଲି । ଖଞ୍ଜାର ଗୋଟାଏ ପାଖ ଅଚଳ ହୋଇ ପଡ଼ିରହିଥାଏ । ସେ ପାଖକୁ ଯିବାପାଇଁ ଗୋଟାଏ ଦରଜା, କିନ୍ତୁ ସବୁବେଳେ ତାଲା ପଡ଼ିଥାଏ । ଦିନେ ମୁଁ ସିଡ଼ି ବାଟେ ଉପରକୁ ଗଲି । ସେଇ ଦରଜାବାଟେ ମିଷ୍ଟର ରୁକାସ୍‍ଲ୍ ଆସୁଥିଲେ । ତାଙ୍କ ହାତରେ ଚାବିମାଳା । ତାଙ୍କ ହସ ହସ ମୁହଁ କେମିତି ଗମ୍ଭୀର ଦେଖାଯାଉଥାଏ । ମୁହଁ ଲାଲ ପଡ଼ିଯାଇଥାଏ । ରାଗରେ ଆଖିପତା କୁଞ୍ଚିତ ହୋଇଯାଇଥାଏ ଏବଂ କପାଳର ଶିରାଗୁଡ଼ା ଟାଣିହୋଇ ଦିଶୁଥାଏ । ସେ ଦରଜା ତାଲାଦେଇ ଖୁବ୍ ତରତରରେ ଚାଲିଗଲେ । ମତେ କିଛି ବି କହିଲେ ନାହିଁ ।

 

“ଏଥିରେ ମୋ ମନରେ କୌତୂହଳ ଆସିଲା । ମୁଁ ବାହାର ପଡ଼ିଆ ଆଡ଼େ ବୁଲିଗଲାବେଳେ ଘରର ସେଇ ପାଖକୁ ଚାଲିଗଲି । ସେ ପାଖର ଝରକାଗୁଡ଼ା ଦେଖିପାରିଲି । ଧାଡ଼ି ହୋଇ ଚାରିଟା ଝରକା । ସେଥିରୁ ତିନିଟା ସବୁବେଳେ ବନ୍ଦ ରହି ଖୁବ୍ ମଇଳା ହୋଇଯାଇଥିଲା । ଚତୁର୍ଥ ଝରକାରେ ସଫା କବାଟ ଲାଗିଥିଲା । ଏତିକିବେଳେ ମିଷ୍ଟର ରୁକାସ୍‍ଲ୍ ହସି ହସି ଆସି ପହଞ୍ଚିଲେ ।

 

ହସ ହସ ମୁହଁରେ ସେ କହିଲେ, ‘କିଛି ମନେ କରିବ ନାହିଁ ମିସ୍ ହଣ୍ଟର୍, ବ୍ୟବସାୟ ସଂକ୍ରାନ୍ତରେ ମୁଁ ଟିକିଏ ଚିନ୍ତାକରୁଥିଲି । ତେଣୁ ସେତେବେଳେ ତୁମକୁ କିଛି ନ କହି ଚାଲିଆସିଲି ।’

 

ସେଥିପାଇଁ ମୁଁ ମୋଟେ ଦୁଃଖିତ ବା ଅପମାନିତ ନୁହେଁ ବୋଲି ତାଙ୍କୁ ଉତ୍ତର ଦେଲି । ତା’ପରେ କହିଲି, ‘ଉପରେ ଆପଣଙ୍କର ଗୁଡ଼ାଏ କୋଠରୀ ଖାଲି ପଡ଼ିଛି । ସେଥିରୁ ଗୋଟାକର ଝରକା ତ ଖୋଲା ଅଛି ।’

 

“ଫଟୋ ଉଠାଇବା ମୋର ଗୋଟାଏ ସଉକ । ସେ ଘରଟାକୁ ମୁଁ ଡାର୍କରୁମ୍ ରୂପେ ବ୍ୟବହାର କରେ । କିନ୍ତୁ ତୁମେ ଏତେ କଥା ଲକ୍ଷ୍ୟ କରିଛ ବୋଲି କିଏ ବିଶ୍ୱାସ କରିବ ?”

 

“ସେ ଅବଶ୍ୟ ହସି ହସି ଏ କଥା କହିଲେ । କିନ୍ତୁ ମୁହଁର ଭାବ ଏବଂ ଆଖିର ଚାହାଣୀ କିପରି ଆନନ୍ଦଦାୟକ ନ ଥିଲା ।’’

 

ମୁଁ ବୁଝିଲି, ଉପର ଘରେ କିଛି ଅଛି ଆଉ ମୋତେ ତା ଜାଣିବାକୁ ଦିଆଯିବ ନାହିଁ । ସେତିକି ବେଳୁ ତାକୁ ଦେଖିବା ପାଇଁ ମୋର ବଡ଼ ଇଚ୍ଛା ହେଲା । ଗଲା କାଲି ସେ ସୁଯୋଗ ମୋତେ ମିଳିଗଲା । ମିଷ୍ଟର ରୁକାସ୍‌ଲ୍‌ଙ୍କ ବ୍ୟତୀତ ଟୋଲର୍ ଏବଂ ତାର ସ୍ତ୍ରୀ ମଧ୍ୟ ଉପରକୁ ଯାଇ କ’ଣ କରନ୍ତି । ଥରେ ଟୋଲର୍ ଗୋଟେ ବଡ଼ କଳା ଲିନେନ୍ ବ୍ୟାଗ ଧରି ଉପରକୁ ଯିବାର ମୁଁ ଦେଖିଛି । କାଲି ସନ୍ଧ୍ୟାରେ ଟୋଲର୍ ବହୁତ ମଦ ପିଇଦେଇଥିଲା । ମୁଁ ଯେତେବେଳେ ଉପରକୁ ଗଲି ଦେଖିଲି ଚାବିଟା ତାଲାରେ ଲାଗିଛି । ମିଷ୍ଟର ଆଉ ମିସେସ୍ ରୁକାସ୍‍ଲ୍ ତଳେ ଥିଲେ । ପିଲାଟି ମଧ୍ୟ ତାଙ୍କ ପାଖେ ଥିଲା । ମୋତେ ସୁବର୍ଣ୍ଣ ସୁଯୋଗ ମିଳିଗଲା । ମୁଁ ଚାବି ଖୋଲି ଭିତରକୁ ଚାଲିଗଲି ।

 

ମୋ ଆଗରେ ଏକ ଛୋଟ ରାସ୍ତା । ଠିକ୍ ସମକୋଣ ଭାବରେ ବାଙ୍କି ତାହା ଘରର ସେପାଖ ମୁଣ୍ଡଯାଏ ଯାଇଛି । ଏଇ ବାଙ୍କ ପରେ ଧାଡ଼ି ହୋଇ ତିନିଟା ଦରଜା । ପ୍ରଥମ ଆଉ ତୃତୀୟ ଦୁଇଟା ଖୋଲା ଥିଲା । ସେ ଘର ଦୁଇ ବଖରା ଖୁବ୍ ଅଳିଆ ହୋଇ ପଡ଼ିଥିଲା । ଗୋଟାକରେ ଦୁଇଟା ଏବଂ ଅନ୍ୟଟାରେ ଗୋଟେ ଝରକା । ମଝି ଦରଜାଟା ବନ୍ଦ ଥିଲା । ବାହାରେ ଗୋଟାଏ ଓସାରିଆ ଲୁହା ଛଡ଼ ଦିଆଯାଇ ତାଲା ପଡ଼ିଥିଲା । ଦରଜାଟାରେ ମଧ୍ୟ ତାଲା । ମୁଁ ବାହାରେ ଠିଆହୋଇ ସେଇ ଦରଜା ଆଡ଼େ ଚାହିଁଲି । ଘର ଭିତରୁ ପାଦ ଶବ୍ଦ ଶୁଣାଗଲା । ଦରଜା ତଳ ଫାଙ୍କବାଟେ ସାମାନ୍ୟ ଆଲୁଅ ଘରଭିତରକୁ ଯାଉଥିଲା । ମୁଁ ଦେଖିଲି ଗୋଟାଏ ଛାଇ ଘର ଭିତରେ ଏ ପାଖ ସେପାଖ ବୁଲୁଛି ।

 

ମୋ ମନରେ ଗୋଟେ ଅଜଣା ଭୟ ଜାତ ହେଲା । ବୁଲିପଡ଼ି ମୁଁ ସିଧା ତଳକୁ ଦୌଡ଼ିଆସିଲି । ମିଷ୍ଟର ରୁକାସ୍‍ଲ୍ ତଳେ ଠିଆ ହୋଇଥିଲେ । ମୁଁ ଯାଇ ତାଙ୍କ ଉପରେ ହାବୁଡ଼ିଗଲି-

 

“ହସି ହସି ସେ କହିଲେ, “ତା’ହେଲେ ତୁମେ ? ଏ ଦରଜାଟା ଖୋଲା ଦେଖି ମୁଁ ସେଇଆ ଭାବିଥିଲି ।’’

 

ଅଣନିଶ୍ୱାସୀ ହୋଇ ମୁଁ କହିଲି, ‘ମୋତେ ଭାରି ଭୟ ଲାଗୁଛି ।’

 

ଖୁବ୍ ଆଦର କରି ସେ କହିଲେ, ‘କାହିଁକି ଭୟ ଲାଗୁଛି ?’

 

“ତାଙ୍କ ସ୍ୱରଟା ଅତି ମାତ୍ରାରେ ଫୁସୁଲେଇବା ପରି ଜଣାଗଲା । ମୁଁ ତାଙ୍କୁ ବିଶ୍ୱାସ କରିପାରିଲି ନାହିଁ । କହିଲି, ‘ମୁଁ ଉପରର ସେଇ ଖାଲି ଘର ଆଡ଼େ ଯାଇ ବୋକାମୀ କରିଛି । ସେଟା ଏତେ ନିରୋଳା ଆଉ ଭୟଙ୍କର, ମୁଁ ଦୌଡ଼ି ପଳାଇ ଆସିଲି ।’’

 

ସେ ମୋ ଆଡ଼େ ନିରେଖି ଚାହିଁ କହିଲେ, ‘ଏଇଆ ?’

 

‘‘ଆଉ କ’ଣ ବୋଲି ଆପଣ ଭାବୁଛନ୍ତି ?”

 

“ମୁଁ କାହିଁକି ଏ ଦରଜାଟା ବନ୍ଦ କରିଛି ବୋଲି ଭାବୁଛ ?”

 

“ସତ କହୁଛି, ମୁଁ ଜାଣିନଥିଲି ।”

 

“ଯେଉଁମାନଙ୍କର ସେଠି କିଛି କାମ ନାହିଁ, ସେମାନଙ୍କ ପାଇଁ ମୁଁ ଏ ଦରଜା ବନ୍ଦ କରିଛି । ବୁଝି ପାରିଲ ?” ସେ ତଥାପି ହସୁଥାନ୍ତି ।

 

“ମୁଁ ଯେବେ ଜାଣି ଥାଆନ୍ତି– ।”

 

“ଏବେ ତ ଜାଣିଲ । ଆଉ ଯେବେ ସେଠି ପାଦ ପକାଅ–’’ ଏଇଠି ତାଙ୍କ ହସ ଚାଲିଗଲା ଏବଂ ମୁହଁରେ ଭୀଷଣ ରାଗ ଦେଖାଗଲା । ସେ ଗୋଟାଏ ରାକ୍ଷସ ପରି ମୋଆଡ଼େ ଚାହିଁଲେ—“ମୁଁ ତୁମକୁ ସେଇ କୁକୁର ମୁହଁରେ ପକାଇଦେବି ।”

 

“ମୁଁ ଏତେ ଡରିଗଲି ଯେ ତା’ପରେ ମୁଁ କଣ କଲି ଜାଣେନା । ଭାବୁଛି ମୁଁ ତାଙ୍କୁ ଡେଇଁ ମୋ କୋଠରୀକୁ ପଳାଇ ଆସିଲି । ତା’ପରେ ମୋର ଆପଣଙ୍କ କଥା ମନେପଡ଼ିଲା । ଆପଣ ଆସିଲେ ସବୁ ଠିକ୍ ହେବ । ଟେଲିଗ୍ରାଫ୍ ଅଫିସ୍‌କୁ ଆସି ଆପଣଙ୍କ ପାଖକୁ ଟେଲିଗ୍ରାମ୍ କଲି । ମନଟା ଅନେକ ଆଶ୍ୱସ୍ତ ହେଲା । ଫେରିଲା ବେଳେ ଘରପାଖରେ ପହଞ୍ଚିଲା ବେଳକୁ ସନ୍ଦେହ ହେଲା—କାଳେ କୁକୁରଟା ଖୋଲାଥିବ । ତା’ପରେ ମନେପଡ଼ିଲା ଟୋଲର୍ ମଦ ପିଇ ମାତାଲହୋଇ ପଡ଼ିଛି । ତା ବିନା ଅନ୍ୟ କେହି କୁକୁରଟାକୁ ଖୋଲିବାକୁ ସାହସ କରିବ ନାହିଁ । ଆଜି ସକାଳେ ଏଠିକି ଆସିବା ପାଇଁ ମୋର କିଛି ଅସୁବିଧା ହୋଇନାହିଁ । ମିଷ୍ଟର ଏବଂ ମିସେସ୍ ରୁକାସ୍‍ଲ୍ ବାହାରକୁ ଯାଇଛନ୍ତି”—ରାତିରେ ଫେରିବେ । ମୁଁ ଗଲେ ପିଲାଟା କଥା ବୁଝିବି । ମୁଁ ଆପଣଙ୍କ ଆଗରେ ମୋ ଦୁଃସାହସିକ ଅନୁଭୂତି ବିଷୟ କହିଲି । ଏଥର କହନ୍ତୁ ଏ ସବୁର ଅର୍ଥ କଣ ଆଉ ମୁଁ କଣ କରିବି ।”

 

ହୋମ୍‌ସ୍ ଆଉ ମୁଁ ବସ୍ମିତ ହୋଇ ଏଇ ଅଦ୍ଭୁତ କାହାଣୀ ଶୁଣିଲୁ । ହୋମ୍‌ସ୍ ଚଉକିରୁ ଉଠି ଘର ଭିତରେ ଏପଟ ସେପଟ ହେଉ ହେଉ ପଚାରିଲେ—

 

“ଟୋଲର୍‌ କଣ ଏବେ ବି ମାତାଲ ହୋଇ ପଡ଼ିଛି ?”

 

“ହଁ, ମୁଁ ଶୁଣିଛି, ତା ସ୍ତ୍ରୀ ମିସେସ୍ ରୁକାସ୍‍ଲ୍‌ଙ୍କୁ କହୁଥିଲା ।”

 

“ତେବେ ଖୁବ୍ ଭଲ । ମିଷ୍ଟର ଆଉ ମିସେସ୍ ରୁକାସ୍‌ଲ୍ ରାତିରେ ବାହାରେ ଥିବେ ?”

 

“ହଁ ।”

 

“ଖଞ୍ଜା ଭିତରେ କୌଣସି ମାଟିତଳ କୋଠରୀ ଅଛି ?”

 

“ହଁ, ମଦ ରଖିବା କୋଠରୀ ।”

 

“ମିସ୍ ହଣ୍ଟର୍, ମୁଁ ଦେଖୁଛି ଏ ଘଟଣାରେ ତୁମେ ଖୁବ୍ ସାହସ ଆଉ ବିଚାର ସହ କାମ କରିଛ । ଆଉ ଗୋଟିଏ କାମ କରିପାରିବ ? ତୁମେ ସେମିତି ବିଚକ୍ଷଣ ହୋଇନଥିଲେ ମୁଁ ଏକଥା କହନ୍ତି ନାହିଁ ।”

 

“ମୁଁ ଚେଷ୍ଟା କରିବି । କାମଟା କ’ଣ ?”

 

“ସାତଟା ବେଳକୁ ମୁଁ ଆଉ ମୋ ବନ୍ଧୁ କପର୍ ବିଚେସରେ ପହଞ୍ଚିବୁ । ରୁକାସ୍‌ଲ୍ ଦମ୍ପତି ସେତେବେଳକୁ ବାହାରକୁ ଯାଇଥିବେ । ଟୋଲର୍ ମଦ ଖାଇ ମାତାଲ୍ ହୋଇ ପଡ଼ିଥିବ । ଆଉ କେବଳ ରହିଲା ମିସେସ୍ ଟୋଲର୍ । ସେ ଆମକୁ ଦେଖି ପାଟିକରି ଜଣେଇଦେଇପାରେ । ତୁମେ ଯଦି ତାକୁ କିଛି ଆଳରେ ଏଇ ଭୂଇଁତଳ କୋଠରୀକୁ ନେଇ ବନ୍ଦ କରିଦେଇପାରିବ ତେବେ କାମଟା ବହୁତ ସହଜ ହୋଇଯିବ ।”

 

“ମୁଁ ତା କରିପାରିବି ।”

 

“ଚମତ୍କାର ! ଅବଶ୍ୟ ଘଟଣାର ଗୋଟାଏ ମାତ୍ର ଅର୍ଥ । କାହାରି ଜଣକର ଅଭିନୟ କରିବା ପାଇଁ ତୁମକୁ ଏଠିକି ଅଣାଯାଇଛି । ପ୍ରକୃତ ଲୋକ ସେଇ କୋଠରୀରେ ବନ୍ଦୀ ହୋଇ ରହିଛି । ସେ ଲୋକ ଯେ ତାଙ୍କ ଝିଅ ମିସ୍ ଆଲିସ୍ ରୁକାସ୍‌ଲ୍, ସେଥିରେ ମୋର ସନ୍ଦେହ ନାହିଁ । ସେ ଆମେରିକା ଯାଇଛି ବୋଲି କୁହାଯାଇଛି । ତୁମର ଉଚ୍ଚତା, ଆକୃତି ଆଉ ମୁଣ୍ଡ ବାଳର ରଙ୍ଗ ତା ସଙ୍ଗେ ସମାନ ବୋଲି ତୁମକୁ ବଛାଯାଇଛି । ତା ମୁଣ୍ଡର ବାଳ ସମ୍ଭବତଃ କୌଣସି ବେମାର ଯୋଗୁଁ କଟା ହୋଇଥିଲା, ତେଣୁ ତୁମ ବାଳ କାଟିବାକୁ ପଡ଼ିଲା । ରାସ୍ତା ଉପରୁ ଚାହୁଁଥିବା ଲୋକ ନିଶ୍ଚୟ ତାର କେହି ବନ୍ଧୁ, ବୋଧହୁଏ ପ୍ରେମିକ । ତୁମେ ସେ ଝିଅର ପୋଷାକ ପିନ୍ଧି ଠିକ୍ ତା’ପରି ଦେଖାଗଲ । ତୁମର ହସ ଆଉ ଭଙ୍ଗୀରୁ ସେ ଲୋକ ବୁଝିଲା ଯେ ଝିଅଟି ଆଉ ତାକୁ ଚାହେଁନା । କାଳେ ରାତିରେ ସେ ଝିଅଟି ପାଖକୁ କିଛି ଖବର ପଠାଇବ, ସେଥିପାଇଁ କୁକୁରଟାକୁ ଖୋଲି ଦିଆଯାଏ । ସବୁଠୁଁ ବିପଜ୍ଜନକ ହେଲା ସେ ଶିଶୁର ପ୍ରକୃତି ।”

 

“ତାର ଏ ଘଟଣା ସଙ୍ଗେ ସମ୍ପର୍କ କ’ଣ”—ମୁଁ ପଚାରିଲି ।

 

“ପିଲାଟାର ସ୍ୱଭାବ ଅସାଧାରଣ ଭାବେ ନିଷ୍ଠୁର । ଏଇଗୁଣଟା ସେ ତାର ବାପ ବା ମା ଯାହାଠାରୁ ଆଣିଥାଉ ନା କାହିଁକି, ବିଚାରୀ ଝିଅ ପକ୍ଷରେ ତାହା ଏକ ଅଶୁଭ ଶକୁନ ।”

 

“ଆପଣ ଠିକ୍ କହିଛନ୍ତି ମିଷ୍ଟର ହୋମ୍‌ସ୍ ! ମୁଁ ଆଉ ମୁହୂର୍ତ୍ତେ ଡେରି କରିବି ନାହିଁ,”—ମିସ୍ ହଣ୍ଟର୍ ଚିତ୍କାର କରି ଉଠିଲେ ।

 

“ସାତଟା ଫୂର୍ବରୁ ଆମେ କିଛି କରି ପାରିବା ନାହିଁ । ସେତିକି ବେଳେ ଆମେ ତୁମ ପାଖରେ ପହଞ୍ଚିବୁ । ତା’ପରେ ସମସ୍ୟାଟାର ସମାଧାନ କରିବାକୁ ବେଶୀ ସମୟ ଲାଗିବ ନାହିଁ ।”

 

ଠିକ୍ ସାତଟାବେଳେ ଆମେ କପର୍ ବିଚେସରେ ପହଞ୍ଚିଲୁ । ମିସ୍ ହଣ୍ଟର୍ ହସ ହସ ମୁହଁରେ ଦରଜା ପାଖରେ ଠିଆହୋଇଥିଲେ ।

 

“କାମଟା କରିପାରିଲ ?” ହୋମ୍‌ସ୍ ପଚାରିଲେ ।

 

ତଳୁ କିଛି ଗୋଟାଏ ପଡ଼ିବାପରି ଶବ୍ଦ ହେଲା । ମିସ୍ ହଣ୍ଟର୍ କହିଲେ, “ମଦକୋଠରୀରେ ମିସେସ୍ ଟୋଲର୍‍ର ଶବ୍ଦ, ତା ସ୍ୱାମୀ ରନ୍ଧାଘରେ କମ୍ବଳ ଉପରେ ପଡ଼ି ଘୁଙ୍ଗୁଡ଼ି ମାରୁଛି । ଏଇ ତାର ଚାବିମାଳ । ମିଷ୍ଟର ରୁକାସ୍‍ଲ୍‌ଙ୍କ ଚାବିର ଅବିକଳ ନକଲ ।”

 

“ତୁମେ ବେଶ୍ ସୁନ୍ଦର ଭାବରେ ସବୁ କାମ କରିଛ । ଏଥର ବାଟ କଢ଼ାଅ ।”

 

ପାହାଚ ଅତିକ୍ରମ କରି ଦରଜା ଖୋଲି ଆମେ ବନ୍ଦ ଥିବା ଦରଜା ପାଖରେ ପହଞ୍ଚଲୁ । ହୋମ୍‌ସ୍ ଛଡ଼ଟାକୁ ଟାଣି ବାହାର କରିଦେଲେ । ଦରଜାର ତାଲା ଖୋଲିବାପାଇଁ ସେ କେତେଗୁଡ଼ାଏ ଚାବିରେ ଚେଷ୍ଟା କଲେ, କିନ୍ତୁ ତାଲା ଖୋଲିଲା ନାହିଁ । ଘର ଭିତରୁ କିଛି ଶବ୍ଦ ଶୁଭୁନଥାଏ । ହୋମ୍‌ସ୍ ଆଉ ମୁଁ କାନ୍ଧ ଲଗାଇ କବାଟକୁ ପେଲିଲୁ । ପୁରୁଣା ଦୁର୍ବଳ କବାଟଟା ସହଜରେ ଭାଙ୍ଗିଗଲା । ଆମେ ଦୁହେଁ ଘର ଭିତରକୁ ପଶିଗଲୁ । ଭିତରେ ସରଞ୍ଜାମ କିଛି ନ ଥିଲା-। କେବଳ ଖଣ୍ଡେ ଛୋଟ ଖଟ, ଖଣ୍ଡେ ଛୋଟ ଟେବୁଲ, ଆଉ ଗୋଟାଏ ବାସ୍କେଟରେ ଲିନେନ୍‍ଗୁଡ଼ାଏ । ଘରର ସ୍କାଇଲାଇଟ ଖୋଲା ଥିଲା ଆଉ ବନ୍ଦୀ ଚାଲିଯାଇଥିଲା ।

 

ହୋମ୍‍ସ୍ କହିଲେ, “ଏଠି ଗୋଟାଏ ଶୟତାନୀ ହୋଇଯାଇଛି । ଲୋକଟା ମିସ୍‌ ହଣ୍ଟର୍‌ଙ୍କ ଉଦ୍ଦେଶ୍ୟ ଜାଣିପାରିଛି ଏବଂ ତାର ଶିକାରକୁ ଏଠାରୁ ନେଇଯାଇଛି ।”

 

“କିନ୍ତୁ କିପରି ?”

 

“ସ୍କାଇଲାଇଟ୍ ବାଟେ । ସେ କେମିତି ନେଇଛି ଆମେ ଏବେ ଜାଣି ପାରିବା ।”

 

ସେ ଛାତ ଉପରକୁ ଝୁଲି ପଡ଼ିଲେ । “ହଁ, ଏଇଠି ଗୋଟେ ଲମ୍ବା ହାଲୁକା ଶିଡ଼ିର ଅଗ୍ରଭାଗ ଛାତର ବାହାର ଧାରକୁ ଲାଗିଛି । ଏମିତି ସେ ତା କାମ ହାସଲ କରିଛି ।”

 

“କିନ୍ତୁ ଏହା ଅସମ୍ଭବ ।” ମିସ୍ ହଣ୍ଟର୍‍ କହିଲେ । “ରୁକାସ୍‍ଲ୍ ଦମ୍ପତି ବାହାରକୁ ଗଲାବେଳେ ସିଡ଼ିଟା ସେଠି ନ ଥିଲା ।”

 

“ସେ ଫେରିଆସି ଏହା କରିଛି । ଲୋକଟା ଖୁବ୍ ଚାଲାକ୍ ଆଉ ବିପଜ୍ଜନକ ଏଇ, ପାହାଚରେ ପାଦ ଶବ୍ଦ ଶୁଭୁଛି । ଲୋକଟା ନିଶ୍ଚୟ ରୁକାସ୍‌ଲ୍ । ଉଆଟ୍‌ସନ୍, ତୁମ ପିସ୍ତଲ ପ୍ରସ୍ତୁତ ରଖିଥାଅ ।”

 

ତାଙ୍କ ତୁଣ୍ଡରୁ କଥା ସରୁ ନ ସରୁଣୁ ପାହାଚ ଦରଜା ପାଖରେ ଗୋଟାଏ ମୋଟା ଲୋକ ପହଞ୍ଚିଗଲା । ତା ହାତରେ ଗୋଟାଏ ମୋଟା ବାଡ଼ି । ମିସ୍ ହଣ୍ଟର୍ ଲୋକଟାକୁ ଦେଖି ହାଉଳିଉଠିଲେ, କିନ୍ତୁ ହୋମ୍‍ସ୍ ଆଗକୁ ଡେଇଁ ପଡ଼ିଲେ ।

 

“ଶୟତାନ, ତୋ ଝିଅ କେଉଁଠି ?”–ସେ ଗର୍ଜିଉଠିଲେ ।

 

ଲୋକଟା ଓଲଟା ଗର୍ଜି ଉଠିଲା, “ଚୋର ଦଳ ଧରା ପଡ଼ିଛ । ତୁମେ ଏବେ ମୋ ଅକ୍ତିଆରରେ ।” ଏତିକି କହି ଲୋକଟା ପାହାଚରେ ତଳକୁ ଦୌଡ଼ିଗଲା ।

 

“ସେ କୁକୁରଟା ଆଣିବାକୁ ଗଲା ।” ମିସ୍ ହଣ୍ଟର୍‍ ଚିତ୍କାର କରିଉଠିଲେ ।

 

ମୁଁ କହିଲି, “ମୋ ପାଖରେ ରିଭଲ୍‌ଭର୍ ଅଛି ।”

 

“ସାମନା ଦରଜାଟା ବରଂ ବନ୍ଦ କରିଦେବା ।” ହୋମ୍‍ସ୍ କହିଲେ । ଆମେ ତଲକୁ ଦୌଡ଼ିଗଲୁ । ଆମେ ହଲ୍ ଘରେ ପହଞ୍ଚିଛୁ କି ନାହିଁ ଗୋଟାଏ କୁକୁରର ଗର୍ଜନ ଶୁଣିଲୁ । ତା’ପରେ ଗୋଟାଏ କରୁଣ ଚିତ୍କାର । ଗୋଟାଏ କଡ଼ ଦରଜା ଦେଇ ଜଣେ ବୟସ୍କ ଲୋକ ଟଳିଟଳି ଆସି ପହଞ୍ଚିଲା । ମୁହଁ ଏବଂ ଆଖି ତାର ପୂରା ନାଲି । ଲୋକଟା ଚିତ୍କାର କରି, ଉଠିଲା, “କୁକୁରଟାକୁ କେହି ଖୋଲିଦେଇଛି । ସେଟା ଦୁଇଦିନ ହେଲା କିଛି ଖାଇନାହିଁ । ଶୀଘ୍ର ଚାଲ, ନଚେତ୍ ଡେରି ହୋଇଯିବ ।”

 

ଆମେ ବାହାରକୁ ଦୌଡ଼ିଗଲୁ । ଆମ ପଛେ ପଛେ ଟୋଲର୍ । ବିରାଟ ଭୋକିଲା କୁକୁରଟା ତା କଳା ମୁହଁଟା ରୁକାସ୍‌ଲ୍‌ଙ୍କ ତଣ୍ଟିରେ ଲଗାଇଦେଇଥାଏ । ରୁକାସ୍‍ଲ୍ ଭୂଇଁରେ ପଡ଼ି ଯନ୍ତ୍ରଣାରେ ଚିତ୍କାର କରୁଥାନ୍ତି । ଦୌଡ଼ିଯାଇ ମୁଁ ଗୋଟାଏ ଗୁଳିରେ କୁକୁରଟାକୁ ମାରିଦେଲି । ବହୁ କଷ୍ଟରେ କୁକୁର ଆଉ ମଣିଷକୁ ଅଲଗା କରି ଆମେ ରୁକାସ୍‍ଲ୍‌ଙ୍କୁ ଘର ଭିତରକୁ ନେଇଗଲୁ । ସେ ବଞ୍ଚିଥା’ନ୍ତି, କିନ୍ତୁ ଭୀଷଣ ଭାବରେ ଆହତ । ତାଙ୍କ ଯନ୍ତ୍ରଣା କମାଇବାକୁ ଯାହା ସମ୍ଭବ ମୁଁ କଲି । ଆମେ ତାଙ୍କୁ ଘେରିରହିଥାଉ । ଏତିକିବେଳେ ଜଣେ ଉଚ୍ଚା, ଦୁର୍ବଳ ସ୍ତ୍ରୀ ଲୋକ ଘର ଭିତରକୁ ଆସିଲା ।

 

ବିସ୍ମୟରେ ମିସ୍ ହଣ୍ଟର୍ ଚିତ୍କାର କରି ଉଠିଲେ, “ମିସେସ୍ ଟୋଲର୍‍ !”

 

“ହଁ ମିସ୍ ହଣ୍ଟର୍‍ ! ମିଷ୍ଟର ରୁକାସ୍‍ଲ୍ ଯେତେବେଳେ ଫେରିଲେ, ତୁମ ପାଖକୁ ଯିବା ଆଗରୁ ମୋତେ ଖୋଲି ଦେଇଥିଲେ । କିନ୍ତୁ ମିସ୍, ଦୁଃଖର କଥା, ତୁମେ କଣ କରିବାକୁ ଯାଉଛ ମୋତେ ଜଣାଇଲ ନାହିଁ । ଜାଣିଥିଲେ ତୁମର ଏତେ ପରିଶ୍ରମ ବୃଥା ହୋଇଯିବ ବୋଲି ମୁଁ କହିଦେଇଥାନ୍ତି ।”

 

ହୋମ୍‍ସ୍ ତା ଆଡ଼କୁ ନିରେଖି ଚାହିଁ କହିଲେ, “ଆଚ୍ଛା ! ଏଟା ପରିଷ୍କାର ଯେ ଘଟଣା ବିଷୟରେ ମିସେସ୍ ଟୋଲର୍ ଅନ୍ୟମାନଙ୍କ ଅପେକ୍ଷା ବେଶୀ ଜାଣନ୍ତି ।”

 

“ହଁ ଆଜ୍ଞା, ମୁଁ ଜାଣେ, ଆଉ ଯାହା ଜାଣେ କହିବାକୁ ବି ପ୍ରସ୍ତୁତ ।”

 

“ତା’ହେଲେ ଶୁଣିବା । ମୁଁ ମାନୁଛି ଯେ କେତେଟା କଥା ମୁଁ ଏପର୍ଯ୍ୟନ୍ତ ବି ଜାଣିପାରିନାହିଁ-।”

 

“ମୁଁ ସବୁ ପରିଷ୍କାର କରିଦେଉଛି । ଯଦି ୟା ଉପରେ କୌଣସି କେଶ୍ ହୁଏ ତେବେ ମନେରଖିବେ ମୁଁ ଆପଣଙ୍କର ଏବଂ ମିସ୍ ଆଲିସ୍‌ଙ୍କର ସପକ୍ଷ ।”

 

“ତାଙ୍କ ବାପା ପୁଣି ବିବାହ କଲାଦିନଠାରୁ ମିସ୍ ଆଲିସ୍ ମୋଟେ ସୁଖରେ ନ ଥିଲେ । ଯାହାହେଉ କୌଣସି ପ୍ରକାରେ ଚଳିଯାଉଥିଲା । ଦିନେ ଜଣେ ବନ୍ଧୁଘରେ ଆଲିସ୍ ମିଷ୍ଟର ଫାଉଲର୍‍ଙ୍କୁ ଭେଟିଲେ । ସେଇ ଦିନଠାରୁ ଅବସ୍ଥା ବେଶୀ ଖରାପ ହେଲା । ମିସ୍ ଆଲିସ୍‌ଙ୍କର ନିଜର କିଛି ସମ୍ପତ୍ତି ଥିଲା । ସେ ତାକୁ ରୁକାସ୍‍ଲ୍‌ଙ୍କ ହାତରେ ଛାଡ଼ିଦେଇଥିଲେ । ଆଲିସ୍ ଏକା ଥିବାଯାଏ କିଛି ଅସୁବିଧା ନାହିଁ । କିନ୍ତୁ ଫାଉଲର୍‌ଙ୍କୁ ସେ ଯଦି ବିବାହ କରନ୍ତି ସମ୍ପତ୍ତିଟା ହାତଛଡ଼ା ହୋଇଯିବ । ତେଣୁ ମିଷ୍ଟର ରୁକାସ୍‍ଲ୍ ଏ ବିଷୟରେ ଶେଷ ନିଷ୍ପତ୍ତି କରିବାକୁ ଚେଷ୍ଟାକଲେ । ଆଲିସ୍ ବିବାହ କରନ୍ତୁ ବା ନ କରନ୍ତୁ, ରୁକାସ୍‍ଲ୍ ତାଙ୍କ ଧନ ବ୍ୟବହାର କରିପାରିବେ ବୋଲି ଲେଖିଦେବାକୁ ସେ କହିଲେ । ଆଲିସ୍ ମନାକଲେ । ତେଣୁ ସେ ଆଲିସ୍‍ଙ୍କୁ ନାନା ଭାବେ ବିବ୍ରତ କଲେ । ଶେଷରେ ବିଚାରୀ ସାଙ୍ଘାତିକ ଭାବେ ଅସୁସ୍ଥ ହୋଇ ଛ’ମାସ ଶଯ୍ୟାଶାୟୀ ହେଲେ । ତା’ପରେ ଅବଶ୍ୟ ଭଲ ହୋଇଗଲେ, କିନ୍ତୁ ଖାଲି ହାଡ଼ ଚମ ଦୁଇଖଣ୍ଡ ରହିଲା । ତାଙ୍କ ମୁଣ୍ଡର ସୁନ୍ଦର ବାଳ ମଧ୍ୟ କଟା ହୋଇଗଲା । ତଥାପି ମିଷ୍ଟର ଫାଉଲର୍ ତାଙ୍କୁ ଆଗପରି ଭଲପାଇଲେ ।”

 

“ବେଶ୍ ବେଶ୍, ଆଉ ଯାହା ରହିଲା ମୁଁ ଅନୁମାନ କରିପାରୁଛି । ମିଷ୍ଟର ରୁକାସ୍‍ଲ୍ ଏଇପରି ଆଲିସ୍‌କୁ ବନ୍ଦୀ କରିବାର ଯୋଜନା କଲେ ?”

 

“ହଁ ଆଜ୍ଞା ।”

 

“ତା’ପରେ ରୁକାସ୍‍ଲ୍ ଫାଉଲର୍‌ଙ୍କୁ ବିଦା କରିଦେବା ପାଇଁ ଲଣ୍ଡନରୁ ମିସ୍ ହଣ୍ଟର୍‍ଙ୍କୁ ନେଇଆସିଲେ । କିନ୍ତୁ ଫାଉଲର୍ ଏଠିକି ଆସିଲେ । ତୁମ ସହିତ ଦେଖା ହେଲା । କୌଣସି ପ୍ରକାରେ ତୁମକୁ ହାତକରି ବୁଝେଇଦେଲେ ଯେ ତୁମ ଦୁଇଜଣଙ୍କର ଉଦ୍ଦେଶ୍ୟ ଏକା ।”

 

“ମିଷ୍ଟର ଫାଉଲର୍ ଅତି ଭଦ୍ର ଆଉ ଦୟାଳୁ ।”

 

“ଏଇପରି ଭାବରେ ଫାଉଲର୍ ତୁମ ସ୍ୱାମୀଙ୍କ ମଦ ପିଇବା ଆଉ ତୁମ ମୁନିବ ବାହାରକୁ ଯିବା ପରେ ଗୋଟାଏ ସିଡ଼ି ଠିକ୍ କରି ରଖିବାର ଯୋଗାଡ଼ କରିନେଲେ !”

 

“ଆପଣ ଠିକ୍ କହିଛନ୍ତି । ଘଟଣାଟା ସେଇଆ ।”

 

ସେଇ ଅଲକ୍ଷଣା କପର୍ ବିଚେସ୍ ଘରର ରହସ୍ୟ ଏଇପରି ସମାଧାନ ହେଲା । ମିଷ୍ଟର ରୁକାସ୍‌ଲ୍ ବଞ୍ଚିଗଲେ, କିନ୍ତୁ ସେ ପୂରାପୂରି ଭାଙ୍ଗିପଡ଼ିଲେ । ତାଙ୍କ ପୁରୁଣା ଚାକର ଚାକରାଣୀ ଏବେ ବି ତାଙ୍କ ପାଖେ ଅଛନ୍ତି । ରୁକାସ୍‍ଲ୍‌ଙ୍କ ଅତୀତ କଥା ବୋଧେ ତାଙ୍କୁ ଜଣା । ତେଣୁ ସେ ତାଙ୍କୁ ତଡ଼ିଦେଇପାରୁନାହାନ୍ତି । ଆଲିସ୍ ଚାଲିଯିବା ପରଦିନ ଫାଉଲର୍‌ଙ୍କ ସଙ୍ଗେ ତାଙ୍କର ବିବାହ ହୋଇଗଲା । ମିସ୍ ହଣ୍ଟର୍ ଏବେ ଉଆଲ୍‌ସାଲରେ ଗୋଟିଏ ଘରୋଇ ସ୍କୁଲର ମୁଖ୍ୟ । ସେ ବେଶ୍ ଉନ୍ନତି କରିପାରିଛନ୍ତି ।

Image

 

ମରଣ ଦୁଆରେ ଡିଟେକ୍‍ଟିଭ୍

 

ସେର୍‍ଲକ୍ ହୋମ୍‌ସ୍ ଯେଉଁ ଘରେ ରହୁଥିଲେ ସେ ଘରର ମାଲିକାଣୀ ମିସେସ୍ ହଡ୍‍ସନ୍‌ଙ୍କ ଧୈର୍ଯ୍ୟ ଖୁବ୍ ବେଶୀ । ତଳେ ବାରପ୍ରକାର ଲୋକଙ୍କର ଗୋଳମାଳ, ଉପରେ ହୋମ୍‌ସ୍‌ଙ୍କ ନିୟମିତତାର ଅଭାବ ତାଙ୍କ ଧୈର୍ଯ୍ୟ କେତେ ସୂଚାଇଦିଏ । ହୋମ୍‌ସ୍ ନିହାତି ଅସମୟରେ ଭାଓଲିନ୍ ବଜାନ୍ତି, ବେଳେ ବେଳେ ଘରଭିତରେ ରିଭଲ୍‌ଭର୍‌ ଫୁଟାନ୍ତି ଆଉ ବେଳେ ବେଳେ ଅଦ୍ଭୁତ ଦୁର୍ଗନ୍ଧପୂର୍ଣ୍ଣ ବୈଜ୍ଞାନିକ ପରୀକ୍ଷା କରିବସନ୍ତି । ଏଥିପାଇଁ ସେ ଲଣ୍ଡନରେ ଭଡ଼ାଟିଆମାନଙ୍କ ଭିତରେ ସବୁଠୁ ଖରାପ । ଅପର ପକ୍ଷରେ ସେ ଘରବାଲାକୁ ଖୁବ୍ ଭଲ ଭଡ଼ା ଦିଅନ୍ତି ।

ଘରର ମାଲିକ ହୋମ୍‌ସ୍‌ଙ୍କୁ ଏକରକମ ଭୟ କରୁଥିଲେ ଆଉ କୌଣସିଥିରେ ତାଙ୍କୁ ବାଧାଦେଉନଥିଲେ । ତାଛଡ଼ା ସେ ହୋମ୍‌ସ୍‌ଙ୍କୁ ଖୁବ୍ ଭଲପାଉଥିଲେ ମଧ୍ୟ । କାରଣ ନାରୀମାନଙ୍କ ପ୍ରତି ହୋମ୍‌ସ୍‌ଙ୍କର ବ୍ୟବହାର ଅତି ଭଦ୍ର ଆଉ ନମ୍ର ।

ମୁଁ ଏସବୁ ଜାଣେ । ଦିନେ ମିସେସ୍ ହଡ୍‍ସନ୍ ମୋ ଘରକୁ ଆସି ମୋ ବନ୍ଧୁଙ୍କ ଶୋଚନୀୟ ଅବସ୍ଥା କଥା କହିଲେ ।

“ସେ ମରିବା ଉପରେ ଡାକ୍ତର ଉଆଟ୍‌ସନ୍ । ତିନିଦିନହେଲା ବିଛଣାରେ ପଡ଼ିଛନ୍ତି । ଆଜି ଦିନଟା ବଞ୍ଚିବେ କି ନାହିଁ ସନ୍ଦେହ । କୌଣସି ଡାକ୍ତରକୁ ଡାକିବାକୁ ମୋତେ ମନାକଲେ । ଆଜି ସକାଳେ ମୁଁ ଆଉ ସହିପାରିଲିନାହିଁ । କହିଲି, “ଆପଣ ରାଜିହୁଅନ୍ତୁ ବା ନ ହୁଅନ୍ତୁ, ମୁଁ ବର୍ତ୍ତମାନ ଜଣେ ଡାକ୍ତର ଡାକିଆଣିବି’ ।”

“ସେ କହିଲେ, ‘ତା’ହେଲେ ଉଆଟ୍‍ସନ୍‌ଙ୍କୁ ଡାକିଆଣ ।’ ଡେରିକରନ୍ତୁ ନାହିଁ । ନଚେତ୍ ଆପଣ ତାଙ୍କୁ ଜୀବିତ ଦେଖିପାରିବେ ନାହିଁ ।”

ମୁଁ ବଡ଼ ଆତଙ୍କିତ ହୋଇଗଲି । କାରଣ ତାଙ୍କ ବେମାର ବିଷୟ ମୁଁ କିଛି ଶୁଣିନଥିଲି । ତରତରରେ କୋଟ୍‌ ଆଉ ଟୋପି ପିନ୍ଧି ମୁଁ ବାହାରିପଡ଼ିଲି । ବାଟରେ ମିସେସ୍ ହଡ୍‍ସନ୍‌ଙ୍କୁ ସବୁକଥା ଟିକିନିଖି ପଚାରିଲି ।

 

ସେ କହିଲେ, “ମୁଁ କିଛି କହିପାରିବି ନାହିଁ । ଗୋଟାଏ କେସରେ ସେ ରଥର୍‌ହାଇଥ୍‌ର ନଇକୂଳର ଗୋଟେ ଗଳିକୁ ଯାଇଥିଲେ । ସେଇଠୁଁ ଏ ରୋଗ ଧରି ଆସିଛନ୍ତି । ବୁଧବାରଦିନଠୁଁ ବିଛଣାରୁ ଉଠିନାହାନ୍ତି । ତିନିଦିନ ହେଲା କିଛି ଖାଇନାହାନ୍ତି କି ପିଇନାହାନ୍ତି ।”

 

“ତୁମେ କୌଣସି ଡାକ୍ତରଙ୍କୁ ଡାକିଲନାହିଁ ?”

 

“ସେ ମନାକଲେ । ଆପଣ ତ ତାଙ୍କୁ ଜାଣନ୍ତି—ତାଙ୍କ କଥା ନ ମାନିବାକୁ ମୋର ସାହସ ହେଲାନାହିଁ । ଆପଣ ଗଲେ ଦେଖିବେ, ସେ ଆଉ ବେଶୀ ସମୟ ବଞ୍ଚିପାରିବେ ନାହିଁ ।”

 

ପ୍ରକୃତରେ ତାଙ୍କ ଅବସ୍ଥା ବଡ଼ କରୁଣ ହୋଇଯାଇଥିଲା । ନଭେମ୍ବର ମାସର କୁହୁଡ଼ିଆ ଦିନ । ଘରଭିତରଟା ଅନ୍ଧାରୁଆ । ବିଛଣା ଉପରୁ ହୋମ୍‌ସ୍ ବଡ଼ କରୁଣ ଦୃଷ୍ଟିରେ ମୋଆଡ଼େ ଚାହିଁଲେ । ମୋ ଛାତି ଭିତରଟା ଥରିଗଲା ।

 

ତାଙ୍କ ଆଖି ମୁହଁ ଜରରେ ଲାଲ୍ ପଡ଼ିଯାଇଥାଏ । ବିଛଣାଚଦରଉପରେ ହାତଦୁଇଟା ଜାକିହୋଇ ପଡ଼ିଥାଏ । ତାଙ୍କ ସ୍ୱର ଭାଙ୍ଗିଯାଇଥାଏ । ମୁଁ ଘର ଭିତରକୁ ପଶିଗଲାବେଳକୁ ସେ ନିଶ୍ଚଳ ହୋଇ ପଡ଼ିଥିଲେ, କିନ୍ତୁ ମୋତେ ଦେଖି ଚିହ୍ନି ପାରିଲେ ।

 

ଅତି କ୍ଷୀଣ ସ୍ୱରରେ କହିଲେ, “ଆମେ ଦୁର୍ଭାଗ୍ୟରେ ପଡ଼ିଯାଇଛେ ।” କଥାରେ ତାଙ୍କର ସବୁଦିନିଆ ବେପରୁଆ ଢଙ୍ଗ ।

 

“ଏ କଣ ହେଲା ?” କହି ମୁଁ ତାଙ୍କଆଡ଼କୁ ଚାଲିଗଲି । ହଠାତ୍ ସେ ଚିତ୍କାର କରିଉଠିଲେ, “ସେଇଠି ରୁହ । ଯଦି ମୋ ନିକଟକୁ ଆସ, ମୁଁ ତୁମକୁ ଏ ଘରୁ ବାହାରକରିଦେବି ।”

 

“କିନ୍ତୁ କାହିଁକି ?”

 

“କାରଣ, ସେଇଟା ମୋର ଇଚ୍ଛା ।”

 

“ମୁଁ କେବଳ ତୁମକୁ ସାହାଯ୍ୟ କରିବାକୁ ଚାହୁଁଥିଲି ।”

 

“ନିଶ୍ଚୟ, ତୁମେ ସବୁଠୁ ଭଲ ସାହାଯ୍ୟ କରିପାରିବ, ଯଦି ମୁଁ ଯାହା କହିବି ସେଇଆ କର ।”

 

“ମୁଁ ନିଶ୍ଚୟ ତା କରିବି ।”

 

ସେ ଟିକିଏ ଆଶ୍ୱସ୍ତ ହେଲେ । ପାଟି ମେଲାକରି ଖୁବ୍ କଷ୍ଟରେ ନିଶ୍ୱାସ ନେଇ କହିଲେ, “ତୁମେ ରାଗିନାହଁ ତ ?”

 

ତାଙ୍କୁ ଏମିତି ଶୋଚନୀୟ ଅବସ୍ଥାରେ ପଡ଼ିଥିବା ଦେଖି ମୁଁ ରାଗନ୍ତି କିପରି ?

 

ପୁଣି ଭଙ୍ଗାସ୍ୱରରେ ସେ କହିଲେ, “ତୁମ ମଙ୍ଗଳପାଇଁ ମୋପାଖକୁ ଆସିବାକୁ ମୁଁ ତୁମକୁ ବାରଣକଲି ।”

 

“ମୋ ମଙ୍ଗଳ ପାଇଁ ?”

 

“ମୋର କ’ଣ ହୋଇଛି ମୁଁ ଜାଣେ । ଏଇ ରୋଗଟା ସୁମାତ୍ରାରୁ ଆସିଛି । ଏ ବିଷୟରେ ଆମ ଅପେକ୍ଷା ହଲାଣ୍ଡର ଲୋକେ ଅଧିକ ଜାଣନ୍ତି । ଅବଶ୍ୟ ଏପର୍ଯ୍ୟନ୍ତ ସେମାନେ ମଧ୍ୟ ବିଶେଷ କିଛି ଜାଣିନାହାନ୍ତି । କିନ୍ତୁ ଗୋଟାଏ କଥା ନିଶ୍ଚିତ । ରୋଗଟା ମାରାତ୍ମକ ଆଉ ଭୀଷଣ ସଂକ୍ରାମକ । ଏପରିକି ରୋଗୀକୁ ଛୁଇଁଲେ ସଂକ୍ରାମକ । ରୋଗୀଠୁ ଦୂରେଇ ରହିଲେ କିଛି ଅସୁବିଧା ନାହିଁ ।”

 

“ହେ ଭଗବାନ, ତୁମେ କଣ ଭାବୁଛ ମୁଁ ମାତ୍ର ମୁହୂର୍ତ୍ତକ ପାଇଁ ବିପଦ ମୁଣ୍ଡକୁ ନେଇପାରିବି ନାହିଁ ?” ପୁଣି ମୁଁ ତାଙ୍କ ପାଖକୁ ଆଗେଇଲି, କିନ୍ତୁ ସେ ଭୟଙ୍କର ରାଗିଯାଇ ମୋତେ ମନାକରି କହିଲେ, “ସେଇଠି ଠିଆହବ ତ ମୁଁ କଥାବାର୍ତ୍ତା କରିବି । ତା ନ ହେଲେ ତୁମେ ଏଠୁ ଚାଲିଯାଅ ।”

 

ମୁଁ ସବୁବେଳେ ହୋମ୍‌ସ୍‌ଙ୍କ କଥା ମାନିଆସିଛି । କିନ୍ତୁ ବର୍ତ୍ତମାନ ଡାକ୍ତର ହିସାବରେ ମୋର ଗୋଟେ ଭିନ୍ନ ଭାବ ଆସିଲା । ଅନ୍ୟ ସବୁଠାରେ ସେ ମୋ ଉପରେ ଆଧିପତ୍ୟ ଦେଖାଇପାରନ୍ତି, ମାତ୍ର ରୋଗଶଯ୍ୟାରେ ସେ ମୋ କଥା ମାନିବାକୁ ହେବ ।

 

ମୁଁ, କହିଲି, “ତୁମ ମୁଣ୍ଡ ଠିକ୍ ନାହିଁ ହୋମ୍‌ସ୍ । ତୁମେ ଚାହଁ ବା ନ ଚାହଁ ମୁଁ ତୁମ ରୋଗର ଲକ୍ଷଣ ସବୁ ପରୀକ୍ଷାକରି ତାର ଚିକିତ୍ସା କରିବି ।”

 

“ଯଦି ମୋର ଡାକ୍ତର ନିହାତି ଦର୍କାର ତେବେ ଯାହା ଉପରେ ଅନ୍ତତଃ ମୋର ଆସ୍ଥା ଅଛି ସେଇପରି ଜଣକୁ ଡାକିବା କଥା ।”

 

“ତୁମର ତେବେ ମୋ ଉପରେ ଆସ୍ଥା ନାହିଁ ?”

 

“ତୁମ ବନ୍ଧୁତ୍ୱ ଉପରେ ନିଶ୍ଚୟ ଅଛି । କିନ୍ତୁ ଉଆଟ୍‌ସନ୍ ସତ୍ୟହିଁ ସତ୍ୟ । ତୁମେ ଜଣେ ସାଧାରଣ ଚିକିତ୍ସକ । ତୁମର ଅନୁଭୂତି ଆଉ ଯୋଗ୍ୟତା ମଧ୍ୟ ସୀମାବଦ୍ଧ । ମୋର ଏଟା କହିବା ଅବଶ୍ୟ ଠିକ୍ ନୁହେଁ, କିନ୍ତୁ କହିବାକୁ ତୁମେ ମୋତେ ବାଧ୍ୟ କଲ ।”

 

ମୋତେ ବଡ଼ ବାଧିଲା । ଦୁଃଖିତ ହୋଇ କହିଲି, “ତୁମଠୁ ଏ ପ୍ରକାର ମନ୍ତବ୍ୟ ମୁଁ ଆଶା କରିନଥିଲି । ସେ ଯାହାହେଉ, ମୋ ଉପରେ ତୁମର ଯଦି ଆସ୍ଥା ନାହିଁ ତେବେ ସାର୍ ଜାସ୍‌ପର୍ ମିକ୍ କିମ୍ବା ପେନରୋଜ୍ କିମ୍ବା ଲଣ୍ଡନର ଅନ୍ୟ କୌଣସି ଭଲ ଡାକ୍ତରଙ୍କୁ ଡାକିବି ।”

 

“ତୁମେ ଅବଶ୍ୟ ମୋର ଭଲଚାହଁ, ତଥାପି ଦେଖିବ ତୁମର ଜ୍ଞାନ କେତେ କମ୍ । ଆଚ୍ଛା, ତୁମେ ଟପନ୍‌ଲି ଜର କିମ୍ବା ଫର୍ମୋଜାର କଳା ପ୍ଳେଗ୍ ବିଷୟରେ କଣ ଜାଣ ?”

 

“ମୁଁ ତ ଏ ନାଁ ବି ଶୁଣିନାହିଁ ।”

 

ପୂର୍ବାଞ୍ଚଳ ଦେଶମାନଙ୍କରେ ଏଇପରି ଅନେକ ରୋଗ ଅଛି । ମୁଁ ଏବେ ଗବେଷଣା କରି ଏ ସବୁ ଜାଣିଛି । ସେଇ ସମୟରେ ମୋର ଏ ରୋଗ ଆରମ୍ଭ । ତୁମେ ଏଥିପାଇଁ କିଛି କରିପାରିବ ନାହିଁ ।”

 

“ବୋଧହୁଏ ମୁଁ ପାରିବିନାହିଁ । ତେବେ ମୁଁ ଖବର ପାଇଛି ଡାକ୍ତର ଆଇନ୍‌ଷ୍ଟ୍ରୀ ବର୍ତ୍ତମାନ ଲଣ୍ଡନରେ ଅଛନ୍ତି । ସେ ବିଷୁବମଣ୍ଡଳୀୟ ରୋଗ ଉପରେ ସର୍ବଶ୍ରେଷ୍ଠ । ମୁଁ ଯାଏ, ତାଙ୍କୁ ଡାକିଆଣେ ।” ମୁଁ ଦରଜାଆଡ଼କୁ ମୁହଁ ବୁଲାଇଲି ।

 

ଆଖିପିଛୁଡ଼ାକେ ମରଣମୁଖୀ ହୋମ୍‌ସ୍ ବାଘପରି ବିଛଣାରୁ ଡେଇଁପଡ଼ି ମୋଆଗରେ ଠିଆହୋଇଗଲେ ଆଉ ଦରଜାର ତାଲାଟା ବନ୍ଦକରିଦେଲେ । ପର ମୁହୂର୍ତ୍ତରେ ସେ କ୍ଳାନ୍ତହୋଇ ଟଳି ଟଳି ପୁଣି ବିଛଣା ଉପରେ ପଡ଼ିଗଲେ ।

 

“ମୁଁ ଜାଣେ ଉଆଟ୍‌ସନ୍, ତୁମେ ମୋର ମଙ୍ଗଳ ଚାହଁ, ତେଣୁ ଚାବିଟା ମୋର ଜବରଦସ୍ତ ନେଇଯିବ ନାହିଁ । ମୁଁ ତୁମକୁ ଯିବାକୁ ଦେବି । ଟିକିଏ ଅପେକ୍ଷା କର । ମୋର ଟିକିଏ ଦମ୍ଭ ଆସିଯାଉ । ମୁଁ ତୁମକୁ କିଛି କହିବି । ଏବେ ଚାରିଟା ବାଜିଛି । ଛଅଟା ବେଳକୁ ତୁମେ ଯିବ ।”

 

“ତୁମ ମୁଣ୍ଡ ଠିକ୍ ନାହିଁ ହୋମ୍‌ସ୍ ।”

 

“ମୋଟେ ଦୁଇଘଣ୍ଟା ଉଆଟ୍‌ସନ୍ । ଆଉ ଗୋଟେ କଥା । ତୁମେ ମୋ’ଠୁ ଦୂରରେ ରହିବ । ତା’ପରେ ତୁମେ ଯାହା ନାଁ କହୁଛ ତାଙ୍କ ପାଖକୁ ଯିବ ନାହିଁ । ମୁଁ ଯାହାକୁ କହିବି ତାଙ୍କୁ ଡାକିଆଣିବି । ସେଠି କେତେ ବହି ଅଛି, ପଢ଼ିପାର । ମୋତେ ବଡ଼ କଷ୍ଟ ହେଉଛି । ଛଅଟା ବେଳକୁ ପୁଣି କଥାବାର୍ତ୍ତା ହେବା ।”

 

ମୁଁ କିଛିକ୍ଷଣ ଠିଆହୋଇ ତାଙ୍କୁ ଚାହିଁ ରହିଲି । ବହିରେ ମନ ଲାଗିଲା ନାହିଁ । ଘର ଭିତରେ ବୁଲି ବୁଲି ଫଟୋଗୁଡ଼ାକ ଦେଖୁଥାଏ । ଶେଷରେ କାନ୍ଥ ଆଲମିରା ପାଖକୁ ଗଲି, ପାଇପ୍, ସିଗାରେଟ୍‍ ଡବା, ସିରିଂଜ୍, ଛୁରୀ ଏମିତି କେତେ ଜିନିଷ ପଡ଼ିଥାଏ । ମଝିରେ କଳା ଧଳା ରଙ୍ଗର ହାତୀ ଦାନ୍ତର ଗୋଟେ ଛୋଟ ବାକ୍‌ସ । ଘୋଡ଼ଣିଟା ଖୁବ୍ ଚିକଣିଆ । ବେଶ୍ ସୁନ୍ଦର ବାକ୍‌ସଟିଏ । ମୁଁ ଭଲକରି ଦେଖିବା ପାଇଁ ସେଟା ଆଣିବାକୁ ହାତ ବଢ଼ାଇଲି । ଭୟଭୀତ ହେଲାପରି ହୋମ୍‌ସ୍ ଚିତ୍କାର କରି ଉଠିଲେ । ତାଙ୍କର ସେ ଚିତ୍କାର ରାସ୍ତାକୁ ବି ଶୁଣାଯାଇଥିବ । ମୁଁ ତାଙ୍କ ଆଡ଼କୁ ବୁଲି ଚାହିଁଲି । ତାଙ୍କ ମୁହଁ ମୋଡ଼ିହୋଇଯାଇଥାଏ । ରାଗରେ ଆଖି ଜଳୁଥାଏ । ମୁଁ ବାକ୍‌ସଟା ହାତରେ ଧରି ଠିଆହୋଇ ରହିଲି ।

 

“ଚଞ୍ଚଳ ସେଟା ଥୋଇଦିଅ ଉଆଟ୍‌ସନ୍, ମୁଁ କହୁଛି ଚଞ୍ଚଳ ।”

 

ମୁଁ ବାକ୍‌ସଟା ଆଲମାରୀରେ ଥୋଇଦେଲି । ସେ ସ୍ୱସ୍ତିର ନିଶ୍ୱାସ ମାରି ପୁଣି ତକିଆ ଉପରେ ମୁଣ୍ଡଦେଇ ପଡ଼ିଗଲେ ।

 

“ତୁମେ ଜାଣ ଉଆଟ୍‌ସନ୍, ମୋ ଜିନିଷପତ୍ରରେ କେହି ଲାଗିବାଟା ମୁଁ ଘୃଣା କରେ । ଚୁପ୍‌ଚାପ୍ ବସ । ମୁଁ ଟିକିଏ ବିଶ୍ରାମ ନିଏ ।”

 

ତାଙ୍କର ସେ ପ୍ରବଳ ଉତ୍ତେଜନା ଆଉ ଅମାନୁଷିକ କଥାରୁ ମୁଁ ଜାଣିଲି, ତାଙ୍କ ମାନସିକ ରୋଗ ଖୁବ୍ ବେଶୀ । ମୁଁ ଚୁପହୋଇ ବସିରହି ଘଣ୍ଟାକୁ ଲକ୍ଷ୍ୟ କରୁଥାଏ । ସେ ବି ଘଣ୍ଟାକୁ ଲକ୍ଷ୍ୟ କରୁଥାନ୍ତି । ଠିକ୍ ଛଅଟା ବାଜିଲା । ସେ ସେଇମିତି ଉତ୍ତେଜିତ ହେଲାପରି କହିଲେ, “ଆଚ୍ଛା ଉଆଟ୍‌ସନ୍, ତୁମ ପକେଟରେ କିଛି ଖୁଚୁରା ପଇସା ଅଛି ?”

 

“ହଁ ।”

 

“ରୁପା ପଇସା କିଛି ?”

 

“ଯଥେଷ୍ଟ ଅଛି ।”

 

“କେତେ ଅଧକ୍ରାଉନ୍ ଅଛି ?”

 

“ପାଞ୍ଚଟା ।”

 

“ଖୁବ୍ ଅଳ୍ପ । ବଡ଼ ଦୁର୍ଯ୍ୟୋଗ । ହଉ, ତାକୁ ତୁମ ଉଆଚ୍‍ ପକେଟରେ ରଖ । ବାକି ପଇସାଯାକ ପେଣ୍ଟ୍ ପକେଟରେ ରଖ । ବେଶ୍, ଏଥର ତୁମ ଦେହଟା ଠିକ୍ ସିଧା ରହିବ ।”

 

ଏଇଟା ନିଶ୍ଚୟ ମୁଣ୍ଡ ଖରାପହେବାର ଲକ୍ଷଣ ।

 

ସେ ପୁଣି ଥରି ଥରି ବିଛଣାରେ ପଡ଼ିଗଲେ ।

 

“ଏଥର ସେ ଗ୍ୟାସ୍‌ବତୀଟା ଜାଳିଦିଅ, ମୋଟେ ଅଧା ତେଜିବ । ବେଶ୍, ଧନ୍ୟବାଦ । ନା, ପରଦାଟା ଟାଣନାହିଁ । ଏଥର ଟେବଲ୍‌ ଉପରେ, ମୋ ହାତପୁଆ ଜାଗାରେ କିଛି କାଗଜ ଆଉ ଚିଠିପତ୍ର ରଖିଦିଅ । ଆଲମାରୀରୁ କିଛି ଅଳିଆ ଆଣି ତା’ ଉପରେ ପକାଇଦିଅ । ଏଥର ଚିମୁଟାଟା ଧରି ସେଇ ହାତୀଦାନ୍ତ ବାକ୍‌ସଟା ଆଣି ଏଇ କାଗଜ ମେଳରେ ରଖିଦିଅ । ଧନ୍ୟବାଦ । ଏଥର ତଳ ବର୍‌କ୍‌ଷ୍ଟ୍ରୀଟ୍ ତେରନମ୍ବର ଘରକୁ ଯିବ । ସେଠି ମିଷ୍ଟର କଲ୍‍ଭର୍‍ଟନ୍ ସ୍ମିଥ୍ ରହନ୍ତି । ତାଙ୍କୁ ଡାକିଆଣିବ ।”

 

ସତ କହୁଛି, ଡାକ୍ତର ଡାକିବାପାଇଁ ମୋର ଆଉ ବିଶେଷ ଆଗ୍ରହ ନ ଥିଲା । କାରଣ ବିଚରା ହୋମ୍‌ସ୍‍ଙ୍କ ବାଚାଳତା ବଢ଼ିଯାଇଥିଲା । ତାଙ୍କୁ ଛାଡ଼ି ଯିବାଟା ବିପଦପୂର୍ଣ୍ଣ ମନେହେଉଥିଲା ।

 

ମୁଁ ଉତ୍ତର ଦେଲି, “ଏ ଭଦ୍ରଲୋକଙ୍କ ନାଁ ମୁଁ ତ କେବେ ଶୁଣିନାହିଁ ?”

 

“ଶୁଣିନଥିବ । ଏ ରୋଗ ବିଷୟରେ ତାଙ୍କର ଜ୍ଞାନ ଖୁବ୍ ବେଶୀ ସେ କିନ୍ତୁ ଡାକ୍ତର ନୁହନ୍ତି, ଜଣେ ଚାଷୀ । ସେ ସୁମାତ୍ରାରେ ରହନ୍ତି, ଏବେ ଲଣ୍ଡନ ବୁଲିଆସିଛନ୍ତି । ତାଙ୍କ ଜମିଦାରୀରେ ଥରେ ଏ ରୋଗ ଦେଖାଦେଲା । ଡାକ୍ତରୀ ଚିକିତ୍ସାରେ କିଛି ଫଳ ହେଲାନାହିଁ । ତେଣୁ ସେ ନିଜେ ଏ ରୋଗ ଉପରେ ଗବେଷଣା କରି ଅନେକଟା ସୁଫଳ ପାଇଲେ । ସେ ବଡ଼ ସମୟାନୁବର୍ତ୍ତୀ ଲୋକ । ସେଥିପାଇଁ ମୁଁ ତୁମକୁ ଛଅଟାପୂର୍ବରୁ ଯିବାକୁ ମନାକଲି । ତା ପୂର୍ବରୁ ତୁମେ ତାଙ୍କସାଥିରେ ଦେଖା କରିପାରିବି ନାହିଁ । ଯଦି ତୁମେ ତାଙ୍କୁ କୌଣସିପ୍ରକାରେ ଏଠିକି ଆଣିପାର ସେ ନିଶ୍ଚୟ ମୋତେ ସାହାଯ୍ୟ କରିବେ ।”

 

ତାଙ୍କ କଥାଟା ମୁଁ ସିନା ମୋଟାମୋଟି କହିଦେଲି, ହେଲେ ସେ ଯେମିତି ଧକେଇ ହୋଇ ହାତ ଜାବ ପକେଇ କଥା କହୁଥିଲେ ସେ କଥା ମୁଁ ଠିକ୍ କହିପାରୁନାହିଁ । ତାଙ୍କ ଚେହେରା ଏ ଭିତରେ ଆହୁରି ଖରାପ ହୋଇ ଯାଇଥାଏ ।

 

ସେ ପୁଣି କହିଲେ, “ତୁମେ ମୋତେ ଠିକ୍ ଯେଉଁ ଅବସ୍ଥାରେ ଛାଡ଼ି ଯାଉଛ ତାଙ୍କୁ ବୁଝେଇ କହିବ । ଜଣେଇବ ମୁଁ କେମିତି ବାଉଳେଇ ହେଉଛି ଆଉ ମରିବା ଉପରେ । ମୋ ଜୀବନ ୟାଉପରେ ନିର୍ଭର କରୁଛି । ତାଙ୍କୁ ବୁଝେଇ କହିବ ଉଆଟ୍‌ସନ୍ । ତାଙ୍କର ମୋର ଭଲ ଭାବ ନାହିଁ । ତାଙ୍କ ପୁତୁରା ମଲାବେଳେ ମୁଁ ତାଙ୍କୁ ସନ୍ଦେହ କରିଥିଲି । ତେଣୁ ତାଙ୍କର ମୋ ଉପରେ ଆକ୍ରୋଶ ଅଛି । ତାଙ୍କୁ ଅନୁରୋଧ କରିବ । ଯେକୌଣସି ପ୍ରକାରେ ତାଙ୍କୁ ଏଠିକି ଆଣିବ ।”

 

“ମୁଁ ତାଙ୍କୁ ଗୋଟାଏ ଗାଡ଼ିରେ ନେଇଆସିବି । ଦର୍କାର ହେଲେ ଗାଡ଼ିଯାଏ ତାଙ୍କୁ କାନ୍ଧରେ ବୋହିଆଣିବି ।”

 

“ନା ନା, ସେମିତି କରିବନାହିଁ । ତାଙ୍କୁ କୌଣସିମତେ ଆସିବାକୁ ମଙ୍ଗେଇବ । ସେ ରାଜି ହେଲେ ତୁମେ ଆଗରେ ଚାଲିଆସିବ । କୌଣସି ଆଳକରି ଚାଲିଆସିବ । ଭୁଲିଯିବନାହିଁ ଉଆଟ୍‌ସନ୍; ମତେ ଯେମିତି ନିରାଶ ନକର ।”

 

କବାଟ ଖୋଲି ମୁଁ ତଳକୁ ଆସିଲି । ମିସେସ୍ ହଡ୍‍ସନ୍ ବସି କାନ୍ଦୁଥାନ୍ତି । ମୁଁ ଗୋଟାଏ ଗାଡ଼ିକୁ ଅପେକ୍ଷାକରି ଠିଆହୋଇଥାଏ । ସ୍କଟ୍‌ଲାଣ୍ଡ ୟାର୍ଡର ଇନ୍‌ସ୍ପେକ୍ଟର ମର୍‌ଟନ୍‍ ଆସି ପହଞ୍ଚିଲେ-। ପଚାରିଲେ, “ମିଷ୍ଟର ହୋମ୍‍ସ୍ କେମିତି ଅଛନ୍ତି ?”

 

“ସେ ସାଙ୍ଘାତିକ ବେମାର ।”

 

“ହଁ, ମୁଁ ଶୁଣୁଥିଲି ।”

 

ଗୋଟାଏ ଗାଡ଼ି ଆସି ପହଞ୍ଚିଲା । ମୁଁ ତାଙ୍କୁ ଛାଡ଼ି ଚାଲିଗଲି ।

 

ତଳ ବର୍କଷ୍ଟ୍ରୀଟରେ ଧାଡ଼ି ଧାଡ଼ି ହୋଇ ସୁନ୍ଦର ଘର । ଗୋଟାଏ ଘରପାଖେ ମୋ ଗାଡ଼ି ରହିଲା । ଘରଟା ପୁରୁଣା ହେଲେ ବି ବେଶ୍ ଭଲ । ଝରକାରେ ଲୁହାଛଡ଼ । କବାଟ ବେଶ୍ ବଡ଼ ଆଉ ପିତଳ-ଗୋବବସା । ଦରଜାପାଖରେ ଜଣେ ମାତ୍ର ଚାକର ଥିଲା । ମୋ ପ୍ରଶ୍ନର ଉତ୍ତରରେ ସେ କହିଲା, “ହଁ ମିଷ୍ଟର କଲ୍‌ଭର୍‌ଟନ୍ ସ୍ମିଥ୍ ଘରେ ଅଛନ୍ତି ।”

 

ଅଧାଖୋଲା ଦରଜାଦେଇ ଗୋଟାଏ କାନଫଟା ବିରକ୍ତିପୂର୍ଣ୍ଣ ସ୍ୱର ଶୁଭିଲା—“ସେ ଲୋକ କିଏ ? କ’ଣ ଦର୍କରା ? କେତେଥର କହିଛି, ମୋ ପଢ଼ାସମୟରେ କିଛି ଗଣ୍ଡଗୋଳ କରିବନାହିଁ !”

 

ଚାକରଟା ଧୀରେ ଗୁଣୁ ଗୁଣୁ କରି ସବୁ କହିଲା ।

 

“କହିଦେ, ଦେଖାହୋଇପାରିବ ନାହିଁ । ମୁଁ ଘରେ ନାହିଁ । ଯଦି ତାଙ୍କର ଦର୍କାର ଅଛି କାଲି ସକାଳେ ଆସିବେ ।”

 

ପୁଣି ବିଚରା ଚାକର ଗୁଣୁ ଗୁଣୁ ହୋଇ କିଛି କହିଲା ।

 

“ତାଙ୍କୁ ସେଇଆ କହିଦେ । କାଲି ସକାଳେ ଆସିଲେ ଆସିବେ ନ ହେଲେ ନାହିଁ ।”

 

ମୋର ହୋମ୍‌ସ୍‌ଙ୍କ କଥା ମନେପଡ଼ିଗଲା । ରୋଗ ଶେଯରେ ପଡ଼ି ସେ ସମୟ ଗଣୁଥିବେ । ତାଙ୍କ ଜୀବନ ମୋ ତତ୍‌ପରତା ଉପରେ ନିର୍ଭର କରେ । ମୁଁ ଚାକରକୁ ଆଡ଼େଇ ଦେଇ ଘରଭିତରକୁ ପଶିଗଲି । ନିଆଁ ପାଖରେ ଚଉକିରେ ଜଣେ ଭଦ୍ରଲୋକ ବସିଥିଲେ । ମୁହଁଟା ଖୁବ୍ ବଡ଼, ଚମଡ଼ାଟା ଚିକ୍‍କଣିଆ, ପାଣ୍ଡୁର ଆଖିଗୁଡ଼ା ବଡ଼ ଭୟଙ୍କର, ବେକଟା ଲମ୍ବା ଆଉ ମୁଣ୍ଡଟା ଟାଙ୍ଗରା । ବେଶୀ ଉଚ୍ଚା ବା ମୋଟା ଲୋକ ନୁହନ୍ତି । ରାଗିଯାଇ ସେ ଚିତ୍କାର କରି ଉଠିଲେ, “ଏ କ’ଣ ? ମୁଁ ଖବର ଦେଲି କାଲି ସକାଳେ ଆସିବାକୁ !”

 

“କ୍ଷମା କରିବେ । ଘଟଣାଟା ବଡ଼ ସାଙ୍ଘତିକ । ଡେରି କଲେ ଚଳିବ ନାହିଁ । ମିଷ୍ଟର ସେରଲକ୍‍ ହୋମ୍‍ସ୍– ।”

 

ହୋମ୍‌ସ୍‌ଙ୍କ ନାଁଟା ଶୁଣି ତାଙ୍କ ରାଗ କୁଆଡ଼େ ଚାଲିଗଲା । ଉତ୍‌କଣ୍ଠିତ ହୋଇ ସେ ପଚାରିଲେ, “ଆପଣ ହୋମ୍‌ସ୍‌ଙ୍କ ପାଖରୁ ଆସିଚନ୍ତି ?”

 

“ହଁ, ଏଇମାତ୍ର ମୁଁ ତାଙ୍କ ପାଖରୁ ଆସିଲି ।”

 

“ତାଙ୍କ ଖବର କଣ ? କେମିତି ଅଛନ୍ତି ?”

 

“ସେ ସାଂଘାତିକ ବେମାର । ସେଇଥିପାଇଁ ମୁଁ ଆସିଛି ।”

 

ମୋତେ ଗୋଟାଏ ଚଉକିରେ ବସିବାକୁ କହି ସେ ତାଙ୍କ ଚଉକିରେ ବସିବାକୁ ବୁଲିଲେ-। ସେତିକିବେଳେ ଦର୍ପଣ ଭିତରେ ତାଙ୍କ ମୁହଁଟା ମୁଁ ଦେଖିପାରିଲି । ମୁହଁରେ ତାଙ୍କର ହିଂସ୍ର ଆଉ କ୍ରୂର ହସ । ପରମୁହୂର୍ତ୍ତରେ ସେ ମୋ ଆଡ଼େ ମୁହଁ ବୁଲାଇ ବସିଲେ । ମୁହଁର ଭାବ ଉଦବେଗପୂର୍ଣ୍ଣ ।

 

“ଏ କଥା ଶୁଣି ମୁଁ ବଡ଼ ଦୁଃଖିତ । କେବଳ ବ୍ୟବସାୟ ସଂକ୍ରାନ୍ତରେ ମୁଁ ମିଷ୍ଟର ହୋମ୍‌ସ୍‌ଙ୍କୁ ଜାଣେ, କିନ୍ତୁ ତାଙ୍କର ପ୍ରତିଭା ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି । ଅପରାଧ ଅନୁସନ୍ଧାନ ଯେମିତି ତାଙ୍କର ବ୍ୟବସାୟ ନୁହେଁ, ରୋଗର ଚିକିତ୍ସା ମଧ୍ୟ ସେମିତି ମୋର ବ୍ୟବସାୟ ନୁହେଁ ।”

 

ପାଖ ଟେବ୍‌ଲ୍‌ଉପରେ ଥିବା କେତେଗୁଡ଼ାଏ ବୋତଲ ଆଉ ଜାର୍ ସେ ଦେଖାଇଲେ ।

 

“ଆପଣଙ୍କର ଏ ବିଷୟରେ ବିଶେଷ ଜ୍ଞାନ ଅଛି । ତେଣୁ ମିଷ୍ଟର ହୋମ୍‌ସ୍ ଆପଣଙ୍କୁ ଚାହାନ୍ତି । ଆପଣଙ୍କ ଉପରେ ତାଙ୍କର ମନ୍ତବ୍ୟ ଖୁବ୍ ଉଚ୍ଚ ଆଉ ସେ ଭାବନ୍ତି ଲଣ୍ଡନରେ ଆପଣ ହିଁ ଏକମାତ୍ର ବ୍ୟକ୍ତି ଯେ କି ତାଙ୍କୁ ସାହାଯ୍ୟ କରିପାରିବେ ।”

 

“କାହିଁକି ? ମିଷ୍ଟର ହୋମ୍‌ସ୍ ଏ କଥା ଭାବୁଛନ୍ତି କାହିଁକି ?”

 

“କାରଣ ପୂର୍ବ ଦେଶର ରୋଗ ବିଷୟରେ ଆପଣଙ୍କର ଯଥେଷ୍ଟ ଜ୍ଞାନ ଅଛି ।”

 

“ରୋଗଟା ପୂର୍ବଦେଶୀୟ ବୋଲି ସେ କାହିଁକି ଭାବୁଛନ୍ତି ?”

 

“କାରଣ ଗୋଟାଏ ଅନୁସନ୍ଧାନ ବେଳେ ସେ ବନ୍ଦରରେ ଚୀନଦେଶର ନାବିକମାନଙ୍କ ମେଳରେ କାମ କରୁଥିଲେ ।”

 

ମିଷ୍ଟର କଲ୍‌ଭର୍‍ଟନ୍ ସ୍ମିଥ୍ ସାମାନ୍ୟ ହସି କହିଲେ, “ସତେ ? କେତେ ଦିନ ହେଲା ଏ ରୋଗ ହେଲାଣି ?”

 

“ତିନିଦିନ ହେଲା ।”

 

“ପ୍ରଳାପ କରୁଛନ୍ତି ?”

 

“ବେଳେ ବେଳେ ।”

 

“ଆଚ୍ଛା, ଆଚ୍ଛା । ସେଇଟା ସାଂଘାତିକ । ତାଙ୍କ ପାଖକୁ ନ ଯିବାଟା ଅମଣିଷ ପଣିଆ ହେବ । ମୁଁ ଆପଣଙ୍କ ସାଥିରେ ଯିବି ।”

 

ହୋମ୍‍ସ୍‌ଙ୍କ କଥା ମୋର ମନେଥିଲା । ମୁଁ କହିଲି, “ମୋର ଅନ୍ୟ କାମ ଅଛି ।”

 

“ଠିକ୍ ଅଛି । ମୁଁ ଏକା ଚାଲିଯିବି । ମୋ ପାଖରେ ତାଙ୍କ ଠିକଣା ଅଛି । ଖୁବ୍ ବେଶୀ ହେଲେ ଅଧଘଣ୍ଟେ ଭିତରେ ମୁଁ ଯାଇ ପହଞ୍ଚିବି ।”

 

ଗଭୀର ଦୁଃଖରେ ମୁଁ ପୁଣି ହୋମ୍‌ସ୍‌ଙ୍କ କୋଠରୀରେ ପହଞ୍ଚିଲି । ଏ ଭିତରେ ସେ ଅନେକଟା ଭଲ ଥିବାର ଦେଖି ଆଶ୍ୱସ୍ତ ହେଲି । ବାଚାଳତାର କୌଣସି ଲକ୍ଷଣ ତାଙ୍କଠାରେ ଆଉ ନ ଥିଲା । କ୍ଷୀଣକଣ୍ଠରେ କଥା କହିଲେ ମଧ୍ୟ ସେ ବେଶ୍ ପରିଷ୍କାର କହିପାରୁଥିଲେ ।

 

“ତାଙ୍କ ସାଥିରେ ଦେଖାହେଲା ଉଆଟ୍‌ସନ୍ ?”

 

“ହଁ, ସେ ଆସୁଛନ୍ତି ।”

 

“ଚମତ୍କାର ଉଆଟ୍‌ସନ୍, ଚମତ୍କାର । ତୁମେ ଖୁବ୍ ବଢ଼ିଆ ବାର୍ତ୍ତାବହ ।”

 

“ସେ ମୋ ସାଥିରେ ଆସିବାକୁ କହୁଥିଲେ ।”

 

“ତା’ହେଲେ ଅସୁବିଧା ହୋଇଥାନ୍ତା । ଆଚ୍ଛା, ମୋର କ’ଣ ହୋଇଛି ବୋଲି ସେ ପଚାରିଲେ ?”

 

“ହଁ, ମୁଁ ସେ ଚୀନା ନାବିକମାନଙ୍କ କଥା କହିଲି ।”

 

“ଠିକ୍ କରିଛ । ତୁମେ ପ୍ରକୃତ ବନ୍ଧୁର କାମ କରିଛ । ଏଥର ତୁମେ ଏ ଜାଗାରୁ ଚାଲିଯାଅ ।”

“ନା ନା, ମୁଁ ଏଠି ରହି ତାଙ୍କର ମତାମତ ଶୁଣିବି ।”

“ତା ନିଶ୍ଚୟ । କିନ୍ତୁ ଆମେ ଦୁଇଜଣ ଏକା ରହିଲେ ସେ ତାଙ୍କର ଖୋଲା ମତାମତ ଦେବେ । ମୁଁ ଏ କଥା କହିବାର ଯଥେଷ୍ଟ କାରଣ ଅଛି । ମୋ ଖଟ ସେପାଖେ ଯଥେଷ୍ଟ ଜାଗା ଅଛି-। ସେଇଠିକି ଚାଲିଯାଅ ।”

“ଏ କି କଥା ହୋମ୍‌ସ୍ ?”

“ଆଉ କିଛି ପନ୍ଥା ନାହିଁ ।” ହଠାତ୍ ଯେ ଉଠି ବସିଲେ ଆଉ ତାଙ୍କ ମୁହଁ ଉଦ୍ଦେଶ୍ୟପୂର୍ଣ୍ଣ ଜଣାଗଲା, “ଏଇ, ଗାଡ଼ିଶବ୍ଦ ଶୁଣାଯାଉଛି । ଚଞ୍ଚଳ ଉଆଟ୍‌ସନ୍ । ହଁ, ଯାହା ହେଲେ ବି ଟିକିଏ ହେଲେ ଘୁଞ୍ଚିବ ନାହିଁ । କିଛି କଥା କହିବ ନାହିଁ କି ହଲ୍‌ଚଲ୍ ହେବ ନାହିଁ । କେବଳ ସବୁ ଶୁଣିବ ।”

ଲୁଚିରହିଥିବା ଜାଗାରୁ ମୁଁ ଶୁଣିଲି ସିଡ଼ି ଉପରେ ପଦଶବ୍ଦ ଆଉ ତା’ପରେ ଘରର ଦରଜା ଖୋଲିବା ଆଉ ବନ୍ଦ ହେବା ଶବ୍ଦ । ତା’ପରେ ଅନେକ ସମୟଯାଏ ନୀରବତା । କେବଳ ରୋଗୀର ଦୀର୍ଘଶ୍ୱାସ ଶୁଭୁଥାଏ । ତା’ପରେ ନୀରବତା ଭାଙ୍ଗି ଭଦ୍ରଲୋକ କହିଲେ—

“ହୋମ୍‌ସ୍, ମୋକଥା କ’ଣ ଶୁଣିପାରୁନାହିଁ ?”

“କିଏ, ମିଷ୍ଟର ସ୍ମିଥ୍ ? ତୁମେ ଆସିବ ବୋଲି ମୁଁ କଳ୍ପନା କରିନଥିଲି ।”

“ମୁଁ ବି କଳ୍ପନା କରିନଥାନ୍ତି । ତଥାପି ଦେଖୁଛି, ମୁଁ ଆସିଛି ।”

“ସେଟା ନିଶ୍ଚୟ ତୁମର ଉଦାରତା । ଏ ରୋଗ ବିଷୟରେ ତୁମର ଯେଉଁ ବିଶେଷ ଜ୍ଞାନ ମୁଁ ତାକୁ ପସନ୍ଦ କରେ ।”

“ଲଣ୍ଡନରେ ତୁମେ ଏକମାତ୍ର ଲୋକ ଯେ କି ପସନ୍ଦ କରେ । ତୁମ ରୋଗଟା କଣ ତୁମେ ଜାଣ ?”

“ସେଇ ଏକା ରୋଗ ।”

“ତାର ଲକ୍ଷଣଗୁଡ଼ା ଠିକ୍ ଜାଣିପାରିଛ ?”

“ଖୁବ୍ ଭଲରୂପେ ।”

“ମୁଁ କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେଉନାହିଁ ହୋମ୍‌ସ୍ । ଯଦି ସେଇ ଏକା ରୋଗ ହୋଇଥାଏ, ମୁଁ ବିସ୍ମିତ ହେବିନାହିଁ । ସେଇଟା ତୁମର ଦୁର୍ଭାଗ୍ୟ । ବିଚରା ଭିକ୍ଟର, ସୁସ୍ଥସବଳ ଯୁବକ, ମାତ୍ର ଚାରିଦିନରେ ଶେଷ ହୋଇଗଲା । ତୁମେ ସେଦିନ ବିସ୍ମୟ ପ୍ରକାଶ କରି କହିଥିଲ, ଏସିଆର ଗୋଟାଏ ରୋଗ, ଯାହା ବିଷୟରେ ମୁଁ ବିଶେଷ ଜାଣେ, ସେଟା ଲଣ୍ଡନକୁ ଆସିଲା କିପରି ? ପ୍ରକୃତରେ ଏହା ବିସ୍ମୟକର । ଦୁଇଟା ଅସଂଲଗ୍ନ ଘଟଣା । ତୁମେ କିନ୍ତୁ ଘଟଣାଟା ଜାଣିପାରିଥିଲ ।

 

“ମୁଁ ଜାଣେ ତୁମେହିଁ ଏ ରୋଗଦ୍ୱାରା ଭିକ୍ଟରକୁ ମାରିଛ ।”

 

“ତୁମେ ଜାଣିଥିଲ ? କିନ୍ତୁ ପ୍ରମାଣ ତ କରିପାରିଲ ନାହିଁ ।”

 

ହୋମ୍‌ସ୍ ଖୁବ୍ କଷ୍ଟରେ ନିଶ୍ୱାସ ନବାର ମୁଁ ଶୁଣିପାରୁଥାଏ ।

 

ସେ କହିଲେ, “ସେଠୁ ମୋତେ ଟିକିଏ ପାଣି ଦିଅ ।”

 

“ତୁମର ଶେଷ ସମୟ ଆସି ପହଞ୍ଚିଲାଣି ବନ୍ଧୁ । କିନ୍ତୁ ମୁଁ ତୁମ ସାଥିରେ କେତେଟା କଥାବାର୍ତ୍ତା ନକରିବାଯାଏ ତୁମକୁ ମରିବାକୁ ଦେବି ନାହିଁ । ତେଣୁ ତୁମକୁ ଏ ପାଣି ଦେଉଛି । ମୋ କଥା ବୁଝିପାରୁଛ ତ ?”

 

କ୍ଷୀଣ କଣ୍ଠରେ ହୋମ୍‌ସ୍ କହିଲେ, “ମୋ ପାଇଁ କିଛି କର । ମୁଁ ସେ ଗଲାକଥାଗୁଡ଼ା ପାସୋରିଦେବି । ମୋତେ କେବଳ ବଞ୍ଚାଅ । ମୁଁ ସବୁ ଭୁଲିଯିବି ।”

 

“କଣ ଭୁଲିଯିବ ?”

 

“ଭିକ୍ଟର ସାଭେଜ୍‌ର ମରିବା କଥା । ଏବେ ତ ତୁମେ ସ୍ୱୀକାର କରିଛ ଯେ ତୁମେ ତାକୁ ମାରିଛ । ମୁଁ ସେ କଥା ଭୁଲିଯିବି ।”

 

“ତୁମେ ପାସୋରିଦିଅ ବା ମନେରଖ ଯାହା ତୁମର ଇଚ୍ଛା । ମୋ ପୁତୁରା କେମିତି ମଲା ସେକଥା ତୁମେ ଜାଣିଲେ ମୋର କିଛି ଯାଏଆସେ ନା । ଏବେ ତା’କଥା ପଡ଼ିନାହିଁ, ପଡ଼ିଛି ତୁମ କଥା ।”

 

“ହଁ, ହଁ ।”

 

“ଯେଉଁ ଲୋକ ମୋତେ ଡାକିବାକୁ ଯାଇଥିଲା, ସେ କହିଲା ଯେ ବନ୍ଦରର ନାବିକମାନଙ୍କଠୁ ଏ ରୋଗ ତୁମକୁ ଡେଇଁଛି ।”

 

“ତା ଛଡ଼ା ଅନ୍ୟ କିଛି କାରଣ ନାହିଁ ।”

 

“ଟିକିଏ ପଛକଥା ମନେ ପକାଅ । ଆଉ କୌଣସିବାଟେ ଏ ରୋଗ ହୋଇପାରେ ବୋଲି ତୁମର ମନେପଡ଼ୁନାହିଁ ?”

 

“ମୁଁ କିଛି ଭାବିପାରୁନାହିଁ । ମୋ ମୁଣ୍ଡ ଠିକ୍ ନାହିଁ । ମତେ ସାହାଯ୍ୟ କର ।”

 

“ହଁ, ମୁଁ ସାହାଯ୍ୟ କରିବି ।”

 

“ମୋ କଷ୍ଟଟା କମିବା ପାଇଁ ମୋତେ କିଛି ଦିଅ ।”

 

“କଷ୍ଟ ହେଉଛି, ନା ? ଦେହ କୋଲମାରି ଯାଉଛି ବୋଧହୁଏ ?”

 

“ହଁ ।”

 

“ତଥାପି ମୋ କଥା ତୁମେ ଶୁଣିପାରିବ । ଶୁଣ । ଏଇ ରୋଗର ଲକ୍ଷଣ ଯେତେବେଳେ ଦେଖାଗଲା, ସେତେବେଳେ କିଛି ଅସ୍ୱାଭାବିକ ଘଟଣା ଘଟିବା ତୁମର ମନେପଡ଼ୁଛି ?”

 

“ନା, କିଛି ନାହିଁ ।”

 

“ଆଉ ଥରେ ମନେକର ।”

 

“ମୁଁ କିଛି ଭାବିପାରୁନାହିଁ ।”

 

“ହଉ, ମୁଁ ତୁମକୁ ସାହାଯ୍ୟ କରୁଛି । ଡାକରେ ତୁମ ପାଖକୁ କିଛି ଆସିଥିଲା ?”

 

“ଡାକରେ ?”

 

“ହଁ, ଡାକରେ କୌଣସି ବାକ୍‍ସ ?”

 

“ମୋର ଚେତାବୁଡ଼ିଯାଉଛି, ଆଉ ବଞ୍ଚିପାରିବି ନାହିଁ ।”

 

“ଶୁଣ ହୋମ୍‌ସ୍ ।” ସେ ହୋମ୍‌ସ୍‌ଙ୍କୁ ହଲାଇବା ଶବ୍ଦ ଶୁଣାଗଲା । “ତୁମକୁ ଶୁଣିବାକୁ ହେବ । ଗୋଟେ ହାତୀଦାନ୍ତର ବାକ୍‌ସ କଥା ତୁମର ମନେ ପଡ଼ୁଛି ? ସେଇଟା ବୁଧବାର ଦିନ ଆସିଥିଲା । ତୁମେ ତାକୁ ଖୋଲିଲ, ମନେପଡ଼ୁଛି ?”

 

“ହଁ, ମନେପଡ଼ିଲା, ମୁଁ ତାକୁ ଖୋଲିଲି । ଭିତରେ ଖାଲି ଖଣ୍ଡେ ମୁନିଆ ସ୍ପ୍ରିଙ୍ଗ୍‌ତାର ଥିଲା-। ମୁଁ ଭାବିଲି କେହି ରହସ୍ୟକରି– ।”

 

“ରହସ୍ୟ ନୁହେଁ । ତୁମେ ବୋକା । ତୁମର ଯାହା ହବାର କଥା ତା ହେଲା । ମୋ ରାସ୍ତାରେ ଠିଆହେବାକୁ ତୁମକୁ କିଏ କହୁଥିଲା ? ତୁମେ ଯଦି ମୋ ପଛରେ ଲାଗିନଥାନ୍ତ ମୁଁ ତୁମର କିଛି ଅନିଷ୍ଟ କରିନଥାନ୍ତି ।”

 

“ହଁ, ମନେପଡ଼ୁଛି । ସ୍ପ୍ରିଙ୍ଗ୍‌ଟା ମୋ ଦେହରେ ବାଜି ରକ୍ତ ବହାରିଲା । ଏଇ ବାକ୍‌ସଟା–ଏଇ ଟେବଲ୍‌ ଉପରେ ଅଛି ।”

 

“ହଁ, ଏଇ ବାକ୍‌ସ । ଏଠି ଏଟାର ଆଉ ଦର୍କାର ନାହିଁ । ଏଥର ମୋ ପକେଟ୍‍କୁ ଯିବ ଆଉ ତୁମର ଶେଷ ପ୍ରମାଣ ଚାଲିଯିବ । ଏଥର ତୁମେ ସତ କଥାଟା ଜାଣିଲ । ମରିବା ପୂର୍ବରୁ ଜାଣିକରି ମର ଯେ ମୁଁ ତୁମକୁ ମାରିଛି । ତୁମେ ଭିକ୍ଟର ମରିବା କଥା ଜାଣିପାରିଥିଲ । ତେଣୁ ତାର ଭାଗ୍ୟରୁ ଭାଗ ନେବାକୁ ମୁଁ ତୁମକୁ ପଠାଇଲି । ତୁମର ଶେଷ ସମୟ ପାଖେଇ ଆସିଲାଣି ।”

 

ଖୁବ୍ କ୍ଷୀଣସ୍ୱରରେ ହୋମ୍‌ସ୍ କଣ କହିଲେ ।

 

“କଣ କହିଲ ? ବତିଟା ତେଜିଦେବି ? ହଁ, ଆଲୁଅରେ ତୁମକୁ ଟିକିଏ ଭଲରୂପେ ଦେଖିନେବି ।”

 

ସେ ଘର ସେପାଖକୁ ଯାଇ ବତି ତେଜିଦେଲେ । ତା’ପରେ କହିଲେ, “ଆଉ କିଛି ସେବା କରିପାରେ କି ବନ୍ଧୁ ?”

 

“ଖଣ୍ଡେ ସିଗାରେଟ୍ ଆଉ ଦିଆସିଲିଟା ।”

 

ହୋମ୍‌ସ୍‍ଙ୍କର ସ୍ୱାଭାବିକ ସ୍ୱର ଶୁଣି ମୁଁ ଆନନ୍ଦିତ ଏବଂ ବିସ୍ମିତ ହୋଇଗଲି । କିଛି ସମୟ ଚାଲିଗଲା । ମୁଁ ଜାଣିପାରିଲି, ସ୍ମିଥ୍ ଚୁପ୍‍ଚାପ୍ ଠିଆ ହୋଇ ହୋମ୍‌ସ୍‌ଙ୍କ ଆଡ଼କୁ ବିସ୍ମୟରେ ଚାହିଁ ରହିଛନ୍ତି । ଶେଷରେ ସେ ଖୁବ୍ କର୍କଶ ଭାବରେ କହିଲେ, “ୟାର ଅର୍ଥ କଣ ?”

 

“ଏଇଟା ହେଲା ସଫଳତାର ସହ ଅଭିନୟ କରିବାର ସବୁଠୁ ଭଲ ପନ୍ଥା । ସତ କହୁଛି, ତିନି ଦିନ ହେଲା ମୁଁ କିଛି ଖାଇନାହିଁ କି ପିଇନାହିଁ । ତୁମେ ଦୟାକରି ମୋତେ ପାଣିମନ୍ଦେ ଦେଲ ! ଏଇଠ ତ ସିଗାରେଟ୍ ଅଛି । ସିଗାରେଟ୍ ଖୁବ୍ ଭଲ । ହଁ, ବାହାରେ ପାଦଶବ୍ଦ ଶୁଭୁଛି । ବୋଧହୁଏ କେହି ବନ୍ଧୁ ।”

 

ଦରଜା ଖୋଲି ଇନ୍‌ସ୍ପେକ୍ଟର ମର୍‌ଟନ୍‌ ଘରଭିତରକୁ ଆସିଲେ । “ସବୁ ଠିକ୍ ଅଛି, ଆଉ ଏଇ ଆପଣଙ୍କ ଲୋକ ।” ହୋମ୍‌ସ୍ କହିଲେ । ସାବଧାନ କରାଇଦେଇ ଇନ୍‌ସ୍ପେକ୍ଟର କହିଲେ, “ଭିକ୍ଟର ସାଭେଜ୍‌ର ହତ୍ୟା ଅପରାଧରେ ମୁଁ ତୁମକୁ ବନ୍ଦୀ କଲି ।”

 

ହସି ହସି ହୋମ୍‌ସ୍ କହିଲେ, “ତା ସାଥିରେ ଯୋଗ କରନ୍ତୁ, ‘ସେର୍‌ଲ୍‍କ୍ ହୋମ୍‌ସ୍‌ଙ୍କୁ ହତ୍ୟାକରିବାର ଚେଷ୍ଟା ।’ ଆମ ଅସୁବିଧା ଦୂରକରିବାକୁ ଦୟାକରି ମିଷ୍ଟର ସ୍ମିଥ୍‍ ବତିଟା ତେଜି ସଙ୍କେତ ଦେଇଦେଲେ । ହଁ, ବନ୍ଦୀ ପକେଟରେ ଗୋଟେ ଛୋଟ ବାକ୍‌ସ ଅଛି । ସେଇଟା ବାହାର କରି ଆଣ । ଖୁବ୍ ସାବଧାନ । ସେଇଠି ରଖିଦିଅ । ବିଚାର ବେଳେ ସେଟା କାମ ଦେବ ।”

 

ତା’ପରେ ହାତକଡ଼ିର ଶବ୍ଦ ଶୁଭିଲା । ଲୋକଟା ଉତ୍ତେଜିତ ହୋଇ କହିଲା, “ଗୋଟେ ଭଲ ଫାନ୍ଦ । ମୁଁ ଏଙ୍କୁ ଭଲକରିବା ପାଇଁ ସେ ମୋତେ ଡକାଇ ପଠାଇଲେ । ତାଙ୍କ କଥା ଶୁଣି ମନରେ ଦୁଃଖ ହେଲା ଆଉ ମୁଁ ଏଠିକି ଆସିଲି । ସେ ଏବେ ଯାହା ଇଚ୍ଛା ଛଳନା କରିବେ । ତୁମେ ଯେମିତି ମନ ସେମିତି ପଡ଼ିଥାଅ ହୋମ୍‌ସ୍–ମୁଁ ଯାହା କହିଛି ତା ହେବ ।”

 

“ଭଗବାନ୍ ।” ହୋମ୍‍ସ୍ କହିଉଠିଲେ । “ମୁଁ ତ ସେ କଥା ଭୁଲିଯାଇଥିଲି । ବାହାରି ଆସ ଉଆଟ୍‌ସନ୍‌ । ମୋତେ କ୍ଷମା କରିବ ! ମିଷ୍ଟର କଲ୍‌ଭର୍‌ଟନ୍ ସ୍ମିଥ୍‍ଙ୍କ ପରିଚୟ ଦେବା ଆଉ ଦର୍କାର ନାହିଁ । ତଳେ ଗାଡ଼ି ଅଛି ତ ଇନ୍‌ସ୍ପେକ୍ଟର ? ମୁଁ ପୋଷାକଟା ବଦଳାଇଦେଲେ ତୁମ ସାଥିରେ ଯିବି-। ପୋଲିସ୍‌ ଅଫିସରେ ମୋର ଦର୍କାର ପଡ଼ିପାରେ ।”

 

କିଛି ବିସ୍କିଟ୍ ଆଉ ଗୋଟେ ଗ୍ଲାସ କଫି ଖାଇ ହୋମ୍‍ସ୍ ଟିକିଏ ଆରାମ ହୋଇ କହିଲେ, “ମୋ ଖିଆପିଆରେ କିଛି ଠିକ୍ ଠିକଣା ନାହିଁ । କିନ୍ତୁ ଅନ୍ୟମାନଙ୍କ ପରି ସେଟା ମୋ ପାଇଁ ସେତେ କଷ୍ଟକର ନୁହେଁ । ମୁଁ ଯେ ପ୍ରକୃତରେ ବେମାର ପଡ଼ିଛି, ମିସେସ୍ ହଡ୍‍ସନ୍‍ଙ୍କ ମନରେ ସେଇ ଧାରଣା ଦେବା ଦର୍କାର ହେଲା । କାରଣ ସେ ତୁମକୁ କହିବେ, ଆଉ ତୁମେ ଏ ଲୋକକୁ କହିବ । ସେଥିପାଇଁ ମନ ଦୁଃଖ କରିବ ନାହିଁ ଉଆଟ୍‌ସନ୍ । ଯଦି ତୁମେ ମୋ ଗୁପ୍ତ ଯୋଜନା ଜାଣିପାରିଥାନ୍ତ ତେବେ ତୁମେ ସ୍ମିଥ୍‍କୁ ଏଠିକି ଆସିବାକୁ ପ୍ରବର୍ତ୍ତାଇପାରିନଥାନ୍ତ । କିନ୍ତୁ ସେ ଏଠିକି ଆସିବାଟା ହେଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ ।”

 

“କିନ୍ତୁ ତୁମ ରୂପ, ମୁହଁ ?”

 

“ତିନିଦିନକାଳ ଉପାସ ଭୋକରେ ରହିଲେ କାହାରି ଚେହେରା କେବେ ଭଲ ଦେଖାଯିବ ନାହିଁ । ବାକି ମୋର ଯାହା ହେଇଛି, ଖଣ୍ଡେ ସ୍ପଞ୍ଜ୍‍ ହେଲେ ସେସବୁ ଭଲ ହୋଇଯିବ । କିଛି ଭେସ୍‌ଲିନ୍, ବେଲାଡୋନା ପ୍ଲାଷ୍ଟର, ମହମ ଆଦି ହେଲେ ମୁହଁଟା ବିରୂପ କରିଦେବା ସହଜ । ମଝିରେ ମଝିରେ ହାଫ୍‌କ୍ରାଉନ୍ କିମ୍ବା ଅନ୍ୟ କିଛି ଅପ୍ରାସଙ୍ଗିକ କଥା କହିଲେ ବାଚାଳତାର ବେଶ୍ ଅଭିନୟ ହୋଇପାରିବ ।”

 

“ରୋଗ ଯଦି ପ୍ରକୃତରେ ନ ଥିଲା, ତୁମ ପାଖକୁ ଯିବାକୁ ମୋତେ ମନାକଲ କାହିଁକି ?”

 

“ତୁମେ ଏକଥା ପଚାରୁଛ ? ତୁମେ କଣ ଭାବୁଛ ତୁମର ଡାକ୍ତରୀ ବିଦ୍ୟାପ୍ରତି ମୋର ସମ୍ମାନ ନାହିଁ ? ମୋ ଦେହରେ ତାତି ନାହିଁ । ନାଡ଼ୀ ଠିକ୍ ଚାଲିଛି । ତୁମେ ଦେଖିଥିଲେ ମୁଁ ବେମାର ଆଉ ମରିବାଉପରେ ବୋଲି କେବେ କହିଥାନ୍ତ କି ? ତୁମେ ଚାରିଗଜ ଦୂରରେ ଥିବାରୁ ମୁଁ ଠକିଦେଇ ପାରିଲି । ତା ନ ହୋଇଥିଲେ ସ୍ମିଥ୍‍କୁ କିଏ ମୋ ନିକଟକୁ ଆଣିଥାନ୍ତା ? ତା’ପରେ ସେ ବାକ୍‌ସଟା କଥା । ଗୋଟାଏ କଡ଼ରୁ ଚାହିଁଲେ ତୁମେ ସେ ମୁନିଆ ସ୍ପ୍ରିଙ୍ଗ୍‌ଟା ଦେଖିପାରିବ । ଏଇପରି ଏକ ଉପାୟରେ ବିଚରା ସାଭେଜ୍‌କୁ ହତ୍ୟା କରାଗଲା । କିଛି ସମ୍ପତ୍ତି ପାଇଁ ଏ ନରାଧମ ତାକୁ ହତ୍ୟାକଲା । ମୋପାଖକୁ ବିଭିନ୍ନପ୍ରକାର ଚିଠିପତ୍ର ଆଦି ଆସେ । ମୁଁ କିନ୍ତୁ ସବୁବେଳେ ସାବଧାନ ଥାଏ । କେତେବେଳେ କିଛି ପ୍ୟାକେଟ୍ ଆସିପାରେ । ଏଇ ବାକ୍‌ସଟା ପାଇଲା ପରେ ମୁଁ ବିଚାରକରି ଦେଖିଲି ଯେ ମୁଁ, ରୋଗର ଛଳନା କଲେ ଲୋକଟା ତାର ଉଦ୍ଦେଶ୍ୟ ସଫଳ ହୋଇଛି ବୋଲି ଭାବିବ । ସେଇ ସୁଯୋଗରେ ମୁଁ ତା’ଠାରୁ ସ୍ୱୀକାରୋକ୍ତି ହାସଲ କରିନେଇପାରିବି । ଏଇ ଛଳନାଟା ମୁଁ ଜଣେ ପକ୍‌କା ଅଭିନେତା ପରି କରିଆସିଛି । ଧନ୍ୟବାଦ ଉଆଟ୍‌ସନ୍‍, ଏଥର କୋଟ୍‌ଟା ପିନ୍ଧିବାରେ ମୋତେ ଟିକିଏ ସାହାଯ୍ୟକର । ପୋଲିସ୍ ଥାନାରେ ଆମ କାମ ସରିଲା ପରେ ସିମ୍ପ୍‌ସନ୍‌ଙ୍କ ହୋଟେଲରେ ଭଲରକମ ଖିଆପିଆଟା ମନ୍ଦ ହେବନାହିଁ ।

Image